Unknown

 

 

 

 

 

 

 

 

 

 

 

ଚେତନାର ଚୌହଦୀ

ଶ୍ରୀ ସୌରୀନ୍ଦ୍ର ବାରିକ

 

ସୂଚୀପତ୍ର

 

୧.

ଅହଂର ଓଁକାର

୨.

ସତ୍ୟର ରହସ୍ୟ

୩.

ଏକ କ୍ଷୀଣ ଭୂମିକା

୪.

ସୃଷ୍ଟି ଓ ସମାଲୋଚନା : ଏକ ଶୋଣିତ ସମ୍ପର୍କ

୫.

ବର୍ହିଯାତ୍ରା

୬.

ସାଂପ୍ରତିକତା : ଏକ ଜଟିଳ ଚେତନା

୭.

ଶୃଙ୍ଖଳିତ ସ୍ୱାଧୀନତା

୮.

ସାହିତ୍ୟରେ ପରୀକ୍ଷା

୯.

ସମାଲୋଚକର ଦାୟିତ୍ୱ

୧୦.

ସମାଲୋଚନାର ସମାଲୋଚନା

୧୧.

ସମାଲୋଚନାର ଆବେଦନ

୧୨.

ପ୍ରଲଂବିତ ଗୋଧୂଳି

୧୩.

ନବ ଘାତକ

୧୪.

ପରିବର୍ତ୍ତିତ ପରିସ୍ଥିତିରେ ସାହିତ୍ୟ

୧୫.

ଦ୍ୱିତୀୟ ସୃଷ୍ଟି-ପ୍ରତୀକ

୧୬.

ଚହଲା ଛାଇ

୧୭.

ଆଜିର ଦୁଃସ୍ଥିତି ଓ କବିତା

୧୮.

ଦୁଃସ୍ଥିତିର ମାନଚିତ୍ର

୧୯.

କଳା ଓ କାଳ

୨୦.

ଅହଂହୀନ ଅହଙ୍କାର

୨୧.

ସତ୍ୟଶୀଳତା

Image

 

‘ଅହଂର ଓଁକାର’

 

ଅନେକ ସମୟରେ ଆମେ ଗୋଟିଏ ଭୁଲ୍‌ ଧାରଣାର ବଶବର୍ତ୍ତୀ ହୋଇ ଭାବିଥାଉଁ ଯେ ଆଧୁନିକ ଚେତନା ରୋମାଣ୍ଟିକ୍‌ ଚେତନାର ବିରୋଧୀ । ଅର୍ଥାତ୍‌ ଆଧୁନିକତା ଓ ରୋମାଣ୍ଟିକ୍‌ ଚେତନା ଦୁହେଁ ବିପରୀତଧର୍ମୀ । ଏହି ଧାରଣାର ଶିକାର ହୋଇ ଆମେ ସାଧାରଣତଃ ବିଚାରିଥାଉଁ ଯେ ଆଧୁନିକ କବିତା ରୋମାଣ୍ଟିକ୍‌ କବିତା ବିରୁଦ୍ଧରେ ସ୍ୱର ତୋଳି ପ୍ରତିଷ୍ଠିତ ହୋଇଛି । ଏପରି ଧାରଣାରେ ଅବଶ୍ୟ ସତ୍ୟ ନିହିତ ଅଛି ଏବଂ କବିତାର ଇତିହାସ ଆଲୋଚନା କଲେ ଏପରି ସତ୍ୟରେ ଉପନୀତ ହେବାକୁପଡ଼େ । ମାତ୍ର ଏହାର ଅର୍ଥ ନୁହେଁ ଆଧୁନିକ କବିତାର ପ୍ରଧାନ ଗୁଣ ହେଲା ଅ-ରୋମାଣ୍ଟିକତା । ସମୟର ପଦପାତରେ ଆଧୁନିକ କବିତା ରୋମାଣ୍ଟିକ୍‌ କବିତା ବିରୁଦ୍ଧରେ ବିପ୍ଳବର ସ୍ୱର ତୋଳି ନିଜର କିଛି ସ୍ୱକୀୟ ଗୁଣରେ ପ୍ରତିଷ୍ଠିତ ହୋଇଥାଇପାରେ ମାତ୍ର ଏପରି ବିପ୍ଳବ ରୋମାଣ୍ଟିକ୍‌ କବିତାର ଗୋଟିଏ ଧାରା ବିରୁଦ୍ଧରେ, ସମଗ୍ର ରୋମାଣ୍ଟିକ୍‌ ଚେତନା ବିରୁଦ୍ଧରେ ନୁହେଁ । କାରଣ ଏକ କ୍ଷୟିଷ୍ଣ, ପରମ୍ପରା ବିରୁଦ୍ଧରେ ସ୍ୱର ତୋଳି ନୂତନର ସନ୍ଧାନ କରିବାଟା ହିଁ ହେଉଛି ରୋମାଣ୍ଟିକ୍‌ ଚେତନାର ଏକ ମୁଖ୍ୟ ଗୁଣ । ତେଣୁ ଇଂଲଣ୍ଡରେ ଊନବିଂଶ ଶତାବ୍ଦୀର ରୋମାଣ୍ଟିକ୍‌ କବିତା, ଭିକ୍ଟୋରିଆନ୍‌ ଓ ଜର୍ଜୀୟ କବିଙ୍କ ହାତରେ ବହୁଥର ପୁନରାବୃତ୍ତ ହୋଇ ଶେଷରେ ଯେତେବେଳେ ନିଜର ପ୍ରକାଶ ଶକ୍ତିକୁ ହରାଇବସି ଏକ ଗତାନୁଗତିକତାରେ ପରିଣତ ହେଲା ସେତେବେଳେ ଆଧୁନିକ ପୃଥିବୀର ଜଟିଳ ଦୁସ୍ଥିତିକୁ ପ୍ରକାଶ କରିବାପାଇଁ ନୂଆ ପରମ୍ପରାର ଜନ୍ମ ହେଲା । ଏଲିଅଟ୍‌, ପାଉଣ୍ଡ ଆଦି ସେମାନଙ୍କ ପରୀକ୍ଷା ଦ୍ୱାରା ଆଧୁନିକତାର ଶୁଭ ଦେଲାବେଳେ ଆମ ଓଡ଼ିଆ ସାହିତ୍ୟର ରାଧାନାଥୀୟ ଧାରା ସବୁଜ କବିଙ୍କ ପରେ ପରେ ଏକ କ୍ଷୟିଷ୍ଣୁ ପରମ୍ପରାରେ ପରିଣତ ହୋଇ ତା’ର ଶକ୍ତି ହରାଇ ବସିଥିଲା ଏବଂ ତା’ର ବିରୁଦ୍ଧରେ ଜନ୍ମନେଲା ଆଧୁନିକ ଓଡ଼ିଆ କବିତା । ତେଣୁ ଐତିହାସିକ ଦୃଷ୍ଟିକୋଣରୁ ଏ ସତ୍ୟ ମାତ୍ର କବିତାର ଗୁଣଗତ ବିଚାର କଲେ ଏବଂ ଏଥିରେ ଝଙ୍କୃତ ହେଉଥିବା ଆତ୍ମାଟିକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ଆଧୁନିକ କବିତା ମଧ୍ୟ ରୋମାଣ୍ଟିକ୍‌ଧର୍ମୀ । ଆଧୁନିକତା ରୋମାଣ୍ଟିକ୍‌ ଚେତନାର ଅଂଶବିଶେଷ-। ଏହା ତା’ର ସମ୍ପୂର୍ଣ୍ଣ ପରିପନ୍ଥୀ ନୁହେଁ । ତେଣୁ ଏ ପ୍ରବନ୍ଧର ଉଦ୍ଦେଶ୍ୟ ଆଧୁନିକତା ଓ ରୋମାଣ୍ଟିକ୍‌ ଚେତନା ଭିତରେ ଥିବା ଅନ୍ତର୍ନିହିତ ସମ୍ପର୍କର ସମ୍ୟକ ଆଲୋଚନା କରିବା ଏବଂ ଆଧୁନିକ ଓଡ଼ିଆ କବିତାରେ ଏହା କିପରି ପ୍ରତିଫଳିତ ହୋଇଛି ତା’ର ବିଶ୍ଳେଷଣ କରିବା । ଏହି ପରିପ୍ରେକ୍ଷୀରେ ସାଂପ୍ରତିକ ଓଡ଼ିଆ କବିତାରେ ‘ଅହଂ’ ଚେତନା ଏ ପ୍ରବନ୍ଧର ପ୍ରଧାନ ଆଲୋଚ୍ୟ ବସ୍ତୁ ।

 

ରୋମାଣ୍ଟିକ ଚେତନାର ମୁଖ୍ୟ ଗୁଣ ହେଲା ଆତ୍ମକୈନ୍ଦ୍ରିକତା । ଏହି ଚେତନାର ମୂଳ କେନ୍ଦ୍ରରେ ମଣିଷର ‘ଅହଂ’ଟି ମୁଖ୍ୟ ଭାବରେ ବିଦ୍ୟମାନ । ଏହି ଅହଂ ଜରିଆରେ ହିଁ ଶିଳ୍ପୀ ତାକୁ ଘେରି ରହିଥିବା ବିଶ୍ୱ ଓ ତା’ର ବାସ୍ତବତାର ସମ୍ମୁଖୀନ ହୁଏ । ତାକୁ ରୂପ ଦେଇଥାଏ । ତେଣୁ ରୋମାଣ୍ଟିକ୍‌ ଶିଳ୍ପୀ ପାଖରେ ନିଜ ଅହଂ ଦ୍ୱାରା ରୂପାନ୍ତରିତ ବିଶ୍ୱ ବା ବାସ୍ତବତା ହିଁ ଏକମାତ୍ର ସତ୍ୟ । ବାସ୍ତବତାର ଅବୈକ୍ତିକ ସତ୍ତାର ମୂଲ୍ୟ ତା’ପାଖରେ ନାହିଁ । ସେ ତା’ କଳ୍ପନାର ଅନେକ ପୃଥିବୀ ଗଢ଼ିପାରେ; ଅନେକ ଚରିତ୍ର, ଅନେକ ଆତ୍ମା ଭିତରେ ପ୍ରବେଶ କରିପାରେ ମାତ୍ର ସବୁଥିରେ ସେ କେବଳ ନିଜକୁ ହିଁ ପ୍ରକାଶ କରିଥାଏ, ତା’ ନିଜ ଛବି ଗଢ଼ିଥାଏ । ତେଣୁ ରୋମାଣ୍ଟିକ୍‌ କବିର ଯାତ୍ରା, ଗ୍ରହ, ନକ୍ଷତ୍ର ଭେଦି ଅତୀତ ଓ ଭବିଷ୍ୟତକୁ ସଞ୍ଚରି ଯାଇ କେବଳ ନିଜ ଭିତରକୁ ହିଁ ଅନ୍ତର୍ଯ୍ୟାତ୍ରା କରିଥାଏ ଏବଂ ନିଜ ଭିତରେ ଗୋଟିଏ ବିଶ୍ୱ ସୃଷ୍ଟିକରି, ତା’ରି କେନ୍ଦ୍ରରେ ନିଜକୁ ପ୍ରତିଷ୍ଠିତ କରି ବାସ୍ତବତାକୁ ପ୍ରକାଶ କରିଥାଏ । ଏ ବାସ୍ତବତା ବାହ୍ୟ ବାସ୍ତବତା ନୁହେଁ, କାରଣ ବାହାରର ଅବୈକ୍ତିକ ପୃଥିବୀ ଯେଉଁ ନୀତି, ନିୟମ ଦ୍ୱାରା ପରିଚାଳିତ ବୋଲି କ୍ଳାସିସିଷ୍ଟ୍‌ ମାନେ ବିଶ୍ୱାସ କରନ୍ତି-ଯାହା ଯାନ୍ତ୍ରିକତା ଓ ଯୁକ୍ତିଦ୍ୱାରା ନିୟନ୍ତ୍ରିତ-ଯା’ର ରୂପକଳ୍ପ ତେଣୁ ଗୋଟିଏ ଯନ୍ତ୍ର ଦ୍ୱାରା ସୁସ୍ପଷ୍ଟ-ସେପରି ବିଶ୍ୱ, ନିଜ ପ୍ରାଣ ପ୍ରାଚୁର୍ଯ୍ୟ ଓ କଳ୍ପନା ଦ୍ୱାରା ସ୍ୱୟଂ ସଂପୂର୍ଣ୍ଣ ଓ ସ୍ୱୟଂଚାଳିତ ହୋଇଉଠେ । ଏକ ଯାନ୍ତ୍ରିକ ଶକ୍ତି ଦ୍ୱାରା ପରିଚାଳିତ ନ ହୋଇ ନିଜ ଶକ୍ତିରେ ସ୍ୱାଧୀନଭାବେ ବୃଦ୍ଧିପାଏ । ‘ଯନ୍ତ୍ର’ ପରିବର୍ତ୍ତେ ଏପରି ପୃଥିବୀର ରୂପକଳ୍ପ ଏକ କ୍ରମବର୍ଦ୍ଧମାନ ସ୍ୱଚ୍ଛଳ ‘ବୃକ୍ଷ’ରେ ରୂପାନ୍ତରିତ ହୁଏ । ତେଣୁ ବାସ୍ତବତା ଅବୈକ୍ତିକ ନ ହୋଇ ଆତ୍ମିକ ହୋଇଉଠେ । ଏଇଠାରେ ହିଁ କ୍ଳାସିକ ଓ ରୋମାଣ୍ଟିକ୍‌ କବିମାନଙ୍କ ମଧ୍ୟରେ ପାର୍ଥକ୍ୟ । ଏ ପାର୍ଥକ୍ୟ ଦୁଇଟି ଜଗତର । ସେ ଜଗତ ଗତି ଓ ଧର୍ମର । କ୍ଳାସିକ୍‌ କବିର ଜଗତ ବାହ୍ୟଜଗତ ଓ ତା’ର ଯାନ୍ତ୍ରିକତା ତା’ର ଯୌକ୍ତିକତା ଓ ଅବ୍ୟକ୍ତିକତା; ମାତ୍ର ରୋମାଣ୍ଟିକ୍‌ କବିର ଜଗତ ଅନ୍ତଃଜଗତ୍‌ ଓ ତା’ର ସ୍ୱଚ୍ଛଳତା, ତା’ର ଭାବପ୍ରବଣତା ଓ ତା’ର ଆତ୍ମକୈନ୍ଦ୍ରିକତା । ତେଣୁ ରୋମାଣ୍ଟିକ୍‌ କବିଙ୍କ ହାତରେ ବାହ୍ୟଜଗତ, ଅହଂ ଜଗତରେ ପରିଣତ ହୁଏ । ସେମାନଙ୍କ କଳ୍ପନାଦ୍ୱାରା ନୂଆ ଜୀବନ୍ୟାସ ପାଏ । ଓ୍ୱାର୍ଡ଼ସ ଓ୍ୱାର୍ଥଙ୍କ ପାଖରେ କୋଇଲି ଏକ ଚଳମାନ ସ୍ୱର ବା ଏକ ‘ରହସ୍ୟ’ରେ ପରିଣତ ହୁଏ । କୀଟ୍‌ସଙ୍କ ପାଖରେ ଶୁଭୁନଥିବା ସଙ୍ଗୀତର ନୀରବତା ଗୁଞ୍ଜରିତ ହେଉଥିବା ସଙ୍ଗୀତଠାରୁ ଆହୁରି ମଧୁର ହୋଇଉଠେ । ଏଥିପାଇଁ ହୁଏତ ଜଣେ ସମାଲୋଚକ କହିଥିଲେ ରୋମାଣ୍ଟିକ ଚେତନାର ପ୍ରତୀକ ରାମଚନ୍ଦ୍ର ନୁହନ୍ତି ଶ୍ରୀକୃଷ୍ଣ । କାରଣ ରାମଚନ୍ଦ୍ର ମୁଖ୍ୟତଃ ବାହ୍ୟଜଗତ, ଆଦର୍ଶ ପୃଥିବୀର ପ୍ରତୀକ । ସେ ଆଦର୍ଶ ପୁତ୍ର, ଆଦର୍ଶ ରାଜା । ତାଙ୍କ ପ୍ରତିଷ୍ଠିତ ରାମରାଜ୍ୟ ଏକ ଆଦର୍ଶ ପୃଥିବୀ । ମାତ୍ର କୃଷ୍ଣ ହେଉଛନ୍ତି ଆବେଗର ପ୍ରତୀକ । ତାଙ୍କ ଶ୍ୟାମଘନ ରୂପ ଆଉ ତାଙ୍କରି ସେ ବଂଶୀସ୍ୱନ ହୃଦୟକୁ ସ୍ପର୍ଶକରେ । ମନଯମୁନାରେ ତରଙ୍ଗ ତୋଳେ । ରାଧିକାକୁ କରେ କୁଳଟା । ତେଣୁ ରୋମାଣ୍ଟିକ୍‌ ଚେତନାର ପ୍ରାଣକେନ୍ଦ୍ର ଏଇ ମନ-ଜଗତ । ଏଇ ମନ-ଜଗତର କଳ୍ପନା । ରୋମାଣ୍ଟିକ କବି ନିଜ କଳ୍ପନାଦ୍ୱାରା ବାହ୍ୟଜଗତକୁ ଦେଖିଥାଏ ଆଉ ତା’ରି ସୃଷ୍ଟି ଜଗତ ଭିତରେ ନିଜ ଅହଂଟି ଖାଲି ଛଳଛଳେଇ ଉଠେ-। ‘ପଲକି’ଙ୍କ ଛବି ଏହି ଶ୍ରେଣୀର । ଶିଶୁସୁଲଭ ସରଳତା ନେଇ ସେ ଏକ ଜଟିଳ ପୃଥିବୀର ଏକ ନିଜସ୍ୱ ଆତ୍ମିକ ରୂପ ଆଙ୍କିଛନ୍ତି । ଗୋଲଡ଼ିଙ୍କ ଉପନ୍ୟାସରେ ମଧ୍ୟ ଏହି ଧରଣର କଳ୍ପନା, ଏହିପରି ଏକ ଅନ୍ତଃଜଗତ ।

 

ତେଣୁ ଶିଳ୍ପୀର ଏହି ‘ଅହଂ’ଟିଏ ଚେତନାର ମୂଳ । ଅହଂ ଏବଂ ତା’ ମନ ଗହନର କଥାହିଁ ଏହାର ବିଶ୍ୱ । ଏଇ ପରିପ୍ରେକ୍ଷୀରେ ବିଚାରକଲେ ଆଧୁନିକ ଚେତନାର ଏହାହିଁ ମୂଳମନ୍ତ୍ର । ଆଜିର ଦୁଃସ୍ଥିତିର ନାଟକୀୟ ରୂପ ଯେତେ ତୋଳିଧରିବାକୁ ଚେଷ୍ଟା କରିଥିଲେ ହେଁ ଆଧୁନିକ ଶିଳ୍ପୀ ଏହି ଅହଂଟିକୁ ହିଁ ଖୋଜି ବୁଲୁଛି । ଆଜିର ସାହିତ୍ୟରେ ଏକ ନିଃସଙ୍ଗ ଏକକର ସ୍ୱର । ଏକ ଏକାକୀ ଯାତ୍ରୀର କ୍ଳାନ୍ତି ତା’ ଆଖିର ବିକଟ ମରୀଚିକା । ଆଜିର କବିତା ଏଇ ଏକାକୀ ଅହଂର ବହୁରୂପୀ ଆତ୍ମିକ ପ୍ରକାଶ । ତା’ରି ମନର ରହସ୍ୟମୟୀ ମାନଚିତ୍ର ଆଙ୍କିବାର ପ୍ରୟାସୀ । ତେଣୁ ଆଧୁନିକତା ଓ ରୋମାଣ୍ଟିକ୍‌ ଚେତନା ଭିତରେ ଗୁଣଗତ ପାର୍ଥକ୍ୟ ନାହିଁ । ପାର୍ଥକ୍ୟ ଯାହା ଦୃଷ୍ଟିକୋଣର ଗଭୀରତାରେ, ପ୍ରକାଶ ଭଙ୍ଗୀର ମାଧ୍ୟମରେ ଏବଂ ଚେତନାର ଭିନ୍ନତାରେ । ରୋମାଣ୍ଟିକ୍‌ ଚେତନାରେ ଅନୁଭବ ମୁଖ୍ୟତଃ ଆବେଗ ପ୍ରବଣ । ମାତ୍ର ଆଧୁନିକତା ଆବେଗକୁ ଅବହେଳା ନ କଲେ ମଧ୍ୟ ସବୁପ୍ରକାର ପ୍ରବଣତା ବିରୋଧୀ । କାରଣ ତା’ ଦୃଷ୍ଟିକୋଣ ଚିନ୍ତାଦ୍ୱାରା ରୁଦ୍ଧିମନ୍ତ; ପ୍ରଜ୍ଞାଦ୍ୱାରା ରସାଣିତ । ସେ ତା’ର ଆବେଗର ଶ୍ରାବଣୀ ପ୍ରକାଶରେ ବିଶ୍ୱାସ କରେନାହିଁ । ସେ ବିଶ୍ୱାସ କରେ ସଂଯମରେ ପୁଣି ବିଶ୍ୱାସ କରେ ବିଶ୍ଳେଷଣରେ । ଏପରିକି ସେ ତା’ର ଆବେଗକୁ ମଧ୍ୟ ବିଶ୍ଳେଷଣ କରିଥାଏ । ଆବେଗ ବିଷୟରେ ଚିନ୍ତା କରିଥାଏ । ଏହି ‘ଚିନ୍ତାଧର୍ମୀ’ ଦୃଷ୍ଟିକୋଣ ଆଧୁନିକ ଚେତନାର ଏକ ବିଶିଷ୍ଟ ଦିଗ । ଏ ଚେତନାକୁ ବିଶ୍ଳେଷଣାତ୍ମକ କରେ । ତା’ କଳାକୁ ଶୃଙ୍ଖଳା ଆଣିଦିଏ । ଶିଳ୍ପୀ ନିଜ ଅନ୍ଧାରି ଅହଂର ବୈଚିତ୍ର୍ୟରେ କେବଳ ମୁଗ୍‌ଧ ହୋଇଯାଏନା; ତା’ର ଏହି ଅନୁଭବକୁ ସଫଳ ରୂପାୟନ କରିବାର ମାଧ୍ୟମକୁ ମଧ୍ୟ ଖୋଜିବୁଲେ । ଏହି ଖୋଜିବୁଲିବା ଭିତରେ ଯେମିତି ରହିଥାଏ ଏକ ଚିରନ୍ତନ ଅତୃପ୍ତି । ଏହି ଅତୃପ୍ତି ହିଁ ଆଣିଦିଏ ଏକ ଅନ୍ୱେଷା, ଆଉ ଏହି ଅନ୍ୱେଷା ହିଁ ରୋମାଣ୍ଟିକ୍‌ ଚେତନାର ଗୋଟିଏ ପ୍ରଧାନ ଗୁଣ । ଏହା ତାକୁ ବିପ୍ଳବୀ କରେ ପୁଣି ପଳାୟନପନ୍ଥୀ ମଧ୍ୟ କରିଥାଏ । ସେ ତା’ର ସ୍ୱପ୍ନକୁ ଖୋଜିବୁଲେ-କେତେବେଳେ ଅତୀତର ସମ୍ଭାର ଭିତରେ ତ କେତେବେଳେ ଭବିଷ୍ୟତର ସମ୍ଭାବନା ଭିତରେ । ଏଥିରେ ତେଣୁ ଉଜଳିଉଠେ ରୋମାଣ୍ଟିକ ଚେତନାର ସ୍ୱପ୍ନିଳ ‘ମୁଁ’ଟି । ମାତ୍ର ଏ ଅନ୍ୱେଷାର ଆଧୁନିକ କବି ଖୋଜିବୁଲେ ତା’ ଅହଂର ଅହଂତ୍ୱ । ତା’ର ରହସ୍ୟ, ଆଉ ତାକୁ ଘେରି ରହିଥିବା ଏ ବିଶ୍ୱର ରହସ୍ୟ ସହ ତା’ର ଅହରହ ସଂଗ୍ରାମ-ପୁଣି ଏ କାଳର ରହସ୍ୟ । ଏ ଅନ୍ୱେଷା ‘ମୁଁ’କୁ ଚିହ୍ନିବାର ଚେଷ୍ଟା ତା’ର ହରରଙ୍ଗୀ ବହୁରୂପୀ ଭିତରୁ ଜୀବନର ନିର୍ଯ୍ୟାସକୁ ଉପଲବ୍‌ଧି କରିବାର ଚେଷ୍ଟା ।

 

ଆମ ସାମ୍ପ୍ରତିକ କବିତା ଆଧୁନିକତାର ପ୍ରଥମ ପର୍ଯ୍ୟାୟ ଅର୍ଥାତ୍‌ ଅ-ରୋମାଣ୍ଟିକ୍‌ ପର୍ଯ୍ୟାୟକୁ ଛାଡ଼ି ଏହି ରୋମାଣ୍ଟିକ୍‌ ପର୍ଯ୍ୟାୟରେ ଉପନୀତ । ତେଣୁ ଜୀବନର ଅବୈକ୍ତିକ, ନାଟକୀୟ ରୂପ ପରିବର୍ତ୍ତେ ଅହଂର ଆତ୍ମିକ ରୂପ ପ୍ରକାଶ କରିବାରେ ଅଧିକ ପ୍ରୟାସୀ । ଏଇଥିପାଇଁ ଏ କବିତାରେ ‘ମୁଁ’ ଚେତନା ଏତେ ତୀବ୍ର । ଉପନ୍ୟାସ, କ୍ଷୁଦ୍ରଗଳ୍ପ ନାଟକର ସମସ୍ତ ଚରିତ୍ର ଆଉଗୋଟିଏ ଗୋଷ୍ଠୀର ପ୍ରତିନିଧିତ୍ୱ ନ କରି ବ୍ୟକ୍ତି ବିଶେଷ ହୋଇଯାଇଛନ୍ତି । ସେମାନଙ୍କ ଭିତରେ ଆମ ସମାଜର ରୂପ ଝଲସି ନ ଉଠି ମନଭିତରର ଅନ୍ଧାର ହିଁ ଉଜଳିଉଠୁଛି । ମାଗୁଣିର ଶଗଡ଼ ନୁହେଁ, ଜଗଦୀଶ ମହାନ୍ତିଙ୍କ ଟେରିଫିକ୍‌ ବାଜେ ଗଳ୍ପର ଭୂମିକା ଫୁଟିଉଠୁଛି । ଠିକ୍‌ ସେଇପରି ‘ପ୍ରତିମା ନାୟକ’ର ଖାକି ପୋଷାକ ପରିବର୍ତ୍ତେ ‘ସୋଲେନ୍‌’ର ନୀରବତା ଗୁଞ୍ଜରିଉଠୁଛି । ଗୁଞ୍ଜରିଉଠୁଛି ଆମ ଭିତରର ସମୁଦ୍ର । ଏ ‘ମୁଁ’ ତେଣୁ କୌଣସି ସାମାଜିକ ବା ରାଜନୈତିକ ‘ମୁଁ’ ନୁହେଁ । କୌଣସି ନୀତି ନିୟମର ମୁଖା ପିନ୍ଧି, କୌଣସି ଚଳଣିର ଗଡ଼୍‌ଡ଼ାଳିକା ଭିତରେ ମସୃଣ ‘ମୁଁ’ ନୁହେଁ । କୌଣସି ଆଦର୍ଶରେ ଅନୁପ୍ରାଣିତ ଏକ ନୂଆ ସମାଜ ଗଢ଼ିବାର ସ୍ୱପ୍ନ ଦେଖାଳି ‘ମୁଁ’ ନୁହେଁ ଏ ‘ମୁଁ’ ନିହାତି ନିର୍ଜନ ମୁଁ । ଏହା ଜଣେ ଏକାକୀ ଅଶ୍ୱାରୋହୀ । ନିଜ ନିର୍ଜନ ବେଳାଭୂମିରେ ନିଜ ଶୂନ୍ୟତାର ଟାପୁ ତୋଳି ଯିଏ ଖାଲି ଭୁଆଁ ବୁଲୁଥାଏ । ଆଉ ସେହି ଟାପୁ ବାଜି ମନଗହୀରର ବାଲିସ୍ତୂପ ତଳୁ ଯା’ ଉପରକୁ ଫୁଟିଉଠେ ତା’ ନିଜର ଏକ ରହସ୍ୟମୟ ଗାଲମାଧବ । ନିହାତି ଅଚିହ୍ନା, ନିହାତି ନିଜର । ଏ ରୂପଟି କୌଣସି ଆଦର୍ଶର ରୂପ ନୁହେଁ, କୌଣସି ସମାଜର ନୁହେଁ । ଏହା ଏକ ଅନ୍ଧାରି ସତ୍ୟ, ଏକ କୁହେଳିତ ମୁଁ ।

 

‘‘ମୁଁ ମୋହର ଏକ ଚିହ୍ନ ନୁହେଁ

ମୁଁ ମୋର ଦ୍ୱିତୀୟ ଭୂତ ଓ ପୁରୁଷାନ୍ତର

ମୁଁ ଯାହା କହୁଚି ବୋଧେ ମୋର ନୁହେଁ ଉଦ୍ଧରଣ

ମୁଁ ସ୍ୱୟଂ ବକ୍ତା ଓ ଶ୍ରୋତା ନୈମିଷାରଣ୍ୟରେ ।

ମୁଁ ଇଶପ, ଅମାପ ମୋ ଗପ ।’’

 

(‘ଉଦ୍ଧୃତି ଚିହ୍ନ’-ରାଜେନ୍ଦ୍ର କିଶୋର ପଣ୍ଡା)

 

ଏଇ ଅମାପ ଗପ ନିଜ ଗପ । ଚିହ୍ନା ଅଚିହ୍ନା ସେଇଥିପାଇଁ ସେ ନିଜ ପାଖରେ କେତେବେଳେ ହୋଇଉଠେ–‘‘ନିଜର ମୁଁ ସାତପର’’ କେତେବେଳେ ସେ ‘‘ମୁଁ ନିଜେଇ ଛକ’’ ବା ‘‘ମୁଁ ଈଶ୍ୱର । ମୁଁଇ ସଇତାନ୍‌ । ମୁଁ ‘ମ୍ୟାନିକୀ’ । /ମୁଁ ମୁଁ ।’’ ପୁଣି ‘‘ମୁଁ କର୍ତ୍ତା । ମୁଁ କର୍ମ । ମୁ ହିଁ କରଣ ଓ ସଂପ୍ରଦାନ/ଅପାଦାନ ଓ ଅଧିକରଣ..../ ମୁଁ ହିଁ ମୋର ସମ୍ୱୋଧନ । /ଶବ୍ଦମୟ ମୋର ଯେତେ କୃତିର କୋରସ୍‌ ।’’(ଏକ ନକ୍‌ସା ‘ନଷ୍ଟି’ର-ରାଜେନ୍ଦ୍ର ପଣ୍ଡା)

 

ଏହି ‘ମୁଁ’ ସବୁ । ସେ ସବୁ ‘ମୟ’ ସହ ଏକାକାର । ତେଣୁ ତା’ର ସ୍ୱର ଆତ୍ମନେପଦୀ । ଏହି ଆତ୍ମନେପଦୀୟ ସ୍ୱର ହିଁ ଆଜିର ସ୍ୱର । ଏହା ସଚ୍ଚି ରାଉତରାୟଙ୍କଠାରୁ ସୌଭାଗ୍ୟ ମିଶ୍ରଙ୍କ ପର୍ଯ୍ୟନ୍ତ ବର୍ତ୍ତମାନ, ଏଇ ମୁଁ କୁ ଘେରି ରହିଛି ଶୂନ୍ୟତା । ଏଇ ଶୂନ୍ୟତାରେ ହିଁ ତା’ର ପୂର୍ଣ୍ଣତା-‘‘ଶୂନ୍ୟର ସମ୍ରାଟ ମୁହିଁ, ଶୂନ୍ୟତା ମୋ’ ଗାଲମାଧବତ୍ୱ ?’’ ତେଣୁ ‘ମୁଁ’ର ପୂର୍ଣ୍ଣତା ଏକ ବିଡ଼ମ୍ୱନା । ଏହା ବିଭକ୍ତ । ‘‘ମୁଁ ବିଭକ୍ତ ସାମଗ୍ରିକ ନୁହେଁ ।’’ ତଥାପି ଏପରି ଅହଂ ଚେତନା ହିଁ ଆଜି ଏକମାତ୍ର ସତ୍ୟ । ଏହାହିଁ ଲକ୍ଷ୍ୟ, ଏହାହିଁ ପରିଣତି । ଏହା ଆଉ ଆମ ସାମାଜିକ ଅସ୍ତିତ୍ୱର ଖଣ୍ଡିତ ରୂପ ଆଙ୍କୁନାହିଁ । ଏହା ଆମ ଅନ୍ଧାରି ଅହଂର ଅପୂର୍ଣ୍ଣ ଛବିକୁ ବୁଝିବାକୁ ଚାହୁଁଛି, ତେଣୁ ‘‘ରାଜେନ୍ଦ୍ର ପଣ୍ଡା’’ ନ ହୋଇଥିଲେ ଅନ୍ୟକିଛି ହବାର ଉପାୟ ନାହିଁ । କେବଳ ‘‘ସେଇ ରାଜେନ୍ଦ୍ର ପଣ୍ଡା’’ ହିଁ ହେବାକୁ ପଡ଼ିବ । କେବଳ ଏହି ‘ମୁଁ’ଟା ହିଁ ତ ଏକମାତ୍ର ସତ୍ୟ ।

 

ଏହିପରି ଏକ ଚେତନା ଆମେ ପାଇଥାଉଁ ସଚ୍ଚି ରାଉତରାୟଙ୍କ ଚେତନାର ବିକାଶ ଧାରାରେ । ‘ପାଣ୍ଡୁଲିପି’ର ମୁଁ ଏବଂ ‘କବିତା ୧୯୬୨’ର ମୁଁ ଭିତରେ ଅନେକ ପାର୍ଥକ୍ୟ । ‘ପାଣ୍ଡୁଲିପି’ର ମୁଁ ସାମାଜିକ । ଅନେକ ସମୟରେ ରାଜନୈତିକ । ତେଣୁ ସେ ‘ମୁଁ’ ‘ନୂଆ ମଣିଷ’ ହୋଇପାରେ, ମାତ୍ର ତା’ର ଛାତିତଳେ ସବୁ ମଣିଷର ରହସ୍ୟ ନାହିଁ । ତେଣୁ ତା’ର ଆବେଦନ ବାହ୍ୟ । ମାତ୍ର ‘କବିତା’ ୧୯୬୨’ର ଆବେଦନ ରହସ୍ୟମୟୀ ଏବଂ ଅନେକ ସମୟରେ ଆଧ୍ୟାତ୍ମିକ-। ସୀତାକାନ୍ତଙ୍କ ‘ସମୁଦ୍ର’ରେ ତ ଏଇ ରହସ୍ୟ ଓ ସମ୍ୱନ୍ଧର କଥା । ସମୁଦ୍ରକୁ ଆଉ ଅହଂକୁ ଅନୁଭବିବାର ଚେଷ୍ଟା । ସମୁଦ୍ରର ଅହଂ ଭିତରେ ଅହଂର ସମୁଦ୍ରକୁ ଖୋଜିପାଇବା–

 

‘‘ସମୁଦ୍ରର ବାସ୍ନା ଅଛି

ମୋ ମାଆ ଭଉଣୀ ମୋର ପ୍ରେମିକାର କଥା କଥାକରେ

ମୋର ଧର୍ମ-ପତ୍ନୀଙ୍କର ଆଖିତଳ ଶୀତଳ ଛାଇରେ

 

ସମୁଦ୍ରର ଅଶାନ୍ତ ଲହଡ଼ି ଅଛିରେ ହୃଦୟ

ମୋ ଦେହର କାଦୁଅ ଓ ଚବ ଚବ ପାଣି ଅରାକରେ ।।’’

 

(ଫଗୁଣର ନଈ ମୁହାଣରେ-ସୀତାକାନ୍ତ ମହାପାତ୍ର)

 

ଠିକ୍‌ ଏହି ଭାବ ଆମେ ପାଉଁ ‘ଶରଧାବାଲିର ବୁଢ଼ାଲୋକ’ କବିତାରେ ।

 

‘‘କାହାର ଅଦୃଶ୍ୟ ହାତ ଅସମାପ୍ତ ମୁହୂର୍ତ୍ତରେ ଦ୍ୱାର ଖୋଲେ

ନିରୁପାୟ କାଠପିତୁଳି ମୁଁ ଆସେ ସୂର୍ଯ୍ୟ ଅଗଣାରୁ

ଦୃଢ଼ବନ୍ଧେ ମୃତ୍ତିକା ପରଶେ । ନଭ ରହେ ନାଭି ଦେଶେ

ରବି ଶଶୀ ମୋ ବେନି ନୟନେ

ନଦୀମାନେ ମୋ ନାଡ଼ିରେ ପ୍ରବହନ୍ତି

ମୋ’ ବାଣୀରେ ସପ୍ତଛନ୍ଦ ମିଶେ ।।’’

 

କିମ୍ୱା ‘‘ମୁଁ ଶଙ୍କର ମୁଁ ଯେ ବ୍ରହ୍ମା ମୁଇଁ ବାସୁଦେବ ।’’

 

ଏଇ ଅନୁଭବ, ସବୁ ବାସ୍ତବତାକୁ ନିଜଭିତରେ କେନ୍ଦ୍ରୀଭୂତ କରିବା ଏଇ ଚେତନାର ଏକ ଦିଗ । ଏ ଯେମିତି ବହଳ କାଚ ଯା’ ଭିତର ଦେଇ ସୂର୍ଯ୍ୟକିରଣ ବିନ୍ଦୁରେ ପରିଣତ ହୋଇ କାଗଜ ଜାଳିଦେବା । ଏଇ ଚେତନାର ବିଶେଷଣ ଆମେ ପାଉ ରମାକାନ୍ତଙ୍କ ‘‘ମୁଁ ବିକୃତ ଛବିଟିଏ ଚିତ୍ରପଟେ ଯାର/ଆଦ୍ୟ ନାହିଁ, ପ୍ରାନ୍ତ ମଧ୍ୟ ନାହିଁ ।’’ (ଭାସମାନ ଦିନ) । ବା ଯେତେବେଳେ ଦୀପକ ମିଶ୍ର ‘ସପ୍ତମ ପୃଥିବୀ’ କବିତାରେ କହନ୍ତି ‘‘ମୁଁ ସେଇ ଗୋଟିଏ ଫୁଲ/ଯିଏ ଝରେ ବାସର ଘର ବିଛଣାରେ/ଏବଂ ଝରେ ଅଦୂରସ୍ଥ ସମାଧି ଉପରେ । ଜୀବନର ପୂର୍ଣ୍ଣତା ବୋଧହୁଏ ଏଇଠାରେ ହିଁ ସୂଚୀତ ହୁଏ । ଅନୁଭବ ଘନୀଭୂତ ହୁଏ । ଏଇ ଚେତନା ଏଇ ରହସ୍ୟବୋଧ ପ୍ରତୀକ ବୋଧହୁଏ ପ୍ରତିଭା ଶତପଥୀଙ୍କ ‘ସାହାଡ଼ା ସୁନ୍ଦରୀ’ ଚିତ୍ରକଳ୍ପରେ–‘‘ମୁଁ ସିନା ବର୍ଷାରେ ପୋଡ଼େ/ଖରାଖାଏ/ଶୀତ ସହେ/ସାହାଡ଼ା ଗଛର ଅପରିଚ୍ଛନ୍ନ ଗଣ୍ଡି ଭିତରେ/ଲୁଚିଥିବା ହେ ସୁନ୍ଦରୀ, ତୋ ଅସ୍ଥିରତାରେ ମତେ ଆଉ ଦୋହଲାଇ ଦେଏନା ।’’

 

ଏହି ଆଧୁନିକତାର ଅହଂ ଚେତନା ରୋମାଣ୍ଟିକ୍ କବିତାର ପ୍ରାଣବିନ୍ଦୁ । ପାର୍ଥକ୍ୟ କେବଳ ଦୃଷ୍ଟିକୋଣରେ । ଆଧୁନିକ କବିତାରେ ଏହି ଦୃଷ୍ଟିକୋଣରେ ଗଭୀରତା ଆସିଛି । ସବୁଜ କବିର ‘ମୁଁ’ ଆବେଗମୟୀ, ଆଦର୍ଶ ଜଡ଼ିତ । ସେଲୀଙ୍କ ପଶ୍ଚିମା ପବନ ପରି ସେ ଶକ୍ତି, ସମ୍ଭାବନା ଓ ପରିବର୍ତ୍ତନର ପ୍ରତୀକ । ସେ ସବୁକିଛି ଜାଳିପୋଡ଼ି ନୂତନକୁ ଆହ୍ୱାନ କରେ । ମାତ୍ର ବଞ୍ଚିବାର ତୀବ୍ରତା, ବାସ୍ତବତାର ଗଭୀରତା ସେଠାରେ ଅସ୍ପଷ୍ଟ । ଏ ଅହଂ କେବଳ ଏକ ଆବେଗମୟ ଛଳ ଛଳ ଅସ୍ତିତ୍ୱ, ଅଗଭୀର । ମାତ୍ର ଆଧୁନିକ କବିତାରେ ଏଇ ଅହଂ ଚେତନା ଧୀରେ ଧୀରେ ଅଧିକ ତୀବ୍ର ଓ ଆତ୍ମିକ ହୋଇଛି । ଗୁରୁପ୍ରସାଦଙ୍କ ‘ଅଳକା ସାନ୍ୟାଲ’, ‘ଗୋବର ଗଣେଷ’ ବା ‘ହରେକୃଷ୍ଣ ଦାସ’ ଅନେକ ସମୟରେ ଏଇ ଯୁଗର ମଣିଷକୁ ରୂପାୟିତ କରିବାରେ ଚେଷ୍ଟା କରିଥିଲା । ଏଇ ଚରିତ୍ରଗୁଡ଼ିକ ଭିତରେ ଥିଲା ଏଇ ଯୁଗର ଜୀବନ କମ୍ପନ । ସେମାନେ ଗୋଟିଏ ଗୋଟିଏ ବ୍ୟକ୍ତି ନ ହୋଇ ଗୋଟିଏ ଗୋଟିଏ ପ୍ରତୀକ । ସେମାନଙ୍କ ଆବେଗକୁ ପ୍ରକାଶ କରିବାରେ କବିଙ୍କର ଅନେକ ବ୍ୟଙ୍ଗ୍ୟ, ଅନେକ ବିଶ୍ଳେଷଣ ଏବଂ ଏସବୁ ଆବେଗଦଗ୍‌ଧ । ମାତ୍ର ସେମାନଙ୍କ ପୃଥିବୀ ଅନେକ ସମୟରେ ବାହ୍ୟତାକୁ ଗ୍ରହଣ କରିଛି । ବ୍ୟକ୍ତି ଜରିଆରେ ସମାଜର ଦୁସ୍ଥିତିକୁ ପ୍ରକାଶ କରିଛି । ତେଣୁ ସେମାନଙ୍କ ଭିତରେ ଆମେ ପାଉଁଜଣକ ଦ୍ୱାରା ଅନେକଙ୍କ କଥା । ସେମାନେ ଯେମିତି ଗୋଟିଏ ଗୋଟିଏ ପ୍ରତିନିଧି । ତାଙ୍କ ଭିତରେ ଆମେ ଆମକୁ ହିଁ ଖୋଜି ପାଉଁ । ଆମ ଯନ୍ତ୍ରଣାକୁ ବୁଝୁଁ । ମାତ୍ର ଆମ ଅସ୍ତିତ୍ୱର ଅର୍ଥହୀନତାକୁ ପାଉନା । ଆମ ଯନ୍ତ୍ରଣାଦଗ୍‌ଧ ନିଃସଙ୍ଗ ସତ୍ତାଟି କେମିତି ହଜିଯାଏ । ଏଠାରେ ଯେଉଁ ଅହଂର ପରିଚୟ ମିଳେ ତାହା ଯେମିତି ଏକ ଗଣ-ଅହଂ । ବିଶ୍ୱସ୍ତ ଓ ତୀବ୍ର ମାତ୍ର ତାଙ୍କର ‘ସନେଟ୍‌’ ବା ‘ସିଢ଼ୁଆ’ ବା ‘ଅକ୍ରୂର ଉବାଚ’ରେ ଆମେ ପାଉଁ ଏକ ନିର୍ଜନ ଏକକ ଅହଂ । ନିହାତି ଏକାନ୍ତଭାବେ ଗୁରୁପ୍ରସାଦଧର୍ମୀ । ଯେତିକି ଆଧୁନିକ, ସେତିକି ଚିରନ୍ତନ । ତା’ ସହ ଆମେ ଅଙ୍ଗାଙ୍ଗୀ ହୋଇ ତା’ର ନିର୍ଜନତାରେ ଏକ ନିର୍ଜନ ପୃଥିବୀକୁ ଭେଟୁ ଏକ ନିର୍ଜନ ସତ୍ୟକୁ ଉପଲବ୍‌ଧି କରୁ । ଏ ସତ୍ୟ ଯୁକ୍ତିର ନୁହେଁ, ପ୍ରବଣତାର ନୁହେଁ, ପ୍ରଜ୍ଞାର ବି ନୁହେଁ । ଏହା ବଞ୍ଚିବାର ଏକ ରହସ୍ୟମୟୀ ସତ୍ୟ । ଯେଉଁଠି ଗୋଲାପ, ନିଆଁ ସବୁ ଏକାକାର ହୁଏ ।

 

ତେଣୁ ଏହି ଅହଂଟି ଆଜିର କବିତାର ପୃଥିବୀ । ଆଜିର କବି ଆମକୁ ଘେରି ରହିଥିବା ପରିବେଶର ଅହଂକୁ ନ ଖୋଜି ନିଜ ଅହଂର ବିଚିତ୍ର ପୃଥିବୀର ଉନ୍ମୋଚନରେ ବିଶେଷ ଆଗ୍ରହୀ । ଏହି ବିଚିତ୍ର ପୃଥିବୀର ଏକ ସ୍ପଷ୍ଟ ଓ ସତ୍ୟଶୀଳ ଉଚ୍ଚାରଣ ଆମେ ପାଇଥାଉଁ ସିଲ୍‌ଭିଆ ପ୍ଳାଥ୍‌ଙ୍କ ‘କନ୍‌ଫେସନେଲ୍‌’ କବିତାଗୁଡ଼ିକରେ, ପୁଣି ଟ୍ରେଡ଼୍‌ ହ୍ୟୁଜେସ ତାଙ୍କ କବିତାରେ ଯେତେ ଜୀବଜନ୍ତୁଙ୍କ ବିଷୟରେ ଲେଖିଛନ୍ତି ସେଗୁଡ଼ିକ ତାଙ୍କ ମନଭିତରେ ଛପି ରହିଥିବା ଜାନ୍ତବ ପ୍ରକୃତିର ପ୍ରକାଶ କରିଛନ୍ତି ମାତ୍ର । ତେଣୁ ତାଙ୍କ ପାଖରେ ଜୀବଜନ୍ତୁଗୁଡ଼ିକର ବାହ୍ୟ ସତ୍ତା ଅପେକ୍ଷା ନିଜ ଅହଂର ଅନ୍ତର୍ନିହିତ ସତ୍ତା ହିଁ ଅଧିକ ଗୁରୁତ୍ୱପୂର୍ଣ୍ଣ । କାରଣ ତାଙ୍କ କବିତାଗୁଡ଼ିକ ତାଙ୍କ ମନର ପ୍ରତୀକୀ ପ୍ରକାଶ । ତାଙ୍କ ମନ ଭିତରେ ଲୁଚିଥିବା ବିଭିନ୍ନ ପ୍ରାଣୀୟ ଅହଂର କାବିଂକ ଉଚ୍ଚାରଣ ।

 

ଆଧୁନିକ କବିତାରେ ତେଣୁ ଏହି ଆତ୍ମୀକରଣ ହିଁ ସବୁଠାରୁ ବଡ଼ କଥା । ଯେତେବେଳେ କବି ସବୁକିଛିକୁ ନିଜ ଅହଂ ସହ ସାମିଲ୍‌ କରିଦେଲା, ସବୁକିଛିର କେନ୍ଦ୍ରରେ ନିଜ ଅହଂକୁ ସ୍ଥାପିତ କଲା ଯେତେବେଳେ ତା’ ପାଖରେ ତା’ କଳା ମଧ୍ୟ ଭିନ୍ନରୂପ ନେଲା । ସେ ଶବ୍ଦର ସମ୍ଭାବନାକୁ ଖୋଜି ବୁଲିଲା, ନୀରବତାର ଶବ୍ଦରେ ନିଜର ଏକାକୀତ୍ୱକୁ ଯୋଡ଼ାଇଦେଲା । ଶିଳ୍ପୀ ସବୁବେଳେ ଏକାକୀ, ଏକାକୀ ତା’ର ଅନ୍ୱେଷା । କାରଣ ସେ ନିଜ ଅହଂର କସ୍ତୁରୀ ଗନ୍ଧରେ ବିଭୋର । ତା’ରି ପ୍ରକାଶ ପାଇଁ ସେ ବ୍ୟାକୁଳ । ଏହି ବ୍ୟାକୁଳତା ହିଁ ତା’ର କଳା, ତା’ର ଶିଳ୍ପ । ଏଇ ଅହଂ କିନ୍ତୁ ବଡ଼ କ୍ରୂର, ଜଟିଳ ଏବଂ ଅନେକ ସମୟରେ ଆତ୍ମଘାତୀ । ଫଳରେ କବି ତା’ ଦାବି ନିକଟରେ ନିଜକୁ ଜଳାଞ୍ଜଳି ଦିଏ । କଳାର ସମସ୍ତ ଗତାନୁଗତିକତାର ମୃତ୍ୟୁ ହୁଏ । କଳା ହୁଏ ବୈପ୍ଳବିକ ପୁଣି ଏକାନ୍ତ ଏକାକି ହୁଏ । ଶିଳ୍ପୀ ଓ ଶିଳ୍ପ ବାହ୍ୟ ପୃଥିବୀଠାରୁ ଦୂରେଇ ଯାଇ ନିଜ ଭିତରେ ଗୋଟିଏ ନୂଆ ପୃଥିବୀ ଗଢ଼ିବସେ । ନିଜ ଅହଂର ଉଦ୍ଭଟତା ଭିତରେ ଏକ ଉଦ୍ଭଟ ପୃଥିବୀ ସୃଷ୍ଟିହୁଏ । ଏହାହିଁ ତ ଚରମ ଆଧୁନିକ ରୋମାଣ୍ଟିକତା ବା ରୋମାଣ୍ଟିକ୍‌ ଆଧୁନିକତା ।

 

ଫଳରେ ଆଧୁନିକତା ରୋମାଣ୍ଟିକ୍‌ ଚେତନା ବିରୋଧୀ ନୁହେଁ । ମାତ୍ର ବିକାଶର ପ୍ରଥମ ପର୍ଯ୍ୟାୟରେ ନିଜକୁ ପ୍ରତିଷ୍ଠିତ କରିବାପାଇଁ ପୁଣି ତଥାକଥିତ ରୋମାଣ୍ଟିକ୍‌ କବିତାରେ ଥିବା ଦୁର୍ବଳତା ବିରୁଦ୍ଧରେ ସ୍ୱର ତୋଳି ତାକୁ ଅଧୀକ ପ୍ରାଣବନ୍ତ କରିବାପାଇଁ ଏହା କେତୋଟି କ୍ଳାସିକ୍‌ ଗୁଣକୁ ଗ୍ରହଣ କରିନେଇଥିଲା । ଯଥା ଶୃଙ୍ଖଳା, ଅବୈକ୍ତିକତା, ଯୁକ୍ତି ଓ ପ୍ରଜ୍ଞା ଆଦି । ମାତ୍ର ପ୍ରାଣରେ ଏହା ସବୁବେଳେ ରୋମାଣ୍ଟିକ୍‌ ଧର୍ମୀ । କାରଣ ଏହାର ସ୍ୱର ବୈପ୍ଳବିକ । ଏଥିରେ ଆମେ ପାଉଁ ପ୍ରତ୍ୟାଖ୍ୟାନ ଓ ବିସ୍ମୟ । ଏହା ଚଳିତ ପରମ୍ପରାକୁ ପ୍ରତ୍ୟାଖ୍ୟାନ କରି ନୂଆ ପରମ୍ପରା ସୃଷ୍ଟିକରିବା ସଙ୍ଗେ ସଙ୍ଗେ ଅହଂର ରହସ୍ୟରେ ବିସ୍ମିତ ଏବଂ ତା’ର ରୂପାୟନ ପାଇଁ ସେ ବାହ୍ୟ ପୃଥିବୀକୁ ପରିତ୍ୟାଗ କରେ । ଏପରି ତ୍ୟାଗ ବିଳାସ ନୁହେଁ, ସ୍ୱପ୍ନ ମଧୁର ନୁହେଁ । ଏହା ପ୍ରାଣାନ୍ତକ ଅନ୍ୱେଷା । ଏହି ଅନ୍ତରୀଣ ବାସ୍ତବତାକୁ ଜୀବନ୍ୟାସ ଦେବାକୁଯାଇ କବି ବାହ୍ୟତାକୁ ପରିତ୍ୟାଗ କରେ, ମନାକରିଦିଏ ବାସ୍ତବତାର ଫଟୋ ତୋଳିବାକୁ ।

 

ତେଣୁ ଆଜିର ଆଧୁନିକ କବିତା ଏକ ନିଃସଙ୍ଗ ସ୍ୱର । ଏହା ଗଣର ନୁହେଁ; ଜଣେ ବ୍ୟକ୍ତିର ନିଃସଙ୍ଗତାକୁ ରୂପ ଦେବାରେ ପ୍ରୟାସୀ । ଆମକୁ ଘେରି ରଖିଥିବା ଯାନ୍ତ୍ରିକ ପୃଥିବୀ ଭିତରେ ଅଣନିଃଶ୍ୱାସ ନିର୍ଜନ ଅହଂର ଶୂନ୍ୟସଂହିତା ଏ କବିତା । ଏହା ବର୍ତ୍ତମାନର ବର୍ତ୍ତମାନତାରେ ନୁହେଁ ତା’ର ଚିରନ୍ତନତାରେ ଦଗ୍‌ଧୀଭୂତ ଏକ ନିଃସଙ୍ଗ ଅହଂର ନୀରବ ଓଁକାର । ଏହାହିଁ ଆଜିର କବିତାର ସ୍ୱର । ଆଉ ଏ କବିତାର ମାଧ୍ୟମ ହେଉଛି ଭାଷା ଭିତରେ ଲୁଚି ରହିଥିବା ସମସ୍ତ ଶବ୍ଦର ଅନ୍ଧାରି ଅହଂ । ତେଣୁ ‘‘ଦିନେ ମୁଁ ଶବ୍ଦର ମଞ୍ଜ ଭିତରକୁ ପଶିଥିଲି/ସେଇଠି ନୀରବତାର ଆତ୍ମାକୁ/ଦେଖିଲା ପ୍ରାୟେ ଅନୁଭବ କଲି....ନୀରବତାର ବୀଜ ଭିତରେ/ମୁଁ ଦିନେ ପଶିଥିଲି/ସେଇଠି ମୁଁ ଶବ୍ଦକୁ ସାକ୍ଷାତ କଲି/ନୀଜ ବ୍ରହ୍ମକୁ ସାକ୍ଷାତ କଲି ।’’

 

-‘ଯେଉଁଠାରେ ନୀରବତା ନୀରବ’–ରାଜେନ୍ଦ୍ର ପଣ୍ଡା ଏହାହିଁ ଆମ ଆଧୁନିକତା, ଆମ ରୋମାଣ୍ଟିକ୍‌ ଧର୍ମ । ଶବ୍ଦର ଅହଂ ସହ ଅହଂର ଓଁକାର ଏକାକାର ।

Image

 

ସତ୍ୟର ରହସ୍ୟ

 

ବେଳେବେଳେ ମନରେ ପ୍ରଶ୍ନଉଠେ ମୁଁ କେମିତି ଲେଖେ ? କ’ଣ ଲେଖେ ? ଏ ଲେଖିବା ମୋ’ ପାଖରେ କ’ଣ ଏତେ ବେଶି ଗୁରୁତ୍ୱପୂର୍ଣ୍ଣ ହୋଇଉଠେ ଯେ ନିତିଦିନିଆ ଜୀବନର ଆଉସବୁ କାମକୁ ଛାଡ଼ି କାଗଜ କଲମ ଧରି ବସିରହେ । କାମଧନ୍ଦା ସବୁ ବନ୍ଦ ରହେ । ଘଣ୍ଟା ଘଣ୍ଟା ମୁଁ ଗୋଟିଏ ଜାଗାରେ ବସିରହେ । କେତେବେଳେ ବାଧାହୀନ ଭାବରେ ଲେଖିଯାଉଥାଏଁ ତ କେତେବେଳେ ଧାଡ଼ିଟିଏ ବି ସମ୍ପୂର୍ଣ୍ଣ ହୁଏନି; ଅଥଚ ପୃଷ୍ଠା ପୃଷ୍ଠା କାଗଜ ଚିରାହୁଏ । କେତେ ଲେଖାହୁଏ, କେତେ କଟାହୁଏ । ସେ ଯେମିତି ଏକ ଅଦ୍ଭୁତ ସ୍ଥିତି-ପ୍ରତି ମୁହୂର୍ତ୍ତ ଗୋଟିଏ ଗୋଟିଏ କ୍ଷତ ବିକ୍ଷତ ମଧୁର ଜନ୍ମ, ସ୍ୱପ୍ନଦଗ୍‌ଧ କରୁଣ ମୃତ୍ୟୁ । ଏଇ ମୁହୂର୍ତ୍ତରେ ବାହାରର ପୃଥିବୀ କୁଆଡ଼େ ହଜିଯାଏ । ଦୁନିଆରେ ବିବେଚିତ ହେଉଥିବା ସଫଳ ମଣିଷଟିଏ ନ ହୋଇ ପାଲଟିଯାଏ ଅଜବ ମଣିଷଟି । ତଥାପି ସେ ପାଗଳ ତା’ କାଗଜ କଲମ ପାଖରେ ଅବିଚଳିତ । ତା’ପରେ ହଠାତ୍‌ ଯେମିତି ସେ କ’ଣ ଗୋଟିଏ ପାଇଯାଏ । ଶବ୍ଦଟିଏ, ଛବିଟିଏ, ଧାଡ଼ିଟିଏ, ସାରା ପୃଥିବୀ ତା’ପାଖରେ ଧରାଦିଏ । ତା’ ମନରେ ଜମିଉଠୁଥିବା ମେଘ, କଟିଯାଏ । ସେ ଅଲଗା ମୁଁ ଭିତରୁ ପରିଚିତ ମୁଁ ଭିତରକୁ ଫେରିଆସେ । ଝିଅ ପାଟିକରେ ବାପା ଗୋଟିଏ କବିତା ଲେଖିଲେ । ସ୍ମିତ ହସ ସହ ଚା କପେ ମିଳିଯାଏ ସ୍ତ୍ରୀଙ୍କ ପାଖରୁ । ସମସ୍ତେ ଖୁସି । ଯେମିତି ଘରକୁ ନୂଆ ଅତିଥିଟିଏ ଆସିଗଲା । ସମସ୍ତେ ବସିଯାନ୍ତି ତାକୁ ଶୁଣିବା ପାଇଁ ।

 

କିନ୍ତୁ ବେଳେବେଳେ କିଛିନାହିଁ । ଆପେ ଆପେ ସେ ଆସେ । ମୋତେ ଅସ୍ତବ୍ୟସ୍ତ କରିଦିଏ । ମନ ଭିତରେ ଅଦିନିଆ ବର୍ଷାପରି ହଠାତ୍‌ ଝରିଯାଏ । କବିତାଟି ଯେମିତି ଆପେ ଆପେ ଲେଖି ହୋଇଯାଏ । ମୁଁ କିଛି ଜାଣେନି । ମୁଁ ଖାଲି ଅସହାୟ ମାଧ୍ୟମଟିଏ । ଏଇଥିପାଇଁ ମୋ’ ମନରେ ପ୍ରଶ୍ନଉଠେ ମୁଁ କେମିତି ଲେଖେ ? ଏମିତି କ’ଣ ଲେଖେ ଯେ ଅନ୍ୟ ସମସ୍ତେ ପଢ଼ନ୍ତି । ଏତେ ଲେଖିବା ପରେ ବି କାହିଁକି ଆହୁରି ଲେଖା ମାଡ଼େ । ପ୍ରତ୍ୟେକ ସଫଳ କବିତା ପଛରେ କାହିଁକି କେମିତି ଅସନ୍ତୋଷଟିଏ ଲାଗି ରହିଥାଏ । ଏହି ଚିରନ୍ତନ ଅସନ୍ତୋଷଟି କ’ଣ ସବୁ ଲେଖାର ପ୍ରାଣ ? ପ୍ରତ୍ୟେକ ଲେଖା ପରେ ରହିଥିବା ତୃପ୍ତିର ପୂର୍ଣ୍ଣତା ?

 

ଏହି ଆତ୍ମବିଷ୍କାର ପୁଣି ଏହାରି ଜରିଆରେ ସାଧାରଣ ଜୀବନର ଆବିଷ୍କାର ହିଁ ସବୁ କଳାର ପ୍ରାଣ । ଏହିଠାରେ ହିଁ ଏହାର ଗୁରୁତ୍ୱ । କାଳର ଏହି ଆବିଷ୍କାର ଆସେ ବଞ୍ଚିବାର ଦହନରୁ-। ଅନୁଭବର ଗଭୀରତାରୁ । ତେଣୁ ପ୍ରତ୍ୟେକ କଳା ନିଜ ସହ, ଜୀବନ ସହ ଗୋଟିଏ ଗୋଟିଏ ପରୀକ୍ଷା । ଆମେ ଯେତେବେଳେ ଅତୀତର କଳାକୁ ଉପଭୋଗ କରୁ ଆମେ ଅନୁଭବ କରୁ ଏହି ପରୀକ୍ଷାକୁ । ଜୀବନ ସହ ବଞ୍ଚିବାର ପରୀକ୍ଷାକୁ । ଆଉ ଏହାରି ପଛରେ ଛପି ରହିଥିବା ସତ୍ୟର ଅନ୍ୱେଷାକୁ । ପ୍ରତ୍ୟେକ କଳା ଏହି ଅନ୍ୱେଷାର ପ୍ରକାଶ । ଏହା ହିଁ ଆମ ମନରେ ଭରିଦିଏ ଏକ ନାନ୍ଦନିକ ଆନନ୍ଦ । କାରଣ ସାମ୍ପ୍ରତିକତା, ମୂଲ୍ୟବୋଧ, ଏମିତିକି ନିଜ ଅନୁଭୂତିର ଊର୍ଦ୍ଧ୍ୱରେ କଳା ଏହି ସତ୍ୟକୁ ପ୍ରକାଶ କରିଥାଏ-ପ୍ରକାଶ କରିଥାଏ କସ୍ତୁରି ମୃଗ ପରି ନିଜ ରହସ୍ୟର ସତ୍ୟର ଅନ୍ୱେଷାକୁ । ତେଣୁ ସେ ସବୁଦିନ ନୂଆ । ସବୁ କାଳର ସମକାଳୀନ ।

 

ଏହାହିଁ ସବୁ ମହାନ୍‌ କଳାର ଧର୍ମ । ଏହା ନିହାତି ଆତ୍ମିକ । ମାତ୍ର ଏହାରି ଭିତରେ ହିଁ ଫୁଟିଉଠେ ସତ୍ୟ, ଯାହାକୁ ସମସ୍ତେ ନିଜସ୍ୱ ଭାବେ ଗ୍ରହଣ କରନ୍ତି । ଏଇଥିପାଇଁ ମୋ’ କବିତା ଲେଖା ସ୍ତ୍ରୀ ପାଖରେ, ପୁଅ ପାଖରେ, ଝିଅ ପାଖରେ ବିରକ୍ତିକର ହୋଇପାରେ, ପାଗଳାମି ବି ହୋଇପାରେ ମାତ୍ର କବିତାଟିରେ ସମସ୍ତେ ସମସ୍ତଙ୍କର ରୂପ ଦେଖନ୍ତି । ତାକୁ ନିଜେଇ ନିଅନ୍ତି । ମୋ’ କଥା ମୋର ହୋଇ ବି ଖାଲି ମୋର ହୋଇ ରହେନା । ମୋର ‘ମୁଁ’ଟି ସମସ୍ତଙ୍କର ‘ମୁଁ’ରେ ପରିଣତ ହୁଏ ।

 

ତେଣୁ ମୋତେ ମୁଁ କେମିତି ଲେଖେ । ପ୍ରଥମରୁ କହିଛି କହିପାରିବିନି । କେତେବେଳେ ଘଣ୍ଟା ଘଣ୍ଟା ଧରି ଅସହାୟ ଭାବେ ନିବିଷ୍ଟ ମନରେ ଅନାଇ ରହିଛି । କେତେବେଳେ ଥୋପକୁ ମାଛ ଗିଳିବ । ପୁଣି କେତେବେଳେ ସେ ଆସିଛି ଅନାଗତ ଭାବେ । କେତେବେଳେ ମୋତେ କାଳିସୀ ଲାଗିଛି ତ କେତେବେଳେ ଅତି ସହଜ ଭାବେ ଫୁଲଟିଏ ପରି ଧୀରେ ଧୀରେ ଏହା ଫୁଟିଉଠିଛି । ଲିଭିଯାଇଛି । କେତେବେଳେ ଡାଆଣୀ ଆଲୁଅ ପରି ଜଳିଉଠିଛି ଅଥଚ ପରମୁହୂର୍ତ୍ତରେ ମନରେ ଖାଲି ଭରିଦେଇଛି ଖାଁ ଖାଁ ଶୂନ୍ୟତା । ଗୋଟେ କେମିତି ହଜାଇଦେବା ଭାବ । ଅଥଚ ଅନେକଦିନ ପରେ ହଠାତ୍‌ ସେ ଆଲୁଅ କା’ର ଆଖିଭିତରୁ ଡରାଉଛି । ତେଣୁ କବିତା ଲେଖିବା ଯା’ହେଉନା କାହିଁକି ଅନ୍ତତଃ ମୋ ପାଖରେ ଏହାର ସୃଷ୍ଟି କେବେ ଚେତନଶୀଳ ଯୁକ୍ତି-ଧର୍ମୀ ନୁହେଁ । ଏହା ହଠାତ୍‌ ଆସେ । ଭିକାରିଟିଏ, ଶବଟିଏ, ଫୁଲଟିଏ ହଠାତ୍‌ ମନରେ କବିତା ବୁଣିଦିଅନ୍ତି । ତା’ପରେ ଯା’ ହୁଏ, ଯା’ ମୁଁ କରେ ତା’ ଅନ୍ୟ ଏକ ‘ମୁଁ’ର କାମ । ମୋର ସେ ଅନ୍ୟଏକ କା’ । କିନ୍ତୁ ଏହି ସମୟରେ ବାହ୍ୟ ହସ୍ତକ୍ଷେପ ସବୁ ନଷ୍ଟ କରିଦିଏ । ଆଙ୍ଗୁଳି ସନ୍ଧିରୁ କଙ୍କିଟି ଫର୍‌କିନା ଉଡ଼ିଯାଏ । ଜଗନ୍ନାଥ ଏଇଥିପାଇଁ ହୁଏତ ଖଣ୍ଡିଆ ରହିଯାନ୍ତି । ଅପୂର୍ଣ୍ଣ ରହିଯାଏ କଲ୍‌ରୀଜ୍‌ଙ୍କ ‘କୁବଲା ଖାଁ ।’

 

ତେବେ ମୁଁ କେମିତି ଏହି ଅସନ୍ତୋଷକୁ ପ୍ରକାଶ କରେ ? ଏଇ ଅସନ୍ତୋଷଟି କ’ଣ ? ଏହା କ’ଣ ମୋ ଲେଖି ବି ଲେଖି ନ ପାରିବାର ନା ଯାହା ଲେଖିବାକୁଯାଉଛି ତାକୁ ପ୍ରକାଶ ନ କରିପାରିବାର ? ମଣିଷ କାହିଁକି ଲେଖେ, କାହିଁକି ଗାଏ, କାହିଁକି ଛବି ଆଙ୍କେ ? ସେ ଲେଖିବା, ଗାଇବା ବା ଆଙ୍କିବା ମାଧ୍ୟମରେ ନିଜକୁ ପ୍ରକାଶ କରେ । ଆତ୍ମପ୍ରକାଶ ହିଁ ସବୁ ସୃଜନ କଳାର ମୂଳମନ୍ତ୍ର । ଜୀବନପ୍ରତି ନିଜର ଗଭୀର ଅନୁଭବକୁ ରୂପଦେବା ମଣିଷର ଏକ ଆଦିମ ପ୍ରବୃତ୍ତି । ଏହି ଗଭୀର ଅନୁଭବକୁ ସେ ସବୁ ଯୁଗରେ ବିଭିନ୍ନ ଭାବରେ ପ୍ରକାଶ କରିବାକୁ ଚେଷ୍ଟା କରିଛି । ଏହି ଚେଷ୍ଟା ଭିତରେ ନିଜର ଅହଂକୁହି ରୂପ ଦେବାକୁ ଚେଷ୍ଟା କରିଛି । ଗୁମ୍ଫାର କାନ୍ଥରେ ଛବି ଆଙ୍କି ବା କୋଣାର୍କ ଗଢ଼ି ସେ କେବଳ ନିଜର ଅନୁଭବକୁ ହିଁ ପ୍ରକାଶ କରିଛି ।

 

ଯଦି ଆତ୍ମପ୍ରକାଶ ହିଁ ସମସ୍ତ କଳାର ମୂଳକେନ୍ଦ୍ର ତେବେ ଶିଳ୍ପୀ ବାରମ୍ୱାର ନୂଆ ସୃଷ୍ଟିକରି ଚାଲିଥାଏ କାହିଁକି ? କାହିଁକି ସବୁବେଳେ ତା’ ମନରେ ଚିରନ୍ତନ ଅସନ୍ତୋଷ । ଏହି ଅସନ୍ତୋଷ ପଛରେ ରହିଛି ଏକ ଅପ୍ରାପ୍ତିର ପ୍ରାପ୍ତି ପୁଣି ପ୍ରାପ୍ତିର ଅପ୍ରାପ୍ତି । ପ୍ରତ୍ୟେକ ସୃଷ୍ଟି ଏକ ନୂଆ ଆବିଷ୍କାର-ଏକ ନୂଆ ଆତ୍ମାବିଷ୍କାର । ସ୍ରଷ୍ଟା ସୃଷ୍ଟିକରେ ଏବଂ ସୃଷ୍ଟିକରିବା ସଙ୍ଗେ ସଙ୍ଗେ ନିଜର ବିଭିନ୍ନତାକୁ ଭିନ୍ନ ଭିନ୍ନ ଭାବେ ଆବିଷ୍କାର କରେ । ଏହି ଅନ୍ୱେଷା କିନ୍ତୁ ଅସରନ୍ତି । ତେଣୁ ପ୍ରତ୍ୟେକ ସୃଷ୍ଟି ‘ମୁଁ କିଏ ?’’ ଏହି ପ୍ରଶ୍ନର ଏକ ଖଣ୍ଡିତ, ଅସମ୍ପୂର୍ଣ୍ଣ ଉତ୍ତର । ତେଣୁ ଏହି ଉତ୍ତର ଭିତରେ ହିଁ ଛପି ରହିଛି ଅନ୍ୟ ଅଜ୍ଞାତ ଦିଗକୁ ଖୋଜିପାଇବାର ତୃଷ୍ଣା । ତେଣୁ ପ୍ରତ୍ୟେକ ସୃଷ୍ଟି ତା’ ସ୍ରଷ୍ଟା ପାଖରେ ଏତେ ନିବିଡ଼, ଏତେ ଆତ୍ମିକ । କାରଣ ଏହା ତା’ ଆତ୍ମାବିଷ୍କାରର ଏକ ଖଣ୍ଡିତ ରୂପ । ସେଇଥିରେ ସ୍ରଷ୍ଟାର ଏକ ଗଭୀର ପ୍ରତିଫଳନ । କିନ୍ତୁ ଏହି ବ୍ୟକ୍ତିଗତ ପୃଥିବୀର ରୂପ ଝଲସାଉଥିବା କଳା ସାଧାରଣଙ୍କ ପାଖରେ ଏତେ ଗୁରୁତ୍ୱପୂର୍ଣ୍ଣ ହୁଏ କାହିଁକି ? ଏହାର ଉତ୍ତରରେ ଗୋଟିଏ ମାତ୍ର ଉତ୍ତର ଦିଆଯାଇପାରେ ଯେ ପ୍ରତ୍ୟେକ କକ୍ଷ ଏକ ଗଭୀର ଅନୁଭୂତିର ଅତି ମହତ୍ତ୍ୱପୂର୍ଣ୍ଣ ରୂପାୟନ । ଅର୍ଥାତ୍‌ ଏହା ଜରିଆରେ ଯେଉଁ ସତ୍ୟଟିର ସନ୍ଧାନ ମିଳେ, ତାହା ଅନ୍ୟକୌଣସି ଭାବେ ପ୍ରକାଶ ପାଇପାରିବ ନାହିଁ । ଏହା ଏକ ସଚେତନ ବ୍ୟକ୍ତିର ଆତ୍ମାବିଷ୍କାର । ଏହାର ଐକାନ୍ତିକତା, ଏହାକୁ ଘେରି ରହିଥିବା ନିଛାଟିଆ ଭାବ, ଏହାର ପ୍ରାଣ । ଏହାର ମୂଲ୍ୟ । ତେଣୁ ଅନ୍ୟ କାହାରି ଦ୍ୱାରା, ଅନ୍ୟକୌଣସି ଭାବେ ସେ ଏକାନ୍ତ ଅନୁଭବକୁ ରୂପ ଦେବା ସମ୍ଭବ ନୁହେଁ । ତେଣୁ ଯେଉଁ ଭାବେ ଜଣେ ଶିଳ୍ପୀ ନିଜର ସୃଷ୍ଟି ଜରିଆରେ ନିଜକୁ ଆବିଷ୍କାର କରେ, ଠିକ୍‌ ସେଇ ଭାବେ ଏ ପୃଥିବୀ, ଏଇ ମଣିଷ ଜାତି ଶିଳ୍ପୀର ସୃଷ୍ଟିରୁ ନିଜକୁ ଆବିଷ୍କାର କରେ । ଜୀବନର ବୈଚିତ୍ର୍ୟ, ତା’ର ବିଭିନ୍ନତା, ସବୁ କେମିତି ଫୁଟିଉଠେ । ରହସ୍ୟର ଗନ୍ତାଘର ଭିତରକୁ ଅନୁଭବର ଗୋଟିଏ କ୍ଷୀଣ ଆଲୋକ ରେଖା ପ୍ରଲମ୍ୱିଯାଏ । ଶିଳ୍ପୀ ନିଜକୁ ପାଏ ଏବଂ ତା’ ପାଇବା ଭିତରେ ସାରା ମଣିଷ ଜାତି ନିଜକୁ ନିଜସ୍ୱ ଭାବେ ଆବିଷ୍କାର କରେ । ଏହି ଆବିଷ୍କୃତ ସତ୍ୟ ଅବୈକ୍ତିକ ନୁହେଁ । ବିଜ୍ଞାନ ଦ୍ୱାରା ଏହାକୁ ବୁଝିହେବ ନାହିଁ । ଏହା ଏକାନ୍ତ ବ୍ୟକ୍ତିଗତ । କେବଳ ଅନୁଭବର ।

 

ଏଇଠି ପ୍ରଶ୍ନଉଠେ ସବୁ ସୃଜନଶୀଳତା କ’ଣ ରହସ୍ୟମୟ । ଏକ ଚେତନ ମନର ପ୍ରକାଶ ? ଶିଳ୍ପୀର ସଚେତନ ମନର କୌଣସି କାମ ନାହିଁ ! ଏହାର ଉତ୍ତରରେ ଏତିକି କୁହାଯାଇପାରେ ଏ ଦୁଇଟିର ସଂପର୍କ ଅତି ନିବିଡ଼, ଅତି ଗୁରୁତ୍ୱପୂର୍ଣ୍ଣ; କିନ୍ତୁ କବି ସୃଷ୍ଟିରେ ସଚେତନ ‘ମୁଁ’ର କାମ ଆରମ୍ଭ ହୁଏ ଦ୍ୱିତୀୟ ପର୍ଯ୍ୟାୟରେ । ତାକୁ ପୂର୍ଣ୍ଣାଙ୍ଗ, ସଫଳ ରୂପ ଦେବାରେ; ଏବଂ ଏଇ ଦୁଇ ‘ମୁଁ’-ଅର୍ଥାତ୍‌ ସୃଷ୍ଟିଶୀଳ ଓ ବିଚାରଶୀଳର ସମନ୍ୱୟ ହିଁ ସଫଳ କଳା ସୃଷ୍ଟିକରେ । ଏ ଦୁଇଟି ‘ମୁଁ’ ବିଭିନ୍ନ ଭାବେ ଭିନ୍ନ ଲେଖକଠାରେ କାର୍ଯ୍ୟକରେ । ସାଲବେଗଙ୍କ ଜଣାଣ ହୁଏତ ଗୋଟିଏ ଝଲକର ସୃଷ୍ଟି, ସେଇମିତି ହୁଏତ ମୀରା ଭଜନ । ଯେଉଁ ସୃଷ୍ଟିଶୀଳ ‘ମୁଁ’ ଅନୁଭବର ଏକ ଉତ୍ତରିତ ସ୍ତରରେ ଆବେଗର ଦମନରେ । ମାତ୍ର ସାରଳାଦାସଙ୍କ ‘ମହାଭାରତ’ରେ ଏହି ଦୁଇ ମୁଁର ଭାରସାମ୍ୟ । କାରଣ କଳ୍ପନାମୟୀ, କାଳୀସୀୟ ମନ ସୃଷ୍ଟିକରେ ସିନା ମାତ୍ର ତହିଁରେ ପୂର୍ଣ୍ଣତା ଆଣିବାରେ ସାହାଯ୍ୟ କରେ ଯୁକ୍ତିପ୍ରବଣ, ସଚେତନ ମନ । ଏହିଠାରେ ହିଁ କଳାର ଅନ୍ୟଏକ ଦିଗ ପ୍ରତି ଦୃଷ୍ଟିପଡ଼େ । ତା’ର ଆଙ୍ଗିକ, ତା’ର ଗ୍ରହଣୀୟ ରୂପ । ଏହି ଦିଗଟିରେ ନିଶ୍ଚିତଭାବେ କିଛି କୃତ୍ରିମତା, ନିୟମ, କାନୁନ୍‌, କିଛି କାରିଗରୀର ପ୍ରୟୋଜନ । ଆଉ ଏହାର ସଫଳତା ଆସେ ସଚେତନତାରୁ । ଗୀତ ଗାଇବା, ଛବି ଆଙ୍କିବା, ନାଚିବା, ସବୁ ଆଦିମ ପ୍ରବୃତ୍ତି ହେଇପାରେ; ମାତ୍ର ଏସବୁ ପ୍ରକାଶିତ ହେଉଥିବା କଳା କେବେ ପ୍ରବୃତ୍ତିଗତ ନୁହେଁ । ଏହାକୁ ବିକଶିତ କରିବାକୁ ପଡ଼େ । ପୁଣି କେବଳ ଆଙ୍ଗିକ ସଫଳତା ଉଚ୍ଚ କଳା ସୃଷ୍ଟି କରିପାରେନା ଯଦି ତହିଁରେ ସେହି ଅନ୍ତଃର୍ନିହିତ, ରହସ୍ୟମୟୀ ସ୍ୱରଟି ପ୍ରକଟିତ ନ ହୋଇପାରେ । ଏପରି ସ୍ଥଳରେ ସମସ୍ତ ପାଣ୍ଡିତ୍ୟ ସତ୍ତ୍ୱେ, ଆଂଗିକର ସମସ୍ତ ସଫଳତା ସତ୍ତ୍ୱେ କଳାରେ ପ୍ରାଣଟି ମିଳେନା । କାରଣ ସେହି ଆତ୍ମାବିଷ୍କାର, ଉଷ୍ଣତା ମିଳେନା, ବଞ୍ଚିବା ସହ ସେଇ ପରୀକ୍ଷାର ସନ୍ଧାନ ମିଳେନା । ଏପରି ସୃଷ୍ଟିରେ ସବୁ ଥାଏ; କିନ୍ତୁ ଏହା ପ୍ରାଣକୁ ଛୁଏଁନା । ଶିଳ୍ପୀ ଜଣେ କାରିଗର ନିଶ୍ଚୟ ମାତ୍ର କେବଳ କାରିଗରୀ କଳାକୁ ରସୋତ୍ତୀର୍ଣ୍ଣ କରିପାରେନା । ପୁଣି କାରିଗରୀ ବିନା କଳା କେବେ ସଫଳ ହୁଏନା । କେବଳ କାରିଗରୀ ସଫଳ କଳା ସୃଷ୍ଟି ହୀରାପରି ସୁନ୍ଦର, ହୀରାପରି ଉଜ୍ଜ୍ୱଳ ପୁଣି ସେଇ ହୀରାପରି ଶୀତଳ ଆଉ କଠିନ ।

 

କଳାର ଜନ୍ମ ମନର ଏକ ଭିନ୍ନ ସ୍ତରରୁ । କଳାର ସୃଷ୍ଟି ଅନୁଭବର ଏକ ଭିନ୍ନ ସ୍ତରରୁ । ଏଥିରେ ଯେଉଁ ପୃଥିବୀ ଜନ୍ମନିଏ ତା’ ଅନୁଭବର, ଉତ୍ତରଣର । ତେଣୁ କଳାକାର ଏକ ଆବେଗମୟ ଏକକ । ମାତ୍ର ଏଇ ଏକକ ଯେତେବେଳେ ତା’ର ଅନୁଭବକୁ କୌଣସି ଏକ ଛାଞ୍ଚରେ ପକାଏ ସେତେବେଳେ ସେ ଖୁବ୍‌ ସଚେତନ ହୋଇଉଠେ । ତା’ର ସଚେତନ ମନଆଗରେ ଶ୍ରାବଣୀ ଧାରକୁ ସଂଯତ କରେ । ମାଧ୍ୟମର ସମସ୍ତ ସମ୍ଭାବନାକୁ ନିୟୋଜିତ କରେ । ତେଣୁ ଏହି ସଚେତନତା ବିଷୟରେ ସଚେତନତା ପ୍ରତ୍ୟେକ ମହାନ୍‌ ଶିଳ୍ପୀର ଲକ୍ଷଣ । ଏହାଥିଲା ରବୀନ୍ଦ୍ରନାଥଙ୍କ ପାଖରେ, କିଟ୍‌ସ ପୁଣି ଇଏଟ୍‌ସଙ୍କ ପାଖରେ । ସବୁ ମହାନ୍‌ କବିଙ୍କ ପାଖରେ ଯୁକ୍ତିର ଶୀତଳତା ସହ ଅଙ୍ଗାଙ୍ଗୀ ସୃଜନତା ଲେଲୀହାନ ଶିଖା । ତେଣୁ ପ୍ରଥମ ପର୍ଯ୍ୟାୟରେ କବି ତା’ର ସୃଜନୀ ପାଖରେ ବନ୍ଦୀ ଥିଲାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ତା’ର ସୃଷ୍ଟିର ନିୟନ୍ତ୍ରଣକାରୀ । ଏହି ଦୁଇଟି ଧାରାର ମିଳନରୁହିଁ ଜନ୍ମନିଏ ମହାନ୍‌ ସୃଷ୍ଟି ।

 

ତେଣୁ କବିର ସୃଷ୍ଟି ଏକ ରହସ୍ୟ । ଏହା କେମିତି ଜନ୍ମନିଏ କହିହୁଏନା । ଏହା ଆପେ ଆପେ ହୁଏ । କିଛି କହେନା, କିଛି ଦିଏନା । ଖାଲି ହେଇଯାଏ, ରହିଯାଏ । ଏକ ରହସ୍ୟମୟ ସତ୍ୟ-। ଏହା ଭିତରେ ସତ୍ୟର ରହସ୍ୟ । ତେଣୁ ମୁଁ କ’ଣ ଲେଖେ ? ନିଜକୁ ହିଁ ଲେଖେ । ମୋତେ ଘେରି ରହିଥିବା ସବୁ ସତ୍ୟ ରହସ୍ୟକୁ ଖୋଜିବୁଲେ । ତା’ରି ଭିତରେ ମୋତେଇ ଖୋଜିବୁଲେ । ଆଉ କେମିତି ଲେଖେ ? ଅଧା ପାଗଳା; କିନ୍ତୁ ଆଉ ଅଧେ ? ଅତି ସଚେତନ କାରିଗର ଶବ୍ଦର ସରୁ ସରୁ ସୁତା ନେଇ ତାରକସି କରିବାକୁ ଯିଏ ବ୍ୟାକୁଳ ।

Image

 

ଏକ କ୍ଷୀଣ ଭୂମିକା

 

ଅନେକ ସମୟରେ ମନରେ ପ୍ରଶ୍ନଉଠେ ପୁରାତନ କବିମାନଙ୍କୁ ଆମେ କାହିଁକି ପଢ଼ିବୁ-? ତାଙ୍କ ଲେଖାରେ ଆମ ଜୀବନର କେଉଁ ସାମଞ୍ଜସ୍ୟ ଅଛି ଯେ ଆମେ ସେମାନଙ୍କୁ ଆମର ଗଣ୍ଠିଧନ କରି ରଖିବୁ ? ଏହି ପ୍ରଶ୍ନଟିକୁ ସାମାନ୍ୟ ବ୍ୟାପ୍ତ କରି ମଧ୍ୟ ପଚରାଯାଇପାରେ । ସାହିତ୍ୟକୁ କ’ଣ ସାଂପ୍ରତିକ ଚେତନା ଦ୍ୱାରା ହିଁ କେବଳ ମାପିବାକୁ ପଡ଼ିବ ? ଅର୍ଥାତ୍‌ ଯେଉଁ ସାହିତ୍ୟରେ ଆମ ସାଂପ୍ରତିକ ଜୀବନର ଛବି ପ୍ରତିଫଳିତ ନାହିଁ ତା’ର ମୂଲ୍ୟ ଆମ ପାଖରେ କିଛିନାହିଁ ? ଏହି ପ୍ରଶ୍ନର ଉତ୍ତର ଖୋଜୁଥିଲାବେଳେ ଅନ୍ୟ କେତୋଟି ବିଷୟ ମନଭିତରକୁ ଆପେ ଆପେ ଆସିଥାଏ । ମନରେ ସାହିତ୍ୟ ସହ ଜୀବନ ଓ ସମୟର ସମ୍ପର୍କ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଉଠେ । ତେଣୁ ଜୀବନ ଓ ସମୟ ପ୍ରତି ଆମ ଦୃଷ୍ଟିକୋଣ ଉପରେ ହିଁ ଜଣେ ସ୍ରଷ୍ଟାର ମୂଲ୍ୟାୟନ ସମ୍ଭବ । ଅତୀତ ସହ ସାଂପ୍ରତିକ କାଳର ସଂପର୍କ ଉପରେ ହିଁ ନିହିତ ଆମ ରସସ୍ୱାଦନ-। ଏହି ପ୍ରବନ୍ଧର ଉଦ୍ଦେଶ୍ୟ ଏହି ସମ୍ପର୍କ ଓ ଏହି ଦୃଷ୍ଟିକୋଣ ସମ୍ପର୍କରେ ଏକ କ୍ଷୀଣ ଭୂମିକା ଦେବା, ଅଭିମନ୍ୟୁଙ୍କ ସାହିତ୍ୟର ଏକ ସମ୍ୱେଦନଶୀଳ ବିଶ୍ଳେଷଣ ଯାହାଦ୍ୱାରା ସମ୍ଭବ ହେବ-। ତାଙ୍କୁ ଅଧିକଭାବେ ଅନୁଭବ କରିହେବ ତା’ରି ମାନସିକ ପ୍ରସ୍ତୁତି ବିଷୟରେ ସମ୍ୟକ ସୂଚନା ଦେବା ।

 

ଏହି ପରିପ୍ରେକ୍ଷୀରେ ବିଚାରକଲେ ଦେଖାଯାଏ ଯେ ସାହିତ୍ୟ ମଣିଷ ଜୀବନର ଅନୁଭୂତିକୁ ହିଁ ପ୍ରକାଶ କରିଥାଏ । ମଣିଷ ଜୀବନରେ ବାହ୍ୟ ଅନୁଭୂତି କୌଣସି ସମୟଖଣ୍ଡ ମଧ୍ୟରେ ଆବଦ୍ଧ ହୋଇଥାଏ । ଏହି ସାଧାରଣ ଅନୁଭୂତି ଅନନ୍ୟ ହୁଏ ଯେତେବେଳେ ଏହା ଏକ ବ୍ୟକ୍ତିର ବ୍ୟକ୍ତିଗତ ଅନୁଭୂତି ନିର୍ଦ୍ଦିଷ୍ଟ ସମୟ ଖଣ୍ଡ ଭିତରେ ଅନୁଭୂତି ହୁଏ । ଏହି ଏକକ ଅନୁଭୂତି ହିଁ ସବୁ ସୃଷ୍ଟିର କଞ୍ଚାମାଲ । ଏହି ଅନୁଭୂତିରେ ନିହିତ ଥାଏ ବ୍ୟକ୍ତିକତା ଏବଂ ସାଂପ୍ରତିକତା । ଏହା ଏକସଙ୍ଗରେ ବାହ୍ୟ ଏବଂ ବ୍ୟକ୍ତିଗତ । କାରଣ ଏହାର ରଙ୍ଗ ବ୍ୟକ୍ତିର ବ୍ୟକ୍ତିତ୍ୱ ଦ୍ୱାରା ଯେତିକି ରୂପାୟିତ, ସାଂପ୍ରତିକ କାଳର ଗୁଣଦ୍ୱାରା ସେତିକି ବର୍ଣ୍ଣିତ । ମାତ୍ର ଏହି ଏକକତ୍ୱ ଗୁଣ ସାହିତ୍ୟର ସବୁକଥା ନୁହେଁ । ସାହିତ୍ୟର ଅନୁଭୂତି ନିଜସ୍ୱ ହେଲେ ବି ତାହା ସାର୍ବଜନୀନ ହୁଏ; ନିର୍ଦ୍ଦିଷ୍ଟ ସମୟଖଣ୍ଡ ଭିତରେ ଜନ୍ମ ହୋଇଥିଲେ ବି ଏହା କାଳୋତ୍ତୀର୍ଣ୍ଣ ହୋଇଥାଏ । ଏହି ସାର୍ବଜନୀନତା, ଏହି ସାଧାରଣତା ସବୁବେଳେ ନିର୍ଦ୍ଦିଷ୍ଟ ରୂପରେ ହିଁ ପ୍ରକାଶିତ ହୁଏ । ଏହି ନିର୍ଦ୍ଦିଷ୍ଟତାର ସାର୍ବଜନୀନତା ବା ସାର୍ବଜନୀନତାର ନିର୍ଦ୍ଦିଷ୍ଟତା ହିଁ ସାହିତ୍ୟର ସ୍ୱାକ୍ଷର । ଏହିଥିରେହିଁ ତା’ର ଚିରନ୍ତନତା । ଏଥିପାଇଁ ସବୁ ଶ୍ରେଷ୍ଠ ସାହିତ୍ୟ ସବୁବେଳେ ସମସ୍ତଙ୍କର ସମକାଳୀନ । ଏହି ସମକାଳୀନତା ନିଜ ସାଂପ୍ରତିକତାକୁ ହରାଇ ନୁହେଁ ବରଂ ତାକୁ ଉତ୍ତୀର୍ଣ୍ଣ ହୋଇ । ତେଣୁ ସବୁ ଶ୍ରେଷ୍ଠ ସାହିତ୍ୟରେ ଏହି ଉତ୍ତୀର୍ଣ୍ଣତାର ସ୍ୱର । ବାଲ୍ମିକୀଙ୍କ ‘ମା’ ନିଷାଦ.....’ କେବଳ ବାଲ୍ମିକୀଙ୍କ ବ୍ୟାଧର କ୍ରୂରତା ପ୍ରତି ପ୍ରତିକ୍ରିୟାର ସ୍ୱର ନୁହେଁ । ଏହା ସବୁକାଳରେ ହିଂସା ବିରୁଦ୍ଧରେ ପ୍ରେମର ସ୍ୱର । ପଶୁତ୍ୱ ବିରୁଦ୍ଧରେ ମାନବିକତାର ସ୍ୱର ।

 

ତେଣୁ ସବୁ ଶ୍ରେଷ୍ଠ ସାହିତ୍ୟରେ ଏହି ଟପିଯିବାର ସ୍ୱର । ଏହି ଉତ୍ତରି ଯିବାର ସ୍ୱର । ଏହା ଦୁଇଟି ସୀମାକୁ ଟପିଯାଏ-ଗୋଟିଏ ସମୟର ସୀମା, ଅନ୍ୟଟି ବ୍ୟକ୍ତି ଅନୁଭୂତିର ସୀମା । ଏହି ଦୁଇଟିଯାକ ଉତ୍ତରିତ ଭାବ କିନ୍ତୁ ଗ୍ରହଣରୁ ଜାତ । କୌଣସି ଶିଳ୍ପୀ ସାମ୍ପ୍ରତିକତା ବା ବ୍ୟକ୍ତିକତାକୁ ତ୍ୟାଗ କରେନାହିଁ । ତେଣୁ ସବୁ ସାହିତ୍ୟର ରସସ୍ୱାଦନ ପାଇଁ ଆମକୁ ଏହି ଦୁଇଟି ଦିଗ ପ୍ରତି ସଚେତନ ହେବାକୁ ପଡ଼ିବ । ଏହି ସଚେତନତା ହିଁ ହେଉଛି ସବୁ ସମାଲୋଚନାର ମୂଳମନ୍ତ୍ର । ଅର୍ଥାତ୍‌ ସମାଲୋଚନା ନିଜ ସମୟ ଚେତନାଦ୍ୱାରା ରୁଦ୍ଧିମନ୍ତ ହେବ ସିନା ମାତ୍ର ତା’ଦ୍ୱାରା ସଂପୂର୍ଣ୍ଣ ରୂପେ ପରିଚାଳିତ ହୋଇ ସେ ଚେତନାକୁ ଯଦି ଆଲୋଚିତ ସାହିତ୍ୟରେ ଖୋଜିବସେ ତେବେ ସାହିତ୍ୟର ରସ ସ୍ୱାଦନ ସଂପୂର୍ଣ୍ଣ ସମ୍ଭବ ହୋଇନପାରେ । ଏପରି ଆରୋପଣ ଦ୍ୱାରା ସମାଲୋଚକ ନା କବିର ବ୍ୟକ୍ତିତ୍ୱକୁ ପାଇପାରିବ ନା କବିର ସମୟ ଚେତନାକୁ ଧରିପାରିବ । ଫଳରେ ସାହିତ୍ୟରେ ଝଙ୍କୃତ ହେଉଥିବା ଚିରନ୍ତନତାକୁ ଧରିପାରିବନି । ତାକୁ ନିଜ ସମୟ ଖଣ୍ଡ ଭିତରେ ବାନ୍ଧିବାକୁଯାଇ ନା ନିଜକୁ, ନା ଶିଳ୍ପୀକୁ ପାଇବ ନା ତହିଁରେ ତ୍ରୁଟି ଉଠୁଥିବା ସତ୍ୟଟିକୁ ଉପଲବ୍‌ଧି କରି ନିଜକୁ ନୂଆ କରି ଆବିଷ୍କାର କରିପାରିବ ।

 

ଫଳରେ ସମାଲୋଚନାରେ ଦୃଷ୍ଟିର ବ୍ୟାପକତା ସଙ୍ଗେ ସଙ୍ଗେ ଏକ ଉଦାର ସହୃଦୟତାର ଏକାନ୍ତ ପ୍ରୟୋଜନ । ଏହା ସମାଲୋଚନାକୁ କାଳର ହିଡ଼କୁ ଡେଇଁଯିବାରେ ସାହାଯ୍ୟକରେ, ବ୍ୟକ୍ତିତ୍ୱର ନିଜସ୍ୱ ରହସ୍ୟଟିକୁ ଭେଦି ସମୟର ପ୍ରତିଫଳନ ପାଇବାରେ ସାହାଯ୍ୟକରେ । ଏଇଥିପାଇଁ ସମାଲୋଚନାରେ ପରମ୍ପରା ସହ ସାମ୍ପ୍ରତିକତାର ସମନ୍ୱୟ ଏକାନ୍ତଭାବେ ପ୍ରୟୋଜନୀୟ । ଏହି ସମନ୍ୱୟ ଶିଳ୍ପୀକୁ ଯେମିତି ପୂର୍ଣ୍ଣତର କରେ, ସମାଲୋଚନାକୁ ମଧ୍ୟ ସେହିପରି ଶାଣିତ ଓ ରସଗ୍ରାହୀ କରିବାରେ ସାହାଯ୍ୟ କରିଥାଏ ।

 

ଆଜି ଆମେ ଯେତେବେଳେ ଆମ ପୁରାତନ କବିମାନଙ୍କୁ ବିଚାର କରୁ ସେତେବେଳେ ଏହି ଉଦାରତାର ଏକାନ୍ତ ପ୍ରୟୋଜନ ଅନୁଭୂତ ହୋଇଥାଏ । ଆମ ସାମ୍ପ୍ରତିକ ମୂଲ୍ୟବୋଧ ଦ୍ୱାରା ଆମେ ପ୍ରଭାବିତ ହୋଇପାରୁ, ମାତ୍ର ଏ ମୂଲ୍ୟବୋଧ ପୁରାତନ କବିମାନଙ୍କ ଉପରେ ଲଦିଦେଲେ ସେମାନଙ୍କର ପ୍ରକୃତ ମୂଲ୍ୟାୟନ ହେବନାହିଁ । ପୁଣି ଆମ ସାମ୍ପ୍ରତିକତାକୁ ସମ୍ପୂର୍ଣ୍ଣରୂପେ ତ୍ୟାଗକରି ପୂର୍ବସୁରିମାନଙ୍କୁ ସେମାନଙ୍କ ପରିପ୍ରେକ୍ଷୀରେ କେବଳ ବିଚାରକଲେ ସାହିତ୍ୟର ସେହି ଚିରନ୍ତନତାକୁ ହରାଇବସିବା । ଆମ ବିଚାର କେବଳ ପାରମ୍ପରିକତାର ଅନ୍ଧ ଉଚ୍ଚାରଣ ହୋଇଯିବ । ସବୁବେଳେ ପୁରାତନ ଦ୍ୱାରା ବର୍ତ୍ତମାନ ଋଦ୍ଧିମନ୍ତ ହୋଇଥାଏ ଏବଂ ନୂତନ ଦ୍ୱାରା ପୁରାତନ ନୂଆ ଅର୍ଥରେ ଗରୀୟାନ ହୋଇଥାଏ । ଏହି ଦିଆନିଆ ହିଁ ପ୍ରକୃତ ମୂଲ୍ୟାୟନ-ପ୍ରକୃତ ସୃଷ୍ଟି ଏହି ଦିଆନିଆ ଭିତରେ ମାଜିହୋଇ ଅଧିକ ଉଜ୍ଜ୍ୱଳ ହୋଇଥାଏ । ସବୁ ନୂଆର ଅଗ୍ନି ପରୀକ୍ଷାରେ ନିଜସ୍ୱତାକୁ ବଜାଇରଖି ସୃଷ୍ଟି ସମସ୍ତଙ୍କର ସମକାଳୀନ ହୋଇଯାଏ । କାରଣ ଏଥିରେ ବ୍ୟକ୍ତି ଭିତରେ ସମସ୍ତ ଏବଂ ନିର୍ଦ୍ଦିଷ୍ଟତା ଭିତରେ ଚିରନ୍ତନତାକୁ ହିଁ ସେ ଗର୍ଭିତ କରିପାରିଥାଏ ।

 

ଆଜି ଆମ ପାରମ୍ପାରିକ ଶିଳ୍ପୀମାନଙ୍କର ମୂଲ୍ୟାୟନ ବେଳେ ଏହି ସତ୍ୟଟିକୁ ସବୁବେଳେ ମନେରଖିବାକୁ ପଡ଼ିବ । ମାତ୍ର ଆମେ ଅନେକ ସମୟରେ ସେମାନଙ୍କୁ ଏହି ଉଦାରତା ସହ ବିଚାର ନ କରି ସେମାନଙ୍କ ଉପରେ ଆମକୁ ଲଦିଦେଉଁ ବା ଆମକୁ ଭୁଲି ସେମାନଙ୍କର ସେଦିନର ରୂପଟିକୁ ସମ୍ପର୍କହୀନ ଭାବେ ଖୋଜିବସୁ । ଭୁଲିଯାଉ ଯେ ସମୟର ପଦପାତରେ ସେ ରୂପରେ ବା ସମ୍ପର୍କରେ ପରିବର୍ତ୍ତନ ଆସିପାରେ । ତେଣୁ ପ୍ରତ୍ୟେକ ଶିଳ୍ପୀକୁ ସେମାନଙ୍କର ସମୟ ଖଣ୍ଡରେ ହିଁ ବିଚାର କରିବାକୁ ପଡ଼ିବ । ମାତ୍ର ଏପରି ବିଚାର କଲାବେଳେ ଆମ ମାନସିକ ପ୍ରସ୍ତୁତି ଆମ ସମୟ ଚେତନାଦ୍ୱାରା ଋଦ୍ଧିମନ୍ତ ହୋଇଥିବା ବିଧେୟ । ପ୍ରଥମଟି ଦ୍ୱାରା ଆମେ ଶିଳ୍ପୀ ବିଷୟରେ ଅନେକ ସତ୍ୟ ପାଇପାରିଥାଉ । ସେମାନଙ୍କୁ ଘେରି ରହିଥିବା ତତ୍‌କାଳୀନ ସତ୍ୟଟିକୁ ପାଇପାରିଥାଉ । ଅର୍ଥାତ୍‌ ତାଙ୍କ ପୃଥିବୀକୁ ଭେଟିଥାଉ । ଏହି ସତ୍ୟବିନା ଶିଳ୍ପୀର ବିଚାର ଅସମ୍ଭବ । ଦ୍ୱିତୀୟଟି ଦ୍ୱାରା ଏହି ପୃଥିବୀର ନିଜସ୍ୱ ସତ୍ୟଟି ଭିତରେ କେତେ ଚିରନ୍ତନତା ଅଛି ଅର୍ଥାତ୍‌ ଶିଳ୍ପୀ ଧରିଥିବା ମୁକୁରଟିରେ ଆମ ନିଜର ପ୍ରତିଫଳନ କେତେଦୂର ସଫଳଭାବେ ପ୍ରତିଫଳିତ ହୋଇପାରିଛି ତାହା ଉପଲବ୍‌ଧି କରାଯାଇପାରିବ ।

 

ତେଣୁ ଏହି ଦୁଇଟି ଦୃଷ୍ଟିକୋଣ ଅର୍ଥାତ୍‌ ଅବୈକ୍ତିକ ସତ୍ୟ ଯାହା ଶିଳ୍ପୀର ତତ୍‌କାଳୀନତାର ଅନୁଧ୍ୟାନ ଓ ବିଶ୍ଳେଷଣ ଏବଂ ଦ୍ୱିତୀୟଟି ଆମ ମାନସିକ ପ୍ରସ୍ତୁତି ଅର୍ଥାତ୍‌ ଆମ ମୂଲ୍ୟାୟନ ପଛରେ ଛପିଥିବା ଆମ ଚେତନା ଯାହା ଆମ ସାମ୍ପ୍ରତିକତା ଦ୍ୱାରା ପ୍ରଭାବିତ । ତେଣୁ ସାହିତ୍ୟର ମୂଲ୍ୟାୟନ ଉଭୟ ଐତିହ୍ୟ ଓ ବର୍ତ୍ତମାନ ସମନ୍ୱୟରେ ହିଁ ସମ୍ଭବ । କୌସିଟିକୁ ଛାଡ଼ିଲେ ଆମର ମୂଲ୍ୟାୟନ ଅପୂର୍ଣ୍ଣ ହୋଇଯିବାରେ ଭୟଥାଏ । ତେଣୁ ଆମ ସମାଲୋଚନା ସାହିତ୍ୟରେ ଏହି ସମନ୍ୱିତ ଚେତନାର ପ୍ରୟୋଜନ ଏକାନ୍ତ ଆବଶ୍ୟକ । ଆମେ ଆଜି କୌଣସି କବିଙ୍କୁ ବିଚାର କଲାବେଳେ ତା’ର ଅନ୍ଧ ସ୍ତାବକ ହୋଇ ପ୍ରଶଂସା କରୁଛୁଁ ବା ଅନ୍ଧଭାବେ ତାଙ୍କୁ ନିନ୍ଦା କରୁଛୁ । ଏହି ଉଭୟ ପ୍ରତିକ୍ରିୟା ପଛରେ ଏହି ସମନ୍ୱିତ ଚେତନାର ଅଭାବ । ଶିଳ୍ପୀକୁ ତା’ର ସମୟ ଖଣ୍ଡରୁ ବିଚ୍ୟୁତ କରି ଆମ ବର୍ତ୍ତମାନର କଷଟି ପଥରରେ କଷିବାର ଏହାହିଁ ହେଉଛି ପରିଣାମ । ଏହାଦ୍ୱାରା ଆମେ ଶିଳ୍ପୀର ମୂଲ୍ୟାୟନ ନ କରି ତାକୁ ମାଧ୍ୟମଟିଏ କରି ଆମକୁ ବା ଆମ ଦୃଷ୍ଟିକୋଣକୁ ପ୍ରକାଶ କରିବାର ଚେଷ୍ଟା କରିଥାଉ । ତାଙ୍କ ଭିତରେ ଚିରନ୍ତନତାକୁ ନ ଖୋଜି ଆମେ ବା ଆମ ଚେତନା କେତେଦୂର ତାଙ୍କଠାରେ ପ୍ରତିଫଳିତ ହୋଇଛି ତାକୁ ହିଁ ଖୋଜିବୁଲୁ । ଏହି ଖୋଜିବା ଯେହେତୁ ସମୟ ଦ୍ୱାରା ପ୍ରଭାବିତ, ଏପରି ଖୋଜିବାର ମାନଦଣ୍ଡଟି ଯେହେତୁ ବର୍ତ୍ତମାନର ବର୍ତ୍ତମାନତା ଦ୍ୱାରା ସୀମିତ, ଏପରି ସମାଲୋଚନାର ପ୍ରାପ୍ତ ସତ୍ୟଟି ମଧ୍ୟ ଖଣ୍ଡିତ ଓ କ୍ଷଣିକ । ଏପରି ମତ ସବୁବେଳେ ପରିବର୍ତ୍ତିତ ହେଉଥାଏ । ଏହା ସତ୍ୟକୁ ନ ଖୋଜି ଖାଲି ନିଜର ପରିବର୍ତ୍ତିତ ମତାମତ ଭିତରେ ହିଁ ଭୁଆଁ ବୁଲୁଥାଏ ।

 

ଆମେ ଯେତେବେଳେ ଆମ କବି ଉପେନ୍ଦ୍ରଭଞ୍ଜଙ୍କୁ ବିଚାର କରୁଁ ସେତେବେଳେ ଆମେ ଏପରି ଦୃଷ୍ଟିକୋଣ ଦ୍ୱାରା ସୀମିତ । ଆମେ ଉପେନ୍ଦ୍ରଭଞ୍ଜର ଅନ୍ତର୍ନିହିତ ଗୁଣ, ତାଙ୍କର ଜୀବନ ପ୍ରତି ଓ ସାହିତ୍ୟ ପ୍ରତି ଦୃଷ୍ଟିକୋଣକୁ ସହୃଦୟ ବିଚାର ନକରି ଆମ ମତକୁ ତାଙ୍କ ସାହିତ୍ୟରେ ଖୋଜିଥାଉଁ-। ଫଳରେ କେତେବେଳେ ସେ ଆମ ପାଖରେ ‘ବିରାଟ ଆତଙ୍କ’ ହେଲେଣି ତ କେତେବେଳେ ବିଶ୍ୱର ଅଦ୍ୱିତୀୟ କବି ଭାବେ ଆମ ଆଗରେ ଦେଖାଦେଲେଣି । ଏପରି ହେବାର ଏକମାତ୍ର କାରଣ ହେଉଛି ସମନ୍ୱିତ ଦୃଷ୍ଟିକୋଣର ଅଭାବ । ଉପେନ୍ଦ୍ରଭଞ୍ଜଙ୍କ ପରମ୍ପରାକୁ, ତାଙ୍କ ପୃଥିବୀକୁ ବିଚାର ନ କରି ତାଙ୍କ ପୃଥିବୀରେ ଆମ ପୃଥିବୀର ପ୍ରତିଫଳନ ଖୋଜିବାର ଚେଷ୍ଟା । ଠିକ୍‌ ଏହି ଦୋଷ ପରିଲକ୍ଷିତ ହୁଏ ଯେତେବେଳେ ଆମେ ଆଧୁନିକ କବିତା ପ୍ରତି ଆମର ପ୍ରତିକ୍ରିୟା ପ୍ରକାଶ କରିଥାଉଁ । ଆମେ ଆଧୁନିକ ଶିଳ୍ପୀର ଦୁସ୍ଥିତିକୁ ନ ବୁଝି, ତା’ର ପୃଥିବୀ ସହ ମାର୍ମିକ ଭାବେ ପରିଚିତ ନ ହୋଇ ତା’ ଉପରେ ଆମ ପାରମ୍ପରିକତାକୁ ଆରୋପ କରି ତା’ର ଜରିଆରେ ତାକୁ ମାପିବାର ପ୍ରୟାସ କରିଥାଉଁ । ତେଣୁ ଆମ ବିଚାର ଖଣ୍ଡିତ ଓ ଆବେଗପ୍ରବଣ ହୋଇଯାଏ । ଆଧୁନିକ ସାହିତ୍ୟରେ ପରମ୍ପରାର ଆରୋପ ଏବଂ ପୁରାତନ ସାହିତ୍ୟରେ ଆଧୁନିକତାର ଏହି ଅନୁଦାର ଆରୋପ ହିଁ ଆମ ସମାଲୋଚନାର ଏକ ପ୍ରଧାନ ଦୋଷ । ଏହି ବାହ୍ୟିକ, ଯାନ୍ତ୍ରିକ ଆରୋପଣ ହିଁ ରସସ୍ୱାଦନର ଏକମାତ୍ର ପ୍ରତିବନ୍ଧକ ।

 

ତେଣୁ ଆଜି ଅଭିମନ୍ୟୁଙ୍କୁ ବିଚାରକୁ ଆଣିବାବେଳେ ଆମକୁ ଏହି ଦୃଷ୍ଟିକୋଣଟି ପ୍ରତି ସଚେତନ ହେବାକୁ ପଡ଼ିବ । ଖାଲି ଅନ୍ଧଭାବେ ତାଙ୍କୁ ଗ୍ରହଣ କରିବା ବା ତ୍ୟାଗ କରିବା ଦ୍ୱାରା ତାଙ୍କର ମୂଲ୍ୟାୟନ ହୋଇପାରିବ ନାହିଁ । ତାଙ୍କର କାବ୍ୟ ରସସ୍ୱାଦନ ହୋଇପାରିବ ନାହିଁ । ରସସ୍ୱାଦନ ବିନା ମୂଲ୍ୟାୟନ ଅସମ୍ଭବ । ତାଙ୍କ ସାହିତ୍ୟକୁ ଉପଭୋଗ କରିବାକୁ ହେଲେ ପ୍ରଥମେ ଆମକୁ ସେହି ‘ବ୍ୟକ୍ତି’ଟିକୁ ବୁଝିବାକୁ ପଡ଼ିବ ଏବଂ ସେ ଯେଉଁ ‘ସମୟ ଖଣ୍ଡ’ର ଯେଉଁ ସମାଜରେ ବାସ କରୁଥିଲେ ତା’ର ପ୍ରାଣ ସ୍ପନ୍ଦନଟିକୁ ବୁଝିବାକୁ ପଡ଼ିବ । ଏବଂ ଆହୁରି ବୁଝିବାକୁ ପଡ଼ିବ ସେ ସାମାଜିକ ପୁଣି ଶିଳ୍ପୀ ବ୍ୟକ୍ତିଟି ତା’ର ଶିଳ୍ପକୁ କିପରିଭାବେ ଦେଖୁଥିଲେ । ଏବଂ ତା’ର ସାମାଜିକ ପୃଥିବୀ ସହ ସେ ଶିଳ୍ପୀ କିପରି ସମ୍ପର୍କ ସ୍ଥାପନ କରିବାକୁ ବ୍ୟାକୁଳ ଥିଲା । ଏହି ବ୍ୟକ୍ତି ବା ଶିଳ୍ପୀ, କାଳ, ପରିବେଶ ବା ସମାଜ ଏବଂ ସମାଜ ସହ କଳାର ସମ୍ପର୍କ ଭିତରୁ ହିଁ ସବୁ ସାହିତ୍ୟ ସୃଷ୍ଟି ହୋଇଥାଏ । ଏହି ଚାରି ବିନ୍ଦୁକୁ ଅବ୍ୟକ୍ତିକ ଭାବେ ଜାଣି ଆମେ ଆମ ମୂଲ୍ୟବୋଧ, ଆମ ଅନୁଭୂତି ଓ ଆମ ନିଜସ୍ୱ ରୁଚି ଜରିଆରେ ଋଦ୍ଧିମନ୍ତ । ଆମ ଚେତନା ଦ୍ୱାରା ତା’ର ରସ ସ୍ୱାଦନ କଲେଯାଇ ସେ ସାହିତ୍ୟର ପୂର୍ଣ୍ଣତା ପାଇପାରିବା ।

 

ପ୍ରତ୍ୟେକ ଶିଳ୍ପୀଙ୍କ ପରି ଅଭିମନ୍ୟୁଙ୍କ ପାଖରେ ଦୁଇଟି ସତ୍ୟ । ଗୋଟିଏ ତାଙ୍କର ଜୀବନ । ଅନ୍ୟଟି ତାଙ୍କର କଳା । ଏହି ଦୁଇଟିରେ ତତ୍‌କାଳୀନତାର ପ୍ରଭାବ । ଏହି ପ୍ରଭାବରୁ ଜାତ କଳା ପ୍ରତି ଓ ଜୀବନ ପ୍ରତି ତାଙ୍କ ଦୃଷ୍ଟିକୋଣ । ପ୍ରତ୍ୟେକ ଶିଳ୍ପୀ ଏପରି ପ୍ରଭାବରୁ ଜନ୍ମନେଇ ନିଜସ୍ୱ ପ୍ରତିଭା ବଳରେ ସେ ପ୍ରଭାବକୁ ଅଧିକ ଶକ୍ତିଶାଳୀ କରିଥାଏ ବା ତା’ ବିରୁଦ୍ଧରେ ସ୍ୱର ତୋଳି ନୂତନ ଧାରାର ପ୍ରବର୍ତ୍ତକ ହୋଇଥାଏ । ଅଭିମନ୍ୟୁ ଏହାଠାରୁ ବିଚ୍ୟୁତ ନୁହନ୍ତି । ସେ ତତ୍କାଳୀନ ବୈଷ୍ଣବ ଧର୍ମୀୟ ରାଧାକୃଷ୍ଣ ପ୍ରେମଦ୍ୱାରା ପ୍ରଭାବିତ ହୋଇଥିଲେ । ଏହି ଚେତନା କେବଳ ତାଙ୍କ କବିତାର ବିଷୟବସ୍ତୁ ନୁହେଁ ତାଙ୍କର ତାଙ୍କ ଜୀବନର ଧାରା ହୋଇଯାଇଥିଲା । ଅନ୍ୟଦିଗରେ ତାଙ୍କ ସାହିତ୍ୟାଦର୍ଶରେ ପ୍ରଭାବ ବିସ୍ତାର କରିଥିଲା ଉପେନ୍ଦ୍ରଭଞ୍ଜଙ୍କ ଶୈଳୀ । ଏହି ଶୈଳୀରୁ ଜନ୍ମନେଇଛି କଳା ପ୍ରତି ତାଙ୍କ ଦୃଷ୍ଟିକୋଣ । ଏ ଦୃଷ୍ଟିକୋଣ ଏକ କ୍ଳାସିକେଲ୍‌ ଦୃଷ୍ଟିକୋଣ । ଅର୍ଥାତ୍‌ ଆଙ୍ଗୀକ ପ୍ରତି ସଚେତନତା । ସାହିତ୍ୟାଦର୍ଶର ବିଶ୍ୱସ୍ତ ଅନୁକରଣ । ତେଣୁ ତାଙ୍କ ଭାଷାରେ–

 

‘‘ଦିବ୍ୟ ଅଦିବ୍ୟ ଭାଷାରେ ପଦ ହେବ ସିଦ୍ଧି

ଦେଖ ମହାଜନ ମାର୍ଗ ପରମ୍ପରା ବିଧି ।’’

 

(୧ମ ଛାନ୍ଦ-ବିଦଗ୍‌ଧ ଚିନ୍ତାମଣି)

 

‘ଏହି ମହାଜନ ମାର୍ଗ’, ‘ପରମ୍ପରା ବିଧି’ ଆଉ ସିଦ୍ଧି ହିଁ ତାଙ୍କ ସୃଷ୍ଟିର ମୂଳ ଉଦ୍ଦେଶ୍ୟ । ସେ ସଚେତନ ଏହି ଆଙ୍ଗୀକ ପ୍ରତି । ଅନ୍ୟଦିଗରେ ସେ ଜଣେ ଭକ୍ତ । ନିଜ ଆରାଧ୍ୟଙ୍କ ପାଖରେ ନିଜକୁ ସଂପୂର୍ଣ୍ଣ ରୂପେ ଅର୍ପଣ କରିଛନ୍ତି । ଏପରି ସମ୍ୱନ୍ଧ ପ୍ରଜ୍ଞାର ଅପେକ୍ଷା କରେନା । ଏହା ବିଶ୍ୱାସର, ଏହା ଅନୁଭୂତିର ଓ ଆବେଗର । ଏହାର ଭାଷା ଗୀତିଧର୍ମୀ ହେବାକୁ ବାଧ୍ୟ, କାରଣ ଏହା ଆବେଗର ନିର୍ଯ୍ୟାସକୁ ହିଁ ପ୍ରକାଶ କରିଥାଏ । ମାତ୍ର ଭଞ୍ଜୀୟ ଶୈଳୀ ପ୍ରାଜ୍ଞ, ପାଣ୍ଡିତ୍ୟପୂର୍ଣ୍ଣ । ପୁଣି ତାଙ୍କ କବିତାରେ ‘‘ଧୀରେ’’ ଶବ୍ଦର ବ୍ୟବହାର ଏହାର ଆବେଦନ ଏବଂ ସମାଜ ସହ ତା’ର ସମ୍ପର୍କର ସୂଚନା ଦିଏ । ଏହି ଶବ୍ଦର ଅର୍ଥ ‘ପଣ୍ଡିତ’, ‘ଜ୍ଞାନୀ’ ବୋଧହୁଏ ଯେଉଁମାନେ ଶବ୍ଦ ଭଣ୍ଡାରରୁ ରସ ସ୍ୱାଦନ କରିବାପାଇଁ ଯୋଗ୍ୟ ତାଙ୍କରି ପାଇଁ ଉଦ୍ଦିଷ୍ଟ । ଏହି ଦୁଇଧାରା (ସବୁବେଳେ ହୁଏତ ବିପରୀତଧର୍ମୀ ନ ହୋଇପାରନ୍ତି)ର ସମନ୍ୱୟ ସମ୍ଭବ ଯେତେବେଳେ ଶିଳ୍ପୀ ନିଜକୁ ସଂଯମ କରିବ-। ଏବଂ ଏ ସଂଯମତା ଜନ୍ମନେବ ତା’ର ନିଷ୍ଠାରୁ, ସତ୍ୟଶୀଳତାରୁ । ସେ ଉଭୟ ପାଖରେ ସତ୍ୟଶୀଳ ହେବ-ସତ୍ୟଶୀଳ ହେବ ନିଜ ଆବେଗଦଗ୍‌ଧ ଅନୁଭୂତି ପାଖରେ । ପୁଣି ପ୍ରାଜ୍ଞଶାଣିତ ଶୈଳୀ ପାଖରେ । କୌଣସିଟିର ପ୍ରତିଷ୍ଠା ଅନ୍ୟଟିକୁ ଜଳାଞ୍ଜଳି ଦେଇ ନୁହେଁ । ଆମେ ଯେତେବେଳେ ଅଭିମନ୍ୟୁଙ୍କୁ ବିଚାର କରିବୁ, ଆମକୁ ଏହି ‘ସଂଯମ’, ଏହି ଚେତନାଶୀଳତା ପ୍ରତି ଧ୍ୟାନ ରଖିବାକୁ ପଡ଼ିବ । କାରଣ ପ୍ରକୃତ ସଫଳ ଶିଳ୍ପୀ କୌଣସିଟିକୁ ତ୍ୟାଗ କରିବାକୁ ଚାହେଁନାହିଁ । ତା’ପାଖରେ ତା’ କଳା, ତା’ ଅନୁଭୂତି ଏବଂ ତା’ର ତତ୍କାଳୀନ ପାଠକ ସମସ୍ତଙ୍କୁ ସେ ଗ୍ରହଣ କରେ ଏବଂ ଏହି ଗ୍ରହଣ ଦ୍ୱାରା ସେ ପାଠକର ରୁଚି ବିରୁଦ୍ଧରେ ସ୍ୱର ତୋଳେ ବା ତାକୁ ମାର୍ଜିତ କରିଥାଏ ବା ସେ ରୁଚିର ଶିକାର ହୁଏ ।

 

ଅଭିମନ୍ୟୁଙ୍କ ପାଖରେ ତାଙ୍କ ଶୈଳୀ ଅନୁଭୂତିକୁ ନୁହେଁ । ଏହା ଗୃହୀତ ଏକ ସଂଯମ ଓ କଳ୍ପନା ଦ୍ୱାରା ଅନୁଭୂତି ସହ ସମନ୍ୱିତ । ଏହା କେତେଦୂର ସଫଳତା ଲାଭ କରିଛି ତା’ର ବିଚାର କରିବାକୁ ପଡ଼ିବ । ଶୈଳୀର ଆଦର୍ଶ ଗଣ୍ଡି ଭିତରୁ ତାଙ୍କର ଆବେଗୀୟ ସତ୍ତାଟି ବେଳେବେଳେ ନିହାତି ଗୀତମୟ ଭାବେ ସରଳତା ସହ ପ୍ରକଟିତ ହୋଇଛି । ହୃଦୟର ସବୁ ଆବେଗ ନିହାତି ସରଳଭାବରେ ଉଚ୍ଚାରିତ ହୋଇଛି । ଏହି ଆବେଗମୟ ବୈଷ୍ଣବୀୟ ଉଚ୍ଚାରଣ ମଧ୍ୟ ସତ୍ୟଶୀଳତାର ଗୋଟିଏ ଦିଗ, ସମନ୍ୱୟର ଗୋଟିଏ ଦିଗ । ଏଥିରେ ଭଞ୍ଜୀୟ ପାଣ୍ଡିତ୍ୟ ନାହିଁ, ଭାଷାର ଆଟୋପତା ନାହିଁ, ସଂସ୍କୃତ ସାହିତ୍ୟର ଆଭିଜାତ୍ୟ ନାହିଁ । ଏଠାରେ ‘ଧୀରେ’ ନାହାନ୍ତି । ଏହା ଯେମିତି ମୋହନ ବେଣୁର ବଂଶୀ ସ୍ୱନରେ ଆତ୍ମହରା ହୋଇ ନିଜକୁ ଖାଲି ଅଜାଡ଼ି ଦେବା–ନିଜ ଉଚ୍ଛ୍ୱାସରେ ନିଜକୁ ପ୍ରକାଶ କରିଦେବା ।

 

ଯେମିତି–

‘‘ଧୀରେ ଘେନ କାନନରେ କୃଷ୍ଣ ବିଳଂବିତା

ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତା ।

କଳା ମାଣିକରେ ।’’

 

(ବିଦଗ୍‌ଧ ଚିନ୍ତାମଣି-୬୭ତମ ଛାନ୍ଦ)

 

ଏଠାରେ ଖାଲି ବାତ୍ସଲ୍ୟର ସାବଲୀଳ ପ୍ରକାଶ । ଭାଷା ଏହାକୁ ଛନ୍ଦି ପକାଉନି । ଆବେଗର ଶ୍ରବଣୀ ଧାରା ଉଚ୍ଛୃସିତ ଭାବେ ଝଲକିଉଠୁଛି । ଅଭିମନ୍ୟୁଙ୍କୁ ବୁଝିବାକୁ ହେଲେ ଏହି ‘ନିଜସ୍ୱତା’ଟିକୁ ବି ବୁଝିବାକୁ ପଡ଼ିବ ।

 

ଅଭିମନ୍ୟୁ ଆମ ପୁରାତନ ସାହିତ୍ୟରେ ଏକ ମହତ୍ୱପୂର୍ଣ୍ଣ ନାମ । ଆଜିର ଚେତନା, ଆମ ଦୃଷ୍ଟିକୋଣ, ତାଙ୍କ ସୃଷ୍ଟି ବିନା ଅପୂର୍ଣ୍ଣ । ତେଣୁ ଆଜି ଏହି ସାଂପ୍ରତିକ ଯୁଗରେ ତାକୁ ବୁଝି ଆମ ଐତିହ୍ୟର ଧାରାକୁ ଅନୁଭବ କରିବାକୁ ପଡ଼ିବ । ଖାଲି ଐତିହାସିକ ଦୃଷ୍ଟିକୋଣରୁ ନୁହେଁ, ଖାଲି ବୌଦ୍ଧିକ ଦୃଷ୍ଟିକୋଣରୁ ଯାନ୍ତ୍ରିକ ଭାବେ ନୁହେଁ । ନିଜ ଅନୁଭବରେ ଜଳି ଜଳି ତାଙ୍କୁ ବୁଝିବାକୁ ହେବ ମାର୍ମିକ ଭାବେ । ତାଙ୍କ ସୃଷ୍ଟିରେ ସେହି ଚିରନ୍ତନତାକୁ ଖୋଜିବାକୁ ପଡ଼ିବ ଯେଉଁଠି ସେ ତତ୍କାଳୀନ ସମୟ ଖଣ୍ଡରୁ ଉତ୍ତରିତ ହୋଇ ଆମ ପାଖକୁ ସଂଚାରି ଆସିଛନ୍ତି । ତାଙ୍କ ପାଖରେ ସେହି ‘କୃଷ୍ଣ’କୁ ଭେଟୁଛୁ ଯାହା ତାଙ୍କ ପାଖରେ, ଆମ ପାଖରେ ପୁଣି ଆଗାମୀ ସମସ୍ତଙ୍କ ପାଖରେ ଓ ସବୁ କାଳରେ ସତ୍ୟ । ଏହି ମାର୍ମିକତା ସମ୍ଭବ ତାଙ୍କ ପାଖରୁ ବିଚ୍ୟୁତ ହୋଇ ନୁହେଁ, ତାଙ୍କ ଉପରେ ନିଜକୁ ଲଦିଦେଇ ନୁହେଁ ବରଂ ତାକୁ ତାଙ୍କ ପରିପ୍ରେକ୍ଷୀରେ ଆମ ଦୃଷ୍ଟିକୋଣ ନେଇ ବିଚାର କରି, ଆମ ଚେତନା ଦ୍ୱାରା ରସାଣିତ ହୋଇ ।

 

ଅଭିମନ୍ୟୁଙ୍କ ସୃଷ୍ଟି ଉପରେ ମତାମତ ଦେବାର ଯୋଗ୍ୟତା ମୋର ନାହିଁ । ଆମ ପୂର୍ବ ସ୍ରଷ୍ଟାମାନଙ୍କୁ ହୃଦୟଙ୍ଗମ କରିବାରେ ଯେଉଁ ଦୃଷ୍ଟିକୋଣଟି ପ୍ରୟୋଜନ ତା’ରି କେବଳ ସମ୍ୟକ୍‌ ଆଲୋଚନା କଲି । ଏହା ଏକ କ୍ଷୀଣ ଭୂମିକା ବୋଧହୁଏ, ସବୁ ସ୍ରଷ୍ଟା ପାଇଁ ପ୍ରଯୁଜ୍ୟ ।

Image

 

Unknown

ସୃଷ୍ଟି ଓ ସମାଲୋଚନା : ଏକ ଶୋଣିତ ସମ୍ପର୍କ

 

ସୃଷ୍ଟିଶୀଳ ପ୍ରକ୍ରିୟାରେ ସମାଲୋଚନା ଗୋଟିଏ ପର୍ଯ୍ୟାୟ । ସୃଷ୍ଟିରୁ ସମାଲୋଚନାର ଜନ୍ମ, ପୁଣି ସମାଲୋଚନାରେ ହିଁ ସୃଷ୍ଟିର ପୂର୍ଣ୍ଣତା । ଭାବାବେଶ, ଦ୍ୟୋତନା ଯଦି ସୃଜନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ, ସମାଲୋଚନା ତା’ର ସମାପ୍ତି । ଛବିଟିଏ ଆଙ୍କିଲା ପରେ ଶିଳ୍ପୀ ତାକୁ ନିରେଖି ଦେଖେ । କେଉଁଠି ନାଲି, କେଉଁଠି ନେଳିର ସ୍ପର୍ଶ ଦିଏ । କବିତାଟିଏ ଲେଖିସାରି କବି ତାକୁ ପଢ଼େ । କେଉଁଠି ଶବ୍ଦଟିଏ, କେଉଁଠି ଧାଡ଼ିଟିଏ ବଦଳାଏ । ମନ ମାନିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିଥାଏ । ବେଳେବେଳେ ଏହି ପ୍ରକ୍ରିୟାରେ ପ୍ରଥମ ଲେଖାଟି ମୂଳ ଅଙ୍କନଟିର ରୂପ ବଦଳିଯାଏ । ଏହି ପଦ୍ଧତି ହିଁ ସମାଲୋଚନା, ଏହି ‘ମନ ମାନିବା’ଟା ହିଁ ତା’ର ପୂର୍ଣ୍ଣତା । ଅର୍ଥାତ୍‌ ଭାବାବେଶରେ ଶିଳ୍ପୀ ଯାହା ଅନୁଭବ କରିଥିଲା ତା’ର ପ୍ରକାଶର ସାର୍ଥକତା ହିଁ ସୃଷ୍ଟିର ସଫଳତା ଏବଂ ଏହି ସଫଳତା ଆଣିବାରେ ଯେଉଁ ଚେତନା, ଯେଉଁ କାରିଗରୀର ପ୍ରୟୋଜନ ତାହାହିଁ ସମାଲୋଚନାର ମୂଳ । ତେଣୁ ଗୋଟିଏ ଦୃଷ୍ଟିରୁ ସମାଲୋଚନା ଓ ସୃଷ୍ଟି ଅଙ୍ଗାଙ୍ଗୀ ଏବଂ କଳାର ପ୍ରଥମ ସମାଲୋଚକ ନିଜେ କଳାକାର ।

 

ସୃଷ୍ଟି ପ୍ରକ୍ରିୟା ଏକ ମାନସିକ ପ୍ରକ୍ରିୟା । ଏହା ଗୋଟିଏ ସ୍ତରରେ ରହସ୍ୟମୟୀ । ଏହାର ଦ୍ୟୋତନାକୁ ଯୁକ୍ତି ବା ବିଶ୍ଳେଷଣ ଦ୍ୱାରା ବୁଝାଇ ହେବନାହିଁ । ଏହା ଅଚେତନ ମନର ରହସ୍ୟମୟ ଝଲକ । ତେଣୁ ଏହା ଯେ ଯୁକ୍ତି ବିରୋଧୀ ଏଥିରେ ସନ୍ଦେହ ନାହିଁ । ତେଣୁ ସମସ୍ତ ଶିଳ୍ପୀ ଏହି ପ୍ରକ୍ରିୟାର ରହସ୍ୟମୟତାକୁ ସୂଚାଇବାକୁ ଚେଷ୍ଟା କରିଛନ୍ତି, ତା’ର ଆଉଳି ପାଉଳି ଗୁଣ ପାଖରେ ଅସହାୟ ମନେକରିଛନ୍ତି, ତା’ପାଖରେ ସତିଆ ହେବାକୁଯାଇ ଦୁନିଆ ଆଗରେ ପାଗଳା ସାଜିଛନ୍ତି । ସ୍ରଷ୍ଟା ଏଇ ମୁହୂର୍ତ୍ତଟିକୁ ଅସହାୟ ହୋଇ ଅପେକ୍ଷା କରିଥାଏ । କେତେବେଳେ ଆସେ, କେମିତି ଆସେ, କେତେ ସମୟ ପାଇଁ ଆସେ, ପୁଣି କାହିଁକି ବା ଆସେ, ଶିଳ୍ପୀ ନିଜେ ଜାଣେନା । ସେ ଖାଲି ଅନୁଭବ କରେ, ସୃଷ୍ଟି କରିଯାଏ । ଏହି ଅନୁଭବକୁ କିଏ କହିଛି କାଳିସୀ ଲାଗିବା, କିଏ କହିଛି ଦେବୀ ତା’ କଣ୍ଠରେ ବସି କହିଦିଅନ୍ତି, କିଏ କହେ କବିତା ଆପେ ଆସେ ଅତି ସ୍ୱଚ୍ଛନ୍ଦରେ ପତ୍ର କଅଁଳିଲା ପରି । ଏହା ଯେତେବେଳେ ଆସେ ଶିଳ୍ପୀ ନିଜ ନିହାଣକୁ ସମ୍ଭାଳିପାରେନି । କବି ହାତରେ କଲମ ଆପେ ଆପେ ଲେଖିଯାଏ । ଏହିପରି ଏକ ମୁହୂର୍ତ୍ତରେ କଳା ଜନ୍ମନିଏ–ସୃଷ୍ଟି ସମ୍ଭବ ହୁଏ ଏବଂ ଏଇ ମୁହୂର୍ତ୍ତରେ ବି ଜନ୍ମନିଏ ସମାଲୋଚନା । ଅଚେତନ ମନର ଝଲକକୁ ସଚେତନ ମନରେ ପର୍ଯ୍ୟାଲୋଚନାହିଁ ତ ସମାଲୋଚନା । ପ୍ରଥମ ପର୍ଯ୍ୟାୟର ଅସହାୟ ଶିଳ୍ପୀ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ଅସହାୟ ନୁହେଁ । ଅସହାୟ ପୁଣି ଅର୍ଦ୍ଧଚେତନ ଭାବେ ସେ ଯେଉଁ ଅନୁଭବକୁ ପ୍ରକାଶ କରିଥିଲା ତାକୁ ସଚେତନ ଭାବେ ନିରେଖି ଦେଖେ । ନିରେଖି ନିରେଖି ନିଜକୁ ଖୋଜିପାଏ-। ସେହି ଉତ୍ତରିତ ମୁହୂର୍ତ୍ତର ସତ୍ତାକୁ ସାର୍ଥକତା ଦେବାରେ ଚେଷ୍ଟା କରେ । ଅଚେତନ ମନର ସ୍ଫୁରଣ ସହ ସଚେତନ ମନର ନିରୀକ୍ଷଣର ସମନ୍ୱୟରୁ ହିଁ ସାର୍ଥକ କଳାର ସୃଷ୍ଟି । ତେବେ ଏହି ଦୁଇଟି ପୃଥିବୀ ଭିତରେ କେଉଁଠି ସୀମାରେଖା ଟଣାଯିବ ତାହା ସହଜରେ କହିହେବନି । ମାତ୍ର ଏପରି ଦୁଇଟି ଜଗତର ସମନ୍ୱୟ ଅପରିହାର୍ଯ୍ୟ । ଭାବାବେଶ ଗୋଟିଏ ଧାରଣା, ଚେତନା ବା ଶିହରଣକୁ ରୂପ ଦିଏ ମାତ୍ର ରୂପକୁ ସଫଳ କରେ ଶିଳ୍ପୀ ଭିତରେ ଲୁଚି ରଖିଥିବା ସମାଲୋଚକ । ଏହାଦ୍ୱାରା କିନ୍ତୁ ଧାରଣା କରିବା ଉଚିତ୍‌ ନୁହେଁ ଯେ ଶିଳ୍ପୀ କେବଳ ଜଣେ କୁଶଳୀ କାରିଗର କେବଳ ଶୈଳୀ କୁଶଳତା ତା’ର ପାଥେୟ । ମାତ୍ର କଳାର ପ୍ରାଣ ହେଲା କଳ୍ପନାନୁଭବ, ଏହାର ସୌନ୍ଦର୍ଯ୍ୟବୋଧ ଏବଂ ଏହି ସୌନ୍ଦର୍ଯ୍ୟବୋଧର ଉତ୍ସ ଏକ ଭିନ୍ନ ମାନସିକ ସ୍ତରରୁ । ଏହା ବାହ୍ୟ ବ୍ୟବହାର୍ଯ୍ୟ ବସ୍ତୁ ଜଗତକୁ ଗ୍ରହଣ କରିଥାଏ ସିନା; ମାତ୍ର ଏହା ତା’ର ଚରମ ଲକ୍ଷ୍ୟ ନୁହେଁ । ଏହା କଳ୍ପନାରୁ ଜାତ ହୋଇ ସୌନ୍ଦର୍ଯ୍ୟବୋଧକୁ ରସାଣିତ କରେ, ଯା’ଫଳରେ ବାହ୍ୟ ବସ୍ତୁଜଗତ ଏବଂ ତା’ ସହ ଆମ ଜୀବନର ସମ୍ପର୍କ ନୂଆ ଅର୍ଥରେ ଭରିଉଠେ । ଏହି ନୂଆ ଅର୍ଥର ପ୍ରକାଶ ସୃଷ୍ଟିର ପ୍ରାଣ ଏବଂ ତାକୁ ଗ୍ରହଣ କରିବାରେ ସମାଲୋଚନାର ସାର୍ଥକତା ।

 

ତେଣୁ କଳା ସୃଷ୍ଟିରେ ସମାଲୋଚନାର ଭୂମିକାକୁ ଅସ୍ୱୀକାର କରିହେବ ନାହିଁ । କାରଣ ସୃଷ୍ଟିର ଗୋଟିଏ ପର୍ଯ୍ୟାୟରେ ଏହା ଅପରିହାର୍ଯ୍ୟ । ଏହା ମଧ୍ୟ ନିଜେ ସୃଷ୍ଟି ପ୍ରକ୍ରିୟା । କଳା ସୃଷ୍ଟିର ଦୁଇଟି ଦିଗ । ଗୋଟିଏ ପ୍ରକାଶ, ଅନ୍ୟଟି ଆବେଦନ ଶିଳ୍ପୀର ଅନୁଭୂତିର ସାର୍ଥକ ପ୍ରକାଶ କଳା ଏବଂ ଏହି ସାର୍ଥକତା ଆଣିବାରେ ସମାଲୋଚନା ସାହାଯ୍ୟ କରିଥାଏ । ପୁଣି କଳାର ଆବେଦନ ଦିଗରେ ମଧ୍ୟ ସମାଲୋଚନାର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଏହା ସୃଷ୍ଟିକୁ ବୁଝିବାକୁ ଚେଷ୍ଟାକରେ, ପାଠକ ବା ଦର୍ଶକ ଓ ଶିଳ୍ପୀ ଭିତରେ ଏକ ଯୋଗସୂତ୍ରର କାର୍ଯ୍ୟ କରେ, ପୁଣି ବିଭିନ୍ନ ମାନଦଣ୍ଡରେ କଳାକୁ ବିଚାର କରି ତା’ର ମୂଲ୍ୟାୟନ କରିଥାଏ । ତେଣୁ ଏହି ଦୁଇପ୍ରକାର ସମାଲୋଚନା ଏହି ପ୍ରବନ୍ଧର ବିଷୟବସ୍ତୁ ।

 

ସମାଲୋଚନା ସୃଷ୍ଟି ସ୍ତରରେ କଳାରେ ପୂର୍ଣ୍ଣତା ଆଣେ, ମାତ୍ର ତାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିନଥାଏ–କରିପାରେନା ମଧ୍ୟ । ତେଣୁ ସୃଷ୍ଟିର ଆଦି ମୁହୂର୍ତ୍ତରେ ଯଦି ସମାଲୋଚନା ପ୍ରାଧାନ୍ୟ ବିସ୍ତାର କରେ ତେବେ ସୃଷ୍ଟି ସମ୍ଭବ ହେବନାହିଁ । ପୁଣି ଏହା ଯଦି ସମ୍ପୂର୍ଣ୍ଣ ଅବହେଳିତ ହୁଏ ତେବେ ସୃଷ୍ଟି କେବେ କଳାତ୍ମକ ପୂର୍ଣ୍ଣତା ହାସଲ କରିପାରିବ ନାହିଁ । ଫଳରେ ଆମ କଳ୍ପନାକୁ ଆନ୍ଦୋଳିତ କରି ଆମ ସୌନ୍ଦର୍ଯ୍ୟବୋଧକୁ ଜାଗ୍ରତ କରିପାରିବ ନାହିଁ । ତେଣୁ ସୃଷ୍ଟି ଏବଂ ସମାଲୋଚନା ଦୁଇଟି ମାନସିକ ପ୍ରକ୍ରିୟା । ତେବେ ସୃଷ୍ଟି ପାଇଁ ସମାଲୋଚନା; ସମାଲୋଚନା ପାଇଁ ସୃଷ୍ଟି ନୁହେଁ । ସୃଷ୍ଟି ଉପରେ ସମାଲୋଚନା ଆଧାରିତ । ସୃଷ୍ଟି ହିଁ ତା’ର କଞ୍ଚାମାଲ । ଶୂନ୍ୟରୁ ସମାଲୋଚନା ସମ୍ଭବ ନୁହେଁ । କଞ୍ଚା ଅନୁଭବରୁ ଜନ୍ମନିଏ କଳା, ସାହିତ୍ୟ, ମାତ୍ର ସମାଲୋଚନା ନୁହଁ । ତେଣୁ ଏହା ମୂଳ ନୁହେଁ, କେବେ ପ୍ରଥମ ନୁହେଁ । ସବୁବେଳେ କଳାଶ୍ରୟୀ ।

 

ବର୍ତ୍ତମାନ ପ୍ରଶ୍ନଉଠେ ଛବି ଆଙ୍କିସାରିଲା ପରେ ଶିଳ୍ପୀ ପୁଣିଥରେ ତା’ ସୃଷ୍ଟିକୁ କାହିଁକି ନିରେଖି ଦେଖେ ? କାହିଁକି ପୁଣି ବାରମ୍ୱାର ତା’ କବିତାକୁ ପଢ଼ିବାରେ ଲାଗିଥାଏ ? କେଉଁ ଅସନ୍ତୋଷ ପାଇଁ ସେ ଏପରି କରିଥାଏ ? ପୁଣି ଏପରି ଅସନ୍ତୋଷ ପାଇଁ କ’ଣ ବା ଦାୟୀ । କାହାକୁ ଭିତ୍ତିକରି, ପୁଣି କାହା ନିର୍ଦ୍ଦେଶରେ ଅସହାୟ ଭାବେ ଲେଖିଯାଇଥିବା ଦୈବୀବାଣୀରେ ପୁଣିଥରେ ସେ କଲମ ମାରେ ? ଏହି କଲମ ମାରିବାରେ ହିଁ କଳାର ଜନ୍ମ । ନିଜକୁ ପ୍ରକାଶ କରିବା ମଣିଷର ଆଦିମ ପ୍ରବୃତ୍ତି । ମାତ୍ର ଯେତେବେଳେ ଏହି ପ୍ରବୃତ୍ତି ସୌନ୍ଦର୍ଯ୍ୟବୋଧ ଦ୍ୱାରା ସଂଯମିତ ହୁଏ ସେତେବେଳେ କଳା ଜନ୍ମନିଏ । ଏହି ସୌନ୍ଦର୍ଯ୍ୟବୋଧ ପ୍ରବୃତ୍ତିଜ ହେଲେ ହେଁ ଏହାକୁ ମନଭିତରେ ବିକଶିତ କରିବାକୁ ପଡ଼େ । ଏହି ବିକାଶ ଏକ ସଚେତନ ପ୍ରକ୍ରିୟା । ଏହା କଳାର ଭିତ୍ତିଭୂମି । ଏହି ସଂଯମୀକରଣ ପାଇଁ ତେଣୁ ପ୍ରୟୋଜନ ସଚେତନ ଦୃଷ୍ଟିଭଙ୍ଗୀ ଏବଂ ବିକଷିତ ମୂଲ୍ୟବୋଧ । ଏହି ସଚେତନତା ସମାଲୋଚନା, ଏହାର ଜନ୍ମ ସୌନ୍ଦର୍ଯ୍ୟବୋଧରୁ, ଆମ ପୂର୍ଣ୍ଣତାର ଧାରଣାରୁ ।

 

ତେଣୁ ପ୍ରତ୍ୟେକ କଳାରେ ପ୍ରକାଶ ଏବଂ ସମାଲୋଚନା ଜଡ଼ିତ । ସ୍ୱପ୍ରକାଶ ପ୍ରବୃତ୍ତିଜ । ମାତ୍ର ସମାଲୋଚନା ସଚେତନ ସାଧନା, ବିଶ୍ଳେଷଣ । ଗୋଟିଏ ଫୁଲ ଫୁଟିଲା ପରି, ପତ୍ର କଅଁଳିଆ ପରି, ଜହ୍ନ ଉଇଁଲା ପରି । ମାତ୍ର ଅନ୍ୟଟି ରନ୍ଦା ମାରିଲା ପରି, ସୁର ସାଧିଲା ପରି । ତେଣୁ ସମାଲୋଚନା ପ୍ରକାଶକୁ କଳାତ୍ମକ କରିବା ପୁଣି କଳାକୁ ହୃଦୟଙ୍ଗମ କରିବାର ପ୍ରଚେଷ୍ଟା । କଳା ଭିତରେ ଅନୁରଣିତ ହେଉଥିବା ଅନୁଭବଟିକୁ ଧରିପାରିବାର ବ୍ୟାକୁଳତା, କଳା ଭିତରେ ପୂର୍ଣ୍ଣତର ବ୍ୟକ୍ତିଗତ ଜ୍ୱଳନରେ ନିଜକୁ ଉଦ୍ଭାସିତ କରିବାର ଯନ୍ତ୍ରଣା ।

 

ସମାଲୋଚନା ତେଣୁ କଳାକୁ ହୃଦୟଙ୍ଗମ କରିବାର ଅନ୍ୱେଷା । ପ୍ରତ୍ୟେକ କଳା ଏକ ନିଜସ୍ୱ ପ୍ରକାଶ, ଏକ ନିରୋଳା ଅନୁଭୂତିକୁ ନିଜସ୍ୱ ଭାବେ ପ୍ରକାଶ କରିବାର ଚେଷ୍ଟା । ସମାଲୋଚନା ଏହି ନିରୋଳା ଭାବକୁ ନିଜସ୍ୱ କରିବା, ସ୍ରଷ୍ଟାର ନିଜସ୍ୱ ପୃଥିବୀ ଭିତରେ ନିଜକୁ ନିଜସ୍ୱ ଭାବେ ଆବିଷ୍କାର କରି ସତ୍ୟକୁ ଅନୁଭବ କରିବା । ଏହି ଅନୁଭବ କରିବାର ଅର୍ଥ ସ୍ରଷ୍ଟାର ସୃଷ୍ଟିକୁ ପୁଣିଥରେ ନିଜ ଭିତରେ ପୁନର୍ଜୀବିତ କରିବା, ଅର୍ଥାତ୍‌ ନିଜେ ଶିଳ୍ପୀ ହୋଇଯିବା ଏବଂ ଏହାପରେ ସେ ସୃଷ୍ଟିକୁ ଆଉଥରେ ନିରେଖି ଦେଖିବା । ଏହା ବିଚାର, ଏହା ମୂଲ୍ୟାୟନ । ସମାଲୋଚନାର ମୁଖ୍ୟତଃ ଏହି ଦୁଇଟି ଦିଗ ଅନୁଭବ୍ୟ, ପ୍ରଥମଟି ଯାହା ଘଟେ ଆତ୍ମିକତା ଦ୍ୱାରା, ଦ୍ୱିତୀୟଟି ବିଚାର, ଯା’ହୁଏ ସମାଲୋଚକର ମୂଲ୍ୟବୋଧରୁ-କଳା ସଚେତନତାରୁ, ବିଶ୍ଳେଷଣରୁ । ରସ ସ୍ୱାଦନ ବି ସୃଷ୍ଟିଶୀଳ ସମାଲୋଚନା ଏବଂ ଏଥିପାଇଁ ବିଶ୍ଳେଷଣ ଓ ବିଚାର ବି ସମାଲୋଚନା-

 

କଳାକୁ ବୁଝିବା ଅର୍ଥାତ୍‌ ଆଉଥରେ ନିଜଭିତରେ ସଜାଡ଼ିବା ହେଉଛି ଆତ୍ମିକତା-ଏକପ୍ରକାର ଆସକ୍ତ ବିଶ୍ଳେଷଣ । ନିଜ ଭିତରେ ଆଉଥରେ ପୁନର୍ଜୀବୀତ କରିବା ଅର୍ଥ ହେଉଛି, ସ୍ରଷ୍ଟାର ଜଗତ ଭିତରକୁ ପ୍ରବେଶ କରିବା, ତାକୁ ସମ୍ପୂର୍ଣ୍ଣଭାବେ ନିଜର କରିନେବା, ଯା’ଫଳରେ କଳାକାର ଓ ସମାଲୋଚନାର ପୃଥିବୀ ଏକୀଭୂତ ହେବ ଏବଂ ଏଥିରୁ ଜନ୍ମନେବ ସମ୍ୱେଦନଶୀଳତା-। କାଳର ବ୍ୟବଧାନ ଘୁଞ୍ଚିଯିବ । ଏହା ସମ୍ଭବ ହୁଏ ଯେତେବଳେ ସମାଲୋଚକ ବୁଦ୍ଧି, ପ୍ରଜ୍ଞା ଦ୍ୱାରା ତା’ର ଚେତନାକୁ ଶାଣିତ କରେ, ସମ୍ୱେଦନା ଦ୍ୱାରା ଶିଳ୍ପୀକୁ ଗ୍ରହଣ କରେ । ତେବେଯାଇ ସମାଲୋଚକ ନିଜ ଓ ସ୍ରଷ୍ଟାର ପୃଥିବୀକୁ ସଠିକ୍ ଭାବେ ବୁଝିପାରେ । ଏହି ବୁଝିପାରିବା ନିତାନ୍ତ ପ୍ରୟୋଜନୀୟ । କାରଣ ପ୍ରତ୍ୟେକ କଳା ତା’ ସାମ୍ପ୍ରତିକ ସମୟ ଚେତନା ଓ ପରିବେଶରୁ ହିଁ ଜନ୍ମ ନେଇଥାଏ । ସେହି ପରିବେଶର ଧୂଳିମାଟିରେ ଧୂସରିତ ହୋଇ ତା’ରି ଚେତନାକୁ ନାମାବଳି କରିଥାଏ । ଠିକ୍‌ ସେହିପରି ସମାଲୋଚକର ମନ ମଧ୍ୟ ନିଜ ସମୟ ଖଣ୍ଡର ହାଓ୍ୱାରେ ରସାଣିତ । ତେଣୁ ଏହି ପାର୍ଥକ୍ୟକୁ ଟପିଯିବାଟା ହିଁ ସମାଲୋଚକର ଧର୍ମ । ଏହି ଟପିଯିବାଟା ହିଁ ସମ୍ୱେଦନଶୀଳତା । ସ୍ୱଭାବତଃ ସମାଲୋଚକର ପ୍ରସ୍ତୁତି ବ୍ୟାପକ । ସଚେତନ ଭାବେ ଗଭୀର । ତା’ର ପୃଥିବୀ ଉଭୟ ପ୍ରଜ୍ଞା ଏବଂ କଳ୍ପନା, ବର୍ତ୍ତମାନ ପୁଣି ଅତୀତ ଏବଂ ଶେଷରେ ଜ୍ଞାନର ବିଭିନ୍ନ ବିଭାଗକୁ ଆବୋରିଥାଏ । ଏପରି ମାନସିକ ପ୍ରସ୍ତୁତି ଦ୍ୱାରା ହିଁ ସମନ୍ୱୟ ସମ୍ଭବ ହୁଏ । ଏ ସମନ୍ୱୟ କଳାକାର ଓ ସମାଲୋଚକର ସମନ୍ୱୟ-ଏ ସମନ୍ୱୟ ବର୍ତ୍ତମାନ ଆଉ ଅତୀତର ଭିନ୍ନ ବାସ୍ତବତାର । ଏହି ସମନ୍ୱୟ ଦ୍ୱାରା ଆତ୍ମିକ ବୁଝାମଣା ସମ୍ଭବ ହୁଏ । ଏହି ବୁଝାମଣା ଦ୍ୱାରା ହିଁ ସତ୍ୟର ଉପଲବ୍‌ଧି ହୋଇଥାଏ । ସୃଷ୍ଟି ମଞ୍ଜ ଭିତରକୁ ସମାଲୋଚକ ପଶିଥାଏ । ଅନୁଭବର ସାତତାଳ ଭିତରେ ସତ୍ୟକୁ ଖୋଜିପାଏ । କଳା ନୂଆ ଅର୍ଥରେ ଅନୁଭୂତ ହୁଏ । ଏହି ଦରାଣ୍ଡି ହେବାଟା ଏକପ୍ରକାର ସମନ୍ୱୟ, ଏକପ୍ରକାର ବିଶ୍ଳେଷଣ । ଏହା ଆଙ୍ଗିକର ବ୍ୟବଚ୍ଛେଦ ନୁହେଁ । ବିଭିନ୍ନ ଅର୍ଥ ଖୋଜିବା ନୁହେଁ । କାରଣ କଳା ପାଣ୍ଡିତ୍ୟପୂର୍ଣ୍ଣ ଇସ୍ତାହାର ନୁହେଁ । ଶବ୍ଦର ଭୋଜବାଜି ନୁହେଁ । ତେଣୁ ସମାଲୋଚକ ନିଜ ଅନୁଭବ ଜରିଆରେ କଳାକାରର ଭାବସତ୍ତାକୁ ନିଜ ଭାବରେ ଗ୍ରହଣ କରେ । ଏହା ନିଜକୁ ବା ନିଜ ସମୟ ଖଣ୍ଡର ଚେତନାକୁ ଲଦିଦେବା ଦ୍ୱାରା ସମ୍ଭବ ହୁଏନାହିଁ । ଏହା ସମ୍ଭବ ହୁଏ ନିଜ ଅନୁଭୂତି ସହ କଳାକାରର ଅନୁଭୂତିକୁ ଅଙ୍ଗାଙ୍ଗୀ କରିବା । ଫଳରେ ଅତୀତର କଳା ନୂଆ ଅର୍ଥରେ ଭାସ୍ୱର ହୋଇଉଠେ । ସେକ୍‌ସପିଅରଙ୍କ ଚରିତ୍ରଗୁଡ଼ିକ ପୁରାତନ ଚେହେରା ଧରି ସୁଦ୍ଧା ଆମକୁ ନୂଆ ଭାବରେ ଦେଖାଦିଅନ୍ତି । ମହାଭାରତ ଓ ରାମାୟଣର ଚରିତ୍ର ପୁଣି ଘଟଣାବଳୀ ଆମକୁ ଆମ ଭାବରେ ଅଧିକ ଗୁରୁତ୍ୱପୂର୍ଣ୍ଣ ଦେଖାଯାନ୍ତି । ତାଙ୍କ ଭିତରେ ଆମେ ଆମକୁ ନୂଆ ଭାବରେ ପାଉ । ଏହି ନୂତନତାଟାକୁ ଦେଖାଇଦେବାଟା ତ ସମାଲୋଚନାର କାମ । ଏହାହିଁ ବିଶ୍ଳେଷଣ ବା ବ୍ୟାଖ୍ୟାର ଅନ୍ୱେଷା । ଏ ଅନ୍ୱେଷା ଚିରନ୍ତନ । ନିଜ ସମୟର ମୁଦ୍ରାଙ୍କ ବହନ କରି କଳାର ସର୍ବକାଳୀନତାକୁ ଖୋଜିବୁଲିବା । ଏହା ଏକ ସମନ୍ୱିତ ବିଶ୍ଳେଷଣ ପୁଣି ବିଶ୍ଳେଷିତ ସମନ୍ୱୟ ।

 

ତେଣୁ ବିଶ୍ଳେଷଣର ଗୋଟିଏ ପ୍ରଧାନ ଦିଗ ହେଉଛି ସମୟକୁ ବୁଝିବା, ଜୀବନକୁ ବୁଝିବା । କାଳ କେବଳ ଅତୀତ ଇତିହାସ ଭାବେ ଆମ ଉପରେ ପ୍ରଭାବ ପକାଏ ନାହିଁ । ଅତୀତ ବର୍ତ୍ତମାନ ହୋଇ ଭବିଷ୍ୟତ ଆଡ଼କୁ ସଞ୍ଚରିଯାଏ । ଫଳରେ ବର୍ତ୍ତମାନ ସହ ଏହାର ଗୋଟିଏ ଅସ୍ତିତ୍ୱବାଦୀ ସମ୍ପର୍କ । ଏହି ସମୟର ପଦପାତରେ ମଣିଷ ବିଭିନ୍ନ ଅନୁଭୂତିର ସମ୍ମୁଖୀନ ହୋଇ ତାକୁ ପ୍ରକାଶ କରିଛି ଏବଂ ଏହି ବଞ୍ଚିବା ଭିତରେ ଜୀବନର ମୂଳକୁ ମଧ୍ୟ ରୂପ ଦେଇଛି । ବିଭିନ୍ନ ଭାବରେ ଏହି ମୂଳ-ଯାହା ଆମ ଜୀବନଧାରଣ ପଦ୍ଧତି, ସଂସ୍କୃତି ଭିତରେ ବିଭିନ୍ନ ଭାବରେ ରୂପାୟିତକଳାରେ ଗୁଞ୍ଜରିଉଠେ । ସମାଲୋଚନା ତାକୁ ଧରିବାକୁ ଚେଷ୍ଟାକରେ ଯା’ଫଳରେ ସେ ବ୍ୟକ୍ତି ଜରିଆରେ ସାର୍ବଜନୀନକୁ ଦେଖାଇ ଦେଇପାରିବ । ଖଣ୍ଡିତ ସମୟର ଖଣ୍ଡିତ ଉଚ୍ଚାରଣ ଭିତରେ ଚିରନ୍ତନର ଅନନ୍ତ ଓଁକାରକୁ ଶୁଣାଇପାରିବ ।

 

ଏହି ପରିପ୍ରେକ୍ଷୀରେ କଳାର ଅବୈକ୍ତିକ ବିଶ୍ଳେଷଣର ପ୍ରଶ୍ନଉଠେ । ପ୍ରଶ୍ନଉଠେ, ବିଶ୍ଳେଷଣ କଲାବେଳେ ପୁଣି ମୂଲ୍ୟାୟନବେଳେ ଏହି ଅବୈକ୍ତିକତା କେତେଦୂର ଗ୍ରହଣୀୟ । ପ୍ରଥମରୁ କୁହାଯାଇଛି ସମାଲୋଚନା ମଧ୍ୟ ଏକ ସୃଷ୍ଟିଶୀଳ ପ୍ରକ୍ରିୟା । କଳା ସହ ଏକୀଭୂତ ହୋଇ ଏହା କଳାକୁ ବୁଝେ, ନିଜକୁ ବୁଝେ । କଳା ଓ ସମାଲୋଚନା ମଧ୍ୟରେ ଏହି ସ୍ତରରେ କେବେ ଦୂରତା ନ ଥାଏ । ଏହି ସ୍ତରରେ ଏ ଦୁଇଟିର ସମ୍ପର୍କ ଆବେଗଧର୍ମୀ । କଳା (ସାହିତ୍ୟ, ଚିତ୍ରକଳା ବା ସଙ୍ଗୀତ) ଓ ସମାଲୋଚକର ସଚେତନ ମନ ଏହି ହୃଦୟଙ୍ଗମ କରିବା ବିନ୍ଦୁରେ ଦୁଇଟି ବାହ୍ୟ ବସ୍ତୁ ନୁହେଁ । ତେଣୁ ବ୍ୟବଚ୍ଛେଦ ଅସମ୍ଭବ । ବିଶ୍ଳେଷଣ କରୁଥିବାବେଳେ ମଧ୍ୟ ସମାଲୋଚକ ନିଜକୁ ବିବେଚିତ ବସ୍ତୁ ସହ ଅଙ୍ଗୀଭୂତ କରିଥାଏ । ସାଲବେଗଙ୍କ ଜଣାଣଟି ଶୁଣୁଥିବାବେଳେ ବା ଭକ୍ତଚରଣଙ୍କ କବିତାଟିଏ ପଢ଼ୁଥିବାବେଳେ ଏମିତିକି ବ୍ୟଙ୍ଗ କବି ଗୋଦାବରୀଶଙ୍କ ‘ଅନାବଶ୍ୟକ କବିତା’ ପଢ଼ୁଥିବାବେଳେ କିମ୍ୱା ବଳିଦତ୍ତ ସହ ଘୂସୁରିଆ ପଦାରେ ଘୂରୁଥିବାବେଳେ ଆମେ ପ୍ରଥମେ ସେହି ଜଗତରେ ଏକୀଭୂତ ହୋଇଯାଉ । ଏହାହିଁ ସମାଲୋଚନାର ପ୍ରଥମ ଦିଗ । ସୁରେନ୍ଦ୍ର ମହାନ୍ତିଙ୍କ ‘ସରଦେଈ’ ସତ କି ମିଛ ଆମେ ବୁଝୁନା ତା’ସହ ଆମ ଘ୍ରାଣରେ ଦୟଣା ଫୁଲର ମହ ମହ ଗନ୍ଧ । ଆମେ ନିଧି ଦାସଙ୍କ ଅନ୍ୱେଷାଙ୍କୁ ନିଜର କରୁ । ସୁନନ୍ଦା ପଟ୍ଟନାୟକଙ୍କ ଗୀତ ବା ବି: ବର୍ମାଙ୍କ ଛବିରେ ପ୍ରଥମେ ଆସେ ଏହି ନିଜକୁ ହଜାଇଦେବା ଭାବ । ଏହି ହଜାଇଦେବା ଅର୍ଥ ସେ ସୃଷ୍ଟି ଭିତରେ ନିଜକୁ ଗୋଟିଏ ଭାବରେ ପାଇବା । ଏହି ପାଇବା ଯେପର୍ଯ୍ୟନ୍ତ ସମ୍ଭବ ହୋଇନି ଦୂରତା ସମ୍ଭବ ନୁହେଁ, ମୂଲ୍ୟାୟନ ବା ବିଚାର ସମ୍ଭବ ନୁହେଁ । ଏହି ଭିନ୍ନରୂପେ ପାଇବାର ସୃଷ୍ଟିରେ ଆସେ ନୂଆ ଅର୍ଥ । ସରଦେଈ ହୋଇଯାଏ ଖାଁ ଖାଁ ପ୍ରତୀକ୍ଷାଟିଏ, ନିଧି ଦାସକୁ ଘେରିଯାଏ ଆଉ ଗୋଟିଏ ଚରିତ୍ର ତା’ ହେଉଛି ଆମରି ସାଂପ୍ରତିକ କାଳ । ବଳୀଦତ୍ତ ଆଉଗୋଟିଏ ଚରିତ୍ର ନ ହୋଇ ଆମରି ମନର ଜୀଅନ୍ତା ଟୁକୁରାଟିଏ ହୋଇଉଠେ । ଏହି ସତ୍ୟ ତେଣୁ ପ୍ରଥମରୁ ଅବୈକ୍ତିକ ବ୍ୟବଚ୍ଛେଦରୁ ଆସେନାହିଁ । ଏହା ଆସେ ମାର୍ମିକ ସମ୍ପର୍କ ସ୍ଥାପନରୁ । ଏହି ସମ୍ପର୍କ ହିଁ ଦ୍ୱାର ଖୋଲିଦିଏ ବୁଝାମଣାର । ତା’ ନ ହୋଇ ଦୃଷ୍ଟିକୁ ନୀତି, ନିୟମ ଏବଂ ଅନ୍ୟାନ୍ୟ କଷଟିପଥର ଦ୍ୱାରା ମାପିଦେଲେ ଡାକ୍ତରଙ୍କ ବ୍ୟବଚ୍ଛେଦ ରିପୋର୍ଟ ପରି ରିପୋର୍ଟଟିଏ ବାହାରିବ ସିନା । ବ୍ୟବଚ୍ଛେଦିତ ଲୋକଟିକୁ ଜାଣିହେବନି, ତା’ ମନର ନିର୍ଜନତାକୁ ବୁଝିହେବନି । ସେଇମିତି କବିତାରେ ଛନ୍ଦ, ପ୍ରତୀକ, ଚିତ୍ରକଳ୍ପ ସବୁ ବୁଝିହେବ । ମାତ୍ର ଏସବୁ ପଛରେ ଲୁଚି ରହିଥିବା ଆବେଗଟିକୁ ଧରିହେବନି-। ସମାଲୋଚନା କେବଳ ପାଣ୍ଡିତ୍ୟପୂର୍ଣ୍ଣ ତର୍ଜମା ହୋଇଯିବ । ଅନୁଭବକୁ ବାଟ ଫିଟାଇବନି, ତେଣୁ ସଂପୂର୍ଣ୍ଣ ଅବୈକ୍ତିକତା ମୋ ମତରେ କାମ୍ୟ ନୁହେଁ, ସମ୍ଭବ ନୁହେଁ । ଏହା ପ୍ରୟୋଜନ, ଯେତେବେଳେ ସମାଲୋଚନା ପାଇଁ ଘଟଣା (facts)ର ଦର୍କାର । ମାତ୍ର ଇତିହାସ, ଜୀବନୀ ସମାଲୋଚନା ନୁହେଁ, ଏହା ସମାଲୋଚନା ବୁଝାମଣାର ବାଟ, ଏକ ମାଧ୍ୟମ । କବିତା କଥା ନିଆଯାଇପାରେ । କବିତାକୁ ଉପଭୋଗ କଲାବେଳେ ପାଠକ ନିଜେ ତ କବି ହୋଇଯାଏ–କାବ୍ୟାନୁଭୂତିର ଅଂଶବିଶେଷ ହୋଇଯାଏ । ବବିତା ତ କିଛି ଅବୈକ୍ତିକ ସତ୍ୟ ସାର୍ବଜନୀନ ଭାଷାରେ ଦିଏନାହିଁ । କବିତାର ସତ୍ୟ ଯା’କୁ ଲରେନ୍‌ସ କହନ୍ତି, ରକ୍ତ-ଜ୍ଞାନ, ଅସ୍ଥି-ଜ୍ଞାନ (Blood knowledge, bone knowledge)-ବୋଲି । କବିତା ପ୍ରକାଶକରେ କବିର ରକ୍ତରେ ଶୁଭୁଥିବା ଏହି କାକଳୀକୁ । ସମାଲୋଚନା ଚେଷ୍ଟାକରେ ସେଇ କାକଳୀକୁ ଆଉଥରେ ନିଜ ଭାବେ ଶୁଣିବ । କବିତାର ସତ୍ୟ ତ ସୀତାକାନ୍ତ ମହାପାତ୍ରଙ୍କ ‘ଅନ୍ୟ ଦୃଶ୍ୟ’ର ସତ୍ୟ । ତା’ ତ ଏକାନ୍ତ ନିରୋଳା କ୍ଷଣିକ ଅନୁଭବ । ଏହା ଯଶୋଦାଙ୍କ ସତ୍ୟ, ଗୋଟିଏ ମୁହୂର୍ତ୍ତର ସତ୍ୟ । ସମାଲୋଚକ ଅନ୍ତତଃ ଏହାକୁ ବୁଝିବା ପାଇଁ ଏହାକୁ ଗ୍ରହଣ କରିବ । ଆବେଗ ସ୍ତରରେ ସେହି ସ୍ତରକୁ ଯିବ । ତା’ ନ ହେଲେ ତ ଏହା ଅସତ୍ୟ ହୋଇଯିବ । ତେଣୁ ଶିଳ୍ପୀର ରକ୍ତର କାକଳୀକୁ ନିଜେ ଶୁଣିପାରିବାର ମାନସିକ ପ୍ରସ୍ତୁତି ହିଁ ସମାଲୋଚନା ଯା’ ଉପଭୋଗର ଅନ୍ୟ ନାମ । ଏହା ସମ୍ଭବ ଯେତେବେଳେ ଶିଳ୍ପୀ ଓ ସମାଲୋଚନା ଗୋଟିଏ ସୁରରେ ବନ୍ଧା ହୋଇଯାନ୍ତି । ଏହା ହିଁ ରସ ସ୍ୱାଦନ । ଏହାହିଁ ସୌନ୍ଦର୍ଯ୍ୟବୋଧ । ମାତ୍ର ଆମେ ସାଧାରଣତଃ ଯେଉଁ ଅବୈକ୍ତିକ ବିଶ୍ଳେଷଣ କଥା କହୁ ତାହା ମୁଖ୍ୟତଃ ସେଇ କାରିଗରୀର ବିଶ୍ଳେଷଣ । ଏହା ଶିଳ୍ପୀର ମାଧ୍ୟମ ଆଉ ତା’ର ବ୍ୟବହାରକୁ ବିଶ୍ଳେଷଣ କରି ତା’ର ପ୍ରକାଶର ସଫଳତାକୁ ଜାଣିବାକୁ ଚେଷ୍ଟା କରେ । ଏହା କବିତାର ଅର୍ଥ ବୁଝିବାକୁ ଚେଷ୍ଟା କରେ । ତା’ର ବିଭିନ୍ନ ତର୍ଜମା କରିଥାଏ । ମାତ୍ର କେବଳ ଏହି ବିଶ୍ଳେଷଣ ଯଦି ଲକ୍ଷ୍ୟହୁଏ ତେବେ ସେଇ ରକ୍ତର କାକଳୀକୁ ଶୁଣି ଶୁଣାଇବା ବୋଧହୁଏ ସମ୍ଭବ ହୁଏନି ବୋଲି ମୋର ବିଶ୍ୱାସ । ଅର୍ଥ କରିବା, ବ୍ୟାଖ୍ୟା କରିବା ସମାଲୋଚନାର ମୁଖ୍ୟ ଅଂଶ ନୁହେଁ । ସମାଲୋଚନାର ଏହା ମାଧ୍ୟମ ଗୋଟିଏ ଅପୂର୍ଣ୍ଣ ମାଧ୍ୟମ । ଏହା କେବେ ସ୍ୱୟଂ ସଂପୂର୍ଣ୍ଣ ହୋଇପାରେନା । ତେଣୁ ଏ ଆଜିର ଅବୈକ୍ତିକ ବ୍ୟାବହାରିକ ସମାଲୋଚନା ଅନେକ ସମୟରେ ପାଣ୍ଡିତ୍ୟପୂର୍ଣ୍ଣ ହୋଇଯାଉଛି, ଫଳରେ ରସସ୍ୱାଦନ ସମ୍ଭବ ହେଉନି । ରସସ୍ୱାଦନ ପାଇଁ ଏକୀଭୂତ ହେବାର ସେଇ ଶକ୍ତିଟି ଏଠାରେ ଏକାନ୍ତ ଭାବେ ବିରଳ ।

 

ଏହି ଶକ୍ତି ହିଁ କଳାରେ ନୂଆ ପ୍ରାଣ ଦିଏ, ରାମ ସ୍ପର୍ଶରେ ପଥର ଅହଲ୍ୟା ନାରୀ ପାଲଟିଲା ପରି ନୂଆ ସତ୍ୟ ଉକୁଟିଉଠେ । ବର୍ଷ ବର୍ଷ ଧରି ଶିଳ୍ପୀଭୂତ କଳା ହଠାତ୍‌ ଆଲୋକକୁ ଆସେ-ଯେମିତି ଆସିଥିଲେ ଇଂରାଜୀ ସାହିତ୍ୟର ମେଟାପିଜିକାଲ କବିମାନେ ବା ଯେମିତି ଦୀନକୃଷ୍ଣ ଅବହେଳାରୁ ମୁକ୍ତି ପାଇଥିଲେ । ଏହି ରାମ ସ୍ପର୍ଶ ଆସେ ଦୂରତାରୁ ନୁହେଁ–ଆନ୍ତରିକତାରୁ–ଉଦାସୀନତାରୁ ନୁହେଁ, ସଂବେଦନାରୁ ।

 

ତେବେ କ’ଣ ସମାଲୋଚନା କେବଳ ବ୍ୟକ୍ତିଗତ ଆବେଗମୟୀ ପ୍ରକ୍ରିୟା ଏଥିରେ ନିର୍ଲିପ୍ତ ମନର ଆଦୌ ପ୍ରୟୋଜନ ନାହିଁ ।

 

ମୂଲ୍ୟାୟନ, ବିଚାର ସମାଲୋଚନାର ଏକ ଦିଗ । ମୂଲ୍ୟାୟନ ପାଇଁ ପ୍ରୟୋଜନ ଖାଲି ଏକ ସଚେତନ, ସମ୍ୱେଦନଶୀଳ ମନ ନୁହେଁ; ଏକ ଦୀର୍ଘ ପ୍ରସ୍ତୁତି, ଏକ ଜଟିଳ ଚେତନା, ଯାହା ସମୟ ଆଉ ପରିବେଶର ସ୍ପନ୍ଦନଶୀଳ ମିଳନବିନ୍ଦୁ । ଏହି ପ୍ରସଙ୍ଗରେ ସଂସ୍କୃତିର ପ୍ରଶ୍ନଉଠେ, ପ୍ରଶ୍ନଉଠେ ଉଦାର ମନର ମୂଲ୍ୟବୋଧର । କୌଣସି ନିର୍ଦ୍ଦିଷ୍ଟ ମାନ ସହ ତଉଲିବା ସମାଲୋଚକର କାମ ନୁହେଁ । ବିଚାରବୋଧ ଏକ ମାନସିକ ପରିପକୃତା ଯାହା ଗୋଟିଏ ସଂସ୍କୃତିର ଜଟିଳତାରେ ଗଢ଼ିଉଠିଥାଏ, ତା’ର ରୁଚିକୁ ଶାଣିତ କରିଥାଏ । ଏହି ମାନସିକ ଶୃଙ୍ଖଳା ଯେତେବେଳେ ପରିପକ୍ୱତା ସହ ଆତ୍ମିକ ହୁଏ, ସେତେବେଳେ ମୂଲ୍ୟବୋଧ ଗଢ଼ିଉଠେ ଓ ବ୍ୟକ୍ତିର ବଞ୍ଚିବା ପଦ୍ଧତିକୁ ପରିଚାଳିତ କରେ । ତେଣୁ ସମାଲୋଚନା ଏକ ସଚେତନ ଶକ୍ତିଶାଳୀ ମନର ପ୍ରତିକ୍ରିୟା ନୁହେଁ, ଏହା ଏକ ବ୍ୟକ୍ତିର ସାମଗ୍ରିକ ସତ୍ତାର ପ୍ରତିକ୍ରିୟା, ଏ ସତ୍ତାରେ ଏକାନ୍ତ ହୁଏ ତା’ର ସାମାଜିକ, ସାଂସ୍କୃତିକ, ପ୍ରାଜ୍ଞ ପୁଣି ଆବେଗମୟୀ ଅସ୍ତିତ୍ୱ । ଏପରି ପ୍ରତିକ୍ରିୟାରେ ସତ୍ୟଶୀଳତା ବ୍ୟତୀତ ଅନ୍ୟ କିଛିର ସ୍ଥାନ ନାହିଁ । ଏ ସତ୍ୟଶୀଳ ମନ ଖୋଜିବୁଲେ କଳାରେ ଲୁଚି ରହିଥିବା ସତ୍ୟଟିକୁ । ଯାହା ସାଂପ୍ରତିକ ପୁଣି ଚିରନ୍ତନ, ଯାହା ଆତ୍ମା ପୁଣି ଆଙ୍ଗିକ । ତେଣୁ ସମାଲୋଚକର ପ୍ରତିକ୍ରିୟା ଏକ ନିର୍ଦ୍ଦିଷ୍ଟ ସମୟ ଖଣ୍ଡରେ ଏକ ବ୍ୟକ୍ତିର ସାମଗ୍ରିକ ପ୍ରତିକ୍ରିୟା । ଏ ମୂଲ୍ୟାୟନ ସୌନ୍ଦର୍ଯ୍ୟର ଉପଭୋଗ, ସତ୍ୟର ସନ୍ଧାନ ।

 

କଳା ଏହି ସୌନ୍ଦର୍ଯ୍ୟର ପ୍ରୟାସୀ । ସମାଲୋଚନା ବି କଳା ଭିତରେ ଆଉଥରେ ତାକୁ ନିଜଭାବେ ଫେରିପାଇବା । ତେଣୁ ସୃଷ୍ଟି ଏବଂ ସମାଲୋଚନା ନିଜ ଭାବରେ ସେହି ସତ୍ୟଟିକୁ-ଅହଂର ବିଶ୍ୱ ସହ ସମ୍ପର୍କର ବ୍ୟକ୍ତିଗତ ସମ୍ପର୍କର ସତ୍ୟଟିକୁ ପାଇବାର ଚେଷ୍ଟା । ଏହାହିଁ ରସ । ଏହାହିଁ ଜଟିଳ ମନର ଜଟିଳ ସ୍ପନ୍ଦନ । ପ୍ରାଜ୍ଞ ପୁଣି ଆବେଗମୟୀ ନିର୍ଲିପ୍ତ ପୁଣି ସମ୍ୱେଦନଶୀଳ, ଏକ ନିରୋଳା ସଚେତନ ଅହଂ ପୁଣି ଏକ ସାମାଜିକ ଓ ସାଂସ୍କୃତିକ ଜୀବ ।

 

ଏହାହିଁ ସମାଲୋଚନାର ଆନ୍ତରିକ ଦିଗ । ଏହା ସୃଷ୍ଟି ସହ ଏକାନ୍ତ ପୁଣି ତା’ଠାରୁ ବିଚ୍ୟୁତ । କଳାର ଜନ୍ମ ଲଗ୍ନରେ ଏହା ଏକ ମୁହୂର୍ତ୍ତ, ପୁଣି ତାକୁ ବୁଝି ତା’ର ଅନ୍ତର୍ନିହିତ ସତ୍ତାକୁ ଉପଲବ୍‌ଧି କରିବାରେ ପ୍ରୟୋଜନୀୟ ନିର୍ଲିପ୍ତ ମମତା । ତେଣୁ ଏହାର ଲକ୍ଷ୍ୟ କଳା ଆଉ ବାସ୍ତବତାର ନିବିଡ଼ତାକୁ ବୁଝି ରସାସ୍ୱାଦନ କରିବା । ଏହି ରସାସ୍ୱାଦନ ଦ୍ୱାରାହିଁ ସମ୍ଭବ ହେବ ସାଧାରଣ ବୁଦ୍ଧି, ପୁଣି ଅସାଧାରଣ ଚେତନା । ସମାଲୋଚନା ତେଣୁ ପାଠକ ଆଉ ସଷ୍ଟା ଭିତରେ ବୌଦ୍ଧିକ ତାରବାଡ଼ ଗଢ଼ିବା ନୁହେଁ, ବରଂ ବ୍ୟକ୍ତି ମନରେ ରସାଣିତ ପ୍ରତିକ୍ରିୟା ସୃଷ୍ଟିକରିବା, ସୃଷ୍ଟିସହ ଏକ ହୋଇ ରସାସ୍ୱାଦନ କରିବା-ନିଜକୁ ପାଇବା ।

 

ଏ ପ୍ରବନ୍ଧରେ ମୁଁ ସମାଲୋଚନା ସମ୍ପର୍କରେ ଏକ ବୌଦ୍ଧିକ ଆଲୋଚନା କରିବାକୁ ଯାଇନାହିଁ । ନିଜେ ଲେଖିଲାବେଳେ ମୋ’ ଭିତରକୁ ସମାଲୋଚକ ଯେମିତି ବ୍ୟବହାର କରିଛି, ମୋତେ ଯେମିତି ସଂଯମୀ କରିଛି ପୁଣି ଅନ୍ୟ ସୃଷ୍ଟିକୁ ଉପଭୋଗ କଲାବେଳେ ମୋ ଭିତରର ଶିଳ୍ପ ଓ ବାହାରର ସମାଲୋଚକ ମୋତେ ଯେମିତି ସାହାଯ୍ୟ କରିଛି, ତାକୁଇ ବର୍ଣ୍ଣନା କରିବାକୁ ଯାଇଛି-। ସମାଲୋଚକର ଏହା ତେଣୁ ଅବୈକ୍ତିକ ପ୍ରାଜ୍ଞ ସମାଲୋଚନା ନୁହେଁ, ବରଂ ସୃଷ୍ଟିଶୀଳ ପ୍ରକ୍ରିୟାରେ ଥିବା ସମାଲୋଚନା ପୁଣି ସମାଲୋଚନା ଭିତରେ ଥିବା ସୃଷ୍ଟି ଶୀତଳତାକୁ ବୁଝିବାର ଚେଷ୍ଟା ।

Image

 

ବର୍ହିଯାତ୍ରା

[ସାହିତ୍ୟରେ ସମାଜ ଚେତନା]

 

ଗୋଟିଏ ଜଣାଶୁଣା ପୁରୁଣା କଥାକୁ ଆଉଥରେ ନୂଆକରି ଆଲୋଚନା କରିବା ଏ ପ୍ରବନ୍ଧର ଉଦ୍ଦେଶ୍ୟ । କଥାଟି ହେଲା ସାହିତ୍ୟରେ ସାମାଜିକ ଚେତନା । ଅର୍ଥାତ୍‌ ସାହିତ୍ୟରେ କେତେଦୂର ସମାଜର ଛବି ପ୍ରତିଫଳିତ ହେବ; ଜୀବନର ସାମାଜିକ ଦିଗଟିକୁ କେତେ ଗୁରୁତ୍ୱ ଦେବ-। ଶିଳ୍ପୀ କେତେଦୂର ନିଜ ଅହଂର ଅନ୍ଧାରି ଇଲାକାରୁ ବାହାରିଆସି ବାହାରର ଗଣ ଜୀବନର ପ୍ରତିନିଧିତ୍ୱ କରିବ । ସାହିତ୍ୟର ଗୋଟିଏ ସାମାଜିକ ଭୂମିକା ରହିବ । ଗୋଟିଏ କିଛି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରହିବ । ସାହିତ୍ୟ ସୃଷ୍ଟିର ଆଦିକାଳରୁ ଦୁଇଟି ବିବଦମାନ ଧାରା ଗତି କରି ଆସୁଅଛି । ଏ ଦୁଇଟି ଧାରା ହେଉଛି ସାହିତ୍ୟ ପ୍ରତି ଦୁଇଟି ଦୃଷ୍ଟିକୋଣ । ଗୋଟିଏ କଳା ପାଇଁ କଳା, ଅନ୍ୟଟି ଜୀବନ ପାଇଁ କଳା । ଏ ଦୁଇଟି ଦୃଷ୍ଟିକୋଣ କାଳ ବିଶେଷରେ ସାହିତ୍ୟରେ ପ୍ରାଧାନ୍ୟ ବିସ୍ତାର କରିଛି । ସାହିତ୍ୟର ରୂପ ଓ ରସକୁ ପ୍ରଭାବିତ କରିଛି । ଅନ୍ୟ ଗୋଟିଏ ଦୃଷ୍ଟିରୁ ବିଚାର କଲେ ଏ ଦୁଇଟି ଦୃଷ୍ଟିଭଙ୍ଗୀ ପରସ୍ପର ବିରୋଧୀ ନୁହନ୍ତି । କାରଣ ଏକ ବ୍ୟାପକ ଦୃଷ୍ଟିରେ ଏମାନେ ଗୋଟିଏ ସତ୍ୟକୁ ଗ୍ରହଣ କରିଥାନ୍ତି । ସେ ସତ୍ୟଟି ହେଉଛି ଆନନ୍ଦ । ଅର୍ଥାତ୍‌ ସାହିତ୍ୟର ଉଦ୍ଦେଶ୍ୟ ହେଲା ଆନନ୍ଦ ଦେବା । ଆଉ ଏ ଆନନ୍ଦ ହେଉଛି ନାନ୍ଦନିକ ଆନନ୍ଦ ।

 

ପ୍ରଶ୍ନଉଠୁଛି ଏହି ଆନନ୍ଦ କେତେଦୂର ଜୀବନକୁ ଗ୍ରହଣ କରେ । ଅର୍ଥାତ୍‌ ସାହିତ୍ୟ ଆମକୁ ଆନନ୍ଦ ଦେଲାବେଳେ କେତେଦୂର ବାସ୍ତବତାକୁ ପ୍ରତିଫଳିତ କରେ, ପୁଣି କେତେ କଳ୍ପନାର ଜୀବନକୁ ଉଦ୍ଭାସିତ କରିଥାଏ । ସବୁ ସୃଷ୍ଟି କଳ୍ପନା ଓ ବାସ୍ତବତାର ମିଶ୍ରଣ । ଏହାବ୍ୟତୀତ ସାହିତ୍ୟ ଅସମ୍ଭବ । କାରଣ ସାହିତ୍ୟ ତ ବାସ୍ତବକୁ କଳ୍ପନା ଦ୍ୱାରା ଋଦ୍ଧିମନ୍ତ କରେ । ତାକୁ ନୂଆ ରୂପ ଦିଏ । ତେଣୁ କଳ୍ପନା ସାହିତ୍ୟର ପ୍ରାଣଦାୟିନୀ ଶକ୍ତି । ଏ କଳ୍ପନାହିଁ ବାସ୍ତବକୁ କରେ ଅଧିକ ବାସ୍ତବ । ତେଣୁ ଏହା ବାସ୍ତବର ଗୋଟିଏ ଦିଗ । ବାସ୍ତବର ଅନ୍ତର୍ଭୁକ୍ତ । କିନ୍ତୁ ବାସ୍ତବଠାରୁ ବିଚ୍ଛିନ୍ନ କାଳ୍ପନିକ କଳ୍ପନା ସାହିତ୍ୟକୁ କ୍ଷୀଣ କରିଥାଏ । ତେଣୁ କଳ୍ପନା ଗୋଟିଏ ଦିଗରେ ବାସ୍ତବର ଗୋଟିଏ ଦିଗ; ଅନ୍ୟଦିଗରେ ବାସ୍ତବକୁ ଅନୁଭବ କରିବାରେ ଏହା ଏକ ସୃଷ୍ଟିଶୀଳ ଶକ୍ତି । ତେଣୁ ଏପରି କଳ୍ପନା ଅନୁଭୂତିକୁ ରସାଣିତ କରିବା ଅବଶ୍ୟମ୍ଭାବୀ । ଫଳରେ ଅନୁଭୂତି ବିନା ଯେମିତି ସୃଷ୍ଟି ଅସମ୍ଭବ; କଳ୍ପନା ବିନା ମଧ୍ୟ ସେହିପରି ସୃଷ୍ଟି ଅସମ୍ଭବ । ସେଥିପାଇଁ ତ ଓ୍ୟାଡ଼୍‌ସ୍‌ଓ୍ୟାର୍ଥ କହିଥିଲେ ଶୂନ୍ୟତାରୁ ସୃଷ୍ଟି ଅସମ୍ଭବ । ଏହି ଶୂନ୍ୟତା ହେଉଛି କଳ୍ପନା ଏବଂ ଅନୁଭୂତିର ଅନୁପସ୍ଥିତି ।

 

ବାସ୍ତବତାର ମଧ୍ୟ ଅନେକ ରୂପ । ସ୍ୱପ୍ନ ମଧ୍ୟ ବାସ୍ତବତାର ଗୋଟିଏ ଦିଗ । ମଣିଷ ଚେତନାର ବିଭିନ୍ନ ସ୍ତରରେ ବାସ୍ତବତାର ରୂପ ଭିନ୍ନ । ଏହା ମଣିଷର ଅନୁଭୂତିର ବୈଚିତ୍ର୍ୟ ଉପରେ ନିର୍ଭର କରେ । ତେଣୁ ବାସ୍ତବତା ହେଉଛି ବ୍ୟକ୍ତିର ନିଜ ସହ ପୁଣି ତା’ ପରିବେଶ ଓ ବିଶ୍ୱବ୍ରହ୍ମାଣ୍ଡ ସହ ସମ୍ପର୍କର ଜଟିଳତାର ରୂପ । ଏହା କେତେବେଳେ ସାମାଜିକ, ମାନସିକ, କେତେବେଳେ ଆଧ୍ୟାତ୍ମିକ । ଏହି ପ୍ରବନ୍ଧରେ ଆମେ ସାମାଜିକ ବାସ୍ତବତା ବିଷୟରେ ମୁଖ୍ୟତଃ ଆଲୋଚନା କରିବା-

 

ସାହିତ୍ୟରେ କେତେବେଳେ କେଉଁ ସ୍ତର ଉପରେ ଗୁରୁତ୍ୱ ଦିଆହୋଇଛି । କିନ୍ତୁ ସବୁ ଅମର ସୃଷ୍ଟି ଜୀବନ ତଥା ବାସ୍ତବତାର ଜଟିଳ ପୂର୍ଣ୍ଣତାକୁ ପ୍ରକାଶ କରିବାର ପ୍ରୟାସ । ମାତ୍ର କେତେବେଳେ ସାହିତ୍ୟ ଏହି ବାହ୍ୟ ବାସ୍ତବତାକୁ ଏଡ଼ି କଳ୍ପନାର ଜାଲ ବୁଣିଛି ତ କେତେବେଳେ ମନର ଅନ୍ଧାରି ଜଗତକୁ ପଶି ତା’ର ରହସ୍ୟ ଖୋଜିଛି । ତେଣୁ ବର୍ତ୍ତମାନ ପ୍ରଶ୍ନଉଠେ କାହାଉପରେ ତା’ର ଗୁରୁତ୍ୱ । ସେଥିରୁ ହିଁ ସେ ସାହିତ୍ୟର ରୂପରେଖ ଜାଣିହେବ, ତା’ର ଉଦ୍ଦେଶ୍ୟ ଜଣାଯିବ । କଳାପାଇଁ କଳାର ପୂଜାରୀମାନେ କହିଗଲେ ସେମାନେ ଖାଲି ଆନନ୍ଦ ଦେବେ । ମଣିଷର ତଥାକଥିତ ବାସ୍ତବ ଜୀବନର ରୂପକାର ହିସାବରେ ତାଙ୍କର ସେମିତି କିଛି ଭୂମିକା ନାହିଁ । ତାଙ୍କ ସୃଷ୍ଟିରେ ଅନ୍ୟକିଛି ଉଦ୍ଦେଶ୍ୟ ନାହିଁ । ସାହିତ୍ୟ କାହାରି ମାଧ୍ୟମ ନୁହେଁ । ତା’ ସ୍ୱୟଂସମ୍ପୂର୍ଣ୍ଣ ଆନନ୍ଦଦାୟିନୀ । ଅନ୍ୟଦିଗରେ ଅନେକ ଶିଳ୍ପୀ ଖାଲି କଳା ପାଇଁ ବା ଖାଲି ଆନନ୍ଦ ପାଇଁ ଧାଡ଼ିଟିଏ ବି ଲେଖିବାକୁ ମନାକରିଦେଲେ ତାଙ୍କ ପାଖରେ ସାହିତ୍ୟ ଆନନ୍ଦଦେବା ସଙ୍ଗେ ସଙ୍ଗେ ଅନେକ କିଛି ସମ୍ପାଦନ କରିଥାଏ । ତା’ର ଉଦ୍ଦେଶ୍ୟ ଅନେକ । ତେଣୁ ଏପରି ସୃଷ୍ଟିରେ ସାହିତ୍ୟର ଉଦ୍ଦେଶ୍ୟ ନେଇ ପ୍ରଶ୍ନଉଠେ-ସାହିତ୍ୟ କ’ଣ ତେବେ ପ୍ରଚାରଧର୍ମୀ ।

 

ଏପରି ପ୍ରଶ୍ନ ସାହିତ୍ୟ ପରି ନିହାତି ପୁରୁଣା । ଜୀବନ ପରି ଚିରନ୍ତନ । ସବୁ ଯୁଗରେ ସାହିତ୍ୟ ବ୍ୟକ୍ତିର ସ୍ୱାଧୀନତା ଘୋଷଣା କରିଆସିଛି । କୌଣସି ଶକ୍ତିର ହାତବାରିଶୀ ହେବାକୁ ମନାକରିଦେଇଛି । ମଣିଷକୁ ଆନନ୍ଦ ଦେଇଛି ପୁଣି ଜୀବନକୁ ସାମ୍ନା କରିବାର ପ୍ରେରଣା ଦେଇଛି । ଜୀବନକୁ ଭୁଲାଇଛି ତ କେତେବେଳେ ଜୀବନର ରକ୍ତମୁଖା ରୂପକୁ ଆମ ଆଗରେ ଥୋଇଛି । କିନ୍ତୁ ଟିକିଏ ଗଭୀର କରି ଦେଖିଲେ ସବୁ ସାହିତ୍ୟରେ କିଛି ପ୍ରଚାର ଅଛି । କୌଣସି ଗୋଟିଏ ଆଦର୍ଶକୁ ଉତ୍‌ଥାପିତ କରିଛି । ଅବଶ୍ୟ ଏହା ଦଳୀୟ ପ୍ରଚାର ନୁହେଁ । ଶାସକର ତୋସାମତ ନୁହେଁ । ଏହା ମଣିଷକୁ ବ୍ୟାପକ ଓ ମହାନ ଭାବରେ ପ୍ରଭାବିତ କରୁଥିବା ଶକ୍ତିର ପ୍ରଚାର । ରାମାୟଣ ମହାଭାରତଠାରୁ ଆରମ୍ଭ କରି ଆଧୁନିକ ସାହିତ୍ୟ ସବୁ ଏହି ଶ୍ରେଣୀର । ସମସ୍ତେ ଗୋଟିଏ ଗୋଟିଏ ବାଣୀ ପ୍ରଚାର କରିଛନ୍ତି । ଏ ବାଣୀ କୌଣସି ସ୍ଳୋଗାନ୍‌ର ଯାନ୍ତ୍ରିକ ଉଚ୍ଚାରଣ ନୁହେଁ । ଏହା ବଞ୍ଚିବାର ଦହନରୁ ଜନ୍ମିଥିବା ଅନୁଭୂତିର ପ୍ରକାଶ । ଯେଉଁଠି ସାହିତ୍ୟ କୌଣସି ରାଜନୈତିକ ଦଳର ଇସ୍ତାହାର ହୁଏ ସେଠାରେ ସେ ରସସ୍ୱାଦନ କରାଇପାରେ ନାହିଁ । ଆମକୁ ସେହି ନାନ୍ଦନିକ ଆନନ୍ଦ ଦେଇପାରେ ନାହିଁ ।

 

ସବୁ ଯୁଗରେ ସାହିତ୍ୟ ବାସ୍ତବ ଓ କଳ୍ପନାର ମହାମିଳନରୁ ଜନ୍ମ ନେଇଥାଏ । ଏହା ଏକ ସଚେତନ ଅହଂର ବାସ୍ତବତା ପ୍ରତି ପ୍ରତିକ୍ରିୟା-କଳ୍ପନା ଦଗ୍‌ଧ ନିରୋଳା ଜୀବନ୍ତ ପ୍ରତିକ୍ରିୟା । ଏହା ଶିଳ୍ପୀର ସ୍ୱପ୍ନ, ଆଦର୍ଶ ପୁଣି ବାସ୍ତବ ଅନୁଭୂତିର ପ୍ରକାଶ । ଗୋଟିଏ ଗୋଟିଏ ବାଲ୍ମିକୀର ଅଶ୍ରୁଳ ‘ମା ନିଷାଦ’; କିନ୍ତୁ ଏପରି ନିରୋଳା ସୃଷ୍ଟି ମଧ୍ୟ ବେଳେ ବେଳେ ସାର୍ବଜନୀନତାକୁ ଗ୍ରହଣ କରିଥାଏ । ଗୋଟିଏ ଏକାକୀ ଅହଂର ରହସ୍ୟମୟୀ ଅନୁଭୂତି ନୁହେଁ ବରଂ ସାମାଜିକ ଗଣର ବାସ୍ତବ ସମସ୍ୟାର ପ୍ରତିଧ୍ୱନି ହୋଇଯାଏ । ଅର୍ଥାତ୍‌ ସାହିତ୍ୟ ଅନ୍ତର୍ମୂଖୀ ନ ହୋଇ ବହିର୍ମୂଖୀ ହୋଇଯାଏ । ଏହି ବହିର୍ମୂଖୀତାକୁ ମୁଁ ସାମାଜିକବୋଧ ବା ସମାଜ ଚେତନା ବୋଲି ଗ୍ରହଣ କରିଛି ।

 

ଏ ପ୍ରବନ୍ଧର ଉଦ୍ଦେଶ୍ୟ ତେଣୁ ଏହି ବହିର୍ମୂଖୀତା ସମ୍ପର୍କରେ ସମ୍ୟକ୍‌ ଆଲୋଚନା କରିବା । ଏହା ସାହିତ୍ୟରେ ନୂଆ ନୁହେଁ । କେବଳ ବିଭିନ୍ନିତା ଆସିଛି ଏହା ଉପରେ ଆମ ଗରୁତ୍ୱ ଦେବାରେ । ବାସ୍ତବତାକୁ ଆମର ବିଶ୍ଳେଷଣ କରିବାରେ । ତେଣୁ ବିଗତ ଦଶନ୍ଧିଗୁଡ଼ିକର ଆଧୁନିକ ସାହିତ୍ୟକୁ ବିଶ୍ଳେଷଣ କଲେ ସାଧାରଣତଃ ଦେଖାଯାଏ ଯେ ଏହା ଯେମିତି ବାସ୍ତବତାକୁ ଭିନ୍ନଭାବେ ବିଶ୍ଳେଷଣ କରିଛି । ଆଧୁନିକ ସାହିତ୍ୟ ଯେମିତି ଧୀରେ ଧୀରେ ଅନ୍ତଯାତ୍ରା ଆରମ୍ଭ କରିଛି । ସ୍ରଷ୍ଟା ବାହାର ପୃଥିବୀ, ପରିବେଶ, ସମାଜ ସବୁଠାରୁ ଦୂରେଇଯାଇ ଧୀରେ ଧୀରେ ମନ ଭିତରକୁ ବ୍ୟକ୍ତିର ଅହଂ ଭିତରେ ଲୁଚି ରହିଥିବା ବାସ୍ତବତା ଆଡ଼କୁ ଯାତ୍ରା ଆରମ୍ଭ କରିଛି । ଏମିତିକି ନିହାତି ସମାଜ ସଚେତନ ରାଜନୀତି ସଚେତନ ଶିଳ୍ପୀମାନେ ମଧ୍ୟ ବାହ୍ୟ ପୃଥିବୀକୁ ତାଙ୍କ ନିଜ ଅହଂମାଧ୍ୟମରେ ପୂନର୍ଗଠିତ କରିବାକୁ ଚେଷ୍ଟା କରିଛନ୍ତି । ଅର୍ଥାତ୍‌ ଯେମିତି ଏ ବାହ୍ୟ ପୃଥିବୀ ଓ ମଣିଷ ସମାଜ ଶିଳ୍ପୀର ମାନସିକ ଘାତପ୍ରତିଘାତର ପ୍ରତିଫଳନ ପାଇଁ ବିଶାଳ ପ୍ରଚ୍ଛଦପଟଟିଏ । ଗୋଟିଏ ଭାଷାରେ ଏ ଶତାବ୍ଦୀର ସାହିତ୍ୟ ନିହାତି ଆତ୍ମକୈନ୍ଦ୍ରିକ ହୋଇପଡ଼ିଛି । ଏହାର ଭାଷା ବ୍ୟକ୍ତିଗତ, ଆବେଦନ ବ୍ୟକ୍ତିଗତ । ଏହା ଖାଲି ଅହଂର ବିଶ୍ୱସ୍ତ ପ୍ରକାଶ ମାତ୍ର । ଏଥିରେ ଅନେକ କ୍ଷେତ୍ରରେ ସାର୍ବଜନୀନ ଆବେଦନ ପରିଲକ୍ଷିତ ହୁଏ ନାହିଁ । ଏକ ବ୍ୟକ୍ତିର ବ୍ୟକ୍ତିଗତ ପୃଥିବୀ ନିହାତି ବ୍ୟକ୍ତିଗତ ଭାବେ ପ୍ରକାଶିତ । ଏହି ପୃଥିବୀର ଖାଁ ଖାଁ ଅସ୍ତିତ୍ୱ ଭିତରେ ଅନ୍ୟ ଗୋଟିଏ ବ୍ୟକ୍ତି ଦେଖାଦିଏନି । ଯା’ଦ୍ୱାରା କି ଦୁହେଁ ମିଶି ପୃଥିବୀକୁ ସାମ୍ନା କରିବେ । ଏ ପୃଥିବୀରେ ଏକାକୀ ସିସିଫସ୍‌ ପାହାଡ଼ ଉପରକୁ ପଥର ଟେକି ଚାଲିଥାଏ । ଏକାକୀ ‘ହାରଜୋଗ୍‌’ ଚିଠି ଲେଖିସାରି ଚୁପ୍‌ଚାପ୍‌ ବସିଯାଏ । ଆୟୋନେସ୍କୋଙ୍କ ନାଟକରେ ମଧ୍ୟ ଏହି ନିର୍ଜନତା, ଯେଉଁଠି ସମ୍ପର୍କ ସ୍ଥାପନ କରିହୁଏନି । ଏଇ ପୃଥିବୀରେ ଖାଲି ‘ଗୋଦୋ’ ପାଇଁ ଅପେକ୍ଷା କରିବାକୁ ପଡ଼ିଥାଏ । ଏ ସବୁର ପରିଣତି ହୁଏ ଖାଲି ଉଦ୍ଭଟତା । ଅର୍ଥହୀନତା ହିଁ ଏକମାତ୍ର ପରିଣତି । ଏ ଶତାବ୍ଦୀରେ ସବୁପ୍ରକାର ବାସ୍ତବତା ମୋହମୁକ୍ତି ଓ ବଞ୍ଚିବାର ଯନ୍ତ୍ରଣା ଦ୍ୱାରା ଗ୍ରାସିଯିବାର ଏହା ଏକ ଚରମ ପରିଣତି । ବାହାର ପୃଥିବୀରୁ ଧୀରେ ଧୀରେ ସଙ୍କୁଚିତ ହୋଇ ଆଜିର ସାହିତ୍ୟ ସ୍ରଷ୍ଟାର ମନ ଭିତରେ ବନ୍ଦୀ ହୋଇଯାଇଛି । ଅର୍ଥହୀନ ବାହ୍ୟ ପୃଥିବୀ ନିଜ ମନର ସମସ୍ତ ସମ୍ଭାବନାକୁ ପ୍ରକାଶ କରିବାର ଚେଷ୍ଟା, ନିଜ କଳ୍ପନାନୁଭୂତି ଦ୍ୱାରା ରୂପାନ୍ତରିତ ଜୀବନକୁ ରୂପ ଦେବାର ଏକମାତ୍ର ଉଦ୍ଦେଶ୍ୟ ଏହାର-। ଇଂରାଜୀ କବି ଡିଲାନ୍‌ ଟମାସଙ୍କ କବିତା ଏହି ଧରଣର । ସେ ନିଜେ ଯେମିତି ତାଙ୍କ କଳ୍ପନା ଜଗତର ଏକମାତ୍ର ରାଜପୁତ୍ର । ଏ ଶତାବ୍ଦୀର ଶିଳ୍ପୀ ନିଜ ବ୍ୟକ୍ତିଗତ ପୃଥିବୀର ରାଜପୁତ୍ର । ଅନ୍ୟ ସହ ତା’ର ସମ୍ପର୍କ ନାହିଁ । ସେ ଅନ୍ୟ କାହାର ଭାଷା ବ୍ୟବହାର କରେନି; ଅନ୍ୟ କାହାପାଇଁ ମଧ୍ୟ ଲେଖେନି । ସେ ଯେମିତି ଗୋଟିଏ ଡିମିରି ଫୁଲ । ନିଜ ଭିତରେ ସବୁ ଯେମିତି ଲୁକ୍‌କାୟିତ ।

 

ଏହାବ୍ୟତୀତ ଆଉ ଗୋଟିଏ ସତ୍ୟ ଅଛି । ଆଉ ଗୋଟିଏ ଦୃଷ୍ଟିକୋଣ ଅଛି । ଆଉ ଗୋଟିଏ ବାସ୍ତବତା ଅଛି । ଏ ବାସ୍ତବତା ଆମ ଅହଂର ଅନ୍ଧ ଇଲାକା ନୁହେଁ, ଆମ ସମାଜର ବାହ୍ୟ ପୃଥିବୀ । ଏହା ଆମ ସାମାଜିକ, ରାଜନୈତିକ, ଅର୍ଥନୈତିକ ଏବଂ ଏହା ସହିତ ଜଡ଼ିତ ଆମ ଆଧ୍ୟାତ୍ମିକ ଜୀବନର ରୂପ ଦେବାକୁ ଆଗ୍ରହୀ । ଈଶ୍ୱରହୀନ ଏକ ନିଃସଙ୍ଗ ଖାଁ ଖାଁ ମନର ଯନ୍ତ୍ରଣାଠାରୁ ଖାଲିପେଟରେ ମୃତ୍ୟୁର ଖାଁ ଖାଁ ଯନ୍ତ୍ରଣା କମ୍‌ ସତ୍ୟ ନୁହେଁ; ଅର୍ଥହୀନ ଭାବରେ ‘ଗୋଦୋ’କୁ ଅପେକ୍ଷା କରିବାଠାରୁ କମ୍‌ ରୋମାଞ୍ଚକର ନୁହେଁ ଜନଗହଳି ଭିତରେ ଏକାକୀ ହୋଇ ଚାକିରି ଖୋଜିବୁଲିବା । ଏହା ବି ସତ୍ୟ, ଏହା ବି ବାସ୍ତବ । ଗୋଟିଏ ବାସ୍ତବତା ‘‘Rose and fire are one’’ ବୋଲି ଅନୁଭବ କଲାବେଳେ, ଏ ବାସ୍ତବତାଟି ଆମ ନିତିଦିନିଆ କଥା କହିଥାଏ । ଏହା ବି ସତ୍ୟ, ଏହା ବି ଜୀବନ୍ତ ।

 

ସବୁ କଳା ମୁଖ୍ୟତଃ ତିନୋଟି କାମ କରିଥାଏ । ପ୍ରଥମତଃ ଏହି ମଣିଷ ଜ୍ଞାନର ନିର୍ଯ୍ୟାସର ବିନିଯୋଗରେ ପୃଥିବୀର ଗୋଟିଏ ସାଧାରଣ ଛବି ଆଙ୍କିଥାଏ । ଦ୍ୱିତୀୟତଃ ଯୁକ୍ତି, ଆବେଗ ପ୍ରଜ୍ଞାର ସାହାଯ୍ୟରେ ସତ୍ୟ ଆଉ ଅନୁଭୂତିକୁ ପ୍ରତିଷ୍ଠିତ କରିଥାଏ । ଏବଂ ଶେଷରେ ଗୋଟିଏ ଆଦର୍ଶକୁ ପ୍ରତିଷ୍ଠିତ କରିଥାଏ । ଏ ଆଦର୍ଶ ପ୍ରତିଷ୍ଠିତ ହୁଏ କୌଣସି ନିର୍ଦ୍ଦିଷ୍ଟ ସମୟଖଣ୍ଡ ଭିତରେ, ଏକ ନିର୍ଦ୍ଦିଷ୍ଟ ସମାଜର ଚଳଣି ଓ ଦାବି ଭିତରେ । କଳା ଜୀବନର ବ୍ୟକ୍ତିଗତ ଛବି ସହ ତା’ର ଅବୈକ୍ତିକ ରୂପ ଆଙ୍କେନି ଏହା କେମିତି ହେବା ଉଚିତ୍‌ ତା’ର ସୂଚନା ମଧ୍ୟ ଦେଇଥାଏ । ଖାଲି ସମାଜର ଛବି ଆଙ୍କେନି, ସମାଜ କେମିତି ହେବା ଉଚିତ୍‌ ତାକୁ ମଧ୍ୟ କହିଥାଏ । ରାମାୟଣ ଏହି କଥା କହେ, ମହାଭାରତରେ ବି ଏହି ସୂଚନା । ଏହା ଭିତରେ ଗୋଟିଏ ସମାଜର ଗୋଟିଏ ଯୁଗର ଦାବି । ବୋଧହୁଏ ସବୁ ସମାଜର ସବୁ କାଳର ଦାବି ଓ ଆଦର୍ଶ ସୂଚିତ । ଏହି ବିନ୍ଦୁରେ ଇଂରାଜୀ କବି ପୋପ୍‌ ଏବଂ ସେଲୀଙ୍କର ସାମଞ୍ଜସ୍ୟ । ଉଭୟ ଭିନ୍ନ ମାର୍ଗରେ, ଭିନ୍ନ ଭାବରେ ଏହି ଆଦର୍ଶର ସୂଚନା ଦେଇଛନ୍ତି । ପୋପ୍‌ ତାଙ୍କ ‘ଡାନ୍‌ସିଆଡ଼୍‌’ କବିତାରେ ପୁଣି ସେଲୀ ତାଙ୍କ ବିଭିନ୍ନ କବିତାରେ ନିଜ ଆଦର୍ଶର ସ୍ୱପ୍ନ ହିଁ ଆଙ୍କି ଯାଇଛନ୍ତି ।

 

ଏହି ପରିପ୍ରେକ୍ଷୀରେ ବିଚାର କଲେ ସାହିତ୍ୟରେ ଔଚିତ୍ୟବୋଧ ଦେଖାଦିଏ । ଆଉ ଯେତେବେଳେ ସ୍ରଷ୍ଟା ନିଜ ଭିତରୁ ବାହାରିଆସି ତାକୁ ଘେରିଥିବା ବ୍ୟାପକ ପୃଥିବୀ ଭିତରେ ପ୍ରବେଶ କରେ ସେତେବେଳେ ଏ ଚେତନା ଆସିବା ନିଶ୍ଚିତ । ସେ ନିଜ ଭିତରେ ବିଶାଳକୁ ସଙ୍କୁଚିତ ନ କରାଇ ନିଜକୁ ବିଶାଳ ଭିତରେ ବ୍ୟାପ୍ତ କରିଦିଏ । ସେ ଅନୁଭବ କରେ ତାକୁ ଘେରିଥିବା ମଣିଷ ସମାଜର ସିଏ ବି ଗୋଟିଏ ଅଂଶ । ତା’ ପାଇଁ ତା’ର କର୍ତ୍ତବ୍ୟ ରହିଛି । ବାହ୍ୟସ୍ତରରେ ତା’ର ମଧ୍ୟ ଗୋଟିଏ ସମ୍ପର୍କ ଅଛି । ସେ ଯେମିତି ଏକ ପାର୍ଥିବ ତ୍ୟାଗୀ । ତୃତୀୟ ଦଶକର କବି ଅଡ଼େନ୍‌, ସ୍ପେଣ୍ଡାର ଆଦି କବିଙ୍କର ଏହାହିଁ ଭୂମିକା । ସେମାନେ ନିଜ ଅହଂକୁ ଜାଣିଥିଲେ, ତା’ର ନିଃସଙ୍ଗତାକୁ ବୁଝିଥିଲେ, ପୁଣି ଦେଖୁଥିଲେ ସାମାଜିକ ଦୁଃସ୍ଥିତି ଓ ତାଙ୍କର ସାମାଜିକ ସ୍ଥିତି ଓ କର୍ତ୍ତବ୍ୟ । ଏହି ଦ୍ୱନ୍ଦ୍ୱ, ଏହି ସମୟ ହିଁ ସେମାନଙ୍କର କବିତା । ସେମାନେ ସାମ୍ୟବାଦକୁ ଗ୍ରହଣ କରିଥିଲେ ତଥାପି ତାଙ୍କ କବିତା ଶ୍ଳୋଗାନ୍‌ ହୋଇନଥିଲା; କାରଣ ଏହା ବ୍ୟକ୍ତିଗତ ଅନୁଭୂତି ଦ୍ୱାରା ରୁଦ୍ଧିମନ୍ତ ହୋଇଥିଲା । ତେଣୁ ଏ କ୍ଷେତ୍ରରେ ଶିଳ୍ପୀ ଅରଓ୍ୱେଲଙ୍କ ପରି ନିଶ୍ଚିତ ଭାବେ କହିପାରିବ ଯେ ତା’ ଲେଖାର ଗୋଟିଏ ଉଦ୍ଦେଶ୍ୟ ଅଛି । ସେ ଲେଖୁଛି ସତ୍ୟର ପ୍ରତିଷ୍ଠା ପାଇଁ । ମିଥ୍ୟା, ଅନ୍ୟାୟ ବିରୁଦ୍ଧରେ ସ୍ୱର ତୋଳିଛି । ଆମ ସମାଜର କେନ୍‌ସାର ଓ୍ୱାଡ଼୍‍କୁ ଚିହ୍ନାଇଦେଉଛି । ଫଳରେ ଏପରି ସାହିତ୍ୟର ଦୃଷ୍ଟିକୋଣଟି ସମ୍ପୂର୍ଣ୍ଣ ଭିନ୍ନ । ଏହା ଯେମିତି ଏକ ବର୍ହିଯାତ୍ରା । ଏ ଯାତ୍ରା କିନ୍ତୁ ଦାନ୍ତେ କିମ୍ୱା ହୁଇଟ୍‌ମେନ୍‌ଙ୍କ ବର୍ହିଯାତ୍ରାଠାରୁ ଭିନ୍ନ । ତାଙ୍କ ଯାତ୍ରା ତାଙ୍କୁ ଉତ୍ତରିତ ଚେତନା ଆଡ଼କୁ ନେଇଯାଇଥିଲା । ଏଠି ନିଜ ଅହଂର ଖୋଷା ଭିତରୁ ମୁକୁଳି ଆସିବାର ଚେଷ୍ଟା । ଶିଳ୍ପୀ ବାହ୍ୟ ପୃଥିବୀ ଜରିଆରେ ନିଜକୁ ଗଢ଼ିତୋଳେ । ବାହ୍ୟ ସାମାଜିକ ସତ୍ୟ ନିଜ ମାନସିକ ପ୍ରକ୍ରିୟା ସହ ଏକାକାର ହୁଏ । ସାମାଜିକବୋଧ ଶିଳ୍ପୀର ବ୍ୟକ୍ତିଗତ ସ୍ୱପ୍ନ, ଦ୍ୱନ୍ଦ୍ୱ ପରି ଜ୍ୱଳନ୍ତ ହୋଇଉଠେ । ଏ ଯେମିତି ଖୋଷାକାଟି ପ୍ରଜାପତିର ଡେଣା ମେଲିବା । ଖୋଷା ଭିତରର ଅନ୍ଧାର, ଡେଣା ମେଲିବାର ଆସ୍ୱାଦନ ଉଭୟ ସତ୍ୟ । ପାର୍ଥକ୍ୟ ଖାଲି ଦୃଷ୍ଟିକୋଣରେ, ଦେଖିବାର ଭଙ୍ଗୀରେ ।

 

ବଞ୍ଚିବାର ପାର୍ଥକ୍ୟରେ ହିଁ ନିହିତ ସାହିତ୍ୟର ଧର୍ମ । ଏହି ଶତାବ୍ଦୀର ପ୍ରଥମାର୍ଦ୍ଧରେ କବି ବାଧ୍ୟହୋଇ ନିଜ ଭିତରକୁ ଅନ୍ତର୍ଯାତ୍ରା କରିଥିଲା । ନିଜ ଭିତରେ ହିଁ ସେ ଧରି ରଖିବାକୁ ଚାହିଁଥିଲା ତା’ର ମୂଲ୍ୟବୋଧକୁ, ଯା’କି ବାହାରର କ୍ଷୟମାନ ପୃଥିବୀରେ ବଞ୍ଚିବାର ରାହା ଦେଖାଇବ । ସେତେବେଳେ ଏହା ଥିଲା ଏକ ପ୍ରୟୋଜନୀୟତା । ତେଣୁ ଶିଳ୍ପୀ ନିଜ ଭିତରେ ଗୋଟିଏ ବିଶ୍ୱ ସୃଷ୍ଟି କରିଥିଲା । ନିଜେ ହିଁ ଥିଲା ସୃଷ୍ଟିର ନାୟକ । ଏ ନାୟକର ବାହ୍ୟରୂପ ଯେତେ ନୁହେଁ ତା’ ମନ ଭିତରର ମାନଚିତ୍ର ଆଙ୍କିବା ଥିଲା ତା’ର ମୁଖ୍ୟ ଲକ୍ଷ୍ୟ । ତେଣୁ କଳା ଆତ୍ମନେପଦୀ ହେବାକୁ ବାଧ୍ୟ ହୋଇଥିଲା । ଅହଂର ଗଭୀରତମ ସତ୍ୟ କହିବାକୁଯାଇ ସମାଜର ବାହ୍ୟରୂପ ଠାରୁ ଦୂରେଇ ଯାଇଥିଲା ।

 

ଗୋଟିଏ ଅନିଶ୍ଚିତ ପୃଥିବୀରେ ଯେତେବେଳେ ମଣିଷର ଭବିଷ୍ୟତ ତମସାଚ୍ଛନ୍ନ ସେତେବେଳେ ଭବିଷ୍ୟତର ଅର୍ଥ କିଛିନଥିଲା । ଯା’ ସତ୍ୟଥିଲା ତା’ କେବଳ କ୍ଷଣିକ ବର୍ତ୍ତମାନ । ତେଣୁ କବିତା ଗୋଟିଏ ଗୋଟିଏ ନିରୋଳା ମୁହୂର୍ତ୍ତର ଆନ୍ତରିକ ପ୍ରକାଶ ହେବାକୁ ଲାଗିଲା । କବି ତା’ର କ୍ରାନ୍ତଦର୍ଶିତା, ବିପ୍ଳବୀ ଆଦିର ଭୂମିକା ତ୍ୟାଗ କରି କେବଳ ନିବିଡ଼ତମ ମୁହୂର୍ତ୍ତର ବ୍ୟକ୍ତିଗତ କଥା ଅତି ଅନ୍ତରଙ୍ଗ ଭାବେ କହିବାକୁ ଚେଷ୍ଟା କଲା । କବିତା ‘କନ୍‌ଫେସନେଲ୍‌’ ହୋଇଗଲା । ବ୍ୟକ୍ତି କୈନ୍ଦ୍ରିକତାର ଏହା ଏକ ଚୁଡ଼ାନ୍ତ ରୂପ । ସିଲ୍‌ଭିୟା ପ୍ଳାଥ୍‌ଙ୍କ କବିତା ତ ଏହାରି ଉଦାହରଣ ।

 

ଏପରି ବ୍ୟକ୍ତିକୈନ୍ଦ୍ରିକତା ବାହାରେ ଅନ୍ୟ ଏକ ଜୀବନ ଅଛି । ଏ ଜୀବନରେ ବ୍ୟକ୍ତି ଗଣରେ ପରିଣତ ହୁଏ । ତା’ର ଅଂଶ ହୋଇଯାଏ । ବ୍ୟକ୍ତି ନିଜ ବାହାରେ ଅନ୍ୟ ସାଥୀରେ ମିଶେ । ଅନ୍ୟ ପାଇଁ ବଞ୍ଚେ । ଏପରି ଜୀବନରେ ଶିଳ୍ପୀର ଭୂମିକା ଭିନ୍ନ ଭାବରେ ଗୁରୁତ୍ୱପୂର୍ଣ୍ଣ । ଏହା ଜୀବନର ରହସ୍ୟମୟୀ ଅନୁଭୂତି, ଏକ ଉତ୍ତରୀୟ ସତ୍ତାକୁ କଳିବାକୁ ନ ଯାଇ ଆମ ନିତିଦିନିଆ ଜୀବନର ନୁଖୁରା ଛବି ଆଙ୍କିବାକୁ ଚେଷ୍ଟାକରେ । ଏହା ତା’ ପାଖରେ ଅଧିକ ସତ୍ୟ । ଏହାହିଁ ତା’ର ବାସ୍ତବତା । ଡାଚ ଚିତ୍ର ଶିଳ୍ପୀ ଭାର୍‌ମିୟର୍‌ଙ୍କ ଛବି ପରି ଏହା ଆମ ଆଖି ଦେଖା ଜୀଅନ୍ତା ମୁହୂର୍ତ୍ତ ଗୁଡ଼ିକୁ ତୋଳିଧରେ । ଆମ ବଞ୍ଚିବାର ମାନ ନିର୍ଦ୍ଧାରଣ କରିଥାଏ । ଗୋଟିଏ ଆଦର୍ଶ ଗଢ଼ିତୋଳେ । ଏହିପରି ଏକ ବଞ୍ଚିବାକୁ ଗ୍ରହଣ କରିନେବାକୁ ମୁଁ ବର୍ହିଯାତ୍ରା ବୋଲି କହୁଛି । ଏପରି ଯାତ୍ରାରେ ସେ ନିଜଭିତରେ ଦ୍ୱୀପାୟିତ ନ ହୋଇ ଅନ୍ୟପାଇଁ ସଞ୍ଚରିଯିବ । ଅନ୍ୟକୁ ବଞ୍ଚିବାର ଅର୍ଥଦେବ । ଆଜିର ପୃଥିବୀ କେମିତି ଏକ ଜୀବନ୍ତ ନର୍କରେ ପରିଣତ ହୋଇଛି । ଆମ ଆଗରେ ବଞ୍ଚିବାର ଉପାଦାନ ଅନେକ, ମାତ୍ର ଧାରାର ଅଭାବ । ପ୍ରତ୍ୟେକ ବ୍ୟକ୍ତି କେମିତି ଗୋଟିଏ ବ୍ୟାପକ କ୍ଷୁଦ୍ରତା । ଏହି ପରିପ୍ରେକ୍ଷୀରେ ପୋଲାଣ୍ଡର କବି Milosz (ମିଲୋଜ୍‌)ଙ୍କ କଥା ମନେପଡ଼େ । ତାଙ୍କ କବିତା ବାହ୍ୟ ଜୀବନକୁ ଗ୍ରହଣ କରିନେବାର କବିତା । ଭାଙ୍ଗିପଡ଼ୁଥିବା ମଣିଷ ମନରେ ଆଶାର ସୂଚନା । ତାଙ୍କ ମତରେ କବିର ସମାଜ ପାଇଁ କିଛି ବାର୍ତ୍ତା ଅଛି । ଯେଉଁ ବାର୍ତ୍ତା ସମାଜକୁ ଉଦ୍‌ବୁଦ୍ଧ କରିବ । ଯେମିତି ‘‘what is poetry which dose not suve/Nations or people-?’’ ଏ ବାଣୀ ଆସିବ ବ୍ୟକ୍ତିର ସମାଜ ସହ ଅନ୍ତରଙ୍ଗ ସମ୍ପର୍କରୁ । ବ୍ୟାପକ ନିବିଡ଼ ବଞ୍ଚିବାର ଅନୁଭୂତିରୁ । ଏପରି ନହେଲେ କବିତା ଯା’ କିଛି ହେଉନା କାହିଁକି ଆବେଦନ ରହିତ ହୋଇଯିବ । ମନ୍ତ୍ର ସ୍ତରକୁ ଉତ୍ତରିତ ହୋଇ ସୁଦ୍ଧା ପ୍ରଭାବହୀନ ହୋଇଯିବ । କାରଣ ସାହିତ୍ୟ ତା’ର ସାମାଜିକ ପ୍ରାସଙ୍ଗିକତା ହରାଇ ବସିବ । ସାମାଜିକତା ଜୀବନର ଏକ ବ୍ୟାପକ ଦିଗ । ଏକ ଜ୍ୱଳନ୍ତ ସତ୍ୟ । ଏହାକୁ ତ୍ୟାଗ କରି ସାହିତ୍ୟ କେବେ ସ୍ୱୟଂ ସମ୍ପୂର୍ଣ୍ଣ ହୋଇପାରେନା । ଶିଳ୍ପୀ ମଣିଷ । ସେ ସନ୍ନ୍ୟାସୀ ନୁହେଁ । ସେ ସବୁ ଗ୍ରହଣ କରେ, ତ୍ୟାଗ କରେନି । ଏଥିପାଇଁ ଶିଳ୍ପୀ ସବୁ ମନେରଖେ । ଗେସ୍ଳୋ ମିଲୋଜ୍‌ (Czeslow Milosz) କହିଥିଲେ ‘The poet remembers’ କବିତା ପ୍ରକୃତରେ ସବୁ ମନେରଖେ । ବଞ୍ଚିବାର ସବୁ ଜଟିଳତାକୁ ଅଙ୍ଗେନିଭେଇ ସମସ୍ତଙ୍କ କଥା ନିଜ ମୁହଁରେ ଫୁଟାଏ । ସେଇଥିପାଇଁ ତ ସେ ଗୋଟିଏ ଯୁଗର ସଚେତନ ବିନ୍ଦୁ । ସେ ଜୀବନର କଣ୍ଟକ ଶଯ୍ୟାରେ ରକ୍ତାକ୍ତ ହୋଇ ବିପ୍ଳବର କଥା କହିପାରେ । ଏହିପରି ବଞ୍ଚିବାକୁ ଅର୍ଥାତ୍‌ କୌଣସି ଏକ ବ୍ୟାପକତା ସହ ନିଜକୁ ସାମିଲ କରିବାଟା ତା’ପାଖରେ ବଞ୍ଚିବା । ଏହିପରି ବଞ୍ଚି ନ ଥିଲେ ବୋଲି ତ ମିଲୋଜ୍‌ଙ୍କ ଗୋଟିଏ କବିତା ନାୟକମାନଙ୍କର ଜୀବନକୁ (ଯେଉଁମାନେ ଆଜି କବର ତଳେ) ମୂଲ୍ୟହୀନ ବୋଲି କହିଛନ୍ତି ।

 

ଆଜିର ସାହିତ୍ୟର ଗୋଟିଏ ଧାରା ଏହିପରି ବଞ୍ଚିବାର ରାହାର ସନ୍ଧାନୀ; ବ୍ୟକ୍ତିକୁ ହେଳା ନ କରି, ତା’ର ନିଃସଙ୍ଗତାକୁ ଦୂର କରିବା । ମାତ୍ର କୌଣସି ସ୍ଥଳରେ ଆମର ବାହ୍ୟ ବାସ୍ତବତା ପ୍ରତି ଉଦାସୀନ ନ ହେବା । ଶିଳ୍ପୀ ମନଭିତରର ଅନ୍ଧାର, ନିଆଁ ଓ ଶୀତଳତାକୁ ପ୍ରକାଶ କରିବା । ପୁଣି ନିତିଦିନିଆ ଜୀବନର ଜଞ୍ଜାଳ, ହତାଶାକୁ ବି ପ୍ରକାଶ କରିବା ଦୁଇଟି ସତ୍ୟ, ଗୋଟିଏ ପାଇଁ ଅନ୍ୟଟିକୁ ଜଳାଞ୍ଜଳି ଦେବନାହିଁ, ଏହି ପରିପ୍ରେକ୍ଷୀରେ ଆମ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ବିଚାର କରାଯାଇପାରେ । ଆମ ସାମ୍ପ୍ରତିକ ସାହିତ୍ୟର ଧାରା ଏହି ଅନ୍ତର୍ଯାତ୍ରାର ସୂଚକ । ‘ମାଟିର ମଣିଷ’ରେ ବରଜୁକୁ ଆମେ ‘ନରକିନ୍ନର’ରେ ପାଉନା । ରାଣ୍ଡିପୁଅ ଅନନ୍ତା ବି କ୍ଷୁଦ୍ରଗଳ୍ପରେ ଆଉ ମିଳେନି । ‘ପଲ୍ଲିଶ୍ରୀ’ର ସଚ୍ଚି ରାଉତରା ‘ସ୍ୱଗତ’ ଆଉ ‘କବିତା ୧୯୬୨’ରେ ଭିନ୍ନ ଭାବରେ ଦେଖାଦିଅନ୍ତି । ମନୋରଞ୍ଜନ ଦାସ ଓ ବିଜୟ ମିଶ୍ରଙ୍କ ନାଟକ ନୂଆ ଏକ ପୃଥିବୀର ସୂଚନା ଦିଅନ୍ତି । କବିତା ଆତ୍ମନେପଦୀ ବା ପ୍ରଥମ ପୁରୁଷରେ ହିଁ କୁହାଯାଏ । ସବୁଥିରେ ରମାକାନ୍ତ ସୀତାକାନ୍ତ ଆଦି କବିଙ୍କ ସୃଷ୍ଟିରେ ଏକ ତୀକ୍ଷ୍‌ଣ ଚେତନାର ପ୍ରକାଶ । ନିଜ ଭିତରକୁ ମୁଖ୍ୟତଃ ଅନ୍ତର୍ଯାତ୍ରାର ପାଦଶବ୍ଦ ଏଥିରେ ଝଂକୃତ । ବାହ୍ୟ ଛବି ଏଠାରେ ତା’ର ନିଜସ୍ୱ ରୂପରେ ଯେତେ ପ୍ରକଟିତ ନୁହେଁ ଅନ୍ତରର ଦ୍ୱନ୍ଦ୍ୱର ପ୍ରତୀକୀ ସ୍ଥିତି ଭାବେ ପ୍ରତିଫଳିତ ।

 

ମାତ୍ର ବାହ୍ୟଜୀବନର ନୁଖୁରା ପ୍ରକାଶ ସିଧାସଳଖ ଏଠାରେ ମିଳେନା । ତେଣୁ ସାମାଜିକ ପ୍ରାସଙ୍ଗିକତା ନ ଥାଏ । ଏହା ଜୀବନକୁ ଭିନ୍ନ ଭାବରେ ରୂପ ଦିଅନ୍ତି । ଏଥିରେ ଏମାନଙ୍କର ସଫଳତା ଓ ଗୌରବ । ମାତ୍ର ସିଧାସଳଖ ଜୀବନର ଦୁଃଖ ସୁଖକୁ ପ୍ରକାଶ କରନ୍ତି ରବିସିଂଙ୍କ ଅନେକ ସୃଷ୍ଟିରେ । ଗୋଦାବରୀଶଙ୍କ କବିତା ଏହି ଜାତୀୟ କବିତା । ସମାଜର ଛବି, ତା’ର ସାଂପ୍ରତିକତା ଏହାର ପ୍ରଧାନ ଗୁଣ । ଏ ସବୁକୁ ପ୍ରକାଶ କରି ଏମାନେ ଚିରନ୍ତନତା ଆଡ଼କୁ ଅଗ୍ରସର ହୁଅନ୍ତି । ଯେମିତି ବାଞ୍ଛାନିଧିଙ୍କ ଅନେକ ଜାତୀୟ ସଙ୍ଗୀତ, ଉତ୍କଳମଣିଙ୍କ ଅନେକ କବିତା-। ଏମାନେ ଭିନ୍ନ ଜାତୀୟ ସୃଷ୍ଟି । ଏହାର ଉଦ୍ଦେଶ୍ୟ ଭିନ୍ନ । ଏହାର କଳାତ୍ମକ ମୂଲ୍ୟ ନିର୍ଦ୍ଧାରିତ ହୁଏ ଭିନ୍ନ କଷଟିରେ । ମାତ୍ର ଏମାନେ ଜାତୀୟ ସ୍ପନ୍ଦନକୁ ରୂପଦେବାରେ ଚେଷ୍ଟିତ । ସିଧାସଳଖ ତା’ର ପ୍ରକାଶକ ଏବଂ ଏହାରି ଭିତରେ ପୁଣି ସମାଜକୁ ଭିନ୍ନଭାବରେ ଗଢ଼ିତୋଳିବାର ସ୍ୱପ୍ନ ।

 

ଅତିବେଶୀ ଅନ୍ତର୍ମୂଖିତା ପାଇଁ ଆଧୁନିକ କବିତା ତା’ର ସାମାଜିକ ପ୍ରାସଙ୍ଗିକତା ହରାଇବସିଛି । କବିତା ଜାତୀୟ ଜୀବନକୁ ଛୁଇଁପାରୁନି । ଏହା ବୌଦ୍ଧିକ ହେବା ସଙ୍ଗେ ସଙ୍ଗେ ସାଧାରଣ ପାଖରୁ ଦୂରେଇଯାଉଛି । କାରଣ କୌଣସି ବିନ୍ଦୁରେ ବ୍ୟକ୍ତି ଆଉ ଗଣର ମିଳନ ହେଉନାହିଁ । ଜୀବନ ଏକ ସମନ୍ୱୟ । ଏହି ସମନ୍ୱୟ ପାଇଁ ତ ‘ଭାଗବତ’ ଆଜି ଆମ ଜାତୀୟ ଜୀବନରେ ଏପରି ମିଶିଯାଇଛି । ସେ ପୂଜା ପାଉଛି ଅଥଚ ଆମର ଏତେ ନିକଟର ହୋଇପାରିଛି ।

 

ବ୍ୟକ୍ତି ଆଉ ସମାଜ ଉଭୟକୁ ନେଇ ଜୀବନ । ଗୋଟାକ ପାଇଁ ଅନ୍ୟଟିକୁ ଅସ୍ୱୀକାର କରାଯାଇପାରେନି; ବ୍ୟକ୍ତି ଓ ସମାଜ ଅଙ୍ଗାଙ୍ଗୀ । ଦୁଇଟିର ଜୀବନ ଓ ମୃତ୍ୟୁ ଏକ ସଙ୍ଗେ ଜଡ଼ିତ । ସେଥିପାଇଁ ତ ଅଡ଼େନ୍‌ କହିଥିଲେ-A single kiss may cure all this diseases of the world’. ଏହାହିଁ ବୋଧହୁଏ ଥିଲା ତାଙ୍କର ବ୍ୟକ୍ତି ଓ ସମାଜ ସହ ସମନ୍ୱୟର ବାଣୀ ।

 

ଏହି ଚେତନା ଧୀରେ ଧୀରେ ପୁଣିଥରେ ସାହିତ୍ୟରେ ଦେଖାଦେଉଛି । ‘ଲୟବିଲୟ’ର ପୃଥିବୀ ମନଭିତରର ଚେତନା ପ୍ରବାହର, ମାତ୍ର ‘ମାଟିମଟାଳ’ରେ ମାଟିର ଗନ୍ଧ । ‘ଶକୁନ୍ତଳା’ ଉପନ୍ୟାସରେ ବି ଏହି ଚେତନା ଅସ୍ପଷ୍ଟ ନୁହେଁ । ସୀତାକାନ୍ତଙ୍କ ବର୍ତ୍ତମାନର କବିତା ଗୁଡ଼ିକରେ ଏହି ଚେତନା ଧୀରେ ଧୀରେ କଅଁଳିଉଠୁଛି । ରାଜେନ୍ଦ୍ର ପଣ୍ଡା ତ ଲେଖିଛନ୍ତି । ‘ପହିଲି ଗୁଳି ମୋତେ ତୁ ମାର୍‌’’ । ଏ ସବୁଥିରେ ବାହ୍ୟ ବାସ୍ତବତା ‘ନିଜସ୍ୱ ଭାବରେ ଝଲସି’ ଉଠୁଛି । ନିଜ ପରିବେଶ, ନିଜ ସୁଖଦୁଃଖ ଓ ଚେତନାକୁ ଚିହ୍ନିହେଉଛି ।

 

ଏହି ପ୍ରସଙ୍ଗରେ କିନ୍ତୁ ମନେରଖିବାକୁ ପଡ଼ିବ ଏ ଦୁଇଟି ଧାରା କେହି କାହାରି ପରିପନ୍ଥା ନୁହଁନ୍ତି । ଏ ଦୁହେଁ ପରସ୍ପରର ପରିପୂରକ, ଏବଂ ପ୍ରକୃତ ଶିଳ୍ପୀ ହାତରେ ଦୁହିଁଙ୍କର ସମନ୍ୱୟ ଅପୂର୍ବ ଭାବରେ ଘଟିଥାଏ । ଏଲିଅଟ୍‌ଙ୍କ ‘ଓ୍ୱେଷ୍ଟଲେଣ୍ଡ୍‌’ କବିତାର ଉଦାହରଣ ନିଆଯାଇପାରେ । ଏ ଦୀର୍ଘ କବିତା ସାଂପ୍ରତିକ କ୍ଷୟିଷ୍ଣୁ ଯୁଗର ଏକ ଛବି ଭାବରେ ଗ୍ରହଣ କରିନେଇଥିଲୁ । ଏଥିରେ ବ୍ୟକ୍ତିଗତ ଅନୁଭୂତି ଅପେକ୍ଷା ସାମଗ୍ରିକ ଅଧଃପତନର ବିକଳ ରୂପଥିଲା ବେଶୀ । ମାତ୍ର ‘Eliot in his Time’ ପୁସ୍ତକରେ Richard Ellmann ଏଲିଅଟ୍‌ଙ୍କୁ ଉଦ୍ଧାର କରି ଦେଖାଇଦେଇଛନ୍ତି ଯେ ଏହା ଏକ ସମ୍ପୂର୍ଣ୍ଣ ବ୍ୟକ୍ତିଗତ କବିତା ଏବଂ କବିଙ୍କର ବ୍ୟକ୍ତିଗତ ମାନସିକ ଦ୍ୱନ୍ଦ୍ୱରୁ ଏହାର ଜନ୍ମ । ‘‘To me it was only the relief of a personal and wholly insignificant grouse against life It is just a piece of rhythmical grumbling (Eliot). ଏହି ବ୍ୟକ୍ତିଗତ ‘grumbling’ ସାମଗ୍ରିକ ହୋଇପାରିଛି । ସମ୍ପୂର୍ଣ୍ଣ ବ୍ୟକ୍ତିଗତ ହୋଇ ମଧ୍ୟ ଗୋଟିଏ ଯୁଗକୁ ଧରି ରଖିପାରୁଛି । ଏହାହିଁ ଭଲ କବିତାର ଲକ୍ଷଣ । ମାତ୍ର ଏ ପ୍ରସଙ୍ଗରେ ଖାଲି ଦୃଷ୍ଟିଭଙ୍ଗୀରେ ପ୍ରାଧାନ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି ।

 

ଆଜି ତେଣୁ ନିଜ ଅହଂର ଖୋଷାଭିତରୁ ଶିଳ୍ପୀ ଧୀରେ ଧୀରେ ବାହାରିଆସିବାର ପରିଲକ୍ଷିତ ହୁଏ । ଅବଶ୍ୟ ଅହଂକୁ ଜଳାଞ୍ଜଳି ଦେଇ ନୁହେଁ; କେବଳ ଅହଂ ସର୍ବସ୍ୱ ନ ହୋଇ, ନିଜ ଜୀବନ ଓ ପରିବେଶ ସହ ଅନ୍ତରଙ୍ଗ ହେଉଛି । ନିଜ ସତ୍ତା, ଲାଇବ୍ରେରୀୟ ସତ୍ତା ସହ ସାମାଜିକ ସତ୍ତା ଏକାକାର ହେଉଛି । ତେଣୁ ଆମ ନିଜର ସୁଖ ଦୁଃଖ, ସମସ୍ୟା କଥା, ପୁଣି ତା’ର ସମାଧାନ କଥା ଆମ ଭାଷାରେ ଆମ ଲୋକକୁ କହିବାକୁ ଚେଷ୍ଟା କରୁଛି । ବର୍ତ୍ତମାନ ବେଳଆସିଛି ବର୍ହିଯାତ୍ରାର । ସାମଗ୍ରିକତାର । ଆଦିକାଳରେ ଶିଳ୍ପୀ ଓ ସମାଜ ଏକ ଥିଲା । ଶିଳ୍ପୀ କହୁଥିଲା ସମାଜର କଥା । ସମାଜ ଗ୍ରହଣ କରିଥିଲା ଶିଳ୍ପୀକୁ । ମାତ୍ର ଧୀରେ ଧୀରେ ଶିଳ୍ପୀ ବିଚ୍ଛିନ୍ନ ହୋଇ ନିଜର ଗୋଟିଏ ବିଶ୍ୱ ସୃଷ୍ଟି କଲା, ନିଜର ଏକାକୀ ସମାଜ । ଆଜି ଏଇ ଧାରାର ବିପରୀତ ଗତି । ପୁଣିଥରେ ଶିଳ୍ପୀ ସମାଜ ସହ ଏକ ହେବାକୁ ଚାହୁଁଛି । ତେଣୁ ଆରମ୍ଭ ହୋଇଛି ବର୍ହିଯାତ୍ରା । ଏ ଯାତ୍ରା ଅହଂର ବିଶ୍ୱରୁ । ଆଜି ପୁଣିଥରେ ଲାଇବ୍ରେରୀ, ବିଶ୍ୱବିଦ୍ୟାଳୟ ଭିତରୁ ସାହିତ୍ୟକୁ ସର୍ବସାଧାରଣଙ୍କ ପାଖକୁ ଆଣିବାର ପ୍ରଚେଷ୍ଟା । ଅନେକଦିନ ତଳେ ଇଂରାଜୀ ଲେଖକ ଏଡ଼ିସନ୍‌, ଷ୍ଟିଲ୍‌ ଏହିପରି ଉଦ୍ଦେଶ୍ୟ ନେଇ ସେମାନଙ୍କ ଲେଖା ଆରମ୍ଭ କରିଥିଲେ । ଆଜି ସେଇ ଚେତନାର ବେଳ ଆସିଛି । ଖାଲି ବୁଦ୍ଧିଦୀପ୍ତ ଚେତନା ନୁହେଁ, ଏକ ସଚେତନ, ସମ୍ୱେଦନଶୀଳ ସାମାଜିକ ଜୀବନ ନେଇ ଗଣ ସହ ହାତ ଧରାଧରି ହୋଇ ଚାଲିବାର ବେଳ ଆସିଛି । ଆଜି ନିଜେଇ ନେବାର ବ୍ୟାକୁଳତାର ବେଳ । ଦୂରତାର ପାଚେରି ନୁହେଁ, ଅହଂର ପାଚେରି ନୁହେଁ, ଆଲିଙ୍ଗନର ଉଷ୍ଣତାର ପ୍ରୟୋଜନ । ମାତ୍ର ଏହା ଯେମିତି ଶସ୍ତା ଲୋକପ୍ରିୟତା ହେବା ମୋହରେ ପରିଣତ ନହୁଏ । ଗଣ ନାମରେ ଯେମିତି ରୁଚି ହତ୍ୟା ନହୁଏ । ଏ ବିଷୟରେ ମଧ୍ୟ ସଚେତନ ହେବାର ବେଳ ଆସିଛି । ତେଣୁ ବ୍ୟକ୍ତି ଅହଂର ସମସ୍ତ ନାହିଁକୁ ପ୍ରକାଶ କରିବାକୁ ପଡ଼ିବ, ତେବେ ଯାଇ ସମାଜର ଅହଂକୁ ରୂପ ଦେଇହେବ । ସେତେବେଳେ ସାହିତ୍ୟିକ ହେବ ପ୍ରାସଙ୍ଗିକ, ସାଂପ୍ରତିକ ପୁଣି କ୍ରାନ୍ତଦର୍ଶୀ । ସେ ପ୍ରଚାରକ ହେବନି ଅଥଚ ଆଦର୍ଶ ଗଠନର ଓଁକାର ତୋଳିପାରିବ । ବ୍ୟକ୍ତିକତା ଏଲିଅଟ୍‌ଙ୍କ ପରି ଅବୈକ୍ତିକ ହୋଇଯିବ । ପୁଣି ଅବୈକ୍ତିକ ବର୍ଣ୍ଣନା ବି ଆତ୍ମିକ ସ୍ତରରେ ଆଲୋଡ଼ନ ଆଣିବ ।

Image

 

ସାଂପ୍ରତିକତା-ଏକ ଜଟିଳ ଚେତନା

 

କବିତା ସବୁଯୁଗରେ ଏକ ବ୍ୟକ୍ତିଗତ କଳା । ଏହା ବ୍ୟକ୍ତିର ନିରୋଳା ଅନୁଭୂତିକୁ ନିଜସ୍ୱଭାବେ ପ୍ରକାଶ କରିଥାଏ । ତେଣୁ ସବୁ କବିତାରେ କବିର ନିଜସ୍ୱ ସ୍ୱାକ୍ଷର ରହିଯାଏ; କିନ୍ତୁ ଏହି ନିଜସ୍ୱ ସ୍ୱାକ୍ଷର ବ୍ୟତୀତ ଆଉ ଗୋଟିଏ ସ୍ୱାକ୍ଷର ମଧ୍ୟ ରହିଯାଏ । ତା’ ହେଉଛି କବିର ନିଜସ୍ୱ ସମୟର । ତା’ ପରିବେଶର । ଏହି କାଳର ପ୍ରଭାବରୁ ସେ ନିଜକୁ ଦୂରେଇ ରଖିପାରେନା । ତାକୁ ଗ୍ରହଣ କରୁ ବା ନ କରୁ, ତା’ର ପରିବର୍ତ୍ତନ ପାଇଁ ବିପ୍ଳବର ସ୍ୱର ତୋଳିଥାଉ; କିନ୍ତୁ କଦାପି ତା’ର ସାଂପ୍ରତିକ କାଳ ପ୍ରତି କବି ଉଦାସୀନ ନୁହେଁ । ସେ ତା’ର ସୃଷ୍ଟିରେ ନିଜ କାଳର ଅନେକ ଲକ୍ଷଣ ପ୍ରକାଶ କରିଥାଏ । ସେଇ କାଳର ମୂଳଦୁଆ ଉପରେ ଛିଡ଼ାହୋଇ କାଳାତୀତ ହୁଏ । ଏହା ସବୁ କବିତାର ଲକ୍ଷଣ । ବାଲ୍ମିକୀ, ବ୍ୟାସ, କାଳିଦାସ ଏବଂ ସେକ୍‌ସପିଅରଙ୍କ ସୃଷ୍ଟି ଏହି ସତ୍ୟକୁ ହିଁ ପ୍ରକାଶ କରିଥାନ୍ତି ।

 

ସାଂପ୍ରତିକ କାଳ ଗୋଟିଏ କବିର ଚେତନା ଓ ଅନୁଭୂତିକୁ ରୂପ ଦେବାରେ ସାହାଯ୍ୟ କରେ । ଗୋଟିଏ ପ୍ରବହମାନ ସ୍ରୋତରେ ସବୁ ବ୍ୟକ୍ତିପରି କବି ବି ଭାସିଚାଲେ । ଏହି ଭାସିଚାଲିବାରେ ସେ ସାଧାରଣ ମାତ୍ର ଯେତେବେଳେ ଏହି ଭାସିଚାଲିବାର ପ୍ରକ୍ରିୟାକୁ, ତା’ର ଲକ୍ଷ୍ୟକୁ ସେ ପ୍ରଶ୍ନକରେ, ବିରୋଧ କରେ ବା ତ୍ୱରାନ୍ୱିତ କରେ ସେ ହୁଏ ଅନନ୍ୟ । ସାଧାରଣକୁ ଟିକିଏ ଭିନେଭାବେ ଦେଖିବା, ନିଜସ୍ୱଭାବେ ସମସ୍ତଙ୍କ କଥାକୁ କହିବା ହିଁ ତ କବିର ମନ । କବି ପାଖରେ ତେଣୁ ଦେଖାଦିଏ ବ୍ୟକ୍ତି ଏବଂ ଗଣର ଏକ ସମନ୍ୱୟ । ସେ ଗଣ ପାଖରେ ବ୍ୟକ୍ତିର କଥା ଖାଲି କହେନି । ସେ ଗଣ ପାଖରେ ଗଣର କଥା ବ୍ୟକ୍ତିଗତ ଭାବେ କହିଥାଏ । ସେ ସାଂପ୍ରତିକ କାଳର କଥା କହିଥାଏ, ତା’ର ନିଛକ ଛବି ଆଙ୍କିଥାଏ ପୁଣି ଏହି ନିଛକତାକୁ ଟପି ଚିରନ୍ତନତାର ସୂଚନା ଦେଇଯାଇଥାଏ । ତେଣୁ ସବୁ କବିତା ଅହଂ ଓ ନାହଂ, ସାଂପ୍ରତିକ ଆଉ ଚିରନ୍ତନର ସମନ୍ୱୟ । ଏହି ସମନ୍ୱୟର ଅଭାବ କବିତାକୁ ଅପୂର୍ଣ୍ଣ କରେ । ରସୋତୀର୍ଣ୍ଣ କରିବାରେ ବାଧାଦିଏ । କାହିଁକି ଯେ କବିତାର ଅବରୋଧରେ ବି ଏହି ସମନ୍ୱୟର ପ୍ରୟୋଜନ । ଜଣେ ପାଠକ ତା’ ନିଜ ସାଂପ୍ରତିକତା ଜରିଆରେ ପୁଣି ନିଜ ଅନୁଭୂତିର ଜରିଆରେ ହିଁ କବିତାକୁ ବୁଝିଥାଏ । କବିର ସାଂପ୍ରତିକତା ଭିତରୁ ନିଜ ସାଂପ୍ରତିକତା ଦ୍ୱାରା ଚିରନ୍ତନତାକୁ ପାଇଥାଏ ।

 

ତେଣୁ କବିତାରେ ସାଂପ୍ରତିକ ଚେତନା ଏକ ମୁଖ୍ୟ ଚେତନା । ଏହା ବିଭିନ୍ନ ଭାବରେ କବିତାରେ ରୂପ ପାଇଥାଏ । ସାଂପ୍ରତିକ କାଳର ସମସ୍ୟା ଦ୍ୱନ୍ଦ୍ୱ, ଯନ୍ତ୍ରଣା, ସମାଜର ଘାତ ପ୍ରତିଘାତ ସେତେବେଳେ ସିଧାସଳଖ ପ୍ରକାଶପାଏ ସେତେବେଳେ କବିତା ସମସ୍ୟା ବହୁଳ, ବର୍ଣ୍ଣନାତ୍ମକଭାବେ ସମାଜର ଛବି ଆଙ୍କିଯାଏ । ସେତେବେଳେ କବିଗଣ ଆଗରେ ଗଣର କଥା କହେ । କେତେବେଳେ ଅବୈକ୍ତିକଭାବେ ବା କେତେବେଳେ ଗଣ ସହ ସାମିଲ୍‌ ହୋଇ । ପୁଣି କେତେବେଳେ ସାଂପ୍ରତିକତାର ସଂଘର୍ଷର ପ୍ରଭାବକୁ ନିଜସ୍ୱ କରି ନିଜ ମନଭିତରକୁ ଅନ୍ତର୍ଯାତ୍ରା ଆରମ୍ଭ କରେ । ସାଂପ୍ରତିକ କାଳର ଘାତ ପ୍ରତିଘାତ କବିର ମନରେ ଯେଉଁ ପ୍ରଭାବ ପକାଏ, ତା’ର ଦୃଷ୍ଟିକୋଣରେ ଯେଉଁ ବିପ୍ଳବ ଆଣେ ତା’ର ନିଛକ ଛବି ଆଙ୍କିବାକୁ ଚେଷ୍ଟାକରେ । କବିତା ହୋଇଉଠେ ମନଗହନର ପ୍ରତୀକ ପ୍ରକାଶ । ଏହି ବ୍ୟକ୍ତିକତା ଗୋଟିଏ ନିଜସ୍ୱ ପୃଥିବୀ ସୃଷ୍ଟିକରେ । ସେଇ ପୃଥିବୀ ଜରିଆରେ କବି ବାସ୍ତବତାକୁ ରୂପଦିଏ । ମାତ୍ର ରୁପାନ୍ତରତାରେ ବି ସେହି ସାଂପ୍ରତିକତାର ଲହଲହ ସ୍ଥିତି । ପ୍ରଭେଦ ଖାଲି ପ୍ରଭାବର ଗତିରେ । ବହିର୍ମୂଖୀ ନ ହୋଇ ଅନ୍ତର୍ମୂଖୀତାରେ ।

 

କବିତା ତେଣୁ ସାଂପ୍ରତିକତାଠାରୁ ଦୂରେଇ ରହିପାରେନା । ଏହା କବିର କାଳଚେତନାର ଏକ ମୁଖ୍ୟ ଅଂଶ । କାଳ ସ୍ରୋତର ଏହା ଏକ ଚଳନଶୀଳ ଅଂଶ । ଏକ ପାରଦ-ଚପଳ ବର୍ତ୍ତମାନ । ସବୁବେଳେ ପୁରାତନ, ଇତିହାସର ଅଂଶ ହୋଇଯିବାରେ ବ୍ୟସ୍ତ । ତେଣୁ କେବଳ ଏହାରି ଭିତରେ ସୀମିତ ହୋଇଗଲେ କେବଳ ପରିବର୍ତ୍ତନଶୀଳ ନୂତନତା ହିଁ ସୃଷ୍ଟିହୁଏ । ତେଣୁ ଏ ସାଂପ୍ରତିକତା ଅତୀତଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ଏକ ସମୟଗତ ନୁହେଁ । ଏହା ଅତୀତ ସହ ସଂପୃକ୍ତ ଭବିଷ୍ୟତରୁ ପ୍ରଲମ୍ୱିତ ଏକ ସମୟଖଣ୍ଡ । ଏହା ସମୟର ପାରାଖୋପ ନୁହେଁ, ଏହା ଯେମିତି ଗତିଶୀଳ କନଭେୟର୍‌ ବେଲଟ୍‌ । ତେଣୁ ସାଂପ୍ରତିକତାର ଗତିଶୀଳ ସ୍ଥିରତା ଭିତରେ କବି ନିଜକୁ ଅନୁଭବ କରେ, ଜୀବନକୁ ବଞ୍ଚେ । ବଞ୍ଚେ ବର୍ତ୍ତମାନର ବର୍ତ୍ତମାନତାରେ; କିନ୍ତୁ ତାକୁ ଅନୁଭବ କରେ କାଳର ଗତିଶୀଳତା ଭିତରେ । ସମ୍ପର୍କର ଏହି ଜଟିଳତା ଆଣିଦିଏ ମୂଲ୍ୟବୋଧର ସାଂପ୍ରତିକତାର ନିର୍ଯ୍ୟାସ ।

 

କବିତାରେ ସାଂପ୍ରତିକ ବୋଧ ଚିର ବର୍ତ୍ତମାନ । ଏମିତିକି ବର୍ତ୍ତମାନ ସହ ଆଦୌ ସମ୍ପର୍କ ନ ଥିବା ସୃଷ୍ଟିରେ ବି ଏହି ଚେତନାର ଛାଇ ସ୍ପଷ୍ଟ କାରଣ କବିର ଦେଖିବା ବସ୍ତୁକୁ ନହେଲେ ବି ଦେଖିବା ଭଙ୍ଗିକୁ ଏହା ପ୍ରଭାବିତ କରିଥାଏ-ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ । ତେଣୁ ସାଂପ୍ରତିକ ଚେତନା କହିଲେ ନିକଟ ବର୍ତ୍ତମାନର ନିଛକ ବାହ୍ୟ ଛବି ନୁହେଁ । ବର୍ତ୍ତମାନତା ଦ୍ୱାରା ପ୍ରଭାବିତ କାଳ ସଚେତନ ଏକ ଚେତନା । ତେଣୁ ଏହି ସମନ୍ୱିତ ଚେତନା ଆଧୁନିକତାର ଏକ ପ୍ରଧାନ ବିଭବ-। ଏହା କୌଣସି ବାହ୍ୟ ଦର୍ଶନ ଦ୍ୱାରା ବିଶ୍ୱାସ ଦ୍ୱାରା ବାହ୍ୟଭାବରେ ପ୍ରଭାବିତ ହୋଇନଥାଏ-। ବର୍ତ୍ତମାନପ୍ରତି ଏହା ଏକ ସର୍ବ ସମନ୍ୱିତ ଆବେଗମୟୀ ଦୃଷ୍ଟିକୋଣ । ବର୍ତ୍ତମାନର ସବୁ ଦୁଃଖ, ହତାଶା, ଘୃଣା ଏବଂ ଆଶା ଆଉ ସ୍ୱପ୍ନର ଜ୍ୱାଳାମୟୀ ଅନୁଭବ ।

 

ଏହି ଆବେଗମୟୀ ସମନ୍ୱିତ ଚେତନା ହିଁ କବିତାର ପ୍ରାଣ । ଏହାହିଁ ତା’ର ବାସ୍ତବତା ବୋଧ । ବାସ୍ତବତା ହେଉଛି ବ୍ୟକ୍ତି, କାଳ ଆଉ ପରିବେଶର ଆବେଗମୟୀ ପ୍ରାଜ୍ଞ ଅବବୋଧ । ଏହା କେତେବେଳେ କାଳ ଆଉ ଯୁକ୍ତି ଦ୍ୱାରା ଅବୈକ୍ତିକଭାବେ ରୂପାୟିତ ହୋଇଥାଏ ତ କେତେବେଳେ ବ୍ୟକ୍ତି ଆଉ କାଳଦ୍ୱାରା ବ୍ୟକ୍ତିଗତଭାବେ ଆବେଗଦ୍ୱାରା ରୂପାନ୍ତରିତ ହୁଏ । କବିତାରେ ଉଭୟର ଛାପ ଥାଏ; କିନ୍ତୁ ସବୁ ଛାପରେ କାଳର ସ୍ୱାକ୍ଷର, ଆବେଗମୟୀ ବ୍ୟକ୍ତିର ସ୍ୱାକ୍ଷର । ତେଣୁ କବିର ବାସ୍ତବତା ବୋଧ ମଧ୍ୟ ସାଂପ୍ରତିକତାର ଟଳଟଳ ଚିରନ୍ତନତା ଦ୍ୱାରା ଋଦ୍ଧିମନ୍ତ ହୋଇଥାଏ ।

 

ଏହି ଦୃଷ୍ଟିରୁ ବିଚାରକଲେ ଆମ ସାଂପ୍ରତିକତା ବୋଧ ବିଷୟରେ କୌତୂହଳ ଜାତ ହୁଏ-। ଆମ ସାହିତ୍ୟରେ ବର୍ତ୍ତମାନ ଦୁଇଟି ବିପରୀତମୁଖୀ ସ୍ୱର ଶୁଣିବାକୁ ମିଳିଥାଏ । କବି ଦାବିକରେ ଯେ ତା’ ସୃଷ୍ଟିରେ ‘ଯୁଗ ଯନ୍ତ୍ରଣା’ର ବିଶ୍ୱସ୍ତ ପ୍ରତିଧ୍ୱନି । ଅନ୍ୟଦିଗରେ ସମାଲୋଚକ ପ୍ରଶ୍ନଉଠାଏ ଯେ କବିତା କେମିତି ଆମ ଜୀବନ ପାଖରୁ, ବାସ୍ତବତା ପାଖରୁ ଦୂରେଇଯାଉଛି । ରୋମାଣ୍ଟିକ କନିଙ୍କ ପରି ନହେଲେ ମଧ୍ୟ କେମିତି ଭାବେ ଆଜିର କବି ବାସ୍ତବତା ପାଖରୁ ଦୂରେଇଯାଉଛି । ସମାଲୋଚକର ଏହି ସମାଲୋଚନା ଏବଂ କବିର ଦାବି ଉଭୟ ସାଂପ୍ରତିକତା ପ୍ରତି ଦୃଷ୍ଟିକୋଣରୁ ଜାତ । ସମାଲୋଚକର ଦାବିରେ ସମାଲୋଚକର ଦୃଷ୍ଟିକୋଣ ନିହିତ । ସମାଲୋଚକ ପାଖରେ ସାଂପ୍ରତିକତା ହେଉଛି ବାହ୍ୟ ବାସ୍ତବତା । ଆମ ନିକଟ ବର୍ତ୍ତମାନର ନିଚ୍ଛକ ଛବି । ସାଧାରଣ ଭାଷାରେ ସମାଜର ଛବି, ସମସ୍ୟାର ପ୍ରକାଶ ଇତ୍ୟାଦି ଇତ୍ୟାଦି । ଏପରି ଦୃଷ୍ଟିକୋଣରେ ‘ସାଂପ୍ରତିକତା ବୋଧ’ ବଡ଼ ସୀମିତ । ଏହା ବର୍ତ୍ତମାନତା ଏବଂ ବାସ୍ତବତାର ଫଟୋଗ୍ରାଫିକ ଛବି ଚିତ୍ର କବି ପାଖରୁ ଆଶା କରେ । କବି ପାଖରୁ ଗଣର କଥା ସିଧାସଳଖ ଶୁଣିବାକୁ ଚାହେଁ । କବିକୁ ରିପୋଟାର୍‌ କରିବାକୁ ଚାହେଁ । କିନ୍ତୁ କବି ଯେତେବେଳେ କହେ ମୋ’ କବିତାରେ ‘ଯୁଗଯନ୍ତ୍ରଣା’ର ପ୍ରତିଧ୍ୱନି, ‘ମୁଁ ସତ୍ୟଶୀଳ’ ସେତେବେଳେ ସେ କହେ ‘ମୁଁ ତ ସମୟ ଖଣ୍ଡରୁ ଦୂରେଇ ପାରୁନି’ । ସାଂପ୍ରତିକତା ତ ମୋ ମନକୁ ଗ୍ରାସିଛି । ମୋ ଚେତନାକୁ ଛାଇଯାଇଛି । ବାହ୍ୟ ଜୀବନ ମୋ ଦଗ୍‌ଧ ଚେତନା ଦ୍ୱାରା ଯେମିତି ରୂପାନ୍ତରିତ ହେଉଛି ତାରି ନିଜସ୍ୱ ରୂପ ମୁଁ ଆଙ୍କୁଛି । ମୁଁ ତ ନିଜେ ବାସ୍ତବତା ମୁଁ ତ ନିଜେ ଏକ ଏକକ ଗଣ । ତେଣୁ ମୁଁ ଯେତେବେଳେ ଉଦ୍‌ଭଟ୍‌ ହେଉଛି, ଯେତେବେଳେ ଦୁର୍ବୋଦ୍ଧ ହେଉଛି ଏମିତିକି ଯେତେବେଳେ ଅବୋଧ ହେଉଛି, ତା’ ତ ବାସ୍ତବତାର ରୂପ । ସତ୍ୟର କେବଳ ସତ୍ୟଶୀଳ ଅବବୋଧ ।’

 

ଉଭୟ ସତ୍ୟ । ପାର୍ଥକ୍ୟ କେବଳ ଦୃଷ୍ଟିକୋଣରେ । ବାସ୍ତବତା ପୁଣି ସାଂପ୍ରତିକତାକୁ ଦେଖିବାର ଭଙ୍ଗିରେ । ଯିଏ ଯେଉଁ ଭାବେ ଦେଖୁନା କାହିଁକି ସାଂପ୍ରତିକତାକୁ ଏଡ଼ିଦେଇ ହେବନାହିଁ-। ଆଜିର କବିତାର ରୂପ ସାଂପ୍ରତିକ ଜଗତର ପାଣିପାଗରୁ ହିଁ ଜନ୍ମନେବାକୁ ବାଧ୍ୟ । କେବଳ ତା’ର ଅନ୍ତର୍ନିହିତ ଗୁଣ ନୁହେଁ ତା’ର ଆଙ୍ଗୀଜ ପରିପାଟି ବି ରୂପାନ୍ତରିତ ହେବ । ଏହି ଦୃଷ୍ଟିରୁ ବିଚାର କଲେ ନନ୍ଦକିଶୋରଙ୍କର ପଲ୍ଲୀର ଛବି ବା ଶଚ୍ଚି ରାଉତରାଙ୍କ ପଲ୍ଲିଶ୍ରୀରେ ଫୁଟିଉଠିଥିବା ଗାଁର ଛବି ଜୀବନର ସତ୍ୟ । ସାଂପ୍ରତିକ ଚେତନା ଏବଂ ସାଂପ୍ରତିକ ଜୀବନର ଜୀବନ୍ତ ଟୁକୁରା । କିନ୍ତୁ ଶବ୍ଦ ବାବୁଙ୍କ ପାଣ୍ଡୁଲିପିରେ ‘ସାଂପ୍ରତିକତା’ର ଛବି ଏବଂ ତା’ର ପ୍ରକାଶଭଙ୍ଗୀ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଏହି ଭିନ୍ନତା ଆସିଛି କବିଙ୍କ ଚେତନାରେ ଘଟିଥିବା ବିପ୍ଳବରୁ ଏବଂ ଏ ବିପ୍ଳବ ପାଇଁ ଅନେକାଂଶରେ ସାଂପ୍ରତିକତା ହିଁ ଦାୟୀ । ଠିକ୍‌ ସେହିପରି କବିତା ‘୧୯୬୨’ର ଚେତନା । ଏଠାରେ ସାଂପ୍ରତିକତା ଚେତନା ସ୍ତରକୁ ସଞ୍ଚରିଯିବାକୁ ବ୍ୟାକୁଳ ।

 

ଆଧୁନିକ କବିତା ବାହ୍ୟ ବାସ୍ତବତାରୁ ଚେତନା ସ୍ତରକୁ ସଞ୍ଚରିଯିବାର ପ୍ରଚେଷ୍ଟା । ଏହି ପ୍ରଚେଷ୍ଟା ବାହ୍ୟ ବାସ୍ତବତା ପ୍ରତି ଉଦାସୀନ ରହି ନୁହେଁ, ତା’ଦ୍ୱାରା ଋଦ୍ଧିମନ୍ତ ହୋଇ । ତେଣୁ ଆଧୁନିକ କବିତାରେ ସାଂପ୍ରତିକତାକୁ ଅବହେଳା କରାଯାଏନି । କିନ୍ତୁ ତା’ର ନିଚ୍ଛକ ଫଟୋଗ୍ରାଫିକ ରୂପକୁ ଏକମାତ୍ର ପରିଣତି ଭାବେ ଗ୍ରହଣ କରାଯାଏନି । ଏହି ଚେତନା ଗୁରୁପ୍ରସାଦ, ରମାକାନ୍ତ, ସୀତାକାନ୍ତ, ଦୀପକ ମିଶ୍ର, ସୌଭାଗ୍ୟ ମିଶ୍ର, କମଳକାନ୍ତ ଓ ରାଜେନ୍ଦ୍ର ଇତ୍ୟାଦି କବିତାରେ ସ୍ପଷ୍ଟ । ଗୁରୁପ୍ରସାଦଙ୍କ ‘କାଳପୁରୁଷ’ରେ ସାଂପ୍ରତିକ ଜୀବନର କମ୍ ଛବି ମିଳେନି । ଜେଲ୍‌ଖାନା ପାଚେରିକୁ ଆଉଜି ଛିଡ଼ା ହୋଇଥିବା ଝିଅଟି ଆମ ସାଂପ୍ରତିକ ବାସ୍ତବତାର ଏକ କରୁଣ ଆଲେଖ୍ୟ । ଖାଲି ସେତିକି ନୁହେଁ ତା’ର ଯନ୍ତ୍ରଣା ପୁଣି ପାପବୋଧ ଆମ ପାରଂପାରିକ ଚେତନାର ଅଶ୍ରୁଳ ପ୍ରତିଧ୍ୱନି । ରମାକାନ୍ତଙ୍କ ମୃତ୍ୟୁ ଚେତନା, ତାଙ୍କ ଚନ୍ଦ୍ରାବେରଣୀର ଦୁଃଖ ନିଶ୍ଚିତ ଭାବେ ଆମ ସାଂପ୍ରତିକତାର ଟୁକୁରା । ପୁଣି ଏଇ ଟୁକୁରାକୁ ରୂପ ଦେବାକୁ ଯାଇ ସୀତାକାନ୍ତ ନେଇଛନ୍ତି ମିଥ୍‌ର ସାହାଯ୍ୟ । ତାଙ୍କ ଦୁର୍ଯ୍ୟୋଧନ, ତାଙ୍କ କୁବୁଜା ସବୁଥିରେ ଆମରି ଅବସ୍ଥିତି । ତାଙ୍କ ‘ଏଠିକାର ବଣ’ ଆମର ଆଜିର ପୃଥିବୀ । ଏ ପୃଥିବୀ, ଏ ସତ୍ୟ ଆମ ଚେତନା ସ୍ତରରେ ହିଁ ସତ୍ୟ ହୋଇଉଠେ । ଆଉ ଏ ସତ୍ୟ ହେଉଛି କାବ୍ୟିକ ସତ୍ୟ । ବର୍ତ୍ତମାନର ଉତ୍ତରିତ ସ୍ଥିତି ।

 

ସାଂପ୍ରତିକତା ବୋଧ ଜଟିଳ ଆଧୁନିକ ଚେତନାର ଏକ ଅଂଶ ସ୍ୱରୂପ । ଏହାର ଅନୁପସ୍ଥିତିରେ କବିତା ସୃଷ୍ଟି ହୋଇପାରେନା । ଯଦି ହୁଏ ତା’ କାଳଜୟୀ ହୋଇପାରେନା । ଆଜିର କବିତାରେ ଏହାର ଅନୁପସ୍ଥିତି ନୁହେଁ ଏହାର ତୀର୍ଯ୍ୟକ ପ୍ରକାଶ ଘଟିଛି ମାତ୍ର । ପଟ୍ଟସୂର୍ଯ୍ୟର ପରିବର୍ତ୍ତନ ଘଟିଛି । ବାହ୍ୟ ପୃଥିବୀର ମନଭିତରକୁ ପରିବର୍ତ୍ତିତ ହୋଇଛି । ସେଇମିତି କାଳଚେତନାରେ କେବଳ ବର୍ତ୍ତମାନ ଭିତରେ ଆବଦ୍ଧ ନ ହୋଇ, ଅତୀତ ସହ ତା’ର ସମନ୍ୱୟ ଆଣିବାରେ ଚେଷ୍ଟା ହୋଇଛି । କବିତା ହୋଇଛି ଅନୁଭୂତିର ପ୍ରତୀକୀ ପ୍ରକାଶ ।

 

ଆଧୁନିକ ଓଡ଼ିଆ କବିତାର ଏହି ଅନ୍ତର୍ଯାତ୍ରା ଏକ ମୁଖ୍ୟ ସ୍ୱର । ମାତ୍ର ସାଂପ୍ରତିକ ଦଶନ୍ଧିରେ ଏକ ବର୍ହିଯାତ୍ରାର ସ୍ୱର ଆରମ୍ଭ ହୋଇଛି । ମାତ୍ର ଏ ବର୍ହିଯାତ୍ରାରେ ବାହ୍ୟତାର ଫଟୋଗ୍ରାଫିକ୍‌ ଛବି ନାହିଁ । ମାତ୍ର ବାହ୍ୟତା ଏକ ମୁଖ୍ୟ ଅଂଶଗ୍ରହଣ କରିଛି । ନିରୋଳା ଅନୁଭୂତି ଭିତରକୁ ବାହ୍ୟପୃଥିବୀ ପଶିଯାଇଛି । ରାଜେନ୍ଦ୍ର ପଣ୍ଡାଙ୍କ ‘ଗୁଲାମ ଦାସ’ ଏକ ଦିଗରେ ଏକ ନିରୋଳା ଯନ୍ତ୍ରଣା ପୁଣି ଚ୍ୟାଲେଞ୍ଜକୁ ରୂପ ଦେବା ସଙ୍ଗେ ସଙ୍ଗେ ସାଂପ୍ରତିକ କାଳର ଦୁଃଖକୁ ବି ଝଂକୃତ କରେ । ଏହି ସ୍ୱର ଧୀରେ ଧୀରେ ଅନୁରଣିତ ହେବାରେ ଲାଗିଛି । ଶ୍ରୀମାନ ଅଶୋକ ଚନ୍ଦନଙ୍କ ‘‘ଭି.ଆଇ.ପି.’’ ଏହି ଶ୍ରେଣୀର ଏକ ସଫଳ କବିତା ।

 

କଳା ତ କାଳର ସ୍ମୃତିବହନ କରେ । ସାଂପ୍ରତିକତା କାଳର ଏକ ଜୀବନ୍ତ ଅଂଶ । ତା’ର ସ୍ୱାକ୍ଷରକୁ କବି ଅସ୍ୱୀକାର କରିପାରେନା । କିନ୍ତୁ ତା’ ପାଖରେ ସବୁବେଳେ ଛନ୍ଦି ରହେନା । କବିର ସୃଷ୍ଟିରେ ସାଂପ୍ରତିକ ଚିରନ୍ତନ ହୁଏ । ମାତ୍ର ଏ ଚିରନ୍ତନତା ଅସମ୍ଭବ ସାଂପ୍ରତିକ ବିନା । ଏହାହିଁ ଏହାର ନିଜସ୍ୱ ।

Image

 

ଶୃଙ୍ଖଳିତ ସ୍ୱାଧୀନତା

 

ଶିଳ୍ପୀର ସମ୍ପର୍କ ବଡ଼ ଜଟିଳ । ଶିଳ୍ପୀ ପାଖରେ ମୁଖ୍ୟତଃ ଦୁଇଟି ପୃଥିବୀ । ପ୍ରଥମଟି ନିଜର ବ୍ୟକ୍ତିଗତ ପୃଥିବୀ । ଏହାର କେନ୍ଦ୍ରରେ ଶିଳ୍ପୀ ନିଜକୁ ସ୍ଥାପନ କରି ନିଜ ଅନୁଭୂତିକୁ ପ୍ରକାଶ କରେ । ତାକୁ ଘେରିଥିବା ପୃଥିବୀ ନିଜ ଅନୁଭବର ନିଆଁରେ ବିଶ୍ଳେଷିତ ହୁଏ, ରୂପାନ୍ତରିତ ହୁଏ । ବାହାର ପୃଥିବୀର ବାହ୍ୟରୂପ ନୁହେଁ, ଶିଳ୍ପୀର ଅନୁଭୂତିଜ ପୃଥିବୀ ହିଁ ସତ୍ୟ ହୋଇଉଠେ । କିନ୍ତୁ ଦ୍ୱିତୀୟଟି ଶିଳ୍ପୀର ସାମାଜିକ ପୃଥିବୀ । ଏଥିରେ ଶିଳ୍ପୀ ସମାଜର ଅଂଶ ହୋଇ ନିଜ ଭାବରେ ନୁହେଁ, ଏକ ସାମାଜିକ ଜୀବ ଭାବରେ ପୃଥିବୀକୁ ନିରୀକ୍ଷଣ କରିଥାଏ । ଶିଳ୍ପୀର ଅହଂ ସାମାଜିକ ନୀତି, ନିୟମ ଓ ମୂଲ୍ୟବୋଧ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଏକ ବାହ୍ୟ ବିରାଟତା ଭିତରେ ନିଜ ଅହଂର ବିରାଟତା ଗୌଣ ହୋଇଯାଏ । ଏକ ସଚେତନ ଏକକ ପରିବର୍ତ୍ତେ, ଏକ ନିୟନ୍ତ୍ରିତ ନାଗରୀକତ୍ୱ ପ୍ରାଧାନ୍ୟଲାଭ କରିଥାଏ । ଶିଳ୍ପୀର ଏହି ଆତ୍ମିକ ପୃଥିବୀ ଏବଂ ସାମାଜିକ ପୃଥିବୀ ବିପରୀତଧର୍ମୀ ହେଲେହେଁ କେହି କାହାରି ବିରୋଧ କରନ୍ତି ନାହିଁ । ବରଂ ଗୋଟିଏ ଅନ୍ୟଟିର ପରିପୂରକ ଭାବେ କାର୍ଯ୍ୟ କରିଥାଆନ୍ତି । ସାମାଜିକତା ଅହଂର ଏକକତ୍ୱକୁ ସ୍ୱୀକୃତି ଦେଲାବେଳେ ଅହଂର ଏକକତ୍ୱ ସାମାଜିକତାକୁ ଗ୍ରହଣ କରିଥାଏ । ଏ ଦୁଇଟି ଜୀବନର ପୂର୍ଣ୍ଣତାର ପରିଚାୟକ । ଏହାର ସମନ୍ୱୟ ହିଁ ଶିଳ୍ପୀ ପ୍ରାଣରେ ଆଣିଥାଏ ପୂର୍ଣ୍ଣତା । ଏ ପୂର୍ଣ୍ଣତା ପାଇଁ ଗୋଟିଏ ସତ୍ୟକୁ ଅନ୍ୟ ସତ୍ୟଟି ପାଇଁ ଜଳାଞ୍ଜଳି ଦେବାକୁ ପଡ଼ିନଥାଏ । ଦୁଇଟିକୁ ଗ୍ରହଣ କରାଯାଇଥାଏ । କାରଣ ଶିଳ୍ପୀ ଯେତେ ନିରୋଳା ହେଲେ ମଧ୍ୟ ସାମାଜିକତା ତା’ ପାଖରେ ଏକ ସତ୍ୟ ଏବଂ କବିତା ପରି ନିରୋଳା କଳା ମଧ୍ୟ କୌଣସି ନା କୌଣସି ସ୍ତରରେ ସମାଜକୁ ଗ୍ରହଣ କରିଥାଏ ।

 

ଏ ଦୁଇ ପୃଥିବୀ ବ୍ୟତୀତ ଶିଳ୍ପୀ ପାଖରେ ଆଉ ଗୋଟିଏ ପୃଥିବୀର ଅସ୍ତିତ୍ୱ ବଡ଼ ଗୁରୁତ୍ୱପୂର୍ଣ୍ଣ । ଏ ପୃଥିବୀଟି ହେଉଛି ତା’ କଳାର ପୃଥିବୀ । ତା’ ମାଧ୍ୟମର ପୃଥିବୀ । ପ୍ରଥମ ଦୁଇ ପୃଥିବୀର ସମ୍ପର୍କରୁ ଏହାର ଜନ୍ମ ଏବଂ ରୂପ । ଏକ ସଫଳ ଶିଳ୍ପୀ ପାଖରେ ତା’ କଳା ହେଉଛି ସଫଳ ବଞ୍ଚିବାର ରୁପାନ୍ତର ମାତ୍ର । ଅର୍ଥାତ୍‌ ନିଜର ଅହଂ, ପରିବେଶ ଏବଂ କଳାକୁ ଗଭୀରଭାବେ ଗ୍ରହଣ କରିବା । ଜୀବନ ସହ ଅର୍ଥାତ୍‌ ତା’ର ସମସ୍ତ ବିଭାବ ସହ ନିଜକୁ ଅନ୍ତରଙ୍ଗ ଭାବେ ସାମିଲ କରିବା । ଏପରି ସାମିଲ୍‌ ଅହଂ ଏବଂ ନାହଂ ସାମିଲ୍‌ । ଏହା ଅନୁଭୂତି ଆଉ କଳାକୁ ଅଭିନ୍ନ କରିଦିଏ । ଏହାଦ୍ୱାରା ବଞ୍ଚିବାରେ ପକ୍ୱତ୍ୱ ଲାଭ କଳାକୁ ମଧ୍ୟ ପରିପକ୍ୱ କରେ । ତେଣୁ ସଫଳ କଳା ହେଉଛି ପକ୍ୱ ଅନୁଭୂତିର ପକ୍ୱ ପ୍ରକାଶ । ‘‘Ripeness is all’’ ଏ ପକ୍ୱତାକୁ ଆସେ ବଞ୍ଚିବାର ପୂର୍ଣ୍ଣତାରୁ, ଅନୁଭୂତିର ଜଟିଳତାରୁ । ସଫଳ ପକ୍ୱ କଳା ଏହି ପକ୍ୱତାକୁ ଖାଲି ପ୍ରକାଶ କରେନି ତାକୁ ପକ୍ୱ ଭାବେ ପାଠକ ମନରେ ସଞ୍ଚୟ କରିଥାଏ ମଧ୍ୟ ।

 

ଏକ ପାକଳ ଦୃଷ୍ଟିନେଇ ଶିଳ୍ପୀ ଦେଖେ ଯେ ତା’ ଆଗରେ ଅହଂ ଏବଂ ନାହଂର ଦୁଇଟି ସତ୍ୟ ସବୁବେଳେ ଚକାଭଉଁରୀ ଖେଳୁଛି । ନାହଂର ପୃଥିବୀରେ ପୁଣି ଗୋଟିଏ କ୍ଷଣିକ, ସାମୟିକ । ସମୟର ସୁଅରେ ସେ ଯେମିତି ଫୁଟି ଝଡ଼ିଯାଉଛି । ପୁଣି ତା’ ବ୍ୟତୀତ କ୍ଷଣିକ ବାହାରେ ଏକ ଚିରନ୍ତନ ସତ୍ୟ ଯା ସାମୟିକତା, କ୍ଷଣିକତାକୁ ଗ୍ରହଣ କରି ମଧ୍ୟ ତା’ ଦ୍ୱାରା ଅସ୍ପର୍ଶିତ । ସେ ଚିରନ୍ତନ-। ମଣିଷ ଏହି ଦୁଇଟି ସତ୍ୟ ଭିତରେ ବନ୍ଧା ଏବଂ ଶିଳ୍ପୀ ଏ ଦୁଇଟି ସତ୍ୟ ଭିତରେ, ନିଜ କଳା ମାଧ୍ୟମରେ ଏକ ସମନ୍ୱୟ ଆଣିବାରେ ଚେଷ୍ଟା କରେ । ସେ କ୍ଷଣିକ ଅହଂଟିକୁ ଚିରନ୍ତନ କରିବାକୁ ଚେଷ୍ଟାକରେ । ଅନୁଭୂତିର ମଞ୍ଜଟିକୁ ଧରି ରଖିବାକୁ ଚେଷ୍ଟାକରେ ।

 

ଏହି ଧରି ରଖିବାଟା ହିଁ ଶିଳ୍ପୀ ପାଖରେ ଏକମାତ୍ର ସତ୍ୟ । ଆଉ ଏହାହିଁ ତା’ର କଳା । କାରଣ ଅହଂ ଆଉ ନାହଂର ଜଟିଳ ସମ୍ପର୍କ ସିନା ପୂର୍ଣ୍ଣ ବାସ୍ତବତା ମାତ୍ର ତା’ର ବ୍ୟକ୍ତିଗତ ରୂପାନ୍ତର ହିଁ କଳା । ଏଥିପାଇଁ କଳା ସତ୍ୟ । କାରଣ ଗୋଟିଏ କଳାର ବିକଳ୍ପ ନାହିଁ । ଏହା ସ୍ୱୟଂ ସମ୍ପୂର୍ଣ୍ଣ ଏକ ଖଣ୍ଡିତ ପୂର୍ଣ୍ଣତା । ଏକ ବ୍ୟକ୍ତିଗତ ସାର୍ବଜନୀନ ପୃଥିବୀ । ତେଣୁ ଶିଳ୍ପୀ ତା’ କଳାପାଖରେ, ତା’ ମାଧ୍ୟମ ପାଖରେ ହୋଇଉଠେ ଏତେ ସତ୍ୟନିଷ୍ଠ । କାହିଁକି ନା କଳା କ୍ଷଣିକ ଓ ଚିରନ୍ତନର ଯୋଗସୂତ୍ର । କବି ନିଜେ କ୍ଷଣିକ ମାତ୍ର ତା’ର କଳା କାଳଜୟୀ । ଅହଂର ବ୍ୟକ୍ତିଗତ ଉଚ୍ଚାରଣ ହୋଇ ମଧ୍ୟ ସାର୍ବଜନୀନ । କଳାରେ ଏହି କାଳଜୟୀ ଅହଂ ଦୀପ୍ତ ସାର୍ବଜନୀନତା ଆସେ ଯେତେବେଳେ ଶିଳ୍ପୀ ନିଜ ସତ୍ତାର ପୂର୍ଣ୍ଣତାକୁ ଗ୍ରହଣ କରିଥାଏ । ଏହି ପୂର୍ଣ୍ଣତା ଶିଳ୍ପୀପାଖରେ ସମ୍ଭବ ନୁହେଁ ଯେପର୍ଯ୍ୟନ୍ତ ସେ ନିଜ ବର୍ତ୍ତମାନକୁ, ପରିବେଶ ପୁଣି ଏହା ବାହାରେ ଥିବା ସମସ୍ତ ରହସ୍ୟମୟ ସ୍ଥିତିକୁ ଗ୍ରହଣ ନ କରିଛି । ଅହଂର ରହସ୍ୟ ସହ ବାହ୍ୟ ସତ୍ୟକୁ ସମନ୍ୱିତ ନ କରିଛି ।

 

ଏହି ସମନ୍ୱୟର ଅନ୍ୱେଷା ଶିଳ୍ପୀପାଖରେ ସବୁଠାରୁ ବଡ଼ ପରୀକ୍ଷା । କାରଣ ଶିଳ୍ପୀର ମନରେ ମୁକ୍ତିର ଶୃଙ୍ଖଳା । ଆଉ ଏହାରି ପାଇଁ କଳା ମାଧ୍ୟମରେ ଶିଳ୍ପୀ ଚାହେଁ ଶୃଙ୍ଖଳାର ମୁକ୍ତି । ଏକ ସଚେତନ ଏକକ ଭାବେ ଶିଳ୍ପୀ ବଞ୍ଚିବାକୁ ଚାହେଁ । ସାମାଜିକ, ପ୍ରାକୃତିକ ଏମିତିକି ଆଧ୍ୟାତ୍ମିକ ଶୃଙ୍ଖଳା ଭିତରେ ସେ ଚାହେଁ ବଞ୍ଚିବାର ନିର୍ଯାସ ଆଉ ଏହି ନିର୍ଯ୍ୟାସକୁ ସତ୍ୟଶୀଳ ଭାବେ ପ୍ରକାଶ କରିବାକୁ ଯାଇ ସେ ସୃଷ୍ଟିକରେ ତା’ ନିଜ କଳାର ଶୃଙ୍ଖଳା । କଳାର ଏହି ଶୃଙ୍ଖଳା କଳାକାରର ମୁକ୍ତିପାଇଁ ଏକମାତ୍ର ପନ୍ଥା । ଏ ଶୃଙ୍ଖଳା ବାହ୍ୟ ନିୟମ ନୁହେଁ-ପାରମ୍ପରିକତାର ଗ୍ରହଣ ବା ତ୍ୟାଗ ନୁହେଁ । ଏହା ଅନୁଭୂତିର ଗଭୀରତା ବିଭିନ୍ନତାର ଏକ ସଜ୍ଜିକରଣ । ଏହି ସଜ୍ଜିକରଣ ଶିଳ୍ପୀର ମୁକ୍ତି, ତା’ର ଶୃଙ୍ଖଳା । ଏହା ଶିଳ୍ପୀ ସବୁବେଳେ ନିଜ ଭାବରେ ନିଜଠାରେ ପ୍ରୟୋଗ କରିବାରେ ପ୍ରୟାସୀ । ଏହାହିଁ ଶିଳ୍ପୀର ସବୁଠାରୁ ବଡ଼ ସମ୍ପର୍କ । ନିଜ ସହ ଜୀବନର ଏବଂ ଜୀବନ ସହ କଳାର । ଏହି ସମ୍ପର୍କର ସମନ୍ୱୟ ହିଁ ଶିଳ୍ପୀ ଓ ଶିଳ୍ପ ଉଭୟର ସଫଳତା ।

 

ଶିଳ୍ପୀ ତେଣୁ ଏକ ଶୃଙ୍ଖଳିତ ସ୍ୱାଧୀନ ଜୀବ । କୌଣସି ତଥାକଥିତ ଶୃଙ୍ଖଳିତ ଗ୍ରହଣ କରେ ନାହିଁ ବୋଲି ତ ସ୍ୱାଧୀନତାର ମହା ଶୃଙ୍ଖଳା ସେ ନିଜଠାରେ ଆରୋପ କରିଥାଏ । ଏହି ପରିପ୍ରେକ୍ଷିରେ ବିଚାର କଲେ କବି ନିଜ ମାଧ୍ୟମ ଭାଷାକୁ ସ୍ୱାଧୀନଭାବେ ବ୍ୟବହାର କରିବା ସଙ୍ଗେ ସଙ୍ଗେ ଭାଷାରେ ନୂଆ ଶୃଙ୍ଖଳାକୁ ଛନ୍ଦିଦିଏ । କିନ୍ତୁ ଭାଷାର ଅର୍ଥକୁ ଗ୍ରହଣ କରେ । ନିଜ ଚେତନାର ରହସ୍ୟକୁ ଭାଷା ସାହାଯ୍ୟରେ ପ୍ରକାଶ କରିଥାଏ ଫଳରେ ପାଠକ ସେହି ଭାଷା ଦ୍ୱାରା କବି ଚେତନାର ଗଭୀରତାକୁ ଅନୁଭବ କରିଥାଏ । ତେଣୁ କବି ପାଖରେ କବିତା ଉଭୟ ମାଧ୍ୟମ ଏବଂ ପ୍ରକ୍ରିୟା । ଏହା ତା’ର ଜୀବନ । ଏହା କବିକୁ ଘେରିଥିବା ତ୍ରିବିଧ ବାସ୍ତବତା (ତାର ଅହଂ, ସମାଜ ଏବଂ କଳା) ସହ ଏକମାତ୍ର ଆବେଗମୟୀ ଯୋଗସୂତ୍ର ।

 

ଜଟିଳ ସମ୍ପର୍କର ଜୀବ ଏ ଶିଳ୍ପୀଟି ସବୁବେଳେ ନିଜ ଭିତରେ ହିଁ ମୁକୁଳିଯିବାକୁ ଚେଷ୍ଟା କରୁଥାଏ । ତେଣୁ ସେ ଚେଷ୍ଟା କରୁଥାଏ ମୁକୁଳିବାର ମାଧ୍ୟମ ତା’ ଭାଷାକୁ ଶୃଙ୍ଖଳିତ କରିବାକୁ । ଏହି ଶୃଙ୍ଖଳା ମୁକ୍ତିର ସୂଚକ । ବ୍ୟକ୍ତିଗତ ରହସ୍ୟକୁ ସେ ସାର୍ବଜନୀନ କରିବାକୁ ଚେଷ୍ଟାକରେ । ଏ ସାର୍ବଜନୀନତା ଯୁକ୍ତିଦ୍ୱାରା ନୁହେଁ, ପ୍ରଜ୍ଞା ଦ୍ୱାରା ନୁହେଁ, ଆବେଗ ଦ୍ୱାରା, ବଞ୍ଚିବାର ପୂର୍ଣ୍ଣତା ଦ୍ୱାରା । ଏହିଠାରେ ହିଁ କବିତା ଗଦ୍ୟଠାରୁ ଭିନ୍ନ । କବି ଚେତନାର ଅତଳ ଗହ୍ୱର ଭିତରକୁ ଲମ୍ଫଦେଇ ଏମିତି ଏକ ଭାଷା ଖୋଜେ ଯା’ଦ୍ୱାରା ସେ ନିଜକୁ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଛୁଇଁପାରିବ । ଏଇଥିପାଇଁ ସେ ବ୍ୟକ୍ତିଗତ ଭାଷା ପ୍ରୟୋଗ କରେ, ବ୍ୟକ୍ତିଗତ ପ୍ରତୀକ ସୃଷ୍ଟିକରେ ପୁଣି ପୁରାଣକୁ ଘାଣ୍ଟି ଚକଟି ନିଜ ଭାବରେ ନୂଆ ରୂପ ଦେବାକୁ ଚେଷ୍ଟାକରେ । ଆଉ ଏଇଥିପାଇଁ ସେ ଯୁକ୍ତିକୁ ନୁହେଁ କଳ୍ପନାକୁ ମାନିନିଏ । ତା’ ସୃଷ୍ଟିରେ କାମ କରେ କଳ୍ପନାର ଯୁକ୍ତି । କାରଣ ଏକ ସଚେତନ ଏକକ ହିସାବରେ ସେ ଚାହେଁ ବଞ୍ଚିବାର ନିର୍ଯ୍ୟାସ, ଅନୁଭୂତିର ପକ୍ୱତାକୁ ପ୍ରକାଶ କରିବା-

 

ବଞ୍ଚିବାର ସମସ୍ତ ବିଶୃଙ୍ଖଳା, ବାହ୍ୟ ପୃଥିବୀର ସମସ୍ତ ଯାନ୍ତ୍ରିକତା ପୁଣି କାଳର ଚପଳତାକୁ ଗ୍ରହଣ କରି ସେ ଖାଲି ବଞ୍ଚେନି, ବଞ୍ଚିବାର ଅର୍ଥ ମଧ୍ୟ ଖୋଜିବୁଲେ । ଆଉ ସେ ଅର୍ଥ ପାଇବାପାଇଁ ଅସଂଯତ ଜୀବନକୁ ନିଜଭାବେ ସଂଯତ କରିବାକୁ ଚେଷ୍ଟା କରିଥାଏ । ଏହିଠାରେ ମୂଲ୍ୟବୋଧର ପ୍ରଶ୍ନଉଠେ । କବିର ଦାୟିତ୍ୱର ପ୍ରଶ୍ନଉଠେ । ପ୍ରଶ୍ନଉଠେ ଯେ କବିତା ଜୀବନର ସମାଲୋଚନା ମାତ୍ର କବିର ସମାଲୋଚନା, ବିପ୍ଳବ ବାହ୍ୟସ୍ତରରେ ଘଟେନାହିଁ, ଘଟେ ଚେତନା ସ୍ତରରେ । କବିତାର ପ୍ରଭାବ ସ୍ୱପ୍ନର ପ୍ରଭାବ ପରି । ୟୁଂଙ୍କ ଭାଷାରେ ବ୍ୟକ୍ତିର ପ୍ରୟୋଜନୀୟତା ସମ୍ପର୍କରେ ସ୍ୱପ୍ନ ହେଉଛି ଅଚେତନ ମନର ବାର୍ତ୍ତା । ସେହିପରି କବିତାର ବାର୍ତ୍ତା ଏକକ ଅନୁଭୂତିର ଏକ ଝଲକ । ଅନୁଭୂତିର ପକ୍ୱତା ଏବଂ ପ୍ରକାଶର ଶୃଙ୍ଖଳା ଏକ ନିଦ୍ଦିଷ୍ଟ ପ୍ରତିଧ୍ୱନି । କବି ତା’ର ଅନୁଭୂତିର ପକ୍ୱ ଜଟିଳତାକୁ ଭାଷାର ଶୃଙ୍ଖଳା ଭିତରେ ରୂପଦିଏ ମାତ୍ର । ଏହିଥିରେ ହିଁ ତା’ର ସଫଳତା । କବି ନିର୍ଦ୍ଦୋଶ ଦିଏନି, ଉପଦେଶ ଦିଏନି । ସେ କେବଳ ପ୍ରକାଶ କରେ । ତା’ ଭାଷାର ଅର୍ଥ ନିର୍ଦ୍ଦିଷ୍ଟ ନୁହେଁ । ଏହା ଏକ ନିଜସ୍ୱ ଛବି ମାତ୍ର । ଏ ଛବିର ରଙ୍ଗ ନିଜସ୍ୱ । ଅନୁଭୂତିର ଗଭୀରତାରେ ଊଷ୍ଣ । ଅନୁଭୂତିର ଏମିତି ସ୍ତରକୁ ଏହା ଭେଦିଯାଏ ଯେ ସବୁ ବ୍ୟକ୍ତି ନିଜକୁ ନିଜସ୍ୱ ଭାବେ ସେଠାରେ ଖୋଜିପାଆନ୍ତି । ଏଇଥିରେ ହିଁ କବିର ସଫଳତା ।

 

ତେଣୁ କବିତାର ଖଣ୍ଡିତ ଦୃଷ୍ଟିର ପ୍ରଶ୍ନଉଠେ ନାହିଁ । କବି ଜୀବନକୁ ପୂର୍ଣ୍ଣଭାବେ ଗ୍ରହଣ କରେ । ତା’ର ଦୃଷ୍ଟିକୋଣ ସମନ୍ୱୟର ଦୃଷ୍ଟିକୋଣ । ତା’ର କାମ କବିତା ଲେଖିବା । ଏ କବିତା ପ୍ରଚାର ନୁହେଁ । ସମାଲୋଚନା ନୁହେଁ, କୌଣସି ଇସ୍ତାହାର ନୁହେଁ । ଏହା ଜୀବନାନୁଭୂତିର ସାମଗ୍ରିକତାକୁ ଭାଷାର ଗଭୀରତା ସହ ସମନ୍ୱିତ କରି ବାସ୍ତବତାକୁ ନୂଆ ଭାବରେ ସଜାଡ଼ିବା । ଏହି ସଜାଡ଼ିବା ହିଁ କବିର ସର୍ବସ୍ୱ । ଏହିଥିରୁ ହିଁ ଜନ୍ମନିଏ ନୂଆ ଭାଷା, ନୂଆ ରୂପ, ନୂଆ ପୃଥିବୀ । ସବୁ ନୂଆ ଭାବରେ ପୁରୁଣା ଏବଂ ଚିରନ୍ତନ ପୁଣି ଚିରନ୍ତନ ଭାବେ ନୂତନ ଯେମିତି ସୂର୍ଯ୍ୟ ଓ ଆକାଶ । ଏହା ଯେମିତି ବଞ୍ଚିବାପରି ବଞ୍ଚିବା ।

Image

 

ସାହିତ୍ୟରେ ପରୀକ୍ଷା

 

ସାହିତ୍ୟରେ ପରୀକ୍ଷା ନୂଆ କଥା ନୁହେଁ । ସବୁସାହିତ୍ୟ ସୃଷ୍ଟି ଗୋଟିଏ ଗୋଟିଏ ବ୍ୟକ୍ତିଗତ ପରୀକ୍ଷା, ପୁଣି ପ୍ରତ୍ୟେକ ଯୁଗରେ ସାହିତ୍ୟ ଏକ ସାମଗ୍ରିକ ପରୀକ୍ଷା । ପ୍ରତ୍ୟେକ ଲେଖକ ସୃଷ୍ଟି କାଳରେ ଏହି ଉପରୋକ୍ତ ବ୍ୟକ୍ତିଗତ ଏବଂ ସାମଗ୍ରିକ ପରୀକ୍ଷାର ସମ୍ମୁଖୀନ ହୋଇଥାଏ । ଲେଖକ ନିଜ ଅନୁଭୂତିକୁ ନିଜସ୍ୱଭାବେ ପ୍ରକାଶ କରିବାକୁ ଗଲାବେଳେ ଭାଷା ଆଉ ଭାବର ସମ୍ଭାବନାକୁ ବିନିଯୋଗ କରିବାକୁ ଚେଷ୍ଟା କରିଥାଏ ପୁଣି ନିଜ ଅନୁଭୂତିକୁ ପ୍ରକାଶ କଲାବେଳେ ଅନେକ ସମୟରେ ସେ ନିଜ ସମୟଖଣ୍ଡର ଋଚିଦ୍ୱାରା ଋଦ୍ଧିମନ୍ତ ହୋଇଥାଏ । ସୃଷ୍ଟି ପ୍ରକ୍ରିୟାରେ ଲେଖକ ପାଖରେ ଦୁଇଟି ପୃଥିବୀ । ଗୋଟିଏ ତା’ ନିଜ ଏକକ ଅନୁଭବ ଅନ୍ୟଟି ତା’ ସମୟ ଖଣ୍ଡର । ପ୍ରତ୍ୟେକ ସମୟ ଖଣ୍ଡର ନିଜସ୍ୱ ଋଚି ଏବଂ ଦୃଷ୍ଟିକୋଣ ଥାଏ । ଏହା ତତ୍‌କାଳିକ ପ୍ରଜ୍ଞା ଓ ଚେତନା ଦ୍ୱାରା ଗଢ଼ିଉଠିଥାଏ । ଏହି ବ୍ୟାପକ ଚେତନା ଭିତରେ ଲାଳିତପାଳିତ ହୋଇ ଲେଖକର ନିଜସ୍ୱ ଚେତନାଟି ଗଢ଼ିଉଠେ । ଏହି ଦୁଇଟି ଚେତନାର ସମ୍ପର୍କ ହିଁ ଲେଖକର ପରୀକ୍ଷା । ଏହି ଦୁଇଟି ପୃଥିବୀ ପ୍ରତି ତା’ର ଦୃଷ୍ଟିକୋଣରେ ହିଁ ନିହିତ ତା’ର ପରୀକ୍ଷା । ଏହି ନିର୍ଦ୍ଦିଷ୍ଟ ସମୟ ଖଣ୍ଡରେ ଜୀବନକୁ ଏକକ ଭାବେ ଅନୁଭବ କରି ତାକୁ ନିଜସ୍ୱ ଭାବରେ ରୂପ ଦେବା ପାଇଁ ଚେଷ୍ଟା ହିଁ ତ ପରୀକ୍ଷା । ସବୁ ଯୁଗରେ ଏହି ପରୀକ୍ଷା ଚାଲିଆସିଛି । ସମୟ ଚାଲିଯାଇଛି । ପରୀକ୍ଷାର ଛାପ ସୃଷ୍ଟିରେ ରହିଯାଇଛି । ଆଉ ଏଇଥିପାଇଁ ବୋଧହୁଏ ଇ: ଏମ୍‌: ଫଷ୍ଟଟର କହିଥିଲେ ପ୍ରତ୍ୟେକ ସୃଷ୍ଟି ଜୀବନ ସହ ଗୋଟିଏ ଗୋଟିଏ ପରୀକ୍ଷା ।

 

ପ୍ରତ୍ୟେକ କଳା ଶିଳ୍ପୀର ଅସମ୍ପୂର୍ଣ୍ଣ ବୋଧ ଆଉ ପରିପୂର୍ଣ୍ଣତା ବୋଧରୁ ହିଁ ଜନ୍ମ ନେଇଥାଏ । ତା’ ଅନୁଭୂତିର ସାର୍ଥକତମ ପ୍ରକାଶ ହେଉଛି ପ୍ରତ୍ୟେକ ଶିଳ୍ପୀର ଉଦ୍ଦେଶ୍ୟ । ଏହି ‘ସାର୍ଥକତମ’ ବ୍ୟତୀତ ସେ କୌଣସିଥିରେ ସନ୍ତୁଷ୍ଟ ହୋଇପାରେନା । କିନ୍ତୁ ଏହି ଲକ୍ଷ୍ୟ ହାସଲ ବେଳେ ସେ ତା’ ମାଧ୍ୟମରେ ଅସମ୍ପୂର୍ଣ୍ଣତା ବିଷୟରେ ସଚେତନ ହୋଇପଡ଼େ । ଏ କ୍ଷେତ୍ରରେ ଲେଖକ ସବୁଠାରୁ ବେଶୀ ଅସୁବିଧାର ସମ୍ମୁଖୀନ ହୋଇଥାଏ କାରଣ ଭାଷା ତା’ର ସାଧାରଣ ଅର୍ଥ ଆଉ ବ୍ୟବହାର ଦ୍ୱାରା ମନଗହୀରର ଆବେଗର ଏକକତ୍ୱ ପ୍ରକାଶ କରିବାରେ ସଫଳ ହୋଇପାରେନା । ତେଣୁ ଅନୁଭୂତି ଯେତେ ବ୍ୟକ୍ତିଗତ ପୁଣି ଗଭୀର ହୁଏ ଏ ଭାଷାର ଅସହାୟତା ସେତେ ବେଶୀ ତୀବ୍ରଭାବେ ଅନୁଭୂତ ହୋଇଥାଏ । ଆଉ ଏହି ଅନୁଭୂତି ସହ ଆରମ୍ଭ ହୁଏ ଶିଳ୍ପୀର ମାଧ୍ୟମ ସହ ପରୀକ୍ଷା । ଆରମ୍ଭ ହୁଏ ତା’ର ଅନ୍ୱେଷା । ସେହି ‘ସାର୍ଥକତମ ପ୍ରକାଶ’ ପାଇଁ ପ୍ରଚେଷ୍ଟା ହିଁ ତ ପରୀକ୍ଷା । ଯେଉଁଥିପାଇଁ ଜନ୍ମନିଅନ୍ତି ଗୋଟିଏ ଗୋଟିଏ ପିକାଶୋ, ହେନେରି ମୁର, ଏଲିଅଟ୍‌ ଆଦି । ଏହି ପରୀକ୍ଷାରେ ଶିଳ୍ପୀ ତା’ ମାଧ୍ୟମକୁ ନିଜକୁ ପ୍ରକାଶ କରିବାରେ ପ୍ରୟୋଗ କରିଥାଏ । ତା’ର ଅନୁଭୂତିର ଏକାନ୍ତିକତାକୁ ମାଧ୍ୟମର ନବୀନତମ ପ୍ରୟୋଗ ଦ୍ୱାରା ସୂଚନା ଦେବାର ଚେଷ୍ଟା କରିଥାଏ ।

 

ଅନ୍ୟଦିଗରେ ଗୋଟିଏ ଗୋଟିଏ ଯୁଗରେ ଗୋଟିଏ ଗୋଟିଏ ଋଚି ଥାଏ । ଏ ଋଚି ଗଢ଼ିଉଠେ ସେ ଯୁଗରେ ଜୀବନ ଧାରାର ଏବଂ ମୂଲ୍ୟବୋଧର ସାମଗ୍ରିକତାରୁ । ପ୍ରତ୍ୟେକ ଶିଳ୍ପୀ ଏ ଋଚିଠାରୁ ବିଚ୍ଛିନ୍ନ ନୁହନ୍ତି । ସେମାନଙ୍କ ଉପରେ ଏ ଋଚିର ପ୍ରଭାବ ସ୍ପଷ୍ଟ । ତେଣୁ ସେମାନେ ଯୁଗ ଋଚିର ସାମଗ୍ରିକତା ଭିତରେ ନିଜସ୍ୱ ଏକକତ୍ୱ ନେଇ ଫୁଟିଉଠନ୍ତି । ପ୍ରତ୍ୟେକ ଶିଳ୍ପୀ ଯେମିତି ଛାୟାପଥର ଧୁସର ଆଲୁଅ ଭିତରେ ଜଳିଉଠୁଥିବା ଗୋଟିଏ ଗୋଟିଏ ତାରା ପରି । ଛାୟାପଥର ଆଲୋକ ଭିତରେ ସେମାନେ ନିଜସ୍ୱ ଆଲୁଅରେ ଆଲୋକିତ । ନିଜ ଗୁଣ ସହ ଶିଳ୍ପୀ ଯୁଗର ଗୁଣକୁ ତେଣୁ ନିଜସ୍ୱ କରେ । ଗୋଟିଏ ଯୁଗର ଗୁଣ ସେ ଯୁଗର ସାଧାରଣ ଅନୁଭୂତି ଜ୍ଞାନର ପରିସର ପୁଣି ପରିବର୍ତ୍ତିତ ପରିବେଶ ଉପରେ ନିର୍ଭରଶୀଳ । ଏପରି ଏକ ପରିବର୍ତ୍ତିତ ପରିସ୍ଥିତିର ବିଶ୍ୱସ୍ତ ପ୍ରକାଶ ପାଇଁ ମଧ୍ୟ ପରୀକ୍ଷା ହୁଏ । ଏପରି ଅବସ୍ଥାରେ ନୂତନତାକୁ ବାହ୍ୟଭାବରେ ଶିଳ୍ପୀ ଅନୁଭବ କରିଥାଏ । ଏହି ଅନୁଭବର ସାଧାରଣତା ହିଁ ଗୋଟିଏ ଯୁଗର ନିଜସ୍ୱ ଗୁଣ ଯା’ ସେ ଯୁଗରେ ସବୁ ଶିଳ୍ପୀଙ୍କଠାରେ ସ୍ପଷ୍ଟ । ଏହି ଗୁଣ ଦେଖି ଗୋଟିଏ ଯୁଗର ଶିଳ୍ପୀକୁ ଅନ୍ୟଯୁଗରେ ଶିଳ୍ପୀଠାରୁ ଆମେ ଭିନ୍ନ ଭାବରେ ଦେଖିପାରୁ । ଏପରି ଭିନ୍ନତା ଯୁଗର ଲକ୍ଷଣ । ତାକୁ ପ୍ରକାଶ କରିବା ପାଇଁ ଯେଉଁ ପରୀକ୍ଷା ହୁଏ ତାହା ନିକଟ ଅତୀତ ବିରୁଦ୍ଧରେ ପ୍ରତିବାଦଟିଏ ହୁଏ । ସବୁ ଇଂରାଜୀ ରୋମାଣ୍ଟିକ୍‌ କବିମାନେ ତାଙ୍କ ପୂର୍ବ କବିମାନଙ୍କ ବିରୁଦ୍ଧରେ ସ୍ୱର ତୋଳିଥିଲେ । ଏ ସ୍ୱରର ସମସ୍ତ ଭିନ୍ନତା ଭିତରେ ଗୋଟିଏ ସାଧାରଣତା ଥିଲା । ସବୁ ଯୁଗ ପାଇଁ ଏହି ପ୍ରତିକ୍ରିୟା ସତ୍ୟ । ତେଣୁ ପରୀକ୍ଷା ଦୁଇସ୍ତରରେ ହୋଇଥାଏ । ଗୋଟିଏ ଯୁଗର ଏବଂ ଅନ୍ୟଟି ଏହି ଯୁଗ ଭିତରେ ବ୍ୟକ୍ତିର । ବ୍ୟକ୍ତିର ପରୀକ୍ଷା ତା’ ଯୁଗରେ ସାମଗ୍ରିକ ଚେତନାକୁ ଗ୍ରହଣ କରି ତାକୁ ବେଳେ ବେଳେ ଅଧିକ ତ୍ୱରାନ୍ୱିତ କରେ ତ କେତେବେଳେ ତା’ ବିରୁଦ୍ଧରେ ସ୍ୱର ତୋଳିଥାଏ ।

ତେଣୁ ପରୀକ୍ଷା, ସବୁ କଳା ପରି, ସାହିତ୍ୟର ମଧ୍ୟ ପ୍ରାଣ । ଏହା ସାହିତ୍ୟର ନୂତନ ପ୍ରାଣ ସଞ୍ଚାର କରିବା ସଙ୍ଗେ ସଙ୍ଗେ ଏଥିରେ ଭରିଦିଏ ବିଭିନ୍ନତା ପୁଣି ଆନ୍ତରିକତା । ଏହା ଏକ ବୈପ୍ଳବିକ ଚେତନା ଯା’ ଦୃଷ୍ଟିକୋଣରେ ପୁଣି ଶିଳ୍ପରେ ବିପ୍ଳବ ଆଣେ । ଏହା ପରିବର୍ତ୍ତନର ସୂଚକ, ରୁପାନ୍ତରର ଆବାହକ । ପୁରାତନର ଧ୍ୱଂସସ୍ତୂପ ଉପରେ ଏହା ଦଣ୍ଡାୟମାନ କିନ୍ତୁ ସବୁବେଳେ ଏହା ନୂତନତା ପଛରେ ଧାବିତ ନୁହେଁ । ଯେତେବେଳ ପର୍ଯ୍ୟନ୍ତ ନୂତନତା, ସୃଷ୍ଟିଶୀଳ ପୁଣି ପ୍ରକାଶୋନ୍ମୁଖ ସେତେବେଳ ପର୍ଯ୍ୟନ୍ତ ଏହା ଗ୍ରହଣୀୟ ମାତ୍ର ଏହା ପରିବର୍ତ୍ତେ ଏହା ଯେତେବେଳେ କେବଳ କ୍ଷଣିକ ଶିହରଣ ଏବଂ କ୍ଳୀବ ପରିବର୍ତ୍ତନର ପ୍ରୟାସୀ ହୋଇପଡ଼େ ଏହା ନା ପ୍ରକାଶ କରିବାରେ ସାହାଯ୍ୟ କରେ ନା କିଛି ସୃଷ୍ଟି ପାଇଁ ପରିବେଶ ସୃଷ୍ଟି କରିପାରେ । ତେଣୁ ପରୀକ୍ଷା ମାତ୍ରେ ସବୁବେଳେ ନୂତନ ବୋଲି ଭାବିନେବା ଠିକ୍‌ ନୁହେଁ । କାରଣ ଖାଲି ଯାହା ନୂଆ ତା’ ବୈପ୍ଳବିକ ହୋଇପାରେନା-। ତେଣୁ ସାହିତ୍ୟରେ ପରୀକ୍ଷା ହେଉଛି ନିଜକୁ ନିଜସ୍ୱ ଭାବେ ଏକ ପରିବର୍ତ୍ତିତ ପରିବେଶ ଭିତରେ କିମ୍ୱା ଅନୁନ୍ନତିର ନୂଆ ଇଲାକା ସମ୍ପର୍କରେ ପ୍ରକାଶ କରିବାପାଇଁ ପ୍ରଚେଷ୍ଟା ନିଜର ରୂପ ଦେବା ପାଇଁ ଏକ ସୃଷ୍ଟିଶୀଳ ଯନ୍ତ୍ରଣା । ଏହା କେବଳ ମାଧ୍ୟମ ପାଖରେ ସୀମିତ ନୁହେଁ, ଏହା ମଧ୍ୟ ନିଜ ମନ, ଓ ଦୃଷ୍ଟିକୋଣକୁ ବ୍ୟାପ୍ତ । ଅନୁଭବର ନୂଆ ନୂଆ ଇଲାକା ଖୋଜିବା ସଙ୍ଗେ ସଙ୍ଗେ ସେ ଇଲାକାର ନିଜସ୍ୱତାକୁ ପ୍ରକାଶ କରିବା ପାଇଁ ଭାଷାର ନୂଆ ବ୍ୟବହାର ଖୋଜିବାରେ ଏହି ବ୍ୟାକୁଳତା ବ୍ୟାପ୍ତ । ଏଥିପାଇଁ କବିମାନେ ଶବ୍ଦର ମଞ୍ଜ ଭିତରକୁ ପଶିବାକୁ ଚେଷ୍ଟା କରନ୍ତି । ତା’ ଭିତରେ ଛପିଥିବା ସବୁ ନୀରବତାକୁ ପ୍ରଗଲ୍‌ଭ କରିବାକୁ ଚେଷ୍ଟା କରନ୍ତି । ଏହି ଚେଷ୍ଟା ହିଁ ତ ପରୀକ୍ଷା ।

ତେଣୁ ପରୀକ୍ଷା ସୃଷ୍ଟିର ଅନ୍ୟ ଏକ ନାମ । ଏହା ସୃଷ୍ଟିଶୀଳତା । ଏହା ଶିଳ୍ପୀର ନିଜ ପ୍ରତି ପୁଣି ତା’ ମାଧ୍ୟମ ପ୍ରତି ସଚେତନାର ଦ୍ୟୋତକ । ଏହା ନିଜ ମାଧ୍ୟମର ଅସମ୍ପୂର୍ଣ୍ଣତା ଉପରେ ସନ୍ଦେହରୁ ଜନ୍ମ ନେଉଥିବାରୁ ଶିଳ୍ପୀ ନିଜ ମାଧ୍ୟମକୁ, ସାହିତ୍ୟ କ୍ଷେତ୍ରରେ ଭାଷାର ସୌଷ୍ଠବକୁ ନିଜ ଇଚ୍ଛାମତେ ଭାଙ୍ଗି ନିଜ ଭାବରେ ଗଢ଼ିବାକୁ ଚେଷ୍ଟା କରିଥାଏ । ଏହି ଭାଙ୍ଗି ଗଢ଼ିବାଟା ହିଁ ତ ପରୀକ୍ଷା-। ଯେତେବେଳେ ଏହି ଭଙ୍ଗାଗଢ଼ା ସତ୍ୟ ପାଇଁ ନ ହୋଇ କେବଳ ନୂଆ ପାଇଁ ନିୟୋଜିତ ହୁଏ ପରୀକ୍ଷା ଫେସନରେ ପରିଣତ ହୁଏ । ସାହିତ୍ୟରେ ଦେଖାଦିଏ ପ୍ରାଣହୀନ ପାଣ୍ଡିତ୍ୟ । ସାହିତ୍ୟ ହୁଏ ବା ଗାଡ଼ମ୍ୱରର ଅନ୍ୟ ନାମ । ମାତ୍ର ଏହା ଯେତେବେଳେ ସତ୍ୟକୁ ପ୍ରକାଶ କରିବାର ଜ୍ୱଳନରୁ ଜନ୍ମନିଏ ସେତେବେଳେ ଏହା ସୃଷ୍ଟିକରେ ବିପ୍ଳବ ।

ପରୀକ୍ଷାରେ ଅପୂର୍ଣ୍ଣତା ବୋଧ ହିଁ ବଡ଼ କଥା । ଏହି ଅପୂର୍ଣ୍ଣତା-ବୋଧର ବ୍ୟାପ୍ତି ବଡ଼ ଗଭୀର । ଗୋଟିଏ ଶିଳ୍ପୀର ଅପୂର୍ଣ୍ଣତା ବୋଧ କେବଳ ବର୍ତ୍ତମାନର ବର୍ତ୍ତମାନତା ଭିତରେ ଆବଦ୍ଧ ହୋଇ ରହିପାରେନା । କାରଣ ଜଣେ ଶିଳ୍ପୀ ନିଜ ବର୍ତ୍ତମାନ ଭିତରେ ରହି ମଧ୍ୟ ତା’ର ଐତିହ୍ୟକୁ ଗ୍ରହଣ କରିଥାଏ । ତେଣୁ ଜଣେ ଶିଳ୍ପୀ ଐତିହ୍ୟଠାରୁ ବିଚ୍ଛିନ୍ନ ବର୍ତ୍ତମାନ ସୀମିତ ଏକକଟିଏ ନୁହେଁ । ଏ ଐତିହ୍ୟ ଏବଂ ବର୍ତ୍ତମାନର ଏକ ସମନ୍ୱୟ । ତେଣୁ ଗୋଟିଏ ଶିଳ୍ପୀର ଅଭାବ ବୋଧ ଗୋଟିଏ ସମୟ ଖଣ୍ଡ ଭିତରେ ସଂସ୍କୃତି ଦଗ୍‍ଧ ଏକ ଅହଂ ଚେତନାର ପ୍ରକାଶ । ତେଣୁ ପରୀକ୍ଷା ପରମ୍ପରାର ତ୍ୟାଗ ନୁହେଁ । ତା’ର ରୁପାନ୍ତର । ପରମ୍ପରାଠାରୁ ପଳାୟନ ନୁହେଁ, ନୂଆ ପରିପ୍ରେକ୍ଷୀରେ ପରମ୍ପରାକୁ ନିଜସ୍ୱ ଭାବେ ନିଜସ୍ୱୀକରଣ । ଏହି ନିଜସ୍ୱୀକରଣରେ ଥାଏ ଶିଳ୍ପୀର ବର୍ତ୍ତମାନ ଚେତନା, ଐତିହ୍ୟ ବୋଧ, ଅହଂବୋଧ ପୁଣି ସମାଜ ବୋଧ । ନିଜସ୍ୱ ସ୍ୱାଧୀନତା ପରମ୍ପରାଠାରେ ଦାୟାଦବୋଧ । ତେଣୁ ସଫଳ ପରୀକ୍ଷା ହୁଏ ଐତିହ୍ୟର ପରିସର ମଧ୍ୟରେ ନୂତନତାକୁ ଗ୍ରହଣ କରି-। ଯେମିତି ଏଲିଅଟ୍‌ଙ୍କ ପରୀକ୍ଷା ନୂତନତାର ସ୍ୱାଦୁ ଦେଲା ସପ୍ତଦଶ ଶତାବ୍ଦୀର ମେଟାଫିଜିକାଲ୍‌ କବିତାର ଐତିହ୍ୟକୁ ଗ୍ରହଣ କରି । ସେ ପରମ୍ପରାକୁ ନିଜ ଯୁଗର ପରିପ୍ରେକ୍ଷୀରେ ଆଉଟିକିଏ ରୂପାନ୍ତରିତ କରି । ଠିକ୍‌ ଏହିପରି ଆମ ଓଡ଼ିଆ କବିତାରେ ଆଧୁନିକ ଯୁଗରେ ଯେଉଁ ପରିବର୍ତ୍ତନ ଆସିଲା ତା’ ପାଶ୍ଚାତ୍ୟ ଆଙ୍ଗିକ ଓ ଚେତନାକୁ ଅନୁକରଣ କରି ଯେତେ ନୁହେଁ ଆମ ପରମ୍ପରାକୁ ଆଧୁନିକ ଚେତନାର ଦ୍ୱାରା ରୂପାନ୍ତରିତ କରି । ଆମ ଭାଗବତ ବୋଧ ପୁଣି ପରମ୍ପରାରେ ଝଂକୃତ ହୋଇଥିବା ଦୁଃଖବାଦର ଗଭୀରତାକୁ ଆଜିର ଦୁଃଖ ସହ ସାମିଲ୍‌ କରି ପୁଣି ସାରଳା ଦାସଙ୍କ ଦାଣ୍ଡିବୃତ୍ତର ଅନ୍ତର୍ନିହିତ ସମ୍ଭାବନାକୁ ଅନୁଭବ କରି ଚେତନା ସୃଷ୍ଟି ହୋଇଛି । ଯେତେପର୍ଯ୍ୟନ୍ତ ଏ ସମନ୍ୱୟ ଆମ ପରୀକ୍ଷାରେ ଆସିନଥିଲା ସେତେବେଳ ପର୍ଯ୍ୟନ୍ତ ଆଧୁନିକତା ଅନ୍ଧ ପାଶ୍ଚାତ୍ୟତା ଥିଲା, ପରୀକ୍ଷା ଅନୁକରଣ ହିଁ ଥିଲା । ମାତ୍ର ପରମ୍ପରା ଓ ବର୍ତ୍ତମାନର ସମନ୍ୱୟରେ ହିଁ ଜନ୍ମନେଲା ଆମ ସାହିତ୍ୟର ପ୍ରକୃତ ଆଧୁନିକତା । ଏହି ସମନ୍ୱୟ ଚେତନା ଏବଂ ଆଙ୍ଗିକର ପରିବର୍ତ୍ତନ ଆଣିଛି-। ଏହାହିଁ ପ୍ରକୃତ ବିପ୍ଳବ, ପ୍ରକୃତ ପରୀକ୍ଷା । ନୂଆ ଆଉ ପୁରୁଣାର ସଚେତନ ସମନ୍ୱୟ ହିଁ ପ୍ରକୃତ ପରୀକ୍ଷା । ସଚ୍ଚିବାବୁଙ୍କ କବିତା ଏହି ପରୀକ୍ଷାରେ ଏକ କ୍ରମ ଇତିହାସ । ପ୍ରଥମ ସ୍ତରରେ ନୂତନତାର ଅନୁକରଣ ହୋଇ ପଛକୁ ସମନ୍ୱୟରେ ପରିଣତ ହୋଇଛି-। ଯୁଗର ଦାବି ଭିତରୁ ନିଜସ୍ୱ ଏକକର ନିରୋଳା ସ୍ୱର ଫୁଟିଉଠିଛି । ଯେଉଁଠି ଏହା ସମ୍ଭବ ହୋଇଛି କବିତା ହୋଇପାରିଛି ଅନବଦ୍ୟ, ଅନ୍ୟକ୍ଷେତ୍ରରେ ନୂତନର ଶିହରଣ । ଏହି ପରିପ୍ରେକ୍ଷୀରେ ତାଙ୍କର ‘ଦର୍ପଣ’ ଶୀର୍ଷକ କବିତାଟି ନିଆଯାଇପାରେ । ଏଠାରେ ଆଙ୍ଗିକ ଓ ଅନୁମତିର ସମନ୍ୱୟ ପାଇଁ ବାହ୍ୟତା ଉପରେ ଗୁରୁତ୍ୱ ଦିଆଯାଇଛି ପୁଣି ଏ ଗୁରୁତ୍ୱରେ ଏୈତିହ୍ୟ ସହ ସମନ୍ୱୟର ଏକାନ୍ତ ଅଭାବ । ଫଳରେ ଏହା କେବଳ ଆଙ୍ଗିକ ପ୍ରଧାନ ନୀରସ ଚିନ୍ତାର ପ୍ରକାଶ ହୋଇଯାଇଛି, ସଚ୍ଚିବାବୁଙ୍କ ‘‘ପାଣ୍ଡୁଲିପି’’ରେ ଯେଉଁ ଯୁଗ ଏବଂ ଆଙ୍ଗିକ ଚେତନା କେବଳ ତା’ର ନୂତନତା ପାଇଁ ଅନୁସୃତ ହୋଇଥିଲା । ତେଣୁ ଏଠାରେ ଅନେକ କବିତା କେବଳ ଅନୁସରଣ ସ୍ତରରେ ରହିଯାଇଥିଲେ ହେଁ ପରବର୍ତ୍ତୀ କବିତା ଗ୍ରନ୍ଥରେ ଏହା ଅପୂର୍ବ ସମନ୍ୱୟରେ ପରିଣତ ହୋଇଛି । ଆଧୁନିକ ଚେତନା ଐତିହ୍ୟ ବୋଧ ସହ ମିଶିପାରିଛି । ଗୁରୁପ୍ରସାଦଙ୍କ କବିତାରେ ମଧ୍ୟ ଏହି ଚେତନା । ତାଙ୍କର ପରୀକ୍ଷା ହୋଇଛି ଐତିହ୍ୟ ସହ ଆଧୁନିକର । ଯୁଗ ସହ ବ୍ୟକ୍ତିର । ଏଲିଅଟ୍‌ଙ୍କ ପରମ୍ପରା ଭାରତୀୟ ହେବାକୁ ଚେଷ୍ଟା କରିଛି । ‘କାଳପୁରୁଷ’ ଓ୍ୱେଷ୍ଟଲେଣ୍ଡ୍‌ର ନକଲ ନୁହେଁ । ଓ୍ୱେଷ୍ଟଲେଣ୍ଡର ଛାଞ୍ଚ ଭିତରେ ଆମ ଚେତନା ଗୁମରିଉଠିଛି । ଲଣ୍ଡନ ପୋଲ ସ୍ଥାନରେ ରାଣୀହାଟ୍‌ ପୋଲ ଦେଖାଦେଲେ ମଧ୍ୟ ଚରିତ୍ର ଗୁଡ଼ିକରେ ଯେଉଁ ଯନ୍ତ୍ରଣାବୋଧ, ପାପବୋଧ ଫୁଟିଉଠିଛି ତା’ ଏଲିଅଟୀୟ ନୁହେଁ ଗୁରୁପ୍ରସାଦୀୟ-ଭାରତୀୟ । ଏହି ସମନ୍ୱୟ ସବୁଠାରୁ ବଳିଷ୍ଠ ହୋଇଛି ତାଙ୍କର ସନେଟ୍‌ ଗୁଡ଼ିକରେ । ରମାକାନ୍ତ ଓ ସୀତାକାନ୍ତ କବିତାରେ ସମନ୍ୱୟ ଚେତନାରେ ଆସିଛି । ସେମାନଙ୍କ ପାଖରେ ଓଡ଼ିଆ ଏବଂ ଭାରତୀୟ ଐତିହ୍ୟ ଆଧୁନିକତା ଅନୁଭୂତି ସହ ଏକାକାର ହୋଇଛି । ପୁରାତନ କବି ଓ ଲେଖକ ସେମାନଙ୍କ ଆଦର୍ଶରେ ଆଧୁନିକ ଶିଳ୍ପୀଙ୍କ ସହ ମିଶିଯାଇଛି । ରମାକାନ୍ତଙ୍କ ପାଖରେ ଭୀମ ଭୋଇ, ଭକ୍ତଚରଣଙ୍କ ଚେତନା ମିଶିଯାଇଛି । ଫଳରେ କବିଙ୍କ ମୃତ୍ୟୁ ଚେତନା ନିଜସ୍ୱ ଭାବେ, ନିଜସ୍ୱ ଶୈଳୀରେ ରୂପ ପାଇଛି ସଚ୍ଚିବାବୁଙ୍କ ଗଦ୍ୟ ଛନ୍ଦ ପାଖରୁ ତାଙ୍କ ଛନ୍ଦ ଆହୁରି ନିଜସ୍ୱ । ଏ ଛନ୍ଦରେ ସମନ୍ୱୟ ଆହୁରି ଗଭୀର । ସେହିପରି ସୀତାକାନ୍ତଙ୍କ ଆଧୁନିକତାରେ ଏହି ସଂସ୍କୃତି ଚେତନା ବେଶ୍‌ ଗଭୀର । ତାଙ୍କ ‘ଅଷ୍ଟପଦୀ’ର କବିତା ଗୁଡ଼ିକରେ ପୁରାଣର ବ୍ୟବହାର ଆଜିର ଯନ୍ତ୍ରଣାର ପ୍ରତୀକ ହୋଇପାରିଛି । ସେହିପରି ପରବର୍ତ୍ତୀ କବିତାରେ ତାଙ୍କର ସଚେତନ କବି ମାନସ ଏକ ବିରାଟ ଚିତ୍ରପଟ ଭିତରେ ନିଜକୁ ପ୍ରକାଶ କରିଚାଲିଛି, ଆକାଶ, ସମୁଦ୍ର, ନଦୀ ସବୁ ବିଭିନ୍ନ ଅର୍ଥରେ ଗରୀୟାନ ହୋଇପାରିଛି । ପାଶ୍ଚାତ୍ୟ ଆଉ ପ୍ରାଚ୍ୟର ଚିନ୍ତାଧାରା ଏକାକାର ହୋଇପାରିଛି । ତେଣୁ ଆଧୁନିକ କବିତାରେ ପରୀକ୍ଷାର ଧାରା ଅନୁକରଣରୁ ଆରମ୍ଭ ହୋଇ ନିଜସ୍ୱୀକରଣ ଆଡ଼କୁ ଧାବିତ-। ସଚ୍ଚିବାବୁଙ୍କ କବିତା ଏହି ଦୁଇ ବିନ୍ଦୁର ଏକ ସଫଳ ପ୍ରକାଶ । ଯା’ ସଚ୍ଚିବାବୁଙ୍କ କବିତାରେ ଘଟିଛି ଓଡ଼ିଆ କବିତା ଧାରାରେ ମଧ୍ୟ ତାହାହିଁ ଘଟିଛି । ସଚ୍ଚିବାବୁଙ୍କଠାରୁ ଆରମ୍ଭ କରି ଆଜିର ମମତା ଦାଶଙ୍କ ପର୍ଯ୍ୟନ୍ତ ଏଇ ନିଜସ୍ୱୀକରଣର ଇତିହାସ । ନିଜ ପାଖରେ, ଯୁଗ ପାଖରେ, କଳା ପାଖରେ ସତ୍ୟଶୀଳ ହେବାର ପ୍ରୟାସ । ଏଥିପାଇଁ କେତେ ପରୀକ୍ଷା । ସୌଭାଗ୍ୟ ମିଶ୍ର, ଦୀପକ ମିଶ୍ରଙ୍କ କବିତାରେ ବିଭିନ୍ନତା ଏହାର ଉଦାହରଣ ।

ଏହି ପରିପ୍ରେକ୍ଷୀରେ ନାଟକରେ ପରୀକ୍ଷା କଥା କୁହାଯାଇପାରେ । ଆମେରିକାରେ ଯେତେବେଳେ ଆଲିବି ତାଙ୍କ ନାଟକ ଆରମ୍ଭ କଲେ ସେତେବେଳେ ସେଠାରେ ଓ’ନିଲ୍‌ ଟେନିସି ଉଇଲିଅମ୍‌, ମିଲାର ଆଦିଙ୍କ ପରମ୍ପରା ବେଶ୍‌ ପ୍ରତିଷ୍ଠା ଲାଭ କରିଥିଲା । ନାଟକର ସମ୍ପୂର୍ଣ୍ଣତା ଭିତରେ, ଦ୍ୱନ୍ଦ୍ୱ ଜରିଆରେ ଜୀବନର ଏକ ପୂର୍ଣ୍ଣାଙ୍ଗ ରୂପ ଦେବାର ଏ ପରମ୍ପରାର ଲକ୍ଷ୍ୟ ଥିଲା । ମାତ୍ର ଆଲିବିଙ୍କ ନାଟକ ଏ ପରମ୍ପରାକୁ ଭାଙ୍ଗିଦେଲା । ତାଙ୍କର ଚରିତ୍ର ଗୁଡ଼ିକ ମଣିଷର ପାରମ୍ପରିକ ସତ୍ତାର ଏକ ଧ୍ରୁପଦୀ ରୂପ ପ୍ରକାଶ ନ କରି ଗୋଟିଏ ଗୋଟିଏ ଧାରଣାର ପ୍ରତୀକ ହୋଇଉଠି ଜୀବନର ଉଦ୍‌ଭଟତାକୁ ସୂଚାଇଦେଲା । ତେଣୁ ଏପରି ପରୀକ୍ଷାରେ ଜୀବନକୁ ଦେଖିବାରେ ଗୋଟିଏ ନୂଆ ଦୃଷ୍ଟିକୋଣ ଫିଟିଗଲା । ମଣିଷର ଧ୍ରୁପଦୀ ସତ୍ତା ଦୋହଲିଯାଇ ଏକ ଉଦ୍‌ଭଟ ସତ୍ତା ବର୍ତ୍ତମାନର ପରିସ୍ଥିତିରେ ଏକ ସତ୍ୟ ଉଦ୍‌ଘାଟନ କଲା । ଏହିଠାରେ ହିଁ ପରୀକ୍ଷାର ସଫଳତା । ଏହା ଅନୁଭୂତିରୁ ଜନ୍ମନେଇ ରୂପ ପାଏ । ବେକେଟ ଆୟୋନେସ୍‌କୋ ନାଟକ ଏହାରି ପ୍ରତୀକ । ଏପରି ପରୀକ୍ଷା ଆମ ଚେତନାକୁ ଟିକିଏ ଅଧିକ ଧାରୁଆ କରିଦିଏ । ସାହିତ୍ୟରେ ଦେଖାଦିଏ ନୂତନ ପରୀକ୍ଷା । ଏହା ଅନୁଭବର ଗଭୀରତା ଏବଂ ପାରମ୍ପରିକ ମାଧ୍ୟମରେ ଅସଫଳତାବୋଧରୁ ଜନ୍ମନେଇ ଆଣିଦିଏ ନୂଆ ମୋଡ଼ । ଏପରି ପରୀକ୍ଷା କେବେ ବାହ୍ୟ ହୋଇପାରେନା ଏହାର ଚେର ବଞ୍ଚିବାର ଗଭୀର ସ୍ତରକୁ ଛୁଇଁଥିବା ଉଚିତ୍‌ । ନହେଲେ ପରୀକ୍ଷା କେବଳ ଫେସନ ହୋଇଯାଏ । ତେଣୁ ପରୀକ୍ଷାର ମୂଳ ଅନୁଭୂତିର ଗଭୀରତା ଆଉ ପ୍ରକାଶ କରିବାର ଆନ୍ତରିକତା । ଏପରି ଏପରି ଅନୁଭବରୁ ଜାତ ପରୀକ୍ଷା ହିଁ ପ୍ରକୃତ କଳା । ଏହା ଭବିଷ୍ୟତକୁ ଆଶା ରଖେନା । ନିଜ ମୂଲ୍ୟବୋଧ ବର୍ତ୍ତମାନ ଓ ଐତିହ୍ୟ ଦ୍ୱାରା ପୁଷ୍ଟ ହୋଇ ଏହା ଜନ୍ମ ନେଇଥାଏ । ଆଧୁନିକ କବିତା ଯେଉଁ ସ୍ତର ଦେଇ ଗତି କରିଥିଲା ଆଧୁନିକ ନାଟକ ମଧ୍ୟ ସେଇ ସ୍ତର ଦେଇ ଗତି କରିଛି । ମନୋରଞ୍ଜନ ଦାସ ଓ ବିଜୟ ମିଶ୍ରଙ୍କ, କାର୍ତ୍ତିକ ରଥ ନାଟକ ଏହି ଚିରାଚରିତତା ବିରୁଦ୍ଧରେ ସ୍ୱର ତୋଳି ଜୀବନର ନୂଆ ରୂପ ଆଙ୍କିବାରେ ଆଶାୟୀ । ଏହା ଯେତେବେଳେ ବର୍ତ୍ତମାନର ବ୍ୟକ୍ତିଗତ ଅନୁଭୂତି ଓ ଐତିହ୍ୟ ସହ ସମନ୍ୱୟ ଆଣି ଏକକ ଚେତନାକୁ ପ୍ରକାଶ କରିଛି ସେତେବେଳେ ସୃଷ୍ଟି ହୋଇଛି ‘ତଟ ନିରଞ୍ଜନା’ ବା ‘ଅରଣ୍ୟ ଫସଲ’ ।

ପରୀକ୍ଷା ତେଣୁ ସବୁବେଳେ ଜୀବନ ସହିତ ଜଡ଼ିତ । ଜୀବନ ସହ ଏକକ ଏବଂ ସାର୍ବଜନୀନ ସମ୍ପର୍କରୁ ଏହା ଜନ୍ମଲାଭ କରିଥାଏ । ଯେତେବେଳେ ପରୀକ୍ଷା ଜୀବନ ପାଖରୁ ସମ୍ପର୍କ ତୁଟାଇଦିଏ ଏହା କେବଳ ଯାନ୍ତ୍ରିକତାରେ ପରିଣତ ହୋଇଥାଏ । ଏହି ଜୀବନ ପାଇଁ ଏହା କେତେବେଳେ ଆଙ୍ଗିକ ଉପରେ ଗୁରୁତ୍ୱ ଦେଇଥାଏ ଯଥା ହପ୍‌କିନ୍‌ସଙ୍କ କବିତା ପୁଣି କେତେବେଳେ ଆଙ୍ଗିକରୁ, ସବୁପ୍ରକାର ମୁକ୍ତିଲାଭ କରିବାକୁ ଚେଷ୍ଟା କରେ ଯଥା ଲରେନ୍‌ସଙ୍କ କବିତା । କିନ୍ତୁ କବିତା ସବୁବେଳେ ଫଳପ୍ରସୁ ହୁଏ ଯେତେବେଳେ ଜୀବନାଭୂତିର ସତ୍ୟଶୀଳ ପ୍ରକାଶ ପାଇଁ ପ୍ରୟାସୀ ହୋଇଉଠେ । ଏହି ଦୃଷ୍ଟିରେ ବିଂଶ ଶତାବ୍ଦୀ ବୋଧହୁଏ ସବୁଠାରୁ ଅଧିକ ପରୀକ୍ଷାବହୁଳ ଶତାବ୍ଦୀ । କଳାର ବିଭିନ୍ନ କ୍ଷେତ୍ରରେ ଯଥା; ଚିତ୍ର-ଶିଳ୍ପ, ସଙ୍ଗୀତ, ସାହିତ୍ୟ ପ୍ରଭୃତିରେ ପ୍ରଭୁତ ପରୀକ୍ଷା ଦେଖାଦେଇଛି । ସାହିତ୍ୟରେ ଦେଖାଦେଇଛି ଡାଡ଼ାଇଜିମ୍‌, ସାରଏଲିଏଜିମ୍‌, ଇତ୍ୟାଦି । କାରଣ ବିଂଶ ଶତାବ୍ଦୀରେ ଜୀବନର ଜଟିଳତା ଏବଂ ସଦା ପରିବର୍ତ୍ତନଶୀଳ ଜୀବନକୁ ଜ୍ଞାନର ବିଭିନ୍ନ ଦିଗନ୍ତ ଦ୍ୱାରା ଋଦ୍ଧିମନ୍ତ ହୋଇ ପ୍ରକାଶ କରିବାର ଯେଉଁ ଅନ୍ୱେଷା ତା’ରି ପରିଣାମ ହେଉଛି ଆଧୁନିକ ଯୁଗର ଏହି ଜୀବନକୁ ପ୍ରକାଶ କରିବାକୁ ଯାଇ ଜେମସ୍‌ ଜୟେସଙ୍କ ଇଉଲିସିସ୍‌, ଭାରଜିନିଆ ଉଲଫ୍‌ଙ୍କ ଉପନ୍ୟାସ ପୁଣି ଏଲିଅଟ୍‌ଙ୍କ କବିତା ପୁଣି ଉଦ୍‌ଭଟ ନାଟକ ।

ପ୍ରକାଶ କରିବାର ଏ ଅନ୍ୱେଷା ପଛରେ ରହିଛି ବଞ୍ଚିବାର ଅନୁଭୂତି, ପୁଣି ଜୀବନ ପ୍ରତି, ଆମ ବିଶ୍ୱ ପ୍ରତି ଆମ ପରିବର୍ତ୍ତିତ ଦୃଷ୍ଟିକୋଣ । ଆମର କାଳ-ଚେତନା ମଧ୍ୟ ଏଥିପାଇଁ ଦାୟୀ । ଏହିସବୁ ଦାର୍ଶନିକ ତତ୍ତ୍ୱ, ବୈଜ୍ଞାନିକ ଉଦ୍‌ଭାବନ ଆମ ଚେତନା ଉପରେ ପ୍ରଚଣ୍ଡ ପ୍ରଭାବ ପକାଉଛନ୍ତି । ସେଇ ପ୍ରଭାବର ଛନ୍ଦ ଦେଖାଦିଏ କଳାର ପରୀକ୍ଷା କ୍ଷେତ୍ରରେ । ସାମାଜିକ ଜୀବନ ପରିବର୍ତ୍ତେ ମଣିଷର ମନ ହୋଇଉଠେ ମୁଖ୍ୟ ବିଷୟବସ୍ତୁ । ଘଟଣାର ପ୍ରବହମାନତା ହଜିଯାଏ । ଭାଷାରୁ ବ୍ୟାକରଣ ଉଠିଯାଏ । ସାହିତ୍ୟ ହୋଇଉଠେ ଆମ ବିକଟ ବଞ୍ଚିବାର ଛବି । ତା’ ଅର୍ଥହୀନତାର ଅନୁଭବୀ ନିର୍ଯ୍ୟାସ । ତେଣୁ ପରୀକ୍ଷା ବିଳାସ ନୁହେଁ, ଏ ନିଷ୍ଠୁର ପ୍ରୟୋଜନୀୟତା । ପୂର୍ବରୁ କହିଥିବା ପରୀକ୍ଷାର ଦ୍ୱିବିଧ ଧାରା ପରସ୍ପର ଅଙ୍ଗାଙ୍ଗୀ । ବ୍ୟକ୍ତିଯନ୍ତ୍ରଣା ଅନେକ ସମୟରେ ଯୁଗଯନ୍ତ୍ରଣାରେ ପରିଣତ ହୋଇଥାଏ କିମ୍ୱା ଯୁଗଯନ୍ତ୍ରଣା ବ୍ୟକ୍ତିଗତ ସ୍ତରରେ ପ୍ରକାଶିତ ହୋଇଥାଏ-। ଅନେକ ପରୀକ୍ଷା ଏହି ବ୍ୟକ୍ତିଗତ ସ୍ତରରେ ହିଁ ଆରମ୍ଭ ହୋଇଥାଏ । ଏଲିଏଟ୍‌ଙ୍କ ‘ନିଷ୍ଠୁର ଏପ୍ରିଲ’ର ସୂଚନା ଯୁଗଯନ୍ତ୍ରଣାର ସ୍ୱର ତୋଳିଥାଏ । ମାତ୍ର କବିଙ୍କ ବ୍ୟକ୍ତିଗତ ମତ ପଢ଼ିଲେ ଜଣାଯାଏ ଯେ ଏହା ତାଙ୍କ ବ୍ୟକ୍ତିଗତ ଜୀବନର ଦୁଃଖ, ସମ୍ପର୍କର ନିଷ୍ଠୁରତାକୁ ପ୍ରକାଶ କରିବାକୁ ବ୍ୟାକୁଳ ହୋଇଉଠିଥିଲା । ରିଚାର୍ଡ଼ ଏଲ୍‌ମେନ୍‌ଙ୍କ ଏଲିଏଟ୍‌ଙ୍କ ସମ୍ପର୍କରେ ସଦ୍ୟତମ ଲେଖା ‘‘The first. Waste land’’ରୁ ଜଣାଯାଏ ଯେ କବିଙ୍କର ଏ ପଂକ୍ତି ତାଙ୍କ ବ୍ୟକ୍ତିଗତ ଯନ୍ତ୍ରଣାର ଏକାନ୍ତ ପ୍ରକାଶ । ତାଙ୍କ ଭାଷାରେ ‘‘To me it was only the relief of a personal and wholly insignificant grouse against life. It is just a piece of rhythmical grumbling.’’ ମାତ୍ର ନୂତନ ଆଙ୍ଗିକ ଏବଂ ଅନୁଭୂତିର ବ୍ୟାପକତାର ସଂଯୋଗ ଫଳରେ ଏହି ବ୍ୟକ୍ତିଗତ ଅନୁଭୂତି ସାର୍ବଜନୀନ ସ୍ତରକୁ ଉନ୍ମୀତ ହୋଇପାରିଛି । ବ୍ୟକ୍ତିଗତ ଆବେଗ ଅବୈକ୍ତିକ ସ୍ତରକୁ ସଞ୍ଚରିଯାଇଛି ।

ଅନ୍ୟଦିଗରେ ଯେଉଁଠି ଉପଲବ୍‌ଧିର ଉଷ୍ଣତା ଅଭାବ ରହି ଜୀବନକୁ କେବଳ ପ୍ରାଜ୍ଞିକ ସ୍ତରରେ ଅନୁଶୀଳନ କରିବାର ଚେଷ୍ଟା ହୋଇଛି ସେଠାରେ ଦର୍ଶନ ଆସିଛି, ଆଙ୍ଗିକରେ ଚମକ ଆସିଛି; ମାତ୍ର ସାହିତ୍ୟରୁ ପ୍ରାଣ କମିଯାଇଛି । ଲେଖା ଶୈଳୀ-ସର୍ବସ୍ୱ ହୋଇଯାଇଛି । କାଳର ପଦପାତରେ ସେଥିରେ ପ୍ରଥମେ ଜାତ ହୋଇଥିବା ଚମକ ହଜିଯାଇ ନିରସ ପରୀକ୍ଷାର କଙ୍କାଳ ମାତ୍ର ରହିଯାଇଛି । ସାହିତ୍ୟର ଇତିହାସରେ ହୁଏତ ଏହାର ଗୁରୁତ୍ୱ ରହିପାରେ, ମାତ୍ର କାଳର ପରୀକ୍ଷାରେ ରସୋତ୍ତୀର୍ଣ୍ଣ ହୋଇପାରେନା । ଇ. ଇ. କାମିଂସ୍‌ଙ୍କ ଅନେକ କବିତାରେ ଏହି ଧରଣର ପରୀକ୍ଷା ହେଲାପରି ମୋର ବ୍ୟକ୍ତିଗତ ମତ । ଆମ ଓଡ଼ିଆ କବିତା ଏବଂ ସାଂପ୍ରତିକ ଅନେକ କ୍ଷୁଦ୍ର ଗଳ୍ପରେ ଏଇ ଧରଣର ଅନେକ ପରୀକ୍ଷା ଦେଖିବାକୁ ମିଳିଥାଏ ।

ଅନୁଭୂତିର ଅନନ୍ୟତା ସହ ପାରମ୍ପରିକ ଧାରାର ସଂଘର୍ଷରୁ ହିଁ ଜନ୍ମନିଏ ପରୀକ୍ଷା । କଳା ବା ସାହିତ୍ୟରେ ଏପରି ପରୀକ୍ଷା ଏକ ଜୀବନ୍ତ ଧାରା । ଏହା ଏକ ସୃଷ୍ଟିଶୀଳ ଯନ୍ତ୍ରଣା । ଏହା କେତେବେଳେ ସଫଳ ହୁଏ ପୁଣି କେତେବେଳେ ବିଫଳ ହୋଇଥାଏ ମାତ୍ର ଏହାର ସାର୍ଥକତା ଶିଳ୍ପୀର ଯନ୍ତ୍ରଣାଘନ ବ୍ୟାକୁଳତା ଉପରେ ହିଁ ନିର୍ଭର କରିଥାଏ । ଶିଳ୍ପୀର ସଚେତନ ଅହଂ ପୁଣି ତା’ର ଅବଚେତନ ମନଉପରେ ନିର୍ଭର କରିଥାଏ । କୌଣସି ସାହିତ୍ୟ ଶୂନ୍ୟରୁ ଜନ୍ମନିଏ ନାହିଁ । ପ୍ରତ୍ୟେକ ଶିଳ୍ପୀ ତା’ ପୂର୍ବସୁରି ମାନଙ୍କର ସୃଷ୍ଟିର ସ୍ମୃତିକୁ ବହନ କରିଥାନ୍ତି । ପ୍ରତ୍ୟେକ ପରୀକ୍ଷା ତେଣୁ ଏହି ଐତିହ୍ୟକୁ ବର୍ତ୍ତମାନର ପରିପ୍ରେକ୍ଷୀରେ ନୂଆ କରି ବ୍ୟକ୍ତିଗତ ଭାବରେ ସଜାଡ଼ିବାର ଧାରା । ପ୍ରତ୍ୟେକ ଶିଳ୍ପୀ ଯେମିତି ଚିରନ୍ତନ ସୃଷ୍ଟିଶୀଳ ରିଲେ-ଦୌଡ଼ରେ ଜଣେ ଜଣେ ପାଖରୁ ଦୌଡ଼ାଳୀ । ଅତୀତ ପାଇଥିବା ସ୍ମୃତିକୁ ଭବିଷ୍ୟତକୁ ଧରାଇଦେବା ସାହିତ୍ୟ ଏହି ଦୌଡ଼ ଆଉ ପରୀକ୍ଷା । ଏହି ଦୌଡ଼ର ଗୋଟିଏ ଦୌଡ଼ାଳୀର ନିଜ ସମୟଖଣ୍ଡ ଭିତରେ ଦୌଡ଼ିବାର ଧାରା । ଏହି ଐତିହ୍ୟବୋଧ ପୁଣି ଅହଂ ଚେତନା ବିନା ପରୀକ୍ଷା ଅନୁକରଣରେ ପରିଣତ ହୁଏ । ଅନୁକରଣ ବଞ୍ଚିପାରେନା କିମ୍ୱା ସାହିତ୍ୟର ମୋଡ଼ ବଦଳାଇପାରେନା । ବାଲି ଭିତରେ କ୍ଷୀଣ ଜଳ ଧାରଟିଏ ପରି ଶୁଖିଯାଏ ବା ରାତିରେ ହାବେଳି ପରି ଜଳିଉଠି ନିଭିଯାଏ । ମାତ୍ର ଯେତେବେଳେ ଏହା ଜୀବନ ସହ ମିଶିଯାଏ ଏହା ହୋଇଯାଏ କଳ କଳ ଝରଣାଟିଏ । ଗୋଟିଏ ସଫଳ ଶିଳ୍ପୀ ହୁଏତ ପ୍ରଥମ ପର୍ଯ୍ୟାୟରେ କାହାର ଅନୁକରଣ କରିଥା’ନ୍ତି ମାତ୍ର ତା’ର ଗୌରବ ତାକୁ ନିଜର କରିବାରେ । ସୁରେନ୍ଦ୍ର ମହାନ୍ତି, ମନୋଜ ଦାସଙ୍କ ସୃଷ୍ଟିରେ ଏକ ନିଜସ୍ୱ ପରୀକ୍ଷା ଦେଖାଯାଏ । ସୁରେନ୍ଦ୍ର ବାବୁଙ୍କ ଭାଷାର ବ୍ୟବହାର କିମ୍ୱା ମନୋଜ ଦାସଙ୍କ ପଞ୍ଚତନ୍ତ୍ର ଗଳ୍ପର ବ୍ୟବହାର ଅନୁକରଣ ନୁହେଁ ଏହା ତାଙ୍କର ନିଜସ୍ୱ । ମାତ୍ର ପରବର୍ତ୍ତୀ କାଳର ଅନେକ ତରୁଣଙ୍କ ଗଳ୍ପରେ ଦାର୍ଶନିକ ତତ୍ତ୍ୱରୁ ଆଧିକ୍ୟ ଉକୁଟିଉଠେ କିମ୍ୱା ଆଙ୍ଗିକର ଯାନ୍ତ୍ରିକ ପରୀକ୍ଷାରେ ଭାରାକ୍ରାନ୍ତ ହୋଇଉଠେ । ଫଳରେ ଗଳ୍ପ ତା’ର ମୁଖ୍ୟ ଗୁଣ ସୁଖପାଠ୍ୟତାକୁ ଅନେକ ସମୟରେ ହରାଇବସେ । ଏହାର ମୁଖ୍ୟ କାରଣ ଏପରି ପରୀକ୍ଷା ଅନୁଭୂତିର ନହୋଇ, ନିଜସ୍ୱ ଅନ୍ୱେଷାରୁ ଜାତ ନ ହୋଇ, କେବଳ ତା’ର ଚମତ୍କାରିତା ପାଇଁ ହିଁ କରାଇଥାଏ ।

ଆଜି ଆମ ସାଂପ୍ରତିକ ସାହିତ୍ୟରେ ‘ଭିନ୍ନ ଋଚି’ ଏକ ସାଧାରଣ ଶବ୍ଦରେ ପରିଣତ ହୋଇଛି । ମାତ୍ର ଆମେ ଏଇ ଭିନ୍ନତାର ନୂତନତା ସମ୍ପର୍କରେ ସଚେତନ ହୋଇନାହୁଁ । ଯାହା କିଛି ଭିନ୍ନ, ତାକୁ ଆମେ ପରୀକ୍ଷା ବୋଲି ଗ୍ରହଣ କରିନେଉଛୁ । ମାତ୍ର ଏହା ଅନୁକରଣ । ପରୀକ୍ଷାରେ ଅନୁକରଣ ଏକ ଅବିଚ୍ଛେଦ୍ୟ ଅଙ୍ଗ । ମାତ୍ର ଏ ଅନୁକରଣକୁ ନିଜ ଅନୁଭୂତି ସହ ସାମିଲ୍‌ କରିବା ବଡ଼ କଥା । ଏହି ଅନୁକରଣ ପରୀକ୍ଷା ନୁହେଁ ଏହି ସାମିଲ୍‌ କରିପାରିବା ପରୀକ୍ଷା । ସଂସ୍କୃତ ସାହିତ୍ୟର ରୀତିକୁ ଅନୁକରଣ କରି ଭଞ୍ଜ ହୁଏତ ପ୍ରଖ୍ୟାତ ପଣ୍ଡିତ ହୋଇପାରନ୍ତି । ଶବ୍ଦ ସାମ୍ରାଜ୍ୟ ଭିତରେ ତାଙ୍କର ଏକକ ରାଜତ୍ୱକୁ ଅତୁଟ ରଖିପାରନ୍ତି । ମାତ୍ର ଯେତେବେଳେ ଏହି ପାଣ୍ଡିତ୍ୟ ତାଙ୍କ ଓଡ଼ିଆ ଐତିହ୍ୟ ସହ ମିଶି ତାଙ୍କ ଅନୁଭୂତିର ଆବେଗମୟୀ ଝଙ୍କାର ସୃଷ୍ଟି କଲା ସେତେବେଳେ ସେ ହୋଇଛନ୍ତି କବି-ସମ୍ରାଟ । ଆଉ ଏହି ସମନ୍ୱୟ ପାଇଁ ତାଙ୍କ ସୃଷ୍ଟି ସବୁଠାରୁ ବଡ଼ ପରୀକ୍ଷା ।

ଆଜି ଆମର ପରୀକ୍ଷା-ବହୁଳ ଓଡ଼ିଆ ସାହିତ୍ୟରେ ପରୀକ୍ଷା ପ୍ରତି ଏହି ଦୃଷ୍ଟିକୋଣ ଫୁଟିଉଠୁ । ଏକ ସଚେତନ ମନ ନେଇ ଜୀବନ ଓ କଳାର ଏକ ଆବେଗମୟୀ ସମ୍ପର୍କ ସ୍ଥାପନ କରିବାକୁ ଆଜିର ଲେଖକ ଚେଷ୍ଟାକରୁ । ତା’ର ପରୀକ୍ଷା ହେଉ ନିଜ ଅନୁଭୂତି ସହ ନିଜ ମାଧ୍ୟମର । ନିଜ ଅହଂକୁ ଘେରି ରହିଥିବା ଯେତେସବୁ ‘ନାହଂ’ର ସମ୍ପର୍କ ସହ । ତା’ର ଦର୍ଶନ ବଞ୍ଚିବାର ଦହନରୁ ଜନ୍ମନେଉ । କଳା ତା’ର ଏହି ଜୀବନକୁ ସତ୍ୟଶୀଳ ଭାବେ ପ୍ରକାଶ କରିବାକୁ ଚେଷ୍ଟାକରୁ । ସେ ନିଜକୁ ଦେଖୁ, ନିଜ ପରିବେଶକୁ ଦେଖୁ, ଦେଖୁ ପୁଣି ନିଜ ଐତିହ୍ୟକୁ, ପୁଣି ବିଦେଶୀ ଚିନ୍ତାଧାରାକୁ । ତେବେ ତାକୁ ଆଉ ଅସହାୟ ଭାବେ ଅନ୍ୟ ଚିନ୍ତାଧାରା ଉପରେ ନିର୍ଭର କରିବାକୁ ପଡ଼ିବନି । ତା’ର ପରୀକ୍ଷା ହେବ ଏକ ସଚେତନ ଅହଂ ସହ । ପରୀକ୍ଷା ହେବ ସୃଷ୍ଟି । ତା’ର ଖୋଜିବା ହୋଇଯିବ ପ୍ରାପ୍ତି ଏବଂ ପ୍ରାପ୍ତି ଭିତରେ ରହିଯିବ ଖୋଜିବାର କଳାତ୍ମକ ନିକ୍ୱଣ ।

Image

 

ସମାଲୋଚକର ଦାୟିତ୍ୱ

 

ଆମ ସାଂପ୍ରତିକ ସମାଲୋଚନା ସାହିତ୍ୟର ଦୁର୍ବଳତା ବିଷୟରେ ଆଜି ସମସ୍ତେ ସଚେତନ । ମାତ୍ର ଏହାର ଦୁର୍ବଳତା କ’ଣ ଏବଂ ଏପରି ଦୁର୍ବଳତାର ପ୍ରତିକାର କ’ଣ ହୋଇପାରେ ସେ ବିଷୟରେ ଉଦାସୀନତା ମଧ୍ୟ ଅତ୍ୟନ୍ତ ମର୍ମନ୍ତୁଦ । ତେଣୁ ସମାଲୋଚନାର ସମାଲୋଚନା କେବଳ ଏପରି ଏକ ସୀମିତ ମତବ୍ୟକ୍ତ କରି ନିଶ୍ଚିତ । ସୁସ୍ଥ ସମାଲୋଚନାର ଆଭିମୁଖ୍ୟ କ’ଣ ହେବା ଉଚିତ, ପୁଣି ଏପରି ଆଭିମୁଖ୍ୟ ପାଇଁ କେଉଁ ମୂଲ୍ୟବୋଧ ଏବଂ ମାନସିକ ପ୍ରସ୍ତୁତିର ପ୍ରୟୋଜନ ତା’ର ବିଷଦ ଆଲୋଚନା ସାଂପ୍ରତିକ ଆଲୋଚନାର ପରିସରଭୁକ୍ତ ଏବେବି ହୋଇନାହିଁ-। ତେଣୁ ଆଜି ବେଳ ଆସିଛି ସମାଲୋଚନାର ବିଶ୍ଳେଷଣ କରିବା ସଙ୍ଗେ ସଙ୍ଗେ ଉତ୍ତମ ସମାଲୋଚନାର ଉଦାହରଣ ଉପସ୍ଥାପିତ କରିବା । ଏ କ୍ଷୁଦ୍ର ପ୍ରବନ୍ଧର ଉଦ୍ଦେଶ୍ୟ ହେଉଛି ସମାଲୋଚନାର କେତୋଟି ବିଶିଷ୍ଟ ଦିଗଉପରେ ଆଲୋକପାତ କରି ସଫଳ ସମାଲୋଚକର ଦାୟିତ୍ୱ ବିଷୟରେ ସୂଚନା ଦେବା ।

 

ଆମ ସାଂପ୍ରତିକ ସମାଲୋଚନାରେ କେତୋଟି ଅନ୍ଧ ଧାରଣା ବଡ଼ ପୀଡ଼ାଦାୟକ ଭାବରେ ବସା ବାନ୍ଧି ରହିଛି । ଏହି ଧାରଣା ଗୁଡ଼ିକ ଫଳରେ ସାଂପ୍ରତିକ ସମାଲୋଚନା ଏକଂସ୍ୱାଧୀନ, ମୁକ୍ତ ମନ ଏବଂ ଦୃଷ୍ଟିକୋଣରୁ ବଞ୍ଚିତ ହେଉଛନ୍ତି । ଫଳରେ ସୁସ୍ଥ ମୂଲ୍ୟାୟନରେ ବାଧା ସୃଷ୍ଟି ହେଉଛି । ସମାଲୋଚକର ଗୋଟିଏ ବଡ଼ ଗୁଣ ହେଲା ବ୍ୟାପକ ଦୃଷ୍ଟିକୋଣ । ସେ କେବେ କୌଣସି ନିର୍ଦ୍ଦିଷ୍ଟ ମତବାଦ ବା ନୀତି ନିୟମର ନିଗଡ଼ ଦ୍ୱାରା ବନ୍ଧା ନୁହେଁ । ତା’ର ଆଦର୍ଶ ବ୍ୟାପକ ଏବଂ ଏହା ତା’ର ବଞ୍ଚିବାର ଗଭୀରତାରୁ ହିଁ ଜନ୍ମ ନେଇଥାଏ । ଏଥିରେ ତା’ର ରସବୋଧ, ପାଣ୍ଡିତ୍ୟ, ଐତିହ୍ୟ ଚେତନା ପୁଣି ନୀତିବୋଧ ସବୁ ଏକାକାର ହୋଇଯାଇଥାଏ । ଏ ଚେତନା ଏ ପୂର୍ଣ୍ଣତା । ଏକ ସମନ୍ୱୟ । ଏ ସମନ୍ୱୟ ବିନା ସମାଲୋଚନା ଖଣ୍ଡିତ ହେବାର ସମ୍ଭାବନା ବେଶୀ ।

 

ପୂର୍ବରୁ କେତୋଟି ଅନ୍ଧ ଧାରଣା କଥା କହୁଥିଲି । ଏ ଧାରଣା ଗୁଡ଼ିକ ପ୍ରତ୍ୟେକ ସମାଲୋଚନା ପାଇଁ ଏକାନ୍ତ ପ୍ରୟୋଜନ । ଆମର ଅନ୍ଧତ୍ୱ ମୁଖ୍ୟତଃ ଏହି ଧାରଣା ପ୍ରତି ଦୃଷ୍ଟିକୋଣରେ ନିହତ । ଏ ଧାରଣା ଗୁଡ଼ିକ ପ୍ରୟୋଜନୀୟ ହେଲେମଧ୍ୟ ଖଣ୍ଡିତ । ମାତ୍ର ଆମେ ବିଶ୍ୱାସ କରୁ ଯେ ଏଗୁଡ଼ିକ ସ୍ୱୟଂସମ୍ପୂର୍ଣ୍ଣ ଏବଂ ଏଗୁଡ଼ିକ ହିଁ ଏକମାତ୍ର ସତ୍ୟ । ଏହାହିଁ ସମାଲୋଚନା-। ଏ ଧାରଣା ହିଁ ଆମର ପ୍ରଧାନ ଦୋଷ । ଫଳରେ ଆମେ ସେଗୁଡ଼ିକୁ ସଫଳ ଭାବେ ପ୍ରୟୋଗ ନକରି ସେଗୁଡ଼ିକୁ ଏକମାତ୍ର ପରିଣତ ଭାବେ ଗ୍ରହଣ କରିନେଇଥାଉଁ । ଫଳରେ ସଫଳ ସମାଲୋଚନା ନୁହେଁ ବରଂ ଏପରି ଧାରଣାର ପ୍ରତିଧ୍ୱନି ହିଁ ସମାଲୋଚନା ଭାବେ ଗୃହୀତ ହୋଇଥାଏ ।

 

ପ୍ରଥମ ଧାରଣାଟି ହେଲା ପାଣ୍ଡିତ୍ୟ । ଏହାର ବଶବର୍ତ୍ତୀ ହୋଇ ସାଧାରଣତଃ ସାହିତ୍ୟକୁ ସଂସ୍କୃତିର ପ୍ରକାଶ ବା ରସବୋଧର ଝଙ୍କାର ଭାବେ ଗ୍ରହଣ ନକରି ଜ୍ଞାନର ଅନ୍ୱେଷା ଭାବେ ଗ୍ରହଣ କରାଯାଏ । ଇତିହାସ, ବିଜ୍ଞାନ, ଭାଷା ଆଦିକୁ ଯେପରି ଅଯୌକ୍ତିକଭାବେ ପ୍ରଶ୍ନବାଚୀର ମନନେଇ ଆଲୋଚନା କରାଯାଏ ସେଇଭାବରେ ସାହିତ୍ୟକୁ ମଧ୍ୟ ବିଶ୍ଳେଷଣ କରାଯାଏ । ପରିଣତ ହୁଏ ଗୋଟିଏ ସମାଧାନ ଖୋଜିବା, ଗୋଟିଏ ଉତ୍ତର ପାଇବାର ବ୍ୟାକୁଳତା । ସାହିତ୍ୟକୁ ରସସ୍ୱାଦନର ମୃତ୍ୟୁ ହୁଏ । ଫଳରେ ସାହିତ୍ୟର ଉଦ୍ଦେଶ୍ୟ କେବଳ ବୌଦ୍ଧିକତା ଭିତରେ ହିଁ ସୀମିତ ହୋଇ ରହିଯାଏ ।

 

ଦ୍ୱିତୀୟ ଧାରଣାଟି ହେଲା ସମାଲୋଚନାକୁ କେବଳ ବିକ୍ଷିପ୍ତ ଆଲୋଚନା ଭାବେ ଗ୍ରହଣ କରିନେବା । ଏ ଆଲୋଚନା ବିଭିନ୍ନ ସ୍ତରରୁ ଆସିଥିବା ଧାରଣା ଦ୍ୱାରା ସାହିତ୍ୟକୁ ମାପିବାକୁ ଚେଷ୍ଟା କରିଥାଏ । ଏହା ଫଳରେ ସମାଲୋଚନା ଏ ଆନୀତ ଧାରଣାର ପୁନରାବୃତ୍ତି ହୋଇଯାଏ ମାତ୍ର ଏବଂ ଶେଷରେ ସାହିତ୍ୟକୁ ବିଭିନ୍ନ ଦର୍ଶନ, ମତବାଦ ଜରିଆରେ ମାପିବାର ଚେଷ୍ଟା । ଏହାମଧ୍ୟ ଖଣ୍ଡିତ । ଏହି ତିନୋଟି ଧାରଣା ସମାଲୋଚନାର ଅଙ୍ଗ । ମାତ୍ର ଏଗୁଡ଼ିକ ପୃଥକ୍‌ ଭାବେ, ସ୍ୱୟଂ ସଂପୂର୍ଣ୍ଣଭାବେ ଗ୍ରହଣ କରିନେବାଟା ହିଁ ଦୁର୍ବଳତା । ଯେତେବେଳେ ଦାୟିତ୍ୱପୂର୍ଣ୍ଣ ଭାବେ ଏଗୁଡ଼ିକୁ ସମନ୍ୱିତ ଭାବେ ଗ୍ରହଣ କରାଯାଏ ସଫଳ ସମାଲୋଚନାର ଜନ୍ମ ହୋଇଥାଏ । ମାତ୍ର ଯାନ୍ତ୍ରିକ ଭାବେ ଏଗୁଡ଼ିକର ପ୍ରବର୍ତ୍ତନ ସମାଲୋଚନାକୁ ରସହୀନ କରେ । ଏପ୍ରକାର ଧାରଣା ସମାଲୋଚନାର ବ୍ୟାପକତାକୁ ବ୍ୟାହତ କରେ । ସମାଲୋଚନାକୁ ଏକ ନିର୍ଦ୍ଦିଷ୍ଟ ନିୟମର ଅର୍ଗଳି ଭିତରକୁ ଠେଲି ଦେଇଥାଏ । ଏସବୁ ଧାରଣା, ପୁଣି ଏପରି ଧାରଣାରୁ ଜନ୍ମ ନେଇଥିବା ବିଭିନ୍ନ ମତବାଦ ସୁସ୍ଥ ସମାଲୋଚନା ସାହିତ୍ୟର ବିରାଟ ପ୍ରତିବନ୍ଧକ ।

 

ଏହା ସମାଲୋଚକର ମନକୁ ଗୋଟିଏ ନିର୍ଦ୍ଦିଷ୍ଟ ଦିଗରେ ଚାଳିତ କରିବାରେ ପ୍ରଭାବିତ କରିଥାଏ । ତା’ର ରୁଚି ଏବଂ ଚେତନାକୁ ପଙ୍ଗୁ କରିଦିଏ । ସ୍ୱାଧୀନତା ଓ ବ୍ୟାପକତା-ଯା’ ସମାଲୋଚକର ପ୍ରୟୋଜନ ସେଥିରୁ ସେ ବଞ୍ଚିତ ହୁଏ । ସୃଷ୍ଟିରୁ ମିଳୁଥିବା ସତ୍ୟ ଏବଂ ତା’ର ପ୍ରଭାବକୁ ସମାଲୋଚକ ନିଜସ୍ୱ ଭାବରେ ଗ୍ରହଣ କରି ନ ପାରି ଅନ୍ୟର ଆଖିରେ ଦେଖିଥାଏ । ଫଳରେ ସେ ନିଜସ୍ୱ ସତ୍ୟ ପାଖରୁ ଦୂରେଇଯାଏ । ସମାଲୋଚକର ଏପରି ଏକ ବ୍ୟାପକ ମାନସପଟର ଆବଶ୍ୟକତା ଅନେକ । ଏଥିରେ ତା’ର ଜ୍ଞାନ, ଧାରଣା ଏବଂ ବିଶ୍ଳେଷଣ କରିବାର ଶକ୍ତି ସଙ୍ଗେ ସଙ୍ଗେ ତା’ର ଚେତନା ଓ ରସବୋଧ ମିଶିଥାଏ । ଏପରି ମିଶ୍ରଣର ଅଭାବରେ ଦେଖାଦିଏ ସମାଲୋଚନାରେ ପୃଥକୀକରଣ, ଅର୍ଥାତ୍‌ ଜ୍ଞାନଠାରୁ ରସବୋଧ ଅଲଗା ହୋଇଯାଏ । ଫଳରେ ସମାଲୋଚନା ରସହୀନ ପ୍ରାଜ୍ଞ ଆସ୍ଫାଳନ ହୁଏ କିମ୍ୱା ବିଚାରହୀନ ଆବେଗମୟ ଉଚ୍ଚାରଣରେ ଶେଷ ହୁଏ ।

 

ଏହି ଦୁଇଟିର ସମନ୍ୱୟ ହିଁ ସଫଳ ସମାଲୋଚନା । ଆଜି ଆମ ସାଂପ୍ରତିକ ସମାଲୋଚନାରେ ଏହି ସମନ୍ୱୟର ଅଭାବ । ଏହି ବ୍ୟାପକ ଦୃଷ୍ଟିକୋଣ, ପୁଣି ନିର୍ଭୀକ ସତ୍ୟଶୀଳତାର ଅଭାବ । ଫଳରେ ପ୍ରକୃତ ମୂଲ୍ୟାୟନ ହୋଇପାରୁନି । କାରଣ ସମାଲୋଚକ ନିଜେ ବ୍ୟକ୍ତିଗତ ଭାବେ ସାହିତ୍ୟ ସହ ରସାଳ ପ୍ରତିକ୍ରିୟା ସୃଷ୍ଟି କରିପାରୁନାହିଁ । ସମାଲୋଚକ ବ୍ୟକ୍ତିଗତ ଭାବେ ଆବେଗ ସ୍ତରରେ ପ୍ରତିକ୍ରିୟା ସୃଷ୍ଟି କରିପାରୁନଥିବାରୁ ସେ ଅବୈକ୍ତିକ ଦୂରତା ରକ୍ଷା କରିପାରୁନାହିଁ । କାରଣ ସମାଲୋଚନାରେ ଅବୈକ୍ତିକତା, ଆତ୍ମିକତାର ପରିପନ୍ଥି ନୁହେଁ । କାରଣ ସ୍ରଷ୍ଟା ଆଉ ସମାଲୋଚକ ଭିତରେ ସମ୍ପର୍କ ଆତ୍ମିକତାର, ସହୃଦୟତାର, ଗ୍ରହଣର । ତେଣୁ ସୃଷ୍ଟିର ପ୍ରୟୋଗାତ୍ମକ ବିଶ୍ଳେଷଣ ଏହି ଦୃଷ୍ଟିରୁ ଅସମ୍ଭବ । କାରଣ ସୃଷ୍ଟି ସମାଲୋଚନାଠାରୁ ବିଚ୍ୟୁତ ଅନ୍ୟ ଏକ ସତ୍ୟ ନୁହେଁ । ଏହା ଆବେଗହୀନ ବସ୍ତୁଟିଏ ନୁହେଁ । ତାକୁ ବୁଝିବାମାନେ ତାକୁ ଗ୍ରହଣ କରିବା, ତା’ ସହ ଆତ୍ମିକ ହେବା ଏବଂ ଏହି ଆତ୍ମିକ ହେବାରେ ହିଁ ନିହିତ ତା’ଠାରୁ ଦୂରେଇଯିବା । ଆଜି ଆମ ସମାଲୋଚନାରେ ଏହି ଆତ୍ମିକ ଦୂରତାର ଅଭାବ । ସହୃଦୟ ସମାଲୋଚନାର ଅଭାବ-। କାରଣ ସମାଲୋଚକ ଠାରେ ରସାପ୍ଲୁତ ମନଟିର ଅଭାବ । ସାହିତ୍ୟ ଆନନ୍ଦର ଉତ୍ସ, ସୌନ୍ଦର୍ଯ୍ୟର ପ୍ରକାଶ ପୁଣି ଜୀବନର ପ୍ରତୀକ ହିସାବରେ ଗ୍ରହଣ କରିବାର ଅଭାବ ।

 

ଆଜି ଆମ ସମାଲୋଚନାରୁ ଏହି ନିହାତି ମୂଳ ଅଭାବଟିକୁ ଦୂର କରିବାକୁ ପଡ଼ିବ । ସାହିତ୍ୟକୁ ସାହିତ୍ୟ ହିସାବରେ ଗ୍ରହଣ କରିବାକୁ ପଡ଼ିବ । ଏକ ଉନ୍ନତ ଋଚି ଏବଂ ମୂଲ୍ୟବୋଧର ବାହକ ହିସାବରେ ଗ୍ରହଣ କରିବାକୁ ହେବ । ତେଣୁ ସମାଲୋଚନାରେ ଏହା ହେବ ସବୁଠାରୁ ବଡ଼ ପରୀକ୍ଷା । କୌଣସି ମତବାଦର ଆରୋପଣ ପରୀକ୍ଷା ନୁହେଁ । କୌଣସି ନୂଆ ମାନଦଣ୍ଡରେ ପରଖି ହେବାଟା ପରୀକ୍ଷା ନୁହେଁ । ପରୀକ୍ଷାର ଆରମ୍ଭ ହୁଏ ନିଜ ମନ ପାଖରୁ । ସେଠାରେ ଜମାଟ ବାନ୍ଧିଥିବା ଧାରଣାର ଅନ୍ଧତ୍ୱ ପ୍ରତି ସଚେତନ ହେବାରୁ । ଆଜି ଏହି ପରୀକ୍ଷାର ସମୟ ଆସିଛି । ସମୟ ଆସିଛି ଆମ ସାହିତ୍ୟ, ଭାଷା ସଂସ୍କୃତିକୁ ନୂଆ କରି ହୃଦୟଙ୍ଗମ କରି ବଞ୍ଚିବାର ଗଭୀରତା ଦ୍ୱାରା ତାକୁ କଷଟିବାର । ଏପରି କଲେ ଯାଇ ଆମ ସମାଲୋଚନାରେ ନୂତନତା ଆସିବ । ମୂଲ୍ୟାୟନର ନୂଆ ନୂଆ ବାଟ ଫିଟିବ । ସମାଲୋଚନା ଖାଲି ଅନ୍ୟର ଉଦ୍ଧୃତି ନହୋଇ ହୃଦୟଙ୍ଗମର ଚେତନଶୀଳ ପ୍ରତିକ୍ରିୟାର ସ୍ପନ୍ଦନ ହେବ ।

 

ଏହି ଚେତନା ଯଦି ଆଜିର ସମାଲୋଚନା ସୃଷ୍ଟି କରିପାରେ ତେବେ ଖାଲି ଉତ୍ତମ ସମାଲୋଚକ କାହିଁକି ଉନ୍ନତ ପାଠକ ମଧ୍ୟ ସୃଷ୍ଟି ହେବେ । ସମାଲୋଚନା ପ୍ରତି ଦୃଷ୍ଟିକୋଣ ମଧ୍ୟ ବଦଳିଯିବ । ଆଜିର ଆମ ସାଂପ୍ରତିକ ସାହିତ୍ୟ ଜଗତରେ ସ୍ରଷ୍ଟା ଓ ସମାଲୋଚକର ସମ୍ପର୍କ ବନ୍ଧୁତ୍ୱର ନୁହେଁ-ସହୃଦୟତାର ନୁହେଁ । କାରଣ ସମାଲୋଚନା ତାକୁ ଯେତେ ସାହାଯ୍ୟ କରିବାର କଥା ତା’ କରିପାରୁନି । ପୁଣି ସାଧାରଣ ପାଠକ ସମାଲୋଚନା ପ୍ରତି ଭୟଭୀତ । କାରଣ ତା’ର ଭାଷା, ପ୍ରୟୋଗ ତାକୁ ସାହାଯ୍ୟ ନକରି ବରଂ ଅଧିକ ଗୋଲକଧନ୍ଦାରେ ପକାଉଛି । ତେଣୁ ଆଜିର ସମାଲୋଚକର ପ୍ରଧାନ ଦାୟିତ୍ୱ ହେଉଛି ପାଠକକୁ ସେ ଏହି ଚକ୍ରବ୍ୟୁହରୁ ମୁକ୍ତ କରିବ । ତା’ର ହାତ ଧରି କଳାର ସୌନ୍ଦର୍ଯ୍ୟ ପ୍ରତି ତା’ର ଦୃଷ୍ଟି ଆକର୍ଷଣ କରିବ ଯା’ଫଳରେ ପାଠକ କଳାକୁ ଅଧିକ ଉପଭୋଗ କରିପାରିବ । ତା’ ନହୋଇ ଯାନ୍ତ୍ରିକ ଭାବରେ ଖାଲି ବଡ଼ ବଡ଼ କଥା ନିଜ ଭାଷାରେ ଗାଇଗଲେ ପାଠକ ପାଖରେ ଉଭୟ ସୃଷ୍ଟି ଓ ସମାଲୋଚନା ପ୍ରଶ୍ନବାଚୀ ହୋଇ ରହିଯିବ-

 

ତେଣୁ ଆଜିର ସମାଲୋଚକ ପ୍ରଥମେ ରସଗ୍ରାହୀ ସହୃଦୟ ପୂର୍ଣ୍ଣାଙ୍ଗ ମଣିଷଟିଏ ହେଉ । ସେ ଭଲପାଉ କଳାକୁ ଆଉ ତା’ର ପାଠକକୁ । ପାଠକ ଆଉ କଳା ଭିତରେ ବୁଝାମଣାର ସେତୁଟିଏ ହେଉ । ଏ ସେତୁ ପ୍ରଜ୍ଞା ଝଲକରେ ନୁହେଁ ବରଂ ପ୍ରଜ୍ଞା ଦ୍ୱାରା ଋଦ୍ଧିମନ୍ତ ସରଳତା ଦ୍ୱାରା ଗଢ଼ିଉଠୁ । ପ୍ରଜ୍ଞା ଦ୍ୱାରା ସେ ନିଜକୁ ଶାଣିତ କରୁ ନମନୀତ କରୁ । ସେ ଆମରି ଭାଷା କହୁ । ଆମ ଋଚିକୁ ମାର୍ଜିତ କରି ଅବବୋଧର ନୂଆ ଜଗତକୁ ନେଇଯାଉ । କଳାର ଅପହଞ୍ଚ ଜଗତକୁ ଉଠିବାକୁ ବନ୍ଧୁର ଶକ୍ତ ହାତ ମୁଠାଟିଏ ହେଉ ତା’ର ସମାଲୋଚନା ।

Image

 

Unknown

ସମାଲୋଚନାର ସମାଲୋଚନା

 

ସାହିତ୍ୟରେ ସମାଲୋଚନା ଏକ ବିଶିଷ୍ଟ ଅଙ୍ଗ । ଏହାର ଭୂମିକା ଦ୍ୱିମୁଖୀ । ଏହା ସୃଷ୍ଟି କରିବା ପ୍ରକ୍ରିୟାରେ ଶିଳ୍ପୀକୁ ସାହାଯ୍ୟ କରିଥାଏ; ପୁଣି ସୃଷ୍ଟିର ପ୍ରକୃତ ରସସ୍ୱାଦନ କରିବାରେ ପାଠକକୁ ସାହାଯ୍ୟ କରିଥାଏ । ଗୋଟିଏ ଦିଗରେ ତେଣୁ ଏହା ସୃଷ୍ଟିର ଅବିଚ୍ଛେଦ୍ୟ ଅଙ୍ଗ; ଅନ୍ୟଦିଗରେ ସ୍ରଷ୍ଟା ଏବଂ ପାଠକ ଭିତରେ ଏକ ବୌଦ୍ଧିକ ତଥା ଆବେଗମନ୍ତ୍ରୀ ସଂଯୋଗ ।

 

ସମାଲୋଚନା ପୂର୍ଣ୍ଣତାର ସୂଚକ । ଯେଉଁ ଦୃଷ୍ଟିରୁ ବିଚାର କଲେ ମଧ୍ୟ ସୃଷ୍ଟିର ଜନ୍ମ ଲଗ୍ନରେ ରହସ୍ୟମୟତାକୁ ସହଜରେ ଅସ୍ୱୀକାର କରିହୁଏନା । ମାତ୍ର ଏହି ଜନ୍ମ ଲଗ୍ନରେ ସୃଷ୍ଟି ପୂର୍ଣ୍ଣତା ପାଇନଥାଏ । କୋଇଲିର ଗୀତ ଶୁଣି, ଜହ୍ନ ଆଲୁଅର ରହସ୍ୟକୁ ଦେଖି ଅବା ମୃତ୍ୟୁର ଭୟାବହତାକୁ ହୃଦୟଙ୍ଗମ କରି ଶିଳ୍ପୀ ମନରେ ହୁଏତ ଗୀତଟିଏ ବା ଛବିଟିଏର କୁଆଁ ଡାକ ହଠାତ୍‌ ଶୁଭିଥାଏ । ମାତ୍ର ଏଥିରେ ପୂର୍ଣ୍ଣତା ନଥାଏ । ଏହା ପରେ ଆରମ୍ଭ ହୁଏ ଶିଳ୍ପୀର ନିଜଠାରେ ସମାଲୋଚକର ଭୂମିକା । ନିଜ ସୃଷ୍ଟି ଦେହରେ ପୂର୍ଣ୍ଣତା ଆଣିବାର ଚେଷ୍ଟା । ଏହି ପ୍ରଚେଷ୍ଟା ପାଇଁ ତ କୀଟ୍‌ସ ତାଙ୍କ କବିତାକୁ ବାରମ୍ୱାର ପରିବର୍ତ୍ତନ କରିଥିଲେ । ରବୀନ୍ଦ୍ରନାଥ ବାରମ୍ୱାର ଲେଖୁଥିଲେ ।

 

ଅନ୍ୟଦିଗରେ ଏଇ ସମାଲୋଚନା ଶିଳ୍ପୀ ଓ ପାଠକ ଭିତରେ ଆବେଦନ, ବିଶ୍ଳେଷଣ ଜରିଆରେ ଅନ୍ୟ ଏକପ୍ରକାର ପୂର୍ଣ୍ଣତା ଆଣିବାରେ ସାହାଯ୍ୟ କରିଥାଏ । ଗୋଟିଏ କଳା ସୃଷ୍ଟିରେ ଲୁଚି ରହିଥିବା ଅନୁଭୂତିର ବିଭିନ୍ନ ସ୍ତରକୁ ସମାଲୋଚନା ଆବିଷ୍କାର କରେ । ସାଧାରଣ ଆଖିକୁ ଫାଙ୍କିଦେଇଥିବା ଲୁକ୍‌କାୟିତ ଅର୍ଥ ସବୁକୁ ସମାଲୋଚନା ଆଲୁଅକୁ ଆଣି ସୃଷ୍ଟିରେ ପୂର୍ଣ୍ଣତା ଆଣେ-। ନୂଆ ଅର୍ଥ, ନୂଆ ସୌନ୍ଦର୍ଯ୍ୟରେ କଳାକୁ ଗରୀୟାନ କରି ତୋଳେ ।

 

ଏହା କରିବାପାଇଁ ପ୍ରୟୋଜନ ଏକ ସଚେତନ ମନ । ଏ ମନ ସୃଷ୍ଟିହୁଏ ଅଧ୍ୟୟନ, ପୁଣି ଏକ ଶାଣିତ ଦୃଷ୍ଟିଭଙ୍ଗୀ ଦ୍ୱାରା । ତେଣୁ ସଫଳ ସମାଲୋଚକ ହୋଇ ସମାଲୋଚନା କରିବା ପାଇଁ ପ୍ରୟୋଜନ ବ୍ୟାପକ ପ୍ରସ୍ତୁତି । ଏ ପ୍ରସ୍ତୁତି ଖାଲି ବୌଦ୍ଧିକ ନୁହେଁ; ଏହା ସାଂସ୍କୃତିକ ଏବଂ ନୈତିକ ମଧ୍ୟ । କାରଣ ଏକ ଶାଣିତ ଦୃଷ୍ଟିଭଙ୍ଗୀ ପୂର୍ଣ୍ଣଭାବେ ବଞ୍ଚିବାର ନିର୍ଯ୍ୟାସରୁ ହିଁ ଜନ୍ମ ନେଇଥାଏ । ସାହିତ୍ୟ ଏହି ନିର୍ଯ୍ୟାସର କଳାତ୍ମକ ପ୍ରକାଶ । ସମାଲୋଚନା ଏହି ପ୍ରକାଶର ପୂର୍ଣ୍ଣତର ହୃଦୟଙ୍ଗମ ।

 

ତେଣୁ ସମାଲୋଚନା କେବଳ ବିଭିନ୍ନ ମତବାଦ ଜରିଆରେ କଳାସୃଷ୍ଟିର ମୂଲ୍ୟାୟନ ନୁହେଁ । ଏହା ନିଜ ଅନୁଭୂତି ସାହାଯ୍ୟରେ ଗୋଟିଏ ସୃଷ୍ଟିର ପୁନଃ ଜୀବନ୍ୟାସ । ତେଣୁ ସମାଲୋଚକର ଭୂମିକା ଅଧିକ ବ୍ୟାପକ । ସେ ସ୍ରଷ୍ଟାର କାଳ ଆଉ ଅନୁଭୂତିକୁ ହୃଦୟଙ୍ଗମ କରି ନିଜ ଅନୁଭୂତି ସାହାଯ୍ୟରେ ତାକୁ ନିଜ ଭିତରେ ଆଉଥରେ ନିଜ ଭାବେ ସୃଷ୍ଟି କରେ । ଦୁଇଟି ସମୟ ଖଣ୍ଡକୁ (ଶିଳ୍ପୀର, ପୁଣି ନିଜର) ଆୟତ୍ତ କରି ଶିଳ୍ପୀର ଚେତନାକୁ ନିଜ ଭାବେ ଚେତନାମୟ କରେ । ତେଣୁ ସମାଲୋଚନା ବଞ୍ଚିବାର ଏକ ଧାରା । ବଞ୍ଚିବାର ଦହନ ଭିତରୁ ଉଜୁଳି ଉଠୁଥିବା ମୂଲ୍ୟବୋଧ ସାହାଯ୍ୟରେ କଳାକୁ ବିଚାର କରିବା, କଳାକୁ ଆଉଥରେ ସୃଷ୍ଟି କରିବା ହେଲା ସମାଲୋଚନାର ଉଦ୍ଦେଶ୍ୟ । ଏଥିପାଇଁ କହିଥିଲି ସମାଲୋଚକର ଭୂମିକା ବ୍ୟାପକ । ଏହା ଖାଲି ବୌଦ୍ଧିକ ନୁହେଁ; ଏହା ନୈତିକ ଓ ସାଂସ୍କୃତିକ । ସେ ଦ୍ୱିତୀୟ ସ୍ରଷ୍ଟା, ଯିଏ ନିଜ ଭିତରେ ଆଉଥରେ ନୂଆ ଭାବରେ ବଞ୍ଚାଇପାରେ ।

 

କିନ୍ତୁ ବଡ଼ ଦୁଃଖର ବିଷୟ ଆମର ସାଂପ୍ରତିକ ସମାଲୋଚନାରେ ଏହି ବ୍ୟାପକ ଦୃଷ୍ଟିଭଙ୍ଗୀଟିର ଏକାନ୍ତ ଅଭାବ ପରିଲକ୍ଷିତ ହୋଇଥାଏ । ସମାଲୋଚନା ବୃହତ୍ତର ଜୀବନର ଏକ ନିବିଡ଼, ସଚେତନ ଦିଗ ଭାବରେ ଗୃହୀତ ନ ହୋଇ କେବଳ ବୌଦ୍ଧିକ ସ୍ତରରେ କେତୋଟି ବିଭିନ୍ନ ମତବାଦର ପ୍ରତିଧ୍ୱନି ହୋଇଯାଉଛି ମାତ୍ର । ଫଳରେ ଏହା ସ୍ରଷ୍ଟା ଆଉ ପାଠକ ଭିତରେ ବୌଦ୍ଧିକ ତଥା ଆବେଗମୟୀ ସେତୁ ହେବାରେ ଅସଫଳ ହେଉଛି । ସମାଲୋଚନାରେ ବୌଦ୍ଧିକତା ଏକ ବିଶିଷ୍ଟ ଦିଗ ଏକ ଅନିର୍ବାର୍ଯ୍ୟ ଅଙ୍ଗ ମାତ୍ର ଏହା ଏକମାତ୍ର ଅଙ୍ଗ ନୁହେଁ । କାରଣ ଏପରି ବୌଦ୍ଧିକତା ଯା ଜୀବନଠାରୁ ବିଚ୍ଛିନ୍ନ କେବଳ ପାଣ୍ଡିତ୍ୟରେ ହିଁ ସମାପ୍ତି ଲାଭ କରିଥାଏ । ପରିଣତି ହୁଏ ନିରସ ବିଶ୍ଳେଷଣ ବିଭିନ୍ନ ଅର୍ଥୀକରଣ । ଏପରି ସମାଲୋଚନାର ରସାସ୍ୱାଦନ କରାଇ ଆଉଥରେ ସୃଷ୍ଟିକୁ ଜୀବନ୍ୟାସ ଦେଇପାରେନା । ତାକୁ ଆମରି ସମକାଳୀନ କରାଇପାରେନା । ଆମ ଜୀବନକୁ ତା’ ଜରିଆରେ ଅର୍ଥମୟ କରି ଭବିଷ୍ୟତକୁ ସାମ୍ନା କରିବାର ସାହସ ଦେଇପାରେନା । ଏ ପ୍ରାଣହୀନ ପାଣ୍ଡିତ୍ୟ ପୁରାକାଳରେ ମୁଣ୍ଡରେ ରଜାଙ୍କର ପାଗ ବାନ୍ଧିବାରେ ସାହାଯ୍ୟ କରୁଥିଲା । ଏବେ ହୁଏତ ଡିଗ୍ରୀ ଆଣିବାରେ ସାହାଯ୍ୟ କରୁଛି । କିନ୍ତୁ ସାହିତ୍ୟକୁ ଆମ ପାଇଁ, ଆମ କାଳରେ ବଞ୍ଚାଇପାରୁନି ।

 

ତେଣୁ ଆଜି ଆମ ସମାଲୋଚନାରେ ସବୁଠାରୁ ବଡ଼ ପ୍ରୟୋଜନ ଏକ ସଚେତନ ଦୃଷ୍ଟିକୋଣ ଅଧ୍ୟୟନ ଦ୍ୱାରା ଶାଣିତ, ରୁଚିଦ୍ୱାରା ରୁଦ୍ଧିମନ୍ତ ଏକ ପୂର୍ଣ୍ଣତର ଓ ବୃହତ୍ତର ବଞ୍ଚିବା, ଯାଦ୍ୱାରା ନିଜ ସାଂପ୍ରତିକତା ଭିତିରେ ସାରା ଐତିହ୍ୟକୁ ହୃଦୟଙ୍ଗମ କରି ନିଜ ମୂଲ୍ୟବୋଧ ଦ୍ୱାରା ନିଜ ବଞ୍ଚିବାକୁ ଗରୀୟାନ କରିବା । ଏହାକୁ ହିଁ ମୁଁ ପୂର୍ଣ୍ଣ ବିକଶିତ ମନ ହିସାବରେ ଗ୍ରହଣ କରୁଛି । ଆଉ ଏପରି ଏକ ମନ ବିନା ସମାଲୋଚନା ଅସମ୍ଭବ । ଏପରି ଅଭିଜାତ ମନହିଁ ଉଭୟ ସୃଷ୍ଟି ଓ ସମାଲୋଚନାର ପ୍ରାଣକେନ୍ଦ୍ର ।

 

ଏଇ ମନର ଅଭାବ ଫଳରେ ଆମେ ସୃଷ୍ଟିକୁ ନିଜଠାରୁ ଦୂରେଇଦେଇ କେତୋଟି ଧାରକରା ମତବାଦ ନେଇ ବିଶ୍ଳେଷଣରେ ଲାଗିଛୁଁ । ଏପରି ବିଶ୍ଳେଷଣ କେବଳ ଆମର ଲକ୍ଷ୍ୟ । ଆମେ କେବଳ ସେଇ ଧାରକରା ମତବାଦକୁ ହିଁ ସେ ସାହିତ୍ୟ ଭିତରେ ଖୋଜି ବୁଲୁଛୁଁ । ଅସଲ ଗୁପ୍ତଧନକୁ ଛାଡ଼ିଦେଉଛୁ । ଅଧିକାଂଶ ସମାଲୋଚକ ଆଜି କେତୋଟି ମତବାଦର ବେପାରା । ଧାରକରା ମତବାଦର ଭାଷା ଆମର ଭାଷା ।

 

ଫଳରେ ସାଂପ୍ରତିକ ଓଡ଼ିଆ ସମାଲୋଚନା ପୂର୍ଣ୍ଣତାର ବିକାଶ ନୁହେଁ ତା’ର ପ୍ରକାଶ ନୁହେଁ । ଏହା ଭଗ୍ନାଂଶର କ୍ଷୀଣ ପ୍ରତିଧ୍ୱନି । ଏଇଥିରେ ହିଁ ଆମ ରୁଚିର ଅଭାବ । ରୁଚି ଆମ ଐତିହ୍ୟ, ପରିବେଶ ସଂସ୍କୃତି ଏବଂ ସାଂପ୍ରତିକ ବଞ୍ଚିବାରୁ ଜନ୍ମନିଏ । ଏହା ଧାର କରାଯାଇପାରେନା-। ତେଣୁ ଆଜି ଆମର ପ୍ରଧାନ ଲକ୍ଷ୍ୟ ଆମ ସମାଲୋଚନାରେ ସ୍ୱାଧୀନ ଚେତନାକୁ ଭରିବାକୁ ପଡ଼ିବ ଯା ଫଳରେ ନିର୍ଭୀକ ଭାବେ ଏକ ସଚେତନ ପ୍ରତିକ୍ରିୟାର ସଫଳ ପ୍ରକାଶ ହେବ ସମାଲୋଚନା । ସୃଷ୍ଟି ଆମ ପାଖରେ ହେବ ଅଧିକ ପ୍ରାଞ୍ଜଳ ଓ ପ୍ରାଣମୟ । ଫଳରେ ବଞ୍ଚିବା ହେବ ଅଧିକ ଅର୍ଥମୟ । ଏହି ଅର୍ଥମୟତା ଆସିବ ବଞ୍ଚିବାର ନିର୍ଯ୍ୟାସ ସାହିତ୍ୟ ପାଖରୁ ସମାଲୋଚନା ସାହାଯ୍ୟରେ ।

 

ତେଣୁ ସୃଷ୍ଟିରେ ଯା’ ଲୋଡ଼ା ସେହି ନିଜଠାରେ ସତ୍ୟଶୀଳତା ହିଁ ସତ୍‌ ସମାଲୋଚନାଠାରେ ଲୋଡ଼ା । ଆଜି ଆମର ସବୁଠାରୁ ବଡ଼ ପ୍ରୟୋଜନ ସତ୍ୟଶୀଳତା, ନିର୍ଭୀକତା ଏବଂ ଆତ୍ମାବିଷ୍କାର । ସମାଲୋଚନା ଏହି ଆବିଷ୍କାର କରିବାରେ ସାହାଯ୍ୟ କରୁ । ସାହାଯ୍ୟ କରୁ ବି ନିଜଠାରେ ସତ୍ୟଶୀଳ ହେବାପାଇଁ । ରସବୋଧ, ସୌନ୍ଦର୍ଯ୍ୟବୋଧ ଆଦି ରୁଚିର ‘କଷଟି’ ପଥରରେ ସୃଷ୍ଟିକୁ ପରଖି, ନିଜ ଅନୁଭୂତିର ମଞ୍ଜ ଜରିଆରେ ସେ ‘ସୁ’ ଆଉ ‘କୁ’କୁ ନିର୍ଭୀକ ଭାବରେ ଦେଖାଇଦେଉ । ଏହାହିଁ ଏକମାତ୍ର ଆଶା ।

Image

 

ସମାଲୋଚନାର ଆବେଦନ

 

କଳା ସହିତ ତା’ର ଆବେଦନ ପ୍ରଶ୍ନଟି କେମିତି ଆପେ ଆପେ ଜଡ଼ିତ । କଳା ବ୍ୟକ୍ତି କିମ୍ୱା ଗଣ ଅନୁଭୂତିର ପ୍ରକାଶ । ମାତ୍ର କେବଳ ପ୍ରକାଶ ଏହାର ଏକମାତ୍ର ଉଦ୍ଦେଶ୍ୟ ନୁହେଁ । ଏହା କାହା ପାଇଁ ଉଦ୍ଦିଷ୍ଟ ଏବଂ ଯାହା ପାଇଁ ଉଦ୍ଦିଷ୍ଟ ସେ ଯେମିତି ତାକୁ ଗ୍ରହଣ କରୁ ଏ ଚିନ୍ତା ମଧ୍ୟ କଳା ସହିତ ଜଡ଼ିତ । ତେଣୁ କଳା ସବୁ ବିଭାଗର ଦୁଇଟି ଦିଗ; ଗୋଟିଏ ପ୍ରକାଶ ଏବଂ ଅନ୍ୟଟି ଆବେଦନ । ଏ ଦୁଇଟି ବିନା କଳା ଅପୂର୍ଣ୍ଣ । ବ୍ୟକ୍ତି ଏବଂ କାଳ ବିଶେଷରେ ଏ ଦୁଇଟି ଉପରେ ଗୁରୁତ୍ୱର ପ୍ରାଧାନ୍ୟର ଭିନ୍ନତା ଦେଖାଦେଇଥାଏ ମାତ୍ର ।

 

କଳା, ଏମିତିକି ନିହାତି ନିରୋଳା କଳା କବିତା ଏବଂ ଚିତ୍ରକଳା ମଧ୍ୟ ଆବେଦନ ରହିତ ନୁହେଁ । ସବୁ ଶିଳ୍ପୀ ସଚେତନ ବା ଅବଚେତନ ମନରେ ଚାହାଁନ୍ତି ଯେ ତାଙ୍କର କବିତାଟି ପଢ଼ାହେଉ, ଛବିଟି ଦେଖାହେଉ କିନ୍ତୁ ତା’ ବୋଲି ଶିଳ୍ପୀ କେବେ ନିଜପାଖରେ ବା ନିଜ ଅନୁଭୂତି ସହ ଲୁଚକାଳି ଖେଳିପାରେ ନାହିଁ । ସେ ସବୁବେଳେ ନିଜ ପାଖରେ ସତ୍ୟଶୀଳ ହୋଇଥାଏ । ଏପରି ସତ୍ୟଶୀଳତା ପାଖରେ ସେ ଆବେଦନକୁ ମୁଖ୍ୟ ବୋଲି ଗ୍ରହଣ କରିପାରେନା । ଶିଳ୍ପୀ ପାଖରେ ତା’ ଅନୁଭୂତି ଆଉ ତା’ର ପ୍ରକାଶ ସତ୍ୟ । କେମିତି ତାକୁ ପ୍ରକାଶ କରିବ ତା’ ତା’ର ଅନୁଭୂତି, ବ୍ୟକ୍ତିତ୍ୱ ନିର୍ଦ୍ଧାରଣ କରିବ । ପ୍ରକୃତ ଶିଳ୍ପୀ କେବେ ନିଜର ଅନୁଭୂତିକୁ ସର୍ବସାଧାରଣର ରୁଚିଦ୍ୱାରା ରୂପାନ୍ତରିତ କରିବାକୁ ଯାଏନାହିଁ । କାରଣ ଜନପ୍ରିୟତା ପ୍ରକୃତ ଶିଳ୍ପୀର ଗୁଣାତ୍ମକ ମାପକାଠି ନୁହେଁ-। ଅନ୍ୟ କ୍ଷେତ୍ରରେ ଏହା ମଧ୍ୟ ନୁହେଁ ଯେ, ପ୍ରକୃତ ଶିଳ୍ପୀର କଳା ସଂପୂର୍ଣ୍ଣ ଆବେଦନ ରହିତ । ତେଣୁ ସବୁ ଯୁଗରେ, ସବୁ ଶିଳ୍ପୀଙ୍କ ପାଖରେ ପ୍ରକାଶ ଏବଂ ଆବେଦନ ସହିତ ନିଜ ଅହଂର ସମ୍ପର୍କକୁ ବିଭିନ୍ନ ଭାବରେ ସଜଡ଼ା ଚାଲିଛି । ଏହି ସଜାଡ଼ିବାରେ ଥାଏ ଶିଳ୍ପୀର ସଚେତନତା, ଯୁଗର ରୁଚି ।

 

ଏହି ସମ୍ପର୍କର ଗୋଟିଏ ପର୍ଯ୍ୟାୟରେ ସମାଲୋଚନାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସମାଲୋଚନା କଳାରେ ଆବେଦନରେ ସାହାଯ୍ୟ କରେ । ଏହା ଶିଳ୍ପୀର ନିରୋଳା ଜଗତ ସହ ପାଠକର ଜଗତକୁ ସଂଯୁକ୍ତ କରେ । ପାଠକକୁ ଶିଳ୍ପୀର ନିକଟତର କରିବା ସଙ୍ଗେ ସଙ୍ଗେ ଶିଳ୍ପୀର ଜଗତର ବିଭିନ୍ନତା ଚିରନ୍ତନତାକୁ ପ୍ରକାଶ କରେ । ଗୋଟିଏ ଭାଷାରେ କଳାର ସୌନ୍ଦର୍ଯ୍ୟକୁ ପ୍ରକାଶ କରିବା ସଙ୍ଗେ ସଙ୍ଗେ ତାକୁ ଘେରି ରହିଥିବା ନିରୋଳା ଛନ୍‌ ଛନ୍‌ ଭାବକୁ ଦୂରକରେ । ସମାଲୋଚନା ତେଣୁ ଆବେଦନର ସେତୁ ।

 

କିନ୍ତୁ ଏହି ପ୍ରବନ୍ଧର ଉଦ୍ଦେଶ୍ୟ ହେଉଛି ଏହି ସମାଲୋଚନା ବିଶେଷତଃ ଆମ ସାଂପ୍ରତିକ ଓଡ଼ିଆ ସମାଲୋଚନାର ଆବେଦନ ବିଷୟରେ ସମ୍ୟକ୍‌ ଆଲୋଚନା କରିବା । ପ୍ରଥମରୁ କହିଛି ସମାଲୋଚନା ଗୋଟିଏ ସ୍ତରରେ କଳାର ଆବେଦନ ପାଇଁ ସାହାଯ୍ୟ କରିଥାଏ । ଏହା କଳାର ମୂଲ୍ୟାୟନ କରିଥାଏ । ସେ ବିଷୟ ମୋର ଏ ପ୍ରବନ୍ଧର ଆଲୋଚିତ ବସ୍ତୁ ନୁହେଁ । ସମାଲୋଚନାର କ୍ଷେତ୍ର ବ୍ୟାପକତର । ଏହା ପ୍ରାଜ୍ଞ, ପାଣ୍ଡିତ୍ୟପୂର୍ଣ୍ଣ ପୁଣି ଆବେଗମୟୀ । ଏହା ଜ୍ଞାନର ବିଭିନ୍ନ ବିଭାଗକୁ ନିଜର ବିଚାର ଭିତରକୁ ଆଣି କଳାର ମୂଲ୍ୟାୟନ କରିଥାଏ । ଆଉ ଏପରି ମୂଲ୍ୟାୟନ କରିବା ଭିତରେ ପାଠକ ସହ କଳାର ସମ୍ପର୍କ ସ୍ଥାପନ କରିଥାଏ । ମାତ୍ର କଳାର (ଏ ପ୍ରବନ୍ଧରେ କେବଳ ସାହିତ୍ୟର) ଏପରି ସମାଲୋଚନା କେବଳ ପାଣ୍ଡିତ୍ୟପୂର୍ଣ୍ଣ ନୁହେଁ । ସମାଲୋଚକ ଜଣେ ପଣ୍ଡିତ ହେବା ସଙ୍ଗେ ସଙ୍ଗେ ସମ୍ୱେଦନଶୀଳ, ରସଗ୍ରାହୀ ବ୍ୟକ୍ତିଟିଏ ହେବା ପ୍ରୟୋଜନ । କାରଣ ସମାଲୋଚନା କେବଳ ଟିପ୍‌ପଣୀ ନୁହେଁ । ସାହିତ୍ୟର ବିଭିନ୍ନ ଅର୍ଥିକରଣ ନୁହେଁ । ଏହା ରସାସ୍ୱାଦନର ଏକ ମାଧ୍ୟମ-ଏକ ରସସିକ୍ତ ପ୍ରଚେଷ୍ଟା । ଏହି ପ୍ରଚେଷ୍ଟା ହିଁ ଅନେକ ସମୟରେ ଆବେଦନରେ ସାହାଯ୍ୟ କରିଥାଏ । କାରଣ ପ୍ରତ୍ୟେକ ସୁସମାଲୋଚନା ସାହିତ୍ୟକୁ ଆଉଥରେ ପୁନର୍ଜୀବନ ଦେଇଥାଏ । ତେଣୁ ସମାଲୋଚନା ମଧ୍ୟ ସାହିତ୍ୟ । ପ୍ରାଣବନ୍ତ ପୁଣି ଆବେଗ ଛଳ ଛଳ-

 

ଆମ ସାଂପ୍ରତିକ ସମାଲୋଚନାରେ ଏହି ଛଳ ଛଳ ଭାବଟିର ଏକାନ୍ତ ଅଭାବ ପରିଲକ୍ଷିତ ହୋଇଥାଏ । ଏହାର ଗୋଟିଏ ପ୍ରଧାନ ଅଭାବ ହେଉଛି ପ୍ରଜ୍ଞା ଆଉ ଆବେଗର ସମନ୍ୱୟର ଅଭାବ । ଏହା କେତେବେଳେ ଖାଲି ବିଚାରବିହୀନ ଆବେଗର ଉଚ୍ଛ୍ୱସିତ ପ୍ରକାଶ ହୋଇଯାଉଛି ତ କେତେବେଳେ କେବଳ ପାଣ୍ଡିତ୍ୟର ନିରସ ବିଶ୍ଳେଷଣ ହୋଇଯାଉଛି । ଏ ଦୁଇଟି ଧାରାରେ କୌଣସିଟିରେ ସମାଲୋଚନା ସେହି ପୁନର୍ଜୀବନ ଦେବାରେ ଅସମର୍ଥ ହେଉଛି । ଏହାର ପ୍ରଧାନ କାରଣ ଆମର ସମାଲୋଚକ ନିଜପାଖରେ ସତ୍ୟଶୀଳ ହୋଇପାରୁନାହିଁ । ସତ୍ୟଶୀଳ ନ ହୋଇପାରିବାର ପ୍ରଧାନ କାରଣ ହେଉଛି ତା’ ପାଖରେ ତା’ ନିଜର ପ୍ରତିକ୍ରିୟା ଅପେକ୍ଷା ବିଭିନ୍ନ ମତବାଦ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ୁଛି । ଫଳରେ ସାଂପ୍ରତିକ ସମାଲୋଚନା କେମିତି ଅଚିହ୍ନା ଅଚିହ୍ନା ଲାଗୁଛି । ଆବେଦନର ମାଧ୍ୟମ ହେବା ପରିବର୍ତ୍ତେ ନିଜେ ଆବେଦନ ରହିତ ହୋଇଯାଉଛି ।

 

ଆଧୁନିକ କବିତା ବିରୁଦ୍ଧରେ ଗୋଟିଏ ମୁଖ୍ୟ ସ୍ୱର ହେଉଛି ତା’ର ଦୁର୍ବୋଧ୍ୟତା । ଆଜିର ସମାଲୋଚନା ଏହି କବିତାକୁ ବୁଝାଇବାକୁ ଯାଇ ନିଜେ ବି ଦୁର୍ବୋଧ୍ୟ ହୋଇପଡ଼ୁଛି । ଆଜିର ଅଧିକାଂଶ କବିତା ବିଷୟରେ ସମାଲୋଚନା ପଢ଼ିଲେ ଏହି ଧାରଣା ମନରେ ଜନ୍ମେ । କବିତାକୁ ବୁଝାଉଥିବା ସମାଲୋଚନା କେମିତି ଆହୁରି ଦୁବୋଧ୍ୟ ଜଣାପଡ଼େ । ଏହାର ଭାଷା କେମିତି ଗୁଡ଼ାଏ ଜାରଗନ୍‌ (Jargon)ରେ ଭର୍ତ୍ତି । ଗୁଡ଼ାଏ ବିଭିନ୍ନ ମତବାଦରେ ପ୍ରତିଧ୍ୱନି । ଆଉ ଏହାରି ଭିତରେ ନା ମିଳେ କବିତାର ପ୍ରାଣ ନା ମିଳେ ସମାଲୋଚନା ବଢ଼ାଇଥିବା ସାହାଯ୍ୟକାରୀ ହାତ । ପରିଣତି ଏଇଆ ହୁଏ ଯେ, ପାଠକ ଗୋଟିଏ ଗୋଲକଧନ୍ଦାରୁ ଯାଉ ଯାଉ ଗୋଟିଏ ଗୋଲକଧନ୍ଦାରେ ପଡ଼େ । କବିର ବ୍ୟକ୍ତିଗତ ପୃଥିବୀରୁ ଯାଇ ପାଠକ ପଡ଼େ ସମାଲୋଚକର ଜଟିଳ ଚକ୍ରବ୍ୟୁହରେ ।

 

ଏପରି ହେବାର ପ୍ରଧାନ କାରଣ ହେଉଛି, ଏବେବି ଆମ ସାଂପ୍ରତିକ ସମାଲୋଚନା ତା’ ନିଜ ଭାଷା ଖୋଜି ପାଇନି । ଆଧୁନିକ ସାହିତ୍ୟର ବ୍ୟାପକତା ଓ ଜଟିଳତାରୁ ପ୍ରକାଶ କରିବାପାଇଁ ତା’ପାଖରେ ଯା’ ପ୍ରୟୋଜନ ତା’ ଆଜି ସମାଲୋଚକ ପାଖରେ ନାହିଁ । କିନ୍ତୁ ଆଜିର ସମାଲୋଚକର ସବୁଠାରୁ ବଡ଼ ଅଭାବ ତା’ର ଆନ୍ତରିକ ପ୍ରତିକ୍ରିୟାର ପ୍ରକାଶ । ଅଧିକାଂଶ ସାଂପ୍ରତିକ ସମାଲୋଚନା ଯେମିତି ଅଲର ପ୍ରତିଧ୍ୱନି । ଫଳରେ ଏହା ନା ଶିଳ୍ପୀକୁ ସାହାଯ୍ୟ କରୁଛି ନା ପାଠକକୁ । କେବଳ ପାଣ୍ଡିତ୍ୟର ନିରସ ଦଲିଲଭାବେ ରହିଯାଉଛି । ଜୀବନାନୁଭୂତି ପାଖରୁ ଦୂରେଇଯାଇ ଯେମିତି ଆଧୁନିକ କବିତା ଜାତୀୟ ଜୀବନଠାରୁ ଦୂରେଇଗଲା, ଯେତେ ଯା’ କହିଲେ ବି ପ୍ରାଣକୁ ଛୁଇଁବାରେ ଅନେକ କ୍ଷେତ୍ରରେ ଅସମର୍ଥ ହେଲା, ଠିକ୍‌ ସେହିପରି ଆଜିର ସମାଲୋଚନା ରସାସ୍ୱାଦନ କରାଇବାରେ ଅନେକ କ୍ଷେତ୍ରରେ ଅସଫଳ । କାରଣ ଆବେଦନର ପ୍ରଥମ ପାହାଚ ହେଉଛି ସତ୍‌ ପ୍ରତିକ୍ରିୟା । ଏହି ପ୍ରତିକ୍ରିୟାର ଅଭାବ ଆଜି ଆମ ପାଖରେ । ପ୍ରଥମ ସ୍ତରରେ ସମାଲୋଚକର ‘ମୁଁ’ ଟି ଅନ୍ୟ ‘ମୁଁ’ ଦ୍ୱାରା ପ୍ରଭାବିତ ହୋଇପଡ଼ୁଛି । ଫଳରେ ସେ ଯେଉଁ ପ୍ରତିକ୍ରିୟା ପ୍ରକାଶ କରୁଛି ତା’ ଧ୍ୱନି ନୁହେଁ ପ୍ରତିଧ୍ୱନି ।

 

ଦ୍ୱିତୀୟରେ, ଏବେବି ଆମର ସାହିତ୍ୟର ମୂଲ୍ୟବୋଧ ପ୍ରତିଷ୍ଠିତ ହୋଇନାହିଁ । ତେଣୁ ବିଚାର କଲାବେଳେ କେଉଁ ମାନ, କେଉଁ କଷଟି ପ୍ରୟୋଗ କରିବାକୁ ପଡ଼ିବ ସେ ବିଷୟରେ ସମାଲୋଚକ ସନ୍ଦିହାନ । ତୃତୀୟରେ ଆମର ନିଷ୍ଠା ଏବଂ ସାହସର ଅଭାବ । କାରଣ ସମାଲୋଚନାକୁ ଗ୍ରହଣ କରିବା ବା ସୁସମାଲୋଚନା କରିବାର ଉଦାରତାର ଅଭାବ ଏବେବି ଅନେକ କ୍ଷେତ୍ରରେ ପରିଲକ୍ଷିତ ହୋଇଥାଏ । ତେଣୁ ସାଂପ୍ରତିକ ସମାଲୋଚନାର ପ୍ରଥମ ତ୍ରୁଟି ଏହି ଯେ, ତା’ ସରଳ, ସ୍ୱଚ୍ଛ ପୁଣି ବ୍ୟାପକ ହୋଇପାରି ନାହିଁ । ଏହା ଉଦାର, ସଂବେଦନଶୀଳ ପୁଣି ରସସିକ୍ତ ହେଲେ ଯାଇ ନିଜର ଭାଷା ଖୋଜିପାଇବ । ତା’ନହେଲେ ସବୁବେଳେ ଅପୂର୍ଣ୍ଣ ବା ଖଣ୍ଡକୁ ସ୍ୱୟଂ ସଂପୂର୍ଣ୍ଣ ଭାବେ ଏହା ଗ୍ରହଣ କରିନେବାକୁ ବାଧ୍ୟହେବ । ଅର୍ଥାତ୍‌ ପାଣ୍ଡିତ୍ୟ ପୂର୍ଣ୍ଣତା ବା ଅନ୍ଧ ଉଚ୍ଛ୍ୱାସ । (ପ୍ରଶଂସା ବା ନିନ୍ଦା) ହୋଇଯିବ ଏହାର ମାଧ୍ୟମ । ଭାଷା କେବଳ ଜଟିଳ ଜାର୍‌ଗନ୍‌ ବହୁଳ, ଉଦ୍ଧୃତି କଣ୍ଟକିତ ହୋଇ ଏହାକୁ ଆବେଦନ ରହିତ କରିପକାଇବ ।

 

ତେଣୁ ଆଜି ସମାଲୋଚନାକୁ ସରଳ, ସତ୍ୟଶୀଳ, ନିଷ୍ଠାବାନ ହେବା ସଙ୍ଗେ ସଙ୍ଗେ ଉଦାର ଓ ବ୍ୟାପକ ହେବାକୁ ପଡ଼ିବ । ତା’ନହେଲେ ଆବେଦନର ସାହାଯ୍ୟକାରୀ ନିଜେ ଆବେଦନ ରହିତ ହୋଇଯିବ । ସମାଲୋଚନାର ଭାଷା ସାହାଯ୍ୟକାରୀ ବନ୍ଧୁଟିର ଭାଷା ନ ହୋଇ ଅଜ୍ଞାତର ଅପରିଚିତ ସଙ୍କେତ ହୋଇଯିବ । ପାଠକ ଓ ସାହାଯ୍ୟଭିତରେ ଆଉ ଗୋଟିଏ ଦୂରତା ଧୂ ଧୂ ହୋଇ ଜଳିଉଠିବ ତା’ ସମାଲୋଚନାର ।

Image

 

ପ୍ରଲଂବିତ ଗୋଧୂଳି

 

ସାଂପ୍ରତିକ କାଳରେ ସମସ୍ତ କଳା ସୃଷ୍ଟି ଗୋଟିଏ ବିରାଟ ପ୍ରଶ୍ନର ସମ୍ମୁଖୀନ । ଏ ପ୍ରଶ୍ନ କଳାର ଅସ୍ତିତ୍ୱ ଉପରେ, ତା’ର ପ୍ରଭାବ ଉପରେ । ଏ ପ୍ରଶ୍ନ କେବଳ ଆଜିର ନୁହେଁ । ସବୁ ଯୁଗରେ କଳା ଏବଂ କଳାକାର ଏହି ପ୍ରଶ୍ନର ସମ୍ମୁଖୀନ ହୋଇଛି । ତା’ର ନିଜସ୍ୱ ଉତ୍ତର ଦେଇଛି । ଏହି ପ୍ରଶ୍ନରେ ଯୁଗର ନିଜସ୍ୱତା ଯେମିତି ସୂଚିତ ହୋଇଥାଏ, କଳାର ପ୍ରକାଶ ଭଙ୍ଗୀରେ ମଧ୍ୟ ତା’ର ସାଂପ୍ରତିକତା ସହ, ଚିରନ୍ତନତାର ଧ୍ୱନିତ ହୋଇଥାଏ । ନିଜସ୍ୱ ଗୁଣରେ ଗରୀୟାନ ହୋଇ କାଳ କଳାକୁ ତା’ର ଅସ୍ତିତ୍ୱ ଏବଂ ପ୍ରଭାବ ସମ୍ପର୍କରେ ପଚାରିଥିଲେ ହେଁ ତା’ର ବିଶେଷତ୍ୱ, ତା’ର ଉତ୍ତରୀତ ସତ୍ତାକୁ ଅସ୍ୱୀକାର କରିନାହିଁ । କଳାର ସାର୍ବଜନୀନତା ଏବଂ କଳାକାରର ସ୍ୱାତନ୍ତ୍ର୍ୟକୁ ସ୍ୱୀକାର କରି ତା’ର ଏ ପ୍ରଶ୍ନ । ମାତ୍ର ଆଜି ଆମ ସମାଜରେ କଳା ଏବଂ କଳାକାର ପ୍ରତି ଯେଉଁ ପ୍ରଶ୍ନ ସେଥିରେ ଏହି ବୈଶିଷ୍ଟ୍ୟକୁ ଗ୍ରହଣ କରିବାର ଭଙ୍ଗୀଟି ଏକାନ୍ତ ଅଭାବ । ତେଣୁ ଏ ପ୍ରଶ୍ନ ପଚାରିବାରେ ଯୁଗର ଯାନ୍ତ୍ରିକ ଅବ୍ୟକ୍ତିକତା କେମିତି ନିଷ୍ଠୁର ଭାବେ ଧ୍ୱନିତ । ଗୋଟିଏ ବିରାଟ ଉଦାସୀନ ସାଧାରଣତଃ ଯେମିତି ଚେତନାର ସମସ୍ତ ସୂକ୍ଷ୍ମତାକୁ ବଡ଼ ଋକ୍ଷ ଭାବରେ ଗୋଟିଏ ସ୍ତରରେ ସାମିଲ୍‌ କରିଦେଇଛି । ଆଜିର ଏ ଆହ୍ୱାନ ସେଇ ବଳପୂର୍ବକ ସମୀକରଣର ସୂଚନା ।

 

ସବୁ ଯୁଗରେ, ସବୁ ଦେଶରେ କଳାର ପ୍ରଭାବ ଦ୍ୱିବିଧ । ଏକ ଦିଗରେ ଏହା ଆନନ୍ଦଦିଏ ରସ ବୋଧରେ ମନକୁ ରସାଣିତ କରିଥାଏ । ଅନ୍ୟଦିଗରେ ଏହାର ସାମାଜିକ ଦାୟିତ୍ୱ ମଧ୍ୟ ଥାଏ-। ମଣିଷର ବ୍ୟକ୍ତିଗତ ପୁଣି ସାମାଜିକ ଚଳଣିକୁ ପ୍ରଭାବିତ କରି ଆମ ରୁଚି ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିଥାଏ । କଳାର ଏ ଦୁଇଟି ଦିଗ ମଝିରେ କୌଣସି ଏକ ନିର୍ଦ୍ଦିଷ୍ଟ ସୀମାରେଖା ଟଣାଯାଇ ନ ପାରେ । ଉତ୍ତମ କଳା ମଣିଷର ମନ ପୁଣି ତା’ର ବାହ୍ୟଜଗତକୁ ଏପରିଭାବେ ଆବୋରି ନେଇଥାଏ ଯେ ତା’ପାଖରୁ ଅଲଗା କରି ମଣିଷ ନିଜକୁ ବିଚାର କରିପାରେନାହିଁ । ଏହି ଜାତିର ସୃଷ୍ଟି ହେଉଛି ଆମ ସାରଳା ମହାଭାରତ, ଆମ ଜଗନ୍ନାଥ ଦାସଙ୍କ ଭାଗବତ । ଏମାନେ ଆମ ବଞ୍ଚିବାର ପୂର୍ଣ୍ଣତା, ଜଟିଳତାର ପ୍ରତୀକ । ଆମ ଚେତନାର ବିଭିନ୍ନ ଦିଗ୍‌ଦର୍ଶକ ମଧ୍ୟ । ସେଇଥିପାଇଁ ଯୁଗ ଯୁଗ ଧରି ଏମାନେ ଆମର ଏତେ ପ୍ରିୟ, ଏତେ ଆପଣାର । ସବୁ ଯୁଗରେ ସେମାନେ ସମକାଳୀନ ।

 

କଳା ବ୍ୟକ୍ତି ଚେତନାକୁ ଶାଣିତ କରିବା ସଙ୍ଗେ ସଙ୍ଗେ ଆମ ସାମାଜିକ ଜୀବନ ଉପରେ ମଧ୍ୟ ପ୍ରଭାବ ବିସ୍ତାରିଥାଏ । ବଞ୍ଚିବାର ସାମଗ୍ରୀକତାର ଛବି ନିଜ ଭାବେ ଆଂକି ନୂଆ ମୂଲ୍ୟବୋଧ ସୃଷ୍ଟି କରିଥାଏ । ତେଣୁ କଳା ସହ ସଚେତନ ପ୍ରାଣର ସମ୍ପର୍କ ଅତି ନିବିଡ଼ । ସବୁ ଯୁଗରେ ଏହା ସଚେତନ ମନର ଦ୍ୟୋତକ ହେବା ସଙ୍ଗେ ସଙ୍ଗେ ସର୍ବସାଧାରଣର ନିୟାମକ ହୋଇଥାଏ । ଏଣୁ କଳା ଓ ସାଂପ୍ରତିକ ସାମାଜିକ ଜୀବନ ଓତଃପ୍ରୋତଭାବେ ଜଡ଼ିତ । କଳା ସାଧନା ଯେତେ ବ୍ୟକ୍ତିଗତ ପୁଣି ନିରୋଳା ହେଲେମଧ୍ୟ ସାମାଜିକତାକୁ ଏଠାରୁ ବାଦ୍‌ ଦିଆଯିବା ସମ୍ଭବ ନୁହେଁ । କାରଣ କଳାକାର ନିଜେ ଜଣେ ସାମାଜିକ ଜୀବ । ତେଣୁ ସବୁ ସମୟରେ ସମାଜ କଳା ଏବଂ କଳାକାରକୁ ତା’ର ଉଦ୍ଦେଶ୍ୟ ଓ ପ୍ରଭାବ ଉପରେ ପ୍ରଶ୍ନ କରିଛି । ପୁଣି ତା’ର ଅସ୍ତିତ୍ୱକୁ ନିୟନ୍ତ୍ରିତ କରିବାକୁ ଚେଷ୍ଟା କରିଛି । ଅନ୍ୟଦିଗରେ କଳାକାର ତା’ର କଳାଦ୍ୱାରା ସେହି ପ୍ରଶ୍ନକର୍ତ୍ତାର ଦୃଷ୍ଟିଭଙ୍ଗୀ ଓ ଚେତନାକୁ ପ୍ରଭାବିତ କରିଛି । ଏହିଠାରେ ହିଁ କଳାର ବିଶେଷତ୍ୱ ନିଜସ୍ୱତା । ଆଉ ଏଇଥିପାଇଁ ସିଏ କେତେବେଳେ ଆଦର୍ଶ ରାଜ୍ୟରୁ ବିତାଡ଼ିତ ହୋଇଛି ତ କେତେବେଳେ ସମାଜ ତାକୁ ବିଷର ପାତ୍ର ଧରାଇଦେଇଛି । ପୁଣି ଅନ୍ୟଦିଗରେ ତା’ ପାଇଁ ଫରାସୀ ବିପ୍ଳବର ସୂତ୍ରପାତ ହୋଇଛି ତ, ‘ବନ୍ଦେ ମାତରଂ’ ଡାକରେ ସାରା ଭାରତର ନିଦ ଭାଙ୍ଗିଯାଇଛି । କଳା, କାଳ ଓ ସମାଜର ଏହାହିଁ ଅଙ୍ଗାଙ୍ଗୀ ସମ୍ପର୍କ । ନିଦ୍ଦିଷ୍ଟ କାଳରେ ଏକ ନିର୍ଦ୍ଦିଷ୍ଟ ସମାଜ ଭିତରେ କଳା ତା’ର ସ୍ୱାତନ୍ତ୍ର୍ୟ ରକ୍ଷାକରି ସାର୍ବଜନୀନ ହୋଇପାରିଛି, ହୋଇପାରିଛି ସତ୍ୟ, ଶିବ ଓ ସୁନ୍ଦରର ପ୍ରତୀକ ।

 

ଆଜିର ଏହି ପାରମ୍ପରିକ ନୂଆ ପ୍ରଶ୍ନର ଉତ୍ତର ଖୋଜିଲାବେଳେ ଆମ ମନରେ ଦୁଇଟି ଛବି ଭାସିଉଠେ । ଗୋଟିଏ ଛବି ସାଂପ୍ରତିକ ସମାଜର, ଅନ୍ୟଟି ଆମ ଚେତନାର, ଆମ ମୂଲ୍ୟବୋଧର । ଆଜି ଆମ ଜୀବନରେ ଦୁଇଟି ଶକ୍ତିଶାଳୀ ପ୍ରଭାବ । ଗୋଟିଏ ଶିଳ୍ପର ଅନ୍ୟଟି ରାଜନୀତିର । ଏ ଦୁଇଟି ଶକ୍ତି ପରସ୍ପର ସମ୍ପର୍କିତ ଏବଂ ଏମାନଙ୍କର ପ୍ରଭାବ ଆମ ଜୀବନକୁ ପ୍ରଭାବିତ କରିବା ସଙ୍ଗେ ସଙ୍ଗେ ଆମ ଦୃଷ୍ଟିକୋଣକୁ ରୂପାନ୍ତରିତ କରୁଛନ୍ତି । ଆମ ପାରମ୍ପରିକ ମୂଲ୍ୟବୋଧକୁ ଧ୍ୱଂସ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବିଚାରକଲେ ଶିଳ୍ପ ବିକାଶ ଆମ ବାହ୍ୟଜୀବନରେ ଯେ କେବଳ ପରିବର୍ତ୍ତନ ଆଣୁନି, ଆମ ଦେଶର ଚେହେରା ବଦଳାଉନି, ଜୀବନର ଧାରା ବଦଳାଉନି; ଜୀବନ ପ୍ରତି ଦୃଷ୍ଟିଭଙ୍ଗୀଟିକୁ ମଧ୍ୟ ବଦଳାଇ ଦେଉଛି । ସମାଜ ଭିତରେ ମଣିଷ ମଣିଷର ସମ୍ପର୍କକୁ ଭାଙ୍ଗିଦେଇ ବ୍ୟକ୍ତି ବ୍ୟକ୍ତି ଭିତରେ ଦୂରତା ଭରିଦେଉଛି । ବ୍ୟକ୍ତିକୁ ନିଜ ସ୍ୱାର୍ଥର ନିଶା ଭିତରେ ସକୁଞ୍ଚିତ କରାଇ ତାକୁ ନିହାତି ନିଃସଙ୍ଗ କରିଦେଉଛି । ସେ ହୋଇଯାଉଛି ସ୍ୱାର୍ଥପର, ନିଃସଙ୍ଗ ପୁଣି ସଦାବ୍ୟସ୍ତ । ଅନ୍ଧ ବ୍ୟସ୍ତତା ଭିତରେ ତା’ର ଖାଁ ଖାଁ ଅସ୍ତିତ୍ୱଟି ଖାଲି ଯାହା ଋନ୍ଧି ହୋଇଯାଉଛି । ସେ ଚାହୁଁଛି ସବୁ ନୀତି, ନିୟମ ଓ କାଳକୁ ନିଜ ମୁଠା ଭିତରେ ଧରି ରାତାରାତି କୁବେର ହୋଇଯିବ । ଏହି ନିଶାପାଖରେ ଆଉ କିଛିର ମୂଲ୍ୟ ନାହିଁ । ପାର୍‌ସେଣ୍ଟେଜ୍‌, ପ୍ରୋଡ଼ାକ୍‌ସନ, ପ୍ରଫିଟ୍‌ ପଛରେ ଧାଇଁସାରିବା ପରେ ଆଉ ଯାହା ସମୟ ମିଳିଲା ସେଥିରେ ଖାଲି ପ୍ରୟୋଜନ ଶିହରଣ । ପୁଣି କାରଖାନାର ଧୂଆଁ ସାଥିରେ ଧୂଆଁ ହୋଇ, ହାଡ଼ ଭାଙ୍ଗି ଯେଉଁ ସମୟ ରହିଲା ସେଥିରେ ବି ପ୍ରୟୋଜନ ସେହି ଶିହରଣ । ଅନ୍ୟଦିଗରେ ସାଂପ୍ରତିକ ରାଜନୀତି ଆମକୁ ଗୋଟିଏ ଶବ୍ଦ ବିଷୟରେ ସଚେତନ କରାଇଛି ତା’ ହେଉଛି ‘ଜନପ୍ରିୟ’ । ଯେକୌଣସି ଏମିତିକି ସବୁ ମୂଲ୍ୟବୋଧର ବିନିମୟରେ ଆଜି ଆମେ ଜନପ୍ରିୟ ହେବାକୁ ଚାହୁଁ । ଏଥିପାଇଁ ଆଜି ଆମେ ପାଗଳ । କାରଣ ଏହାରି ଭିତରେ ରହିଛି ସଫଳତାର ଚାବିକାଠି । ଆଲି ବାବାର ‘ସିସେମ୍‌ଫାଙ୍କ୍‌’ ଡାକ । ଏହି ଦୁଇ କ୍ଷୟିଷ୍ଣୁ ଶକ୍ତି ଆଗରେ ଆମ ଚେତନା ଥୁଣ୍ଟା ହେବା ସଙ୍ଗେ ସଙ୍ଗେ କଳା ମଧ୍ୟ ଜନପ୍ରିୟ ହେବା ନିଶାରେ ସେଇ ଉତ୍ତରୀତର ସନ୍ଧାନୀ ହୋଇନପାରି କେବଳ କ୍ଷଣିକର ପୂଜାରୀ ହୋଇଯାଉଛି । ହୋଇଯାଉଛି ଶିହରଣର ଲୋମଶ ଦ୍ୟୋତକ ।

 

ଏହାହିଁ ଆମ ସାମାଜିକ ଚେତନା ଏବଂ ଆମ କଳାର ଅବସ୍ଥା ପୁଣି ସାଂପ୍ରତିକ ସାଂସ୍କୃତିକ ପରିବେଶ । ଏହାରି ଭିତରେ ଲୁଚି ରହିଛି ଆମ ବଞ୍ଚିବାର ସାମଗ୍ରିକ ଯନ୍ତ୍ରଣା । ପୁଣି ଏହାର ଭିତରେ ଆମର ସାହିତ୍ୟ ସୃଷ୍ଟି । ସେଇ ସବୁ ଯୁଗର ପାରମ୍ପରିକ ପ୍ରଶ୍ନର ଉତ୍ତର ଦେବା । ଏକ ଅବକ୍ଷୟ, ମୂଲ୍ୟବୋଧ ହୀନ ସମାଜର ଦାବି–କ୍ଷୟିଷ୍ଣୁ ଶିହରଣର ଜାନ୍ତବ ଆମୋଦ । ଅନ୍ୟଦିଗରେ ସଂକୁଚିତ ଅହଂର ଅଜ୍ଞାତ ପ୍ରତି ଭୟ ପୁଣି ଜନପ୍ରିୟ ହେବାର ମଧୁର ନିଶା । ଏହି ଦୁଇ ପାଶବିକ ଶକ୍ତିର ଚାବ ଭିତରେ ଚାପା ପଡ଼ି ସଚେତନତାର ପ୍ରତୀକ ବୁଦ୍ଧିଜୀବୀ ଶିଳ୍ପୀକୁ ତା’ର ଉତ୍ତରଦେବାକୁ ପଡ଼ିବ–ତା’ର ସୃଷ୍ଟିକୁ ବଞ୍ଚାଇ ରଖିବାକୁ ପଡ଼ିବ । ତାକୁ ବଞ୍ଚିବାକୁ ପଡ଼ିବ କ୍ରାନ୍ତଦର୍ଶୀ ହୋଇ, ସତ୍ୟ ଆଉ ସୁନ୍ଦରର ଉପାସକ ହୋଇ । କାରଣ ଜଣେ ସଚେତନ ଶିଳ୍ପୀ ହେଉଛି ଏକ ସୁସ୍ଥ ସୁନ୍ଦର ଜୀବନର ଦ୍ରଷ୍ଟା । ତା’ର ସୃଷ୍ଟି ଏହାରି ପ୍ରତୀକ । ମଣିଷର ତା’ର ପରିବେଶ ସହ ସଂଘର୍ଷର ସୂଚକ ।

 

ଏହି ପରିପ୍ରେକ୍ଷୀରେ ଆମ ସାହିତ୍ୟ ସୃଷ୍ଟି ବିଶେଷତଃ ଆମ ଉପନ୍ୟାସ ସମ୍ପର୍କରେ ସାମାନ୍ୟ ଆଲୋଚନା କରାଯାଇପାରେ । ଉପନ୍ୟାସ ହେଉଛି ସାହିତ୍ୟର ଏକ ବଳିଷ୍ଠ ବିଭାଗ । ଏହା ଜୀବନର ବିଶାଳତା, ବିଭିନ୍ନତା ପୁଣି ଜଟିଳତାକୁ ତା’ ରଙ୍ଗୀନ୍‌ କ୍ୟାନଭାସ୍‌ରେ ରୂପ ଦେବାକୁ ଚେଷ୍ଟା କରିଥାଏ । ବିଭିନ୍ନ ଯୁଗର ଭିନ୍ନ ମଣିଷ ବିଭିନ୍ନ ରୂପ ଆଙ୍କି ଚିରନ୍ତନ ମଣିଷର ବିସ୍ମୟକର ଛବିଟିକୁ ଫୁଟାଇବାକୁ ଚେଷ୍ଟା କରିଥାଏ । ମଣିଷ ମନର ସବୁ ସ୍ୱପ୍ନ, ସବୁ ହତାଶା, ତା’ର ସମସ୍ୟା ତା’ର ସମାଧାନ ସବୁର ରୂପ ଉପନ୍ୟାସରେ ଫୁଟିଉଠିଥାଏ । ଚରିତ୍ର ଗୁଡ଼ିକ ସାଧାରଣ ମଣିଷର ନିଚ୍ଛକ ଛବି ହେବା ସଙ୍ଗେ ସଙ୍ଗେ ମଣିଷର ବାହ୍ୟତା ଭିତରେ ଯେଉଁ ଅଜ୍ଞାତ ମଣିଷଟି ଲୁଚି ରହିଥାଏ ତା’ର ସୂଚନା ଦିଏ । ତେଣୁ ଉପନ୍ୟାସ ଏହି ବିଶାଳ ଜଟିଳ-ଜୀବନର ପୂର୍ଣ୍ଣାଙ୍ଗ ପ୍ରତିଚ୍ଛବି । ଏହା କେତେବେଳେ ଆମ ଜୀବନର ବାସ୍ତବ ଛବି ହେଲାଣି ତ କେତେବେଳେ ଆମ ଅନ୍ଧାରି ମନର ପ୍ରତୀକୀ ପ୍ରକାଶ ହେଲାଣି । କେତେବେଳେ ଆମ ସାଂପ୍ରତିକ ଜୀବନର ସବୁ ଦୋଷ ଦୁର୍ବଳତା ଉପରେ ଖଡ଼୍‌ଗ ତୋଳିଲାଣି ତ କେତେବେଳେ ଏକ ଆଦର୍ଶ ପୃଥିବୀର ସ୍ୱପ୍ନ ଦେଖିଲାଣି-। ତେଣୁ ସବୁ ଦେଶରେ ଏହା ସବୁଠାରୁ ଜନପ୍ରିୟ ମାଧ୍ୟମ ।

 

ଆଧୁନିକ ଯୁଗରେ ଫକୀରମୋହନଙ୍କ ଜରିଆରେ ପ୍ରତିଷ୍ଠିତ ହୋଇ ଉପନ୍ୟାସ ସାହିତ୍ୟ ଅନେକ ବାଟ ଆଗେଇଆସିଛି । ଫକୀରମୋହନଙ୍କ ରାମଚନ୍ଦ୍ର ମଙ୍ଗରାଜଙ୍କ ମନ ଓ ପୃଥିବୀଠାରୁ ଲୟ ବିଲୟ ନାୟକର ମନ ଓ ପୃଥିବୀ ଅନେକ ଭିନ୍ନ । ଫକୀରମୋହନଙ୍କ ଚରିତ୍ର ଓ ସମାଜ ସଂପର୍କିତ । ଏ ଦୁଇଟି ସାଂପ୍ରତିକ ଜୀବନର ସୂଚକ । ଦୁଇଟି ବର୍ଣ୍ଣନାରେ ଲେଖକ ଚିରନ୍ତନ ମଣିଷର ଦୋଷ ଦୁର୍ବଳତା ଦେଖାଇଛନ୍ତି ପୁଣି ସେଇମାନଙ୍କ ଜରିଆରେ ଭଲମନ୍ଦ ସୂଚନା ଦେଉଛନ୍ତି । ମାତ୍ର ଲୟ ବିଲୟର ନାୟକର ପୃଥିବୀ ସଂପୂର୍ଣ୍ଣ ଭିନ୍ନ । ପ୍ରତି ମୁହୂର୍ତ୍ତରେ ତା’ମନର ପ୍ରତିକ୍ରିୟା, ତା’ର ପରିବର୍ତ୍ତନ ହିଁ ଏ ଉପନ୍ୟାସର ପ୍ରକୃତି । ଆଉ ଏ ଉପନ୍ୟାସର ପୃଷ୍ଠଭୂମିରେ ରହିଛି ପୁରୀ ଓ ସମୁଦ୍ର । ସମୁଦ୍ର ଏ ଉପନ୍ୟାସରେ ଗୋଟିଏ ଚରିତ୍ର । ପରିବର୍ତ୍ତିତ ମନର ଗୋଟିଏ ପ୍ରତୀକ । ଆଧୁନିକ ଯୁଗରେ ତେଣୁ ସାମାଜିକ ବ୍ୟାପକତାରୁ ମାନସିକ ଗଭୀରତାଆଡ଼କୁ ଉପନ୍ୟାସର ଜୟଯାତ୍ରା । ମଣିଷର ମନହିଁ ଯେମିତି ଆଜିର ନାୟକ । ତା’ରି ଚିତ୍ରଣ ପାଇଁ ଯେତେସବୁ ପରିବର୍ତ୍ତନ ତାହାହିଁ ଆଜିର ପରୀକ୍ଷା, ଆଜିର ଜୀବନ । ଯେମିତି ସମୟ ସୁଅରେ ଗୋଟିଏ ବିନ୍ଦୁରୁ ଆଉ ଗୋଟିଏ ବିନ୍ଦୁକୁ ଭାସିଯାଉନି । ଗୋଟିଏ ବିନ୍ଦୁକୁ କେନ୍ଦ୍ର କରି ଯେମିତି ମୁହୂର୍ତ୍ତ ସବୁ ଚକାଭଉଁରୀ ଖେଳୁଛି । ଆଜିର ଉପନ୍ୟାସ ଏହି ଚକାଭଉଁରୀର ଖେଳ । ଏ ଚକାଭଉଁରୀ ଭିତରେ ମଣିଷ ଆଉ ନାୟକ ହୋଇ ଦେଖାଦେଉନାହିଁ । ତା’ର ସବୁ ଘଟଣା, ତା’ର ସବୁ ଆହ୍ୱାନ କେମିତି ନିଜ ଭିତରେ ସଂକୁଚିତ ହୋଇଯାଉଛି । ଆଜିର ନାୟକ ତେଣୁ ଏଣ୍ଟିନାୟକରେ ପରିଣତ ହୋଇଛି । ଏ ସବୁ ପରିବର୍ତ୍ତୀତ ଛବି ଭିତରେ ଉପନ୍ୟାସ ସେଇ ସଦା ସଂଘର୍ଷଶୀଳ ମଣିଷକୁ ହିଁ ଆଙ୍କି ଚାଲିଛି । ଆଙ୍କି ଚାଲିଛି ତା’ର ସମସ୍ୟା–ବିଶ୍ୱ ସହିତ ତା’ର ସଂଘର୍ଷର ଛବି । ମବି ଡିକ୍‌ରେ ଧଳା ତିମିର ସନ୍ଧାନ ପୁଣି ବଳୀଦତ୍ତର ଘୁଷୁରିଆ ପଦାରେ ଘୂରି ବୁଲୁଥିବାରେ ବି ଏହି ସଂଘର୍ଷ । ଏହି ସଂଘର୍ଷ ପୁଣି ‘‘Old man and the sea’’ ଉପନ୍ୟାସର ନାୟକ ପାଖରେ । ଏହା କେତେବେଳେ ବାହ୍ୟ, କେତେବେଳେ ମାନସିକ ପୁଣି କେତେବେଳେ ଆଧ୍ୟାତ୍ମିକ । କେତେବେଳେ ସେ ସମାଜ ଆଉ ମଣିଷ ଭିତରେ ନିଜକୁ ସାମିଲ୍‌ କରୁଛି ତ ହାର୍‌ଜୋଗ୍ ପରି ନିଜଭିତରେ ସଂକୁଚିତ ହୋଇ ଘୋଷଣା କରୁଛି ତା’ର ଆଉ ଚିଠି ଲେଖିବାର କିଛି ନାହିଁ । ତେଣୁ ବିଭିନ୍ନ ସତ୍ତା ନେଇ ଆଜି ମଣିଷ ତିଷ୍ଠିଛି । କେତେବେଳେ ସେ ସାର୍ତ୍ତଙ୍କ ‘ନସିଆ’ ଉପନ୍ୟାସର ନାୟକ ରୋକ୍ୱେଣ୍ଟିନ୍‌ ପରି ନିଜକୁ ଅନାବଶ୍ୟକ ମନେକରିଛି । କାରଣ ଏ ଜଗତ ତା’ପାଖରେ ଖୁବ୍‌ ବେଶୀ-। ସେ ନିଜେ ଏ ଜଗତରେ ଅତିରିକ୍ତ । ତା’ର କରିବାର କିଛି ନାହିଁ । ଅନ୍ୟଦିଗରେ ସୁରେନ୍ଦ୍ର ମହାନ୍ତିଙ୍କ ରାମଚନ୍ଦ୍ର ଦେବ । ନିଜ ସଂସ୍କୃତି, ଐତିହ୍ୟର ପ୍ରତୀକ ଜଗନ୍ନାଥଙ୍କୁ ପ୍ରତିଷ୍ଠା କରି ଶେଷରେ ନିଜର ନିଃସଙ୍ଗତାକୁ ହିଁ ଅଙ୍ଗେ ନିଭେଇଛନ୍ତି ।

 

ଏହାହିଁ ଉପନ୍ୟାସର ବୈଚିତ୍ର୍ୟ । ମାତ୍ର ସାଂପ୍ରତିକ ଓଡ଼ିଆ ଉପନ୍ୟାସକୁ ପର୍ଯ୍ୟାଲୋଚନା କଲେ ଆମକୁ ହତାଶ ହେବାକୁପଡ଼େ । ଉଭୟ ଗୁଣ ଏବଂ ସଂଖ୍ୟା ଦୃଷ୍ଟିରୁ ଗତ ଦୁଇଦଶକର ଓଡ଼ିଆ ଉପନ୍ୟାସ ବହୁ ପଛରେ । ବର୍ତ୍ତମାନ ମନେହୁଏ ଯେମିତି ଉପନ୍ୟାସ ଲେଖା ଧୀରେ ଧୀରେ କମିଯାଉଛି । ପ୍ରବୀଣ ଲେଖକମାନେ ଧୀରେ ଧୀରେ ନୀରବ ହୋଇଆସୁଥିବାବେଳେ ତରୁଣ ଲେଖକଙ୍କ ସଂଖ୍ୟା ଧୀରେ ଧୀରେ କମିଆସୁଛି । ଅନେକଙ୍କ ପାଖରେ ପ୍ରତିଶ୍ରୁତିର ଅଭାବ ଉପନ୍ୟାସ ସୃଷ୍ଟିରେ ଆଜି ଯେମିତି ଏକ ପ୍ରଲଂବିତ ଗୋଧୂଳି । ଖାଲି ସୂର୍ଯ୍ୟାସ୍ତର ରଙ୍ଗୀନ ସ୍ମୃତି, ପୁଣି ଆଗାମୀ ଅନ୍ଧାରର ରୀତି । ଏହାର କାରଣ ହୁଏତ ଅନେକ ହୋଇପାରେ । କିନ୍ତୁ ପାଠକର ଅଭାବ କେବେ ନୁହେଁ । ଆଜିର ପାଠକ ସମସ୍ତେ ଉପନ୍ୟାସ ପ୍ରିୟ । କିନ୍ତୁ ଧୀରେ ଧୀରେ ସେମାନେ ଉପନ୍ୟାସ ପ୍ରତି ବିମୁଖ ହେଉଛନ୍ତି । ବୋଧହୁଏ ଭଲ ଉପନ୍ୟାସର ଅଭାବ ଗୋଟିଏ କାରଣ ।

 

ଆଜି ଆମେ ତେଣୁ ଏକ ବିରୋଧାଭାଷର ସମ୍ମୁଖୀନ । ଆଜି ଅନେକ ଉପନ୍ୟାସ ପାଠକ । ଅନେକ ଉପନ୍ୟାସ ମାତ୍ର ଭଲ ଉପନ୍ୟାସ ପ୍ରାୟ ମଉଳି ଆସିଲାଣି । କାରଣ କଳା ଆଉ ରସଗ୍ରାହୀ ପାଠକ ଭିତରେ କେମିତି ବ୍ୟବସାୟ ଧସାଇପଶୁଛି । ପାଠକର ରୁଚି ଯା’ ଚାହୁଁଛି ଜନପ୍ରିୟତାର ନାମରେ ଲେଖକ ତାହାହିଁ ପରିବେଷଣ କରୁଛି । ଏକ ଉନ୍ନତ ରୁଚି ଜାହିର କରିବାରେ ଅସଫଳ ହେଉଛି । ଅନ୍ୟଦିଗରେ ପୁସ୍ତକୀୟ ସମ୍ୱାଦକୁ ନିଜର ଅନୁଭୂତିଭାବେ ଗ୍ରହଣ କରି ପରୀକ୍ଷା ନାମରେ ଯେଉଁ ଚରିତ୍ର, ଯେଉଁ ପୃଥିବୀ ପୁଣି ଯେଉଁ ଶୈଳୀ ଗ୍ରହଣ କରୁଛି ତା’ ଆମ ଜୀବନର ଛବି ହେଉନାହିଁ । ପାଠକ ନିଜକୁ ଉପନ୍ୟାସର ପରିବେଶ ବା ଚରିତ୍ର ଭିତରେ ଖୋଜିପାଉନି । ଫଳରେ ସେ ଦୂରେଇଯାଉଛି ।

 

ଭଲ ଉପନ୍ୟାସର ଅଭାବ ତେଣୁ ଆଜିର ସମସ୍ୟା । ଭଲ ଉପନ୍ୟାସ କହିଲେ ଏଠାରେ ମୁଁ ଜନପ୍ରିୟ ଉପନ୍ୟାସକୁ ବୁଝୁନାହିଁ । ବ୍ୟକ୍ତିଗତ ଭାବରେ ମୁଁ ସେହି ଉପନ୍ୟାସ କଥା କହୁଛି ଯା’ ଲୋକପ୍ରିୟ ଶାଶିତ କରିବ । ତେଣୁ ଏହା ଶିହରଣ ଭରା ଉପନ୍ୟାସ ନୁହେଁ, ସତ୍ୟନାମରେ ବିକାର ସୃଷ୍ଟି କରିବା ନୁହେଁ, ପରୀକ୍ଷା ନାମରେ ଆମ ବାସ୍ତବତା ପାଖରୁ ଦୂରେଇଯାଉଥିବା ଉପନ୍ୟାସ ନୁହେଁ । ଏସବୁ ବାହାରେ ‘ଆଉ କିଛି’ ଯାହା ଉପନ୍ୟାସକୁ ଭଲ କରେ । ଉପନ୍ୟାସ ଜନପ୍ରିୟ ହୁଏ ପୁଣି ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରେ ମଧ୍ୟ । ବର୍ତ୍ତମାନ ଆମକୁ ସେଇ ‘ଆଉ କିଛି’ର ରହସ୍ୟକୁ ଖୋଜିବାକୁ ପଡ଼ିବ । ଏହାର କୌଣସି ନିର୍ଦ୍ଦିଷ୍ଟ ଫର୍ମୁଲା ନାହିଁ । ଏହା ନିହିତ ଔପନ୍ୟାସିକର ଜୀବନାନୁଭୂତିରେ, ତା’ର ପ୍ରକାଶ ଭଙ୍ଗୀରେ, ଐତିହ ଏବଂ ବର୍ତ୍ତମାନ ସହ ତା’ର ନିବିଡ଼ ସମ୍ପର୍କରେ । ଏହା ସୂଚିତ ଅନୁଭବର ଗଭୀରତା ଓ ସାମଗ୍ରୀକତା ପୁଣି ଲେଖକର ଜୀବନ ଦର୍ଶନରେ । ଯା’କୁ ପଢ଼ିଲେ ପାଠକ କହିବ ଏ ଉପନ୍ୟାସ ମୋ’ରି କଥା କହୁଛି-। ମନଭିତରେ ସରଦେଈ ନାକରେ ଭରିଯିବ ଦୟଣା ଫୁଲର ବାସ୍ନା । ଆଖିଆଗରେ ଶହେ ‘ପରଜା’ର ପୃଥିବୀ ଅଦେଖା ହାତଦ୍ୱାରା ନାଚୁଥିବା ଅସଂଖ୍ୟ ଅଶ୍ରୁଳ ଗୀତା । ପରିବର୍ତ୍ତିତ ପରିସ୍ଥିତିରେ ମୋହମୁକ୍ତ ହତାଶ । ନିଧିଦାସଙ୍କ ଅନ୍ଧ ଦିଗନ୍ତରେ ମଥା ପିଟୁଥିବାର ଛବି ଆମଆଗରେ ଫୁଟିଉଠିବ । ଏହାହିଁ ତ ଫସ୍‌ଟରଙ୍କ ଜୀବନ ସହ ପରୀକ୍ଷା । ଯା’ କାଳ, ପାତ୍ର ପୁଣି ପରିବେଶକୁ ଗ୍ରହଣ କରି ପୁଣି ସେ ସବୁକୁ ଟପିଯାଇ କାଳଜୟୀ ହୁଏ । ଚରିତ୍ର ରକ୍ତ ମାଂସର ମଣିଷ ହୋଇଯାଏ–ତାଙ୍କ ପରିବେଶ ହୁଏ ଆମର ପରିଚିତ ପୃଥିବୀ । ଏହାହିଁ ତ ଡିକେନ୍‌ସ, ଲରେନ୍‌ସ, ହେମିଂଓ୍ୱେ, ଶରତଚନ୍ଦ୍ର, ପ୍ରେମଚାନ୍ଦ, ଫକୀରମୋହନ ଓ ଗୋପୀନାଥଙ୍କ ଉପନ୍ୟାସର କାଉଁରୀ କାଠି ।

 

ସାଂପ୍ରତିକ ଓଡ଼ିଆ ଉପନ୍ୟାସରୁ ଏହି ‘ଆଉ କିଛି’ଟି ଧୀରେ ଧୀରେ ମଉଳିଯାଉଛି । ଲେଖକ ଧୀରେ ଧୀରେ ତା’ ସୀମିତତା ଭିତରେ ହଜିଯାଉଛି । ସେ କେମିତି ନିବିଡ଼ ଭାବରେ ବଞ୍ଚିପାରୁନି । ସେ ଉପନ୍ୟାସ ଲେଖୁଛି ବଞ୍ଚିବାରୁ ନୁହେଁ, ଖାଲି ପଢ଼ିବାକୁ । ଫଳରେ ଦୃଷ୍ଟିକୋଣରେ ଦାରିଦ୍ର୍ୟ ଆସୁଛି । ଆଜି ଉପନ୍ୟାସକୁ ଛୁଇଁଲେ ‘‘ନୂଆମଣିଷର ଛାତି’’କୁ ଛୁଇଁହେଉନି । ଫଳରେ ଅନୁଭବ ଓ ପ୍ରକାଶ ଭିତରେ ସାମ୍ୟ ରହୁନି । ସୁବଥିରେ ଖାଲି କୃତ୍ରିମତା ଭରିଯାଉଛି । ଲେଖକ ହିସାବରେ ଯେଉଁ ଶକ୍ତିଶାଳୀ ନିର୍ଭୀକ ଅହଂଟିଏ ଲୋଡ଼ା ତାହା ଆଜି ରକ୍ତଶୂନ୍ୟ ହୋଇଯାଉଛି । କାହା ଭୟରେ ? କାହା ଆକର୍ଷଣରେ ? ଫଳରେ ଆଜିର ଲେଖା ଗୋଟିଏ ଦିଗରେ ପ୍ରଚାର ହେଉଛି ତ ଅନ୍ୟଦିଗରେ ସତ୍ୟର ଭୟରେ କଳ୍ପନାର ମାୟାଜାଲ ବୁଣିଚାଲିଛି । ଆଜିର ଉପନ୍ୟାସ ମିଥ୍ୟା, ଛଳନାର ହିସାବୀ ଫର୍ମୁଲା । ନିବିଡ଼ତାର ଧୁଧୁ ମରୀଚିକା । ଲେଖକ ଆଜି ଅର୍ଥ, କ୍ଷମତା, ପୁଣି ଲୋକପ୍ରିୟତା ପାଖରେ ସଙ୍କୁଚିତ । ତା’ ଆଖିରେ ଭୟ ଆଉ ଲୋଭର ଅନ୍ଧପୁଟୁଳି । ଫଳରେ ତା’ର ଦୃଷ୍ଟି ସୀମିତ ଓ ରୂପାନ୍ତରିତ । ପରିବର୍ତ୍ତନର ଯେଉଁ ସୁଅ ବୋହିଚାଲୁଛି ତାକୁ ଦେଖି ସେ ଦେଖିପାରୁନି । ତେଣୁ ଅସଫଳତା ଆଉ ଦୁର୍ବଳତା ହିଁ ସାଂପ୍ରତିକ ଲେଖାର ଏକମାତ୍ର ଲକ୍ଷଣ । କାରଣ ଲେଖକ କୌଣସି ମୂଲ୍ୟବୋଧ ପାଖରେ committed ନୁହେଁ । ନିଜପାଖରେ ଆଉ ତା’ କଳା ପାଖରେ ମଧ୍ୟ ନୁହେଁ । ତେଣୁ ସେ ଅରଓ୍ୱେଲଙ୍କ ପରି କହିପାରୁନି–‘‘I write it because there is some lie that I want to expose, some fact to which I want to draw attention, and my initial concern is to get a hearing.’’ ଆଜିର ଆମେ ସୋଲ୍‌ ଜେନିତ୍‌ସିନ୍‌ଙ୍କ ପରି ‘cancer ward’ର ଛବି ଆଙ୍କି ପାରୁନାହିଁ । ଆଙ୍କି ପାରୁନି ବି ସଲବେଲୋଙ୍କ ପରି ଡେଙ୍ଗ୍‌ଲିଂ ମେନ୍‌ର କାରୁଣ୍ୟ, ତା’ର ହତାଶା । ତେଣୁ ସେ ମଣିଷର ବିଭିନ୍ନ ରୂପ ଦେଇପାରୁନି । ମଣିଷ ଭିତରେ ଲୁଚି ରହିଥିବା ଦେବତାଟିକୁ ଖୋଜିପାଉନି । ଡସ୍‌ଟୋଭେସ୍କିଙ୍କ ପରି ସେ କହିପାରୁନି–‘‘Because I have seen the truth, I have seen it and I know that people can be beautiful and happy without losing their ability to dwell on this earth. I cannot and will not believe that evil is man’s natural state.’’ ‘‘The Dream of a Ridiculous man.’’) ଆମର ଅଧିକାଂଶ ଲେଖକ ଏହି ‘ସତ୍ୟ’କୁ ଭେଟିନାହାନ୍ତି । କାରଣ ସେମାନେ ନିଷ୍ଠାର ସହ ଖୋଜିନାହାନ୍ତି । ଫଳରେ ଆଜିର ଉପନ୍ୟାସ ସତ୍ୟର ସୌନ୍ଦର୍ଯ୍ୟରେ ଉଦ୍ଦାସିତ ହେଉନାହିଁ । ତେଣୁ ସେ ଅରଓ୍ୱେଲ୍‌ଙ୍କ ‘‘a hearing’’ ପାଇପାରୁନି । ସେ ଦୂରେଇଯାଉଛି ପାଠକ ପାଖରୁ–ନିଜ ପାଖରୁ । ସେଥିପାଇଁ ‘hearing’ ପାଇଁ ଆଜି ଲେଖକ ଯା’ କରୁଛି ଖାଲି ନିଜ ଅହଂର ହତ୍ୟା–ଖାଲି ଜନପ୍ରିୟ ହେବାର ଅବାଂଛିତ ପ୍ରଚେଷ୍ଟା ।

 

ଆଜି ଉପନ୍ୟାସରେ ତେଣୁ ଏକ ମୂଲ୍ୟବୋଧର ସଙ୍କଟ । ଏହି ସଙ୍କଟକୁ ଟପିବାର ଏକମାତ୍ର ଉପାୟ ନିଜଠାରେ ସତ୍ୟଶୀଳ ହୋଇ ଆଜିର ଅବକ୍ଷୟ ରୁଚିରେ ବୈପ୍ଳବିକ ପରିବର୍ତ୍ତନ ଆଣିବା । ଏହାହିଁ ତ ଲେଖକର ଦାୟିତ୍ୱ । ଏହା କେବଳ ଏଇ ସତ୍ୟଶୀଳ ସ୍ରଷ୍ଟା ପାଖରେ ସମ୍ଭବ । ଆଜି ଔପନ୍ୟାସିକ ପାଖରେ ଉତ୍ତମ ପାଠକ, ରୁଚିପୂର୍ଣ୍ଣ ପାଠକ ସୃଷ୍ଟି କରିବାହିଁ ଏକମାତ୍ର ଦାୟିତ୍ୱ । କୁରୁଚିପୂର୍ଣ୍ଣ ପାଠକର ଆଧିକ୍ୟ ସଂସ୍କୃତି ଓ ସାହିତ୍ୟ ପ୍ରତି ବିପଦ । ତେଣୁ ଆଜି ଏକ ଅହଂଦୀପ୍ତ ସଚେତନ ଶିଳ୍ପୀର ପ୍ରୟୋଜନ । ଯା’ର ଉପନ୍ୟାସକୁ ଛୁଇଁଲେ ପାଠକ ନିଜକୁ ଛୁଇଁଲା ପରି ଭାବିବ-। ଯା’ର ଉପନ୍ୟାସ ପଢ଼ି ଏକ କ୍ରାନ୍ତ ଦୃଷ୍ଟିର ପରିଚୟପାଇବ–ଆଜିର କଣ୍ଟକିତ ଅର୍ଥହୀନତା ଭିତରେ ହତାଶ ମଣିଷ ନୂଆ ଆଲୁଅର ରାହାପାଇବ । ସୁସ୍ଥ ଭାବରେ ବଞ୍ଚିବାର ସମ୍ଭାବନା ଦେଖିପାରିବ । ନିର୍ଭୀକ ହୋଇ ପ୍ରଚାରର ମୋହ ଛାଡ଼ି ପାଠକ ଆଗରେ ଲେଖକ ସତକୁ ଦେଖାଇଦେବ । ‘ମାଟିମଟାଳ’ର ରବି ପରି ସ୍ୱପ୍ନ ଦେଖିପାରିବ, ଜୀବନକୁ ସାମ୍ନା କରିପାରିବ । ହୁଏତ ହାରିଯାଇପାରେ ସେଥିରେ ଦୁଃଖ ନାହିଁ । କାରଣ ଏପରି ହାରିବାଟା ତ ଏକ ବିଜୟ ମଣ୍ଡିତ ପରାଜୟ ।

 

ଆଜିର ଉପନ୍ୟାସ ଏହି ନୂଆ, ଏହି ସତ୍ୟର ପ୍ରତୀକ ହେଉ । ଔପନ୍ୟାସିକ ସତ୍ୟଶୀଳ ହେଉ । ଉପନ୍ୟାସ ହେଉ ସତ୍ୟ, ଆନନ୍ଦ, ରୁଚି ଓ ମାନବିକତାର ବିଶ୍ୱସ୍ତ ଉଚ୍ଚାରଣ । କୌଣସି ପତ୍ରିକା ତେଣୁ ଏହି ଉଦ୍ଦେଶ୍ୟ ନେଇ ଆରମ୍ଭ ହେଉ । ନୂଆ ରୁଚି ସୃଷ୍ଟିକରି ପାଠକ ଓ ଲେଖକ ଭିତରେ ଗଢ଼ିଉଠୁଥିବା ଦୂରତାକୁ ସଙ୍କୁଚିତ କରିବାର ଚେଷ୍ଟାକରୁ । ତା’ ନକଲେ ସେଇ ତଥାକଥିତ ବ୍ୟବସାୟିକ ଜନପ୍ରିୟତା ହାସଲ କରିବ ସିନା ଉତ୍ତମ ସାହିତ୍ୟ ସମ୍ଭବ ହେବନାହିଁ ।

Image

 

ନବ ଘାତକ

 

ସାଂପ୍ରତିକ ଓଡ଼ିଆ ସାହିତ୍ୟକୁ ପର୍ଯ୍ୟାଲୋଚନା କଲେ କବିତା କ୍ଷେତ୍ରରେ ଆମେ ଏକ ବିରୋଧ ଭାଷାର ସମ୍ମୁଖୀନ ହୋଇଥାଉ । କବିତା ବହୁଚର୍ଚ୍ଚିତ ପୁଣି ସବୁଠାରୁ ଅଧିକ ଅବହେଳିତ ବିଭାଗ । ଏହା ଅବହେଳିତ ଲେଖା ଦୃଷ୍ଟିରୁ ନୁହେଁ, ପଢ଼ା ଦୃଷ୍ଟିରୁ । ଆଜି କବିତା ସବୁଠାରୁ ଅଧିକ ଲେଖାହେଉଛି ମାତ୍ର ପଢ଼ାହେଉଛି ସବୁଠାରୁ ଅଳ୍ପ । ଆଜିର କବିତା ସମ୍ପର୍କୀୟ ଚର୍ଚ୍ଚା ଏହି ଅବହେଳା ଉପରେ ବିଶେଷ ଗୁରୁତ୍ୱ ନଦେଇ କବିତାକୁ ପ୍ରତିଷ୍ଠିତ କରିବାରେ, ତା’ର ମୂଲ୍ୟାୟନ କରିବାରେ ଚେଷ୍ଠିତ । ଫଳରେ ସମାଲୋଚନା ମଧ୍ୟ ଅସଂପୂର୍ଣ୍ଣ । ତେଣୁ ସାଂପ୍ରତିକ କାବ୍ୟଜଗତ ସୃଷ୍ଟି ଏବଂ ସମୀକ୍ଷା ଉଭୟ ଦୃଷ୍ଟିରୁ ବହୁ ମୁଖରିତ ନୀରବତା ଆଡ଼କୁ ଆଗେଇଚାଲିଛି । ଏହି ଦୁଃସ୍ଥିତି ଆମ ସାଂସ୍କୃତିକ ମୂଲ୍ୟବୋଧର ପରିଚାୟକ । କବିତା ସହ ସମାଜର ସମ୍ପର୍କ ପୁଣି କବିତା ପ୍ରତି ସମାଜର ଦୃଷ୍ଟିକୋଣ ନାନ୍ଦନିକ ଚେତନାର ସୂଚକ । କାରଣ କବିତା ହିଁ ଗୋଟିଏ ସମାଜର ସାମଗ୍ରିକ ଚେତନାର ମାପଯନ୍ତ୍ର । ଏହି କାବ୍ୟ ସଚେତନତା ଗୋଟିଏ ସମାଜର ସାଂସ୍କୃତିକ ଚେତନାର ବ୍ୟାପକତା, ଜୀବନ ଦର୍ଶନର ଗଭୀରତା, ପୁଣି ମୂଲ୍ୟବୋଧର ପରିବର୍ତ୍ତିତ ଦୃଷ୍ଟିକୋଣଟିକୁ ହିଁ ଦର୍ଶାଇଥାଏ । ଏହି ପରିପ୍ରେକ୍ଷୀରେ ଆମ ସାଂପ୍ରତିକ କାଳରେ ସମାଜ-କବିତା ସମ୍ପର୍କରେ ସମ୍ୟକ୍‌ ଆଲୋଚନା କରିବା ବିଧେୟ ।

କବିତା ଅହଂ ଏବଂ ନାହଂର ଏକ ଆବେଗମୟୀ ସମନ୍ୱୟ । ଗୋଟିଏ ଦିଗରେ ଏହା ଏକ ନିରୋଳା କଳା ଅଥଚ ଏହା ସମ୍ପର୍କ ଗଣ ସହ । ବ୍ୟକ୍ତି ଏବଂ ସମାଜ ବ୍ୟତୀତ କବିତାର କିଛି ଅର୍ଥ ନାହିଁ । କାରଣ ଏହା ବ୍ୟକ୍ତିର ଏକାନ୍ତ ଅନୁଭବକୁ ନିଜସ୍ୱଭାବେ ପ୍ରକାଶ କଲେ ବି ଗଣ ପାଇଁ ଏହା ଉଦ୍ଦିଷ୍ଟ । ଆବେଦନରେ ହିଁ ତ ପ୍ରକାଶର ପୂର୍ଣ୍ଣତା । କବିର ଏକାନ୍ତ ଅହଂଟି ମଧ୍ୟ ସଂପୂର୍ଣ୍ଣ ନିରୋଳା ନୁହେଁ । ତା’ର ବ୍ୟକ୍ତିତ୍ୱଟି ମଧ୍ୟ ସମାଜ ଅର୍ଥାତ୍‌ ଗୁଣର ଅଂଶବିଶେଷ । କବିର କବିତ୍ୱ ତେଣୁ ସମାଜର ଅଂଶ ପୁଣି ତା’ଭିତରେ ସମାଜ ଚେତନା ମଧ୍ୟ ଗର୍ଭିତ । କବିତା ସବୁ କାଳରେ ଏହି ପୂର୍ଣ୍ଣତାକୁ ପ୍ରକାଶ କରିଆସିଛି । ସେ ସମାଜକୁ ଦେଇଛି ତା’ର ଅହଂର ଅନୁଭୂତି ଆଉ ସ୍ୱପ୍ନ ପୁଣି ସମାଜ ମଧ୍ୟ କବି ପାଖରୁ ଅନେକ କିଛି ଦାବି କରିଛି, ଅନେକ ଗ୍ରହଣ କରିଛି । କବି ଆଦର୍ଶ ରାମକୁ ତ ସମାଜ ରାମରାଜ୍ୟର ସ୍ୱପ୍ନକୁ ସଫଳ କରିବାକୁ ଯୁଗ ଯୁଗ ଧରି ଚେଷ୍ଟା କରିଛି । କବି ଆଉ ସମାଜ ଭିତରେ ଏହି ଦିଆନିଆର ସମ୍ପର୍କ । ତେଣୁ କବି ସମାଜ ବିରୁଦ୍ଧରେ ସ୍ୱର ତୋଳିଲେ ସମାଜ ମଧ୍ୟ ତା’ କବି ମଥାରେ କେତେବେଳେ ପାଗବାନ୍ଧେ ତ କେତେବେଳେ ତାକୁ ସମାଜରୁ ବାସନ୍ଦ କରେ । ଜୀବନ ଆଦିମକାଳରୁ ଏ ସମ୍ପର୍କ । ଏ ସମ୍ପର୍କ ସବୁବେଳେ ଚେତନାର । ଆନନ୍ଦ ପାଇବା ମାଧ୍ୟମରେ ଆତ୍ମବୋଧର । ଆଜି ଆମ ସାଂପ୍ରତିକ କାଳରେ ଏ ଚିରନ୍ତନ ସମ୍ପର୍କରେ ଆଉଥରେ ପର୍ଯ୍ୟାଲୋଚନା କରିବାର ବେଳ ଆସିଛି । କାରଣ ଆଜି ଆମ ସମାଜ ଯେପରି ଦୃଢ଼ ଭାବରେ ପରିବର୍ତ୍ତିତ ହେବାରେ ଲାଗିଛି ଏବଂ ବିଜ୍ଞାନ ଯେପରିଭାବରେ ମଣିଷର ମନକୁ ପ୍ରଭାବିତ କରିବାରେ ଲାଗିଛି, ସେଇ ପରିପ୍ରେକ୍ଷୀରେ କବିତାର ପ୍ରଭାବ ଉପରେ ସ୍ୱତଃ ପ୍ରଶ୍ନଉଠେ ।

କବିତା ଆଜି ଏକ ଦୁଃସ୍ଥିତିର ସମ୍ମୁଖୀନ । ଏ ଦୁଃସ୍ଥିତିର ମୂଳ ଉତ୍ସ ପାଠକ ସହ ତା’ର ସମ୍ପର୍କରେ ନିହିତ । ଗୋଟିଏ ପର୍ଯ୍ୟାୟରେ ଜୀବନ ସହ କବିତା ଅଙ୍ଗାଙ୍ଗୀ ଥିଲା । ସମାଜର ସବୁ ବିଭାଗ ସହ ଏହା ଜଡ଼ିତ ଥିଲା, ବଞ୍ଚିବାର ଧାରା ସହ ଏହା ଥିଲା ଏକୀଭୂତ । ମାତ୍ର ଆଜି ଏ ସମ୍ପର୍କ ଛିନ୍ନ ହୋଇଛି । ଆଜିର ପାଠକ କବିତା ପ୍ରତି ବିମୁଖ । ସେ କବିତା ପଢ଼ନାହିଁ କାରଣ ସେ କବିତା ବୁଝିପାରେ ନାହିଁ । ତା’ପାଖରେ କବିତା ଦୁର୍ବୋଧ୍ୟ । କବିତା ଆଜି ଆଉ କବି ଏବଂ ପାଠକ ଭିତରେ ଆବେଗର ସେତୁଟିଏ ହୋଇପାରୁନାହିଁ । କବିତାକୁ ପାଠକ ନା ନିଜକୁ ଖୋଜିପାଉଛି ନା ଖୋଜିପାଉଛି କବିକୁ । କବିତା ଆଜି ପାଠକ ପାଖରେ ଏକ ଅର୍ଥହୀନ ବୋଝ । ବୋଝହେଲେ ବି ପାଠକ ବୋହିବାକୁ ପ୍ରସ୍ତୁତ ଯଦି କିଛି ପ୍ରାପ୍ତିର ଆଶାଥାଏ । ପ୍ରହେଳିକା ବା ଗୋଲକଧନ୍ଦା ହେଲେ ବି ଖୁସିରେ ଗ୍ରହଣ କରନ୍ତା କାରଣ ସେଥିରେ ଶିହରଣ ଅଛି । ଏମିତିକି ସେ ଶିହରଣ ଯଦି ହାରିଯିବାର ବି ହୋଇଥାଏ, ମାତ୍ର ଆଜିର କବିତା ପାଠକ ପାଖରେ କିଛି ନ ହେବା । ଏହା ଯେମିତି ଏକ ଅଜଣା ଭାଷାରେ ଲିଖିତ ବହିଟିକୁ ଘଣ୍ଟା ଘଣ୍ଟା ଚାହିଁରହିବା । ଅକାମି ଫୋନଟିକୁ ତୋଳିଧରି ଖାଲି ‘ହ୍ୟାଲୋ, ହ୍ୟାଲୋ’ କରିବା । ତେଣୁ ଆଜିର ପାଠକ ଅଭିଯୋଗ କରେ ସେ ଆଜିର କବିତାରୁ ଯାହା ଚାହେଁ ତା’ ପାଏନି । ତେଣୁ ସେ ଭଞ୍ଜ ପଢ଼େ, କାରଣ ଶବ୍ଦର ପାଚେରିକୁ ଭାଙ୍ଗିଦେବା ହୁଏତ ସମ୍ଭବ । ସେ ପାଚେରିକୁ ଭାଙ୍ଗି ନ ପାରିଲେ ବି ଅଜଣା ପକ୍ଷୀର କଳରବ ପରି ପାଚେରି ସେପଟୁ ଭାସିଆସୁଥିବା ଭଞ୍ଜ ସଙ୍ଗୀତରେ ସେ ହଜିଯାଇପାରେ । ପକ୍ଷୀକୁ ଚିହ୍ନିବା ତା’ପାଖରେ ଦର୍କାରପଡ଼େନି । ସେ ଭୀମ ଭୋଇ ପଢ଼େ, ଅଭିମନ୍ୟୁଙ୍କୁ ପଢ଼େ କାରଣ ଦର୍ଶନର ଚକ୍ରବ୍ୟୂହ ଭିତରେ ହୁଏତ ପଶିପାରିବା ସମ୍ଭବ । କିନ୍ତୁ ଆଜିର କବିତା ତା’ପାଖରେ ଯେମିତି ଭାଷାର ବାଲି ବସ୍ତାଟିଏ । କୌଣସି ପ୍ରତିକ୍ରିୟା ସେଠି ସମ୍ଭବ ନୁହେଁ । ଆବେଗର ପ୍ରବଳ ସୁଅନେଇ ସେଠି ଭାସିହେବନି କିମ୍ୱା ତୀକ୍ଷ୍‍ଣତା ନେଇ ଗୁଳି ପରି ଭେଦିହେବନି । କବିତା ନ ପଢ଼ିବା ସପକ୍ଷରେ ପାଠକ ଏହି ଯୁକ୍ତିବାଢ଼େ । ଏଥିରେ ପାଠକର କିଛି ଦୁଃଖ, କିଛି କ୍ଷୋଭ ପ୍ରକାଶ ପାଇଥାଏ ।

କବିତା ବୋଧହୁଏ ଭାବପ୍ରକାଶର ଆଦିମ ସ୍ଫୁରଣ । ଏହା ମଣିଷର ନିହାତି ନିକଟ, ନିହାତି ଏକାନ୍ତ । ଏହି ଐକାନ୍ତିକତାର ଅଭାବ ଆଲୋଚିତ କବିତା ବିରୋଧୀ ଭାବର ଏକ କାରଣ-। କାରଣ ପାଠକ କବିତା ସହ ଏକାନ୍ତ ହୋଇପାରୁନି । କାହିଁକିନା କବି ପାଠକକୁ ଅବହେଳା କରି ନିଜସହ ଅଧିକ ଏକାନ୍ତ ହୋଇପଡ଼ିଛି । ତା’ର ସ୍ୱରଟି ନିଜ ସହ ନିଜଭାଷାରେ ଏକ ସଲିଲକି ହୋଇଯାଇଛି । ଏତିକିବେଳେ ପାଠକ ଚିତ୍କାର କରିଉଠିଛି । କାହିଁକିନା ସେ ଅନୁଭବ କରିଛି କବିତା ତା’ପାଖରୁ ଦୂରେଇଯାଇଛି । କବିତାକୁ ବୁଝିବା ପାଇଁ, ବୁଝି ତାକୁ ଆପଣାର କରିବା ପାଇଁ, ତା’ପାଖରେ କୌଣସି ବାଟ ନାହିଁ । କବିତା ବିରୋଧୀ ସ୍ୱରକୁ ପାଠକ ଦୃଷ୍ଟିରୁ ଏପରିଭାବେ ବିଚାରକଲେ ଏହା ପାଠକର କବିତା ପ୍ରତି ମମତାକୁ ହିଁ ପ୍ରକାଶ କରିଥାଏ । ଆଉ ବି ମୃଦୁ ଅସହାୟତାକୁ ବି ସୂଚାଇଥାଏ । ଏପରି ପ୍ରତିକ୍ରିୟା ଯେମିତି ଦୂରେଇ ଯାଉଥିବା ପ୍ରେମିକା ପ୍ରତି ପ୍ରେମିକର ରାଗ ରୋଷ ଆଉ ଅଭିମାନ । ମିଛ କୋପ ସହ ତାକୁ ଧରିରଖିବାର ଇଚ୍ଛା, ତାକୁ ବଦଳାଇବାର ଇଚ୍ଛା, ପୁଣି ଧରିରଖିପାରୁନି ବୋଲି ଦୁଃଖ ଆଉ ଅସହାୟବୋଧ । ତେଣୁ ଏପରି ବିରୋଧ ନିଜେଇ ନେବାର ଇଚ୍ଛା । ଅନ୍ତରଙ୍ଗତାର ଦାବି । ତେଣୁ ଯେପର୍ଯ୍ୟନ୍ତ କବିତ–ବିରୋଧ ସ୍ୱର ଶୁଣାଯାଏ, ଏହା କବିତା ପ୍ରତି ସଚେତନର ପ୍ରତିଧ୍ୱନି । କବିତାର ସ୍ୱୀକୃତି । ପ୍ରତିବାଦ କେବଳ ତା’ର ସ୍ୱରୂପର ପରିବର୍ତ୍ତନରେ, ସମ୍ପର୍କ ଓ ଆବେଦନର ରୂପାନ୍ତରରେ ।

ଆଜି କବିତା–ପାଠକ ସମ୍ପର୍କରେ ନୂଆ ଭଟ୍ଟା ଦେଖାଦେଇଛି । ଗ୍ରହଣ କରି ପାରୁନଥିବାରୁ ସେଦିନର ସଚେତନ ବିରୋଧ କେମିତି ଭିନ୍ନରୂପ ଧରିଛି । ଆଜିର ପାଠକ କବିତାକୁ ଭଲ ପାଇ ନ ପାରି ତା’ ପ୍ରତି ଅଭିମାନ କରୁନାହିଁ । ତା’ ପ୍ରତି ଅଭିଯୋଗ ବାଢ଼ୁନାହିଁ । ଦୂରେଇଯାଇ ନିବିଡ଼ ହେବାର ଚେଷ୍ଟା କରୁନି । ଆଜି କବି ଓ ପାଠକ ଭିତରେ ରାଧାଭିମାନ ନାହିଁ ଅଛି ସ୍ୱର୍ଗାରୋହଣ ବେଳର ଯୁଧିଷ୍ଠିର ଉଦାସୀନତା । ପାର୍ଥକ୍ୟ କେବଳ ଯୁଧିଷ୍ଠିରଙ୍କର ଥିଲା ସ୍ଥିତପ୍ରଜ୍ଞାର ଉଦାସୀନତା ଯା’ଫଳରେ ପୃଥିବୀ ଓ ତା’ର ଆକର୍ଷଣ ପଛରେ ପଡ଼ିଗଲେ । କିନ୍ତୁ ଆଜିର ପାଠକ ଏତେ ବସ୍ତୁମଗ୍ନ ଯେ କବିତା ଅଭାବରେ ସେ ଦରିଦ୍ର ହୁଏ ବୋଲି ମନେକରେନାହିଁ-। କବିତା ତା’ପାଖରେ ଗୌଣ ନୁହେଁ, ସଂପୂର୍ଣ୍ଣ ନିଷ୍ପ୍ରୋୟଜନ । ଆଜିର ପୃଥିବୀରେ ମଣିଷ ମନକୁ ଆକର୍ଷଣ କଲାଭଳି ଅନେକ ବସ୍ତୁ । ଚଳଚ୍ଚିତ୍ର, ରେଡ଼ିଓ ଓ ଟେଲିଭିଜନ ଆଦି । ଏ ସବୁର ପ୍ରଭାବ ଅନେକ ସମୟରେ କ୍ଷତିକାରକ । ମଣିଷ ଚେତନାକୁ ସ୍ଥାଣୁ ଓ ଥୁଣ୍ଟା କରିଦିଏ । ପୁଣି ଆଜିର ପାର୍ଥିବତା ମଣିଷର ମୂଲ୍ୟବୋଧକୁ ଏମିତି ପରିବର୍ତ୍ତିତ କରିଛି ଯେ ପାର୍ଥିବତାର ଘୋଡ଼ାଦୌଡ଼ରେ କବିତା ଏକ ସମୟ ନଷ୍ଟ ମାତ୍ର, ତେଣୁ ଆଜି କବିତା-ବିରୋଧ ନାହିଁ, ଅଛି ଉଦାସୀନତା ।

ଆଜିର ସଂକଟ ହେଉଛି କବିତା ପ୍ରତି ଏହି ଉଦାସୀନତା । ଏହା ଏକ ନବ ଘାତକ । ଏହି ଘାତକର ଖଡ଼୍‌ଗଟି ଦ୍ୱିଧାର ବିଶିଷ୍ଟ । ଏକାଧାରାରେ ଏହା କବିତାକୁ ହତ୍ୟା କରେ, ଅନ୍ୟ ଧାରାରେ ମଣିଷର ସୂକ୍ଷ୍ମ ଚେତନାକୁ ହତ୍ୟା କରେ । ଏହା ମନରୁ ସବୁ ସୂକ୍ଷ୍ମତାକୁ ନଷ୍ଟ କରି ମଣିଷକୁ ଏକ ସ୍ଥୂଳ ଜୈବିକ ସ୍ଥିତିରେ ପରିଣତ କରିଦିଏ । ଏପରି ଚେତନା ପାଖରେ କବିତା ଏକ ଆବେଗମୟୀ ପ୍ରୟୋଜନୀୟତା ନୁହେଁ । କବିତାର ଅଭାବ ମଣିଷ ମନରେ ଶୂନ୍ୟତା ସୃଷ୍ଟି କରେ ନାହିଁ । ତେଣୁ କବିତା ପାଇଁ ଆଜିର ମଣିଷ ମନରେ ଅବଶୋଷ ନାହିଁ । ଏପରି ହେବାର ପ୍ରଧାନ କାରଣ ଯାନ୍ତ୍ରିକ ସଭ୍ୟତାର ଯାନ୍ତ୍ରିକ ଜୀବନ । ଜୀବନର ଯାନ୍ତ୍ରିକତା ଅନୁଭୂତିର ସୂକ୍ଷ୍ମତାକୁ ନଷ୍ଟ କରିଛି । ସମ୍ପର୍କର ସ୍ଥୂଳତାକୁ ହିଁ ଚାକଚକ୍ୟ କରି ଆକର୍ଷଣୀୟ କରୁଛି । ତେଣୁ ବଞ୍ଚିବାର ଯେଉଁ ଗଭୀରତା, ପୁଣି ଚେତନାର ଯେଉଁ ରସବୋଧ କବିତା ପାଇଁ ପ୍ରୟୋଜନ ଆଜି ମଣିଷ ପାଖରେ ତା’ର ଅଭାବ ବା ତା’ର ପ୍ରୟୋଜନୀୟତା ବିଷୟରେ ସେ ସଂପୂର୍ଣ୍ଣ ଉଦାସୀନ । ଅନ୍ୟଦିଗରେ ବିଜ୍ଞାନ ଆମ ମନରୁ ବିସ୍ମୟ ଭାବଟିକୁ ଲୁଟିନେଇଛି । ଆଜିର ମଣିଷ ଜ୍ଞାନ-ପାଗଳ । ଏ ଜ୍ଞାନ ହେଉଛି ଯାନ୍ତ୍ରିକ ବୁଦ୍ଧିଦୀପ୍ତ ଜ୍ଞାନ । ଏ ଜ୍ଞାନରେ ରସସିକ୍ତ ଅନୁଭୂତିଟି ନାହିଁ, ପୁଣି ଏ ଅନୁଭୂତିରେ ବିସ୍ମୟ ନାହିଁ । ତେଣୁ ଆଜିର ଜୀବନ ନୀରସ । ଶିହରଣ ସମ୍ୱଳିତ ପୁଲକହୀନ ଯାନ୍ତ୍ରିକ ବଞ୍ଚିବା । ଏପରି ବଞ୍ଚିବା ଭିତରେ କବିତାର ସ୍ଥାନ ନାହିଁ । ଆମୋଦ ପାଗଳ ମଣିଷ ଆନନ୍ଦକୁ ଭୁଲିବାକୁ ବାଧ୍ୟ-

ଆମୋଦ ପାଗଳ ମଣିଷର କବିତା ପ୍ରତି ଏହା ଏକ ସାଧାରଣ ଦୃଷ୍ଟିକୋଣ । ଏକ ଦିଗରେ ନିସ୍ମୟବିହୀନ ବୁଦ୍ଧିଦୀପ୍ତ ଜ୍ଞାନ ଅନ୍ୟଦିଗରେ ଉତ୍ତରୀତ ଚେତନାବିହୀନ ଯାନ୍ତ୍ରିକ ଶିହରଣ ଉପରେ ଗୁରୁତ୍ୱ ଆରୋପ କରୁଥିବା ମଣିଷ ଜୀବନରୁ ଆନନ୍ଦଦାୟିନୀ କବିତା ଦେବୀ ଯେ କେବଳ ଦୈହିକ ଷ୍ଟାଟିଷ୍ଟିକ୍‌ସ ଦ୍ୱାରା ମପାହେବ ଏଥିରେ ସନ୍ଦେହ ନାହିଁ । ତେଣୁ କବିତା-ବିରୋଧୀ ମନ ନୁହେଁ, କବିତା-ଉଦାସୀନ ମନହିଁ ଆଜିର କବିତାର ପ୍ରଧାନ ଶତ୍ରୁ । କବିତା କିନ୍ତୁ ଜୀବନକୁ ଆବେଗ ପୁଣି ବୌଦ୍ଧିକ ସ୍ତରରେ ଅନୁଭବ କରିବାର ଏକମାତ୍ର ମାଧ୍ୟମ । ମାଟିର ପୃଥିବୀକୁ ଗ୍ରହଣ କରି ନୀଳ ଆକାଶର ସ୍ୱପ୍ନ ଦେଖାଏ । ଏକ ରସାଳ ମୁହୂର୍ତ୍ତରେ ଶିଶିର ବିନ୍ଦୁଟିକୁ ବି କ୍ଷଣକ ପାଇଁ ସୂର୍ଯ୍ୟ କରିଦିଏ । ଏଇଥିପାଇଁ ତ କବିତା ହେଉଛି ଯେଜେଷ୍ଟିଙ୍କ ରଥଭଳି । ମାଟିକୁ ଅଳ୍ପ ଛାଡ଼ି ଛୁଟିଥାଏ । ଏହାହିଁ କବିତା ପୁଣି ତାକୁ ଗ୍ରହଣ କରୁଥିବା କାବ୍ୟିକ ଚେତନା । ମାତ୍ର ଆଜିର ମନଟି ଯେମିତି ମେଦିନୀଗ୍ରସ୍ତ କର୍ଣ୍ଣଙ୍କ ରଥ । ସବୁ ଚେତନାକୁ ଆଜି ଗ୍ରାସିଛି ମେଦିନୀ । ତଥାପି ବସ୍ତୁଗତ ଅବୈକ୍ତିକ ଆଜିର ପୃଥିବୀରେ ଅଣନିଶ୍ୱାସୀ ମଣିଷର ସଚେତନ ଅହଂଟି ବୋଧହୁଏ ନିଜକୁ ବାରମ୍ୱାର ଖୋଜିବାରେ ବ୍ୟସ୍ତ । ଏଇଥିପାଇଁ ହୁଏତ ଏବେବି କବିତା ମରିନି । ଉଦାସୀନ ପୃଥିବୀ ଭିତରେ ଏତ ସହୃଦୟ ମନ ପାଇଁ ବ୍ୟାକୁଳ ହୋଇଉଠିଛି । ଆଜିର କବିତା ତେଣୁ ଯେମିତି ଏକ ବ୍ୟାକୁଳତା–ନିଜକୁ ପଲ୍ଲବିତ କରି ରଖିବାର ଏକ ବ୍ୟାକୁଳ ସଂଗ୍ରାମ । ପଥର ତଳ ଶେତା ଦୁବ ଘାସଟିର ସୂର୍ଯ୍ୟ ପାଇଁ, ପବନ ପାଇଁ ଯେଉଁ ସଂଗ୍ରାମ । ଏଇଥିପାଇଁ କବି ଆତ୍ମସଚେତନ ହୋଇଛି ଏବଂ ସମସ୍ତଙ୍କ ପାଇଁ କିଛି କହିବାର ଭୂମିକାକୁ ତ୍ୟାଗ କରି କେବଳ ସମ୍ୱେଦନଶୀଳ ମନଟିଏ ପାଇଁ ତା’ର ସବୁ ଅଭିଜ୍ଞତାକୁ ସଜାଇ ରଖିଛି । ଏ ବ୍ୟାକୁଳତା ତା’ର ଦ୍ୱିବିଧ । ପ୍ରଥମତଃ ନିଜକୁ ସତ୍ୟଶୀଳ ଭାବେ ପ୍ରକାଶ କରିବାର ବ୍ୟାକୁଳତା ଏବଂ ଦ୍ୱିତୀୟତଃ ତା’ କବିତାକୁ ଗ୍ରହଣ କରିବା ଭଳି ଚେତନା ଜାଗରଣ କରିବାର ବ୍ୟାକୁଳତା । ଆଜିର କବିତା ତେଣୁ ନିଜକୁ ରୂପାନ୍ତରିତ କରିବା ସଙ୍ଗେ ସଙ୍ଗେ ଆଜିର ଛବିର ଚେତନାରେ ତରଙ୍ଗ ସୃଷ୍ଟି କରିବାରେ ପ୍ରୟାସୀ ।

ଆଜି ଉଦାସୀନତା ଆଉ ବ୍ୟାକୁଳତା ଭିତରେ ସଂଘର୍ଷ । ଏହି ସଂଘର୍ଷରୁ ଜନ୍ମନେଉଛି ଆଜିର କବିତା । ଆଉ ତା’ର ଆଧୁନିକ ରୂପ । ଆତ୍ମକୈନ୍ଦ୍ରିକ ଅଥଚ ଅବୈକ୍ତିକ: ସରଳ ଅଥଚ ଦୁର୍ବୋଧ୍ୟ, ଭୁଷଣବିହୀନ ଅଥଚ ଅଭିଜାତ । ନୂଆ ଜଟିଳ ଜୀବନକୁ ପ୍ରକାଶ କରିବାକୁଯାଇ କବିତା କୃତ୍ରିମ ଆଭିଜାତ୍ୟକୁ ଗ୍ରହଣ କରିବା ପାଇଁ ବାଧ୍ୟ ହୋଇଥିଲା, ଯଦିଓ କୃତ୍ରିମତା କବିତାର ବିରୋଧୀ-। ତଥାପି ଏ ଆତ୍ମଘାତୀ ଗ୍ରହଣ କେବଳ ନିଜକୁ ବଞ୍ଚାଇବା ପାଇଁ ପ୍ରୟୋଜନୀୟ ଥିଲା । କାରଣ ଏକ ଉଦାସୀନ ପୃଥିବୀରେ କବି ନିଜ ପୃଥିବୀ ଭିତରେ ସଙ୍କୁଚିତ ହେବା ବ୍ୟତୀତ ଅନ୍ୟ ଉପାୟନଥିଲା । କବି ଓ ଗଣ ଦୁହେଁ ବିପରୀତ ଦିଗକୁ ଗତି କରିବାକୁ ଲାଗିଲେ । ଧୀରେ ଧୀରେ ଦୂରତା ବଢ଼ିବାରେ ଲାଗିଲା, ମଝିରେ ସୃଷ୍ଟିକରି ପ୍ରଥମେ ସଚେତନ ଉତ୍‌କ୍ଷୀପ୍ତତା ଏବଂ ଶେଷରେ ଉଦାସୀନ ଶୂନ୍ୟତା ।

ଏହି ଦୂରତା ପାଇଁ ପ୍ରଥମେ କବିତାର ଆବେଦନ ଯେତିକି ଦାୟୀ, ପାଠକର ମନୋବୃତ୍ତି ମଧ୍ୟ ତାଠାରୁ କିଛି କମ୍‌ ଦାୟୀ ନୁହେଁ । କାରଣ କବିତା ଉପଭୋଗ କରିବାପାଇଁ ଯେଉଁ ସମ୍ୱେଦନ, ସହୃଦୟତା ଲୋଡ଼ା ପାଠକ ତାହା ହରାଇବସିଛି । ତା’ପାଖରେ କବିତା ଏକ ଅଦରକାରୀ ବୋଝ । ସମାଜକୁ ସଜାଡ଼ିବାର ଦାୟିତ୍ୱ, ନୂଆ ବାଟ ଦେଖାଇବାର ଦାୟିତ୍ୱ ନେବାକୁ କବି ଆଜି ପ୍ରସ୍ତୁତ ନୁହେଁ । ଆଜି ତା’ର ଏକମାତ୍ର ଉଦ୍ଦେଶ୍ୟ ନିଜକୁ ପ୍ରକାଶ କରିବା । ହଜିଯାଇଥିବା ମଣିଷର ପୁରୁଣା ସରଳ ବ୍ୟକ୍ତିତ୍ୱଟିକୁ ତା’ କବିତା ଜରିଆରେ ପ୍ରତିଷ୍ଠିତ କରିବା । ତେଣୁ ଆଜିର କବିତା ଚିରନ୍ତନ ବ୍ୟକ୍ତିତ୍ୱର ପରିଚୟ, ତା’ର ନିରୋଳା ସତ୍ୟଶୀଳ ଉଚ୍ଚାରଣ । ଏହିଥିରେ ହିଁ ଜୀବନର ଅର୍ଥ, ସମାଜର ପ୍ରାଣସ୍ପନ୍ଦନ । ମାତ୍ର ପାଠକ କବିତାକୁ ଏପରି ଭାବରେ ଗ୍ରହଣ କରିପାରୁନାହିଁ । ସେ କବିତା ପାଖରୁ ନିଶ୍ଚିତ କିଛି ସ୍ଥୂଳ ଆଶା କରେ ଯଥା–ଆମୋଦ, ନୀତିଶିକ୍ଷା ବା ଏମିତିକି ପ୍ରଚାର । ମାତ୍ର ଆଜିର କବି ଏ ଭିତରୁ କୌଣସିଟିକୁ ସ୍ଥୂଳଭାବେ କରିବା ପାଇଁ ପ୍ରସ୍ତୁତ ନୁହେଁ । କବି କେବଳ ଚେତନା ସ୍ତରରେ ଜୀବନକୁ ପରୀକ୍ଷା କରିବାପାଇଁ ଚାହେଁ । ଫଳରେ ପାଠକ ଫଷ୍ଟର୍‌ଙ୍କ ପ୍ରବନ୍ଧର ପୋଲିସ୍‌ ଅଫିସର ପରି ବିଚରା କବିକୁ ନିକାଲିଦିଏ । କାରଣ କବିତାକୁ ଗ୍ରହଣ କରିବାପାଇଁ ଯେଉଁ ଉଦାରତା, ସହନଶୀଳତା ସର୍ବୋପରି ଯେଉଁ ସୂକ୍ଷ୍ମ ମନଟିର ପ୍ରୟୋଜନ ଆଜି ପାଠକ ତାହା ହରାଇବସିଛି ।

ସ୍ଥବିର ଉଦାସୀନତା ବ୍ୟତୀତ ଆଉ ଏକ ଘାତକ କବିତାକୁ ହତ୍ୟା କରିବାକୁ ପ୍ରସ୍ତୁତ । ଏହା ହେଉଛି ସମାଜର କବିତା ପ୍ରତି ସୌଦାଗରୀ ମନୋଭାବ । ଅର୍ଥାତ୍‌ କବିତାକୁ କୌଣସି ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟର ମାଧ୍ୟମ ଭାବେ ବ୍ୟବହାର କରିବା । କବିତା ଯେତେବେଳେ ଗଣଜୀବନ ପାଖରୁ ଦୂରେଇ ଯାଇଛି ସେତେବେଳେ ସମାଜ ତାକୁ ଗୋଟିଏ ଦର୍ଶନୀୟ ବସ୍ତୁ ବା ଏକ ଲାଭଜନକ ମାଧ୍ୟମ ରୂପେ ଗ୍ରହଣ କରିଛି । ଏ ଦୃଷ୍ଟିକୋଣ ଯେମିତି ହରିଣକୁ ମାରି ତା’ ଶିଙ୍ଘରେ ଡ୍ରଇଂରୁମ୍‌ ସଜାଇବା, ଚମଡ଼ାରେ ଜୋତା ତିଆରି କରିବା । ଏକ କବିତା ବିରୋଧୀ ଓ ଉଦାସୀନ ସମାଜରେ କବିତା ସାଧାରଣ ଜୀବନ ପାଖରୁ ଦୂରେଇଯାଇ ବ୍ୟକ୍ତି ଚେତନାକୁ ଧରି ରଖିଥିଲା । ବାହ୍ୟସ୍ତରରେ କବିତା ଯାବନିକ ଦୃଷ୍ଟିକୋଣର ଅତ୍ୟାଚାରରୁ ଯାଇଥିଲା ତଥାପି ଚେତନା ସ୍ତରରେ ଏହା ପ୍ରାଣ ଚଞ୍ଚଳ ଥିଲା । ଅପହୃତ ଜଗନ୍ନାଥଙ୍କ ପରି ସଚେତନ ବ୍ୟକ୍ତିର ଚେତନା ଚିଲିକା ଭିତରେ ଗୋପ୍ୟ ହୋଇଥିଲା । ମାତ୍ର ଆଜି ଯେଉଁ ନୂଆ ଘାତକ ଦେଖାଦେଇଛି ତା’ଆଗରେ କବିତା ଗୋପ୍ୟ ହେବା ବି ସମ୍ଭବ ନୁହେଁ । କାରଣ ଏ ଚେତନା ନିହାତି ଅକାବ୍ୟିକ ଏବଂ କବିତାକୁ ଏକ ହୀନ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ସଂକଳ୍ପବଦ୍ଧ । ତେଣୁ ଉଦାସୀନତାଠାରୁ ଏହା ଆହୁରି ଭୟଙ୍କର । ଉଦାସୀନତା ଲୁଣି ହାଓ୍ୱା ପରି, କ୍ଷୟ ରୋଗ ପରି ଧୀରେ ଧୀରେ ହତ୍ୟା କରେ । ମାତ୍ର ଏ ଦ୍ୱିତୀୟ ଘାତକ ମରିବାକୁ ନ ଦେଇ ତିଳ ତିଳ ହତ୍ୟା କରେ ମରଣରୂପୀ ବଞ୍ଚାଇ ରଖିବା ଭିତରେ । ଚେତନାର ମାନସୀକୁ ପଣ୍ୟ ନାୟିକା କରି ତୋଳେ । ଆଜିର କବିତା ଜୀବନର ଅଂଶ ନୁହେଁ, ରସବୋଧର ସହାୟକ ନୁହେଁ । ଡ୍ରଇଂରୁମ୍‌ର ପ୍ଳାଷ୍ଟିକ ଫୁଲର ସ୍ତବକ ଭଳି ଏକ ଯାନ୍ତ୍ରିକ ସଜ୍ଜୀକରଣ । ତେଣୁ ଆଜି କବିତା ଜୀବନରୁ ଦୂରେଇଯାଇ ଉତ୍ସବ ଭିତରେ ବନ୍ଦୀ ହୋଇଛି । ଏହା ଉଭୟ କବି ଏବଂ ପାଠକ ପାଖରେ ପ୍ରଚାରର ମାଧ୍ୟମ ହୋଇଛି । କବିତା ଆଜି ନିଜ ଶକ୍ତିରେ ଗରୀୟାନ୍ ନହୋଇ ଅଧିକାଂଶ ସ୍ଥଳରେ କ୍ଷମତାର ହାତବାରିସି ହୋଇପଡ଼ୁଛି । ସମାଜରେ ଥିବା ସମସ୍ତ ମିଥ୍ୟାକୁ ପଦାରେ ନ ପକାଇ ମିଥ୍ୟାର ମୁଖପାତ୍ର ହୋଇଯାଉଛି ।

କବିତା ପ୍ରତି ଏହି ଦୃଷ୍ଟିକୋଣ ଏକ ଦୁଃସ୍ଥ ସମାଜ ତଥା ରୁଗ୍‌ଣ ମୂଲ୍ୟବୋଧର ପରିଚାୟକ ମାତ୍ର । ଏହି ଦୁଇ ଘାତକ ଯଥା–ଉଦାସୀନତା ଏବଂ ସୌଦାଗରୀ ମନୋଭାବ ଆଜିର ସମାଜରୁ ହିଁ ଜନ୍ମ ନେଇଛନ୍ତି । ଯେଉଁ ସମାଜ କୌଣସି ଉଚ୍ଚ, ମହନୀୟ ମୂଲ୍ୟବୋଧକୁ ଚିନ୍ତା କରିପାରେ ନାହିଁ, କେବଳ ବର୍ତ୍ତମାନର ସ୍ୱାର୍ଥପର ଉପଯୋଗୀତାଠାରୁ ଟିକିଏ ଦୂରକୁ ଦେଖିପାରେ ନାହିଁ, ସେପରି ସମାଜରେ ଏପରି ଘାତକ ହିଁ ଜନ୍ମ ନେବେ । ତେଣୁ କବିତା ଆଜି ଚେତନାର ଦୁଇ ଛକିରେ ଦଣ୍ଡାୟମାନ । ବଞ୍ଚିବାର ପ୍ରୟାସରେ ନିଜଭିତରେ ସକୁଞ୍ଚିତ ହୋଇ ସେ ଆଜି ଏହି ଦୁଇ ଘାତକର ସମ୍ମୁଖୀନ । ଆଜି ତାକୁ ନିଜ ବ୍ୟକ୍ତିଗତ କୋଷା ଭିତରୁ ବାହାରିଆସି ସଂଗ୍ରାମ କରିବାକୁ ପଡ଼ିବ । ଚେତନା ସ୍ତରରେ ବିପ୍ଳବ ଆଣି, ମୂଲ୍ୟବୋଧରେ ରୂପାନ୍ତର ଆଣି ଏହି ଦୁଇ ମାନସିକ ଘାତକକୁ ହତ୍ୟା କରିବାକୁ ପଡ଼ିବ । ସେଥିପାଇଁ ଲୋଡ଼ା କବିର ମନ–ଏକାଧାରାରେ ସତ୍ୟଶୀଳ, ଚରିତ୍ରବାନ ପୁଣି ରସିକ । ସିଏ ଏକାଧାରାରେ ସବୁ ମିଥ୍ୟାର ମୁଖା ଖୋଲିଦେବ । ‘ପହିଲି ଗୁଳି’ ପାଇଁ ଛାତି ଖୋଲି ଦେବ, ପୁଣି ‘ଆରଦୃଶ୍ୟ’ର କଥା ମଧ୍ୟ କହିବ ।

ଏହାହିଁ ଆଜି ଆମର କାବ୍ୟିକ ଦୁଃସ୍ଥିତି ଆଉ ତହିଁରେ କବିର ପରୀକ୍ଷା ।

Image

 

ପରିବର୍ତ୍ତିତ ପରିସ୍ଥିତିରେ ସାହିତ୍ୟ

 

ପ୍ରଥମେ ଆମକୁ ଏହି ‘ପରିବର୍ତ୍ତିତ ପରିସ୍ଥିତି’ଟି ବିଷୟରେ ହିଁ ସଚେତନ ହେବାକୁ ପଡ଼ିବ-। ଅର୍ଥାତ୍‌ ସ୍ୱାଧୀନତା ପରେ ଆମ ପରିବେଶ ଓ ଦୃଷ୍ଟିକୋଣରେ ଯେଉଁ ପରିବର୍ତ୍ତନ ଆସିଲା ତା’ର ଏକ ପୂର୍ଣ୍ଣାଙ୍ଗ ରୂପ ଆଙ୍କିବାକୁ ପଡ଼ିବ । ଏହି ପରିପ୍ରେକ୍ଷୀରେ ପୁଣି ମନେରଖିବାକୁ ପଡ଼ିବ ଯେ ଏହି ଛବିଟି କେବେ ସଂପୂର୍ଣ୍ଣ ହେବନାହିଁ, ଯେପର୍ଯ୍ୟନ୍ତ ଆମେ ସ୍ୱାଧୀନତା ପୂର୍ବ ପରିସ୍ଥିତି ବିଷୟରେ ସଚେତନ ନ ହୋଇଛୁ, ତେଣୁ ଏ ପ୍ରବନ୍ଧଟିର ଦୁଇଟି ଦିଗ । ପ୍ରଥମଟି ହେଉଛି ଏହି ‘ପରିବର୍ତ୍ତିତ ପରିସ୍ଥିତି’ର ଏକ ତୁଳନାତ୍ମକ ବିଶ୍ଳେଷଣ ଏବଂ ଦ୍ୱିତୀୟଟି ହେଉଛି ଏପରି ଏକ ପରିସ୍ଥିତିରେ ଆମ ସାହିତ୍ୟର ଦୃଷ୍ଟିକୋଣ ଓ ସ୍ୱରୂପ ।

 

ସ୍ୱାଧୀନତା ପର ଯୁଗ ଏକ ସଫଳ ବିଫଳତା ପୁଣି ଏକ ବିଫଳ ସଫଳତାର ଯୁଗ । ଏ ଯୁଗ ଆରମ୍ଭ ହୁଏ ଏକ ମହାନ୍‌ ଆଦର୍ଶର ବିଜୟରୁ ପୁଣି ଏହି ଯୁଗରେ ହିଁ ସେ ଆଦର୍ଶର ଅପମୃତ୍ୟୁ ଘଟେ । ଭାରତୀୟମାନଙ୍କ ପକ୍ଷରେ ଏହା ନିଜକୁ ଚିହ୍ନିବାର, ନିଜ ଭିତରେ ଥିବା ସମସ୍ତ ସମ୍ଭାବନା, ସମସ୍ତ ଶକ୍ତିକୁ ଅନୁଭବ କରିବାର ଯୁଗ; ନିଜକୁ ଭାରତୀୟ ଭାବେ ବିଶ୍ୱ ଆଗରେ ପ୍ରତିଷ୍ଠା କରିବାର ଯୁଗ ପୁଣି ନିଜ ଭିତରେ ସମସ୍ତ ଆଶା, ବିଶ୍ୱାସ, ସ୍ୱପ୍ନ ଓ ଆଦର୍ଶର ଚିତା ରଚନା କରି ଅନ୍ୟକୁ ଦୟନୀୟ ଭାବେ ଅନୁକରଣ କରିବାର ଯୁଗ । ଏ ଯୁଗ ଏକ ବିରୋଧାଭାସର ଯୁଗ, ଏ ଯୁଗର ଚେତନା ଏକ ମିଶ୍ରିତ ଚେତନା ।

 

ସ୍ୱାଧୀନତା ପୂର୍ବେ ଭାରତ ଆଗରେ ଥିଲା ଗୋଟିଏ ଉଦ୍ଦେଶ୍ୟ, ଗୋଟିଏ ଆଦର୍ଶ । ଉଦ୍ଦେଶ୍ୟ ଭାରତର ସ୍ୱାଧୀନତା, ଆଦର୍ଶ ଗାନ୍ଧିବାଦ ଅହିଂସା । ବସ୍ତୁବାଦୀର ପରମାଣୁ ବୋମାଠାରୁ ଏହା ଥିଲା ଅଧିକ ଶକ୍ତିଶାଳୀ, ଅଧିକ ବାସ୍ତବ । ତେଣୁ ଦୁଃଖ, ଦୈନ୍ୟ, ନିର୍ଯ୍ୟାତନା, କୁସଂସ୍କାର ଭିତରେ ବନ୍ଦୀ ଭାରତୀୟଙ୍କ ପ୍ରାଣରେ ଜାଗିଉଠିଥିଲା ନୂତନ ଉତ୍ସାହ, ନୂତନ ଉଦ୍ଦୀପନା । ସେ ଚାହିଁଥିଲା ସବୁ ଅନ୍ୟାୟଠାରୁ ମୁକ୍ତି । ପାଇଥିଲା ମଧ୍ୟ ରାଜନୈତିକ ସ୍ୱାଧୀନତା । ତା’ର ସବୁ ସ୍ୱପ୍ନ ଯେମିତି ସତ ହୋଇଥିଲା ଏବଂ ଯେଉଁ ଟିକକକୁ ପୁଂଜିକରି ଏହି ନୂଆ ପୃଥିବୀରେ ସେ ତା’ର ଟଳଟଳ ପାଦ ପକାଇଥିଲା ତାହା କୌଣସି ପାର୍ଥିବ ସମ୍ପତ୍ତି ନଥିଲା, ଥିଲା ଏକ ବିରାଟ ମୂଲ୍ୟବୋଧ ।

 

ଏହି ମୂଲ୍ୟବୋଧର ବିଶ୍ୱସ୍ତ ପ୍ରତିନିଧି ଥିଲା ‘ମାଟିର ମଣିଷ’ ତା’ର ନାୟକ ଥିଲା ‘ବରଜୁ ପ୍ରଧାନ’ । ନିଜ ଘର ସଜାଡ଼ିବାକୁ ଯାଇ ସିଏ ସବୁକିଛି ଛାଡ଼ି ଦେଇଥିଲା । ‘ଶିକାର’ ଗଳ୍ପର ନାୟକ ଯେଉଁ ହତ୍ୟା କରିଥିଲା ତା’ ପଛରେ ବି ଥିଲା ଏହି ମୂଲ୍ୟବୋଧ । ଉକୁଟି ଉଠିଥିଲା ଜଗୁ ତିଆଡ଼ି ମନରେ ଯେତେବେଳେ ତା’ପାଖରେ ମୃତା ବୋହୂଟିର ନାକଗୁଣାଟି ମୂଲ୍ୟହୀନ ହୋଇପଡ଼ିଲା ଆଉ ସେ କହିଉଠିଲା–‘‘ମଣିଷ କ’ଣ ମଣିଷକୁ ଠିକ୍‌ ବୁଝିପାରେ ।’’ ମାତ୍ର ସ୍ୱାଧୀନତା ହାସଲ ପରେ ଆମର ଅନେକ ହେବା ଏବଂ ଅନେକ ପାଇବା ଭିତରେ ଗୋଟିଏ ଜିନିଷକୁ ହରାଇବସିଲୁ । ସେ ଜିନିଷଟି ହେଲା ଏହି ‘ମୂଲ୍ୟବୋଧ’ । ଏହାକୁ ଯେ ହରାଇବସିଛୁ ସେ ବିଷୟରେ ମଧ୍ୟ ସଚେତନ ହେଲୁ ଅନେକ ପରେ । ଆମ ମନକୁ କେମିତି ଏକ ଅନିଶ୍ଚିତ କୁହୁଡ଼ି ଛାଇ ଯାଇଥିଲା । ଏହା ଏକ ଆଦର୍ଶ ନୁହେଁ, ଏକ ବିଳାସ ନୁହେଁ, ଏକ ଅହେତୁକ ସ୍ୱପ୍ନ ନୁହେଁ । ଏହା ଏକ ଆକୁଳତା–ସବୁକିଛିର ବିନିମୟରେ ରାତାରାତି କିଛି ହୋଇଯିବାର ଆକୁଳତା । ତେଣୁ ଆମ ପାଖରେ ଏହି ହରାଇଦେବାଟା ସମସ୍ୟା ନଥିଲା, ସେ ବିଷୟରେ ଉଦାସୀନତାଟା ହିଁ ଥିଲା ସମସ୍ୟା । ଦେଖାଦେଇଥିବା ସଙ୍କଟଟା ସମସ୍ୟା ନଥିଲା, ସଙ୍କଟ ବୋଧହୀନତାଟା ହିଁ ଥିଲା ସିଙ୍କଟ ।

 

ସ୍ୱାଧୀନତା ପରେ ଭାରତର ଚେହେରା ପରିବର୍ତ୍ତନ ହେଲା । ବାହ୍ୟ ଉନ୍ନତି ସହ କେମିତି ତାଳଦେଇ ମାନସିକ ଦାରିଦ୍ର୍ୟ ବଢ଼ିବଢ଼ି ଚାଲିଲା । ରାଉରକେଲା, ଭିଲାଇର ଧୂଆଁ ଭିତରେ କେମିତି ‘ପଧାନ ପଡ଼ା’ ହଜି ହଜିଗଲା । ବଣ ପଛେଇ ପଛେଇ ଗଲା । ସହର ମାଡ଼ି ମାଡ଼ିଆସିଲା । ବରଜୁ ପ୍ରଧାନ ହଜିଗଲା, ତା’ ଜାଗାରେ ଠିଆହେଲା ଆତ୍ମକୈନ୍ଦ୍ରିକ ‘ବଳୀ ଦତ୍ତ’ ଯିଏ ନିଜ ପାଇଁ ସବୁକିଛି କରିପାରେ, ସବୁକିଛି ଜଳାଞ୍ଜଳି ଦେଇପାରେ । ମାତ୍ର ଏ ଜଳାଞ୍ଜଳି ଦେବାରେ କେତେ ପାର୍ଥକ୍ୟ । ବରଜୁ ସବୁ ଛାଡ଼ିଥିଲା ଗୋଟିଏ ଆଦର୍ଶ ପାଇଁ । ବଳୀ ଦତ୍ତ ମାନ, ସମ୍ମାନ ସବୁ ମୂଲ୍ୟବୋଧ ଜଳାଞ୍ଜଳିଦିଏ କେବଳ ନିଜର ପାର୍ଥିବ ଉନ୍ନତି ପାଇଁ । ଅନ୍ୟଦିଗରୁ ବିଚାରକଲେ ମଣିଷ କେମିତି ବିରାଟରୁ ସଙ୍କୁଚିତ ହୋଇ ନିଜର ସଂକୀର୍ଣ୍ଣତା ଭିତରେ ଦ୍ୱୀପାୟୀତ ହୋଇଯାଇଛି । ବ୍ୟକ୍ତି ବ୍ୟକ୍ତି ଭିତରେ ସମ୍ପର୍କ କ୍ଷୀଣ ହୋଇଯାଇଛି । ସ୍ୱାଧୀନ ଭାରତର ଦିଗନ୍ତରେ ଯେଉଁଠି ସ୍ୱପ୍ନ ଆଉ ସମ୍ଭାବନାର ଶତ ସୂର୍ଯ୍ୟୋଦୟ ଘଟିଥିଲା ସେ ଦିଗନ୍ତ କେମିତି ଅନ୍ଧ ହୋଇଯାଇଛି । ସେ ଐତିହ୍ୟ ଭୁଲିଛି, ନିଜକୁ ଭୁଲିଛି । ସେ ଯେମିତି ଖାଲି ଦରାଣ୍ଡି ହେଉଛି ଏକ ‘ଅନ୍ଧ ଦିଗନ୍ତ’ ଭିତରେ । ଗୋଟିଏ ନାହିଁ ଭିତରେ, ଗୋଟିଏ ଛଳନା ଭିତରେ–‘‘ସେମାନେ ଥିଲେ ସର୍ବହରା, ଆମେ ସବୁ କିନ୍ତୁ ସ୍ୱପ୍ନ ହରା’’ । ପୁଣି ‘‘ଜୀବନର ସବୁ ମୋହରେ ଯେତେବେଳେ ଆସେ ମୋହଭଙ୍ଗ, ନୀତିବାଦ ଯେତେବେଳେ ହୁଏ ଶଠତା ଶାସନ ହୁଏ ଲୁଣ୍ଠନର ନାମାନ୍ତର; ସେତେବେଳେ ରକ୍ତ ପିପାସୀ ହିଂସା ଆସେ ଲୋଳ ଜିହ୍ୱା ଲମ୍ୱାଇ ଖୁନ୍‌ର ସଲାମୀ ଆଦାୟ ପାଇଁ’’-

 

(ସୁରେନ୍ଦ୍ର ମହାନ୍ତି)

 

ଏହି ପରିବର୍ତ୍ତିତ, ପରିସ୍ଥିତିର ଆଉ ଏକ ପର୍ଯ୍ୟାୟରେ ଆସିଛି ଏଇ ଅନ୍ଧାରକୁ ବୁଝିବାର ଚେଷ୍ଟା । ‘ଅନ୍ଧ ଦିଗନ୍ତ’ ଭିତରେ ଦରାଣ୍ଡି ହୋଇ, ନିଜ ଭିତରେ ଭୂଆଁ ବୁଲି ନିଜକୁ ଆଉଥରେ ନୂଆ କରି ଆବିଷ୍କାର କରିବାର ଚେଷ୍ଟା: ହଜି ଯାଇଥିବା ମୂଲ୍ୟବୋଧକୁ ଆଉଥରେ ମନେପକାଇବାର ଚେଷ୍ଟା । କ୍ଷୁଦ୍ର ଗଣ୍ଡି ଭିତରୁ ବାହାରି ଆଉଥରେ ବୃହତ୍ତରରେ ମିଶିବାର ସ୍ୱପ୍ନ । ଦେଶକୁ ନୂଆ କରି ଗଢ଼ିବାର ସ୍ୱପ୍ନ । ଏହି ସ୍ୱପ୍ନର ପ୍ରତୀକ ‘ମାଟି ମଟାଳ’ର ରବି । ତା’ର ଜୟ ପରାଜୟଟା ବଡ଼କଥା ନୁହେଁ ତା’ର ଦୃଷ୍ଟିକୋଣଟା ହିଁ ବଡ଼ କଥା ।

 

ଏ ସାହିତ୍ୟରେ ତେଣୁ ଆମେ ପାଉ ପ୍ରଥମେ ଏକ କ୍ଷୟିଷ୍ଣୁ ସମାଜ ଭିତରେ ଏକ କଳୁଷ ଏକକର କୁତ୍ସିତ ସ୍ୱାର୍ଥାନ୍ୱେଷା । ଏହା ଏକ ସ୍ଖଳନର ସାହିତ୍ୟ, ଆତ୍ମପ୍ରବଞ୍ଚନାର ସାହିତ୍ୟ । ଅନ୍ୟଦିଗରେ ମୃଦୁ କ୍ରାନ୍ତିର ସାହିତ୍ୟ । ନୂଆ ମୂଲ୍ୟବୋଧର ସାହିତ୍ୟ । ଏକ ସଚେତନ ଅନ୍ୱେଷା ।

 

ସ୍ୱାଧୀନତାର ଠିକ୍‌ ପୂର୍ବରୁ ମଣିଷ କିପରି ଅସୁର ପାଲଟେ ତା’ର ବିକଟ ଅନୁଭୂତି ମଣିଷ ଅଙ୍ଗେ ନିଭାଇଥିଲା । ସାରା ବିଶ୍ୱ ନର୍କରେ ପରିଣତ ହେଲାବେଳେ, ମୃତ୍ୟୁର ତାଣ୍ଡବଲୀଳା ଚାଲିଥିଲାବେଳେ ଆମେ ରାମରାଜ୍ୟ ସ୍ୱପ୍ନ ଦେଖୁଥିଲୁ । ଆମ ଆଗରେ ଫୁଟଉଠିଥିଲା ଏକ ବିରୋଧାଭାସର ପୃଥିବୀ । ଏକ ଦିଗରେ ନାଗାସାକୀ, ହିରୋସିମାର ପୃଥିବୀ, ଅନ୍ୟଦିଗରେ ରାମରାଜ୍ୟର ପୃଥିବୀ । ଜୟ, ପରାଜୟ, ଆଶା, ହତାଶ, ସ୍ୱପ୍ନ ପୁଣି ସ୍ୱପ୍ନଭଙ୍ଗର ପୃଥିବୀ । କିନ୍ତୁ ଧୀରେ ଧୀରେ ଆମ ମନରୁ ସ୍ୱପ୍ନ ମରିଆସିଲା; ବୋମା ମାଡ଼ରେ ନୁହେଁ, ଦାରିଦ୍ର୍ୟର କଷାଘାତରେ, ସ୍ୱାର୍ଥପରତା ଓ ଶଠତାର ଚକ୍ରବ୍ୟୂହରେ । ଅନୁଭବ କଲା ସେ ଯେମିତି ଘୂଣଖିଆ ବାଉଁଶ ପରି ଛିଦ୍ରିତ । ଏଇଥିରୁ ଆରମ୍ଭହେଲା ଭାରତୀୟ ମୋହଭଙ୍ଗ । ଆଶା ଆଉ ସମ୍ଭାବନାର କବର ଉପରୁ ଉଠି ଏହା ସାରା ଚେତନାକୁ ଗ୍ରାସ କରିଗଲା । ସେ ଅନୁଭବ କଲା ସେ ଯେମିତି ପ୍ରତାରିତ, ଅସମ୍ପୂର୍ଣ୍ଣ । ସେ ଯେମିତି ଏକ ଫମ୍ପା ମଣିଷ । ଚେତନାର କୌଣସି ଏକ ଅଜ୍ଞାତ ବିନ୍ଦୁରେ ଏହି ଫମ୍ପା ମଣିଷଟି ଯୁଦ୍ଧୋପର ଇଉରୋପୀୟ ମାନସ ସହ ସାମିଲ ହୋଇଗଲା । ପାଣ୍ଡୁଲିପିୟ ପ୍ରତିଧ୍ୱନି ଧୀରେ ଧୀରେ ଗଭୀର ହେଲା, ନିଜସ୍ୱ ହେଲା ।

 

ପରିବର୍ତ୍ତିତ ପରିସ୍ଥିତିରେ ସାହିତ୍ୟର ପ୍ରଥମ ପର୍ଯ୍ୟାୟରେ କେବଳ ପ୍ରତିଧ୍ୱନି । ଇଉରୋପ ଜରିଆରେ ନିଜକୁ ପ୍ରକାଶ କରିବାର ମୋହ । ଦ୍ୱିତୀୟ ପର୍ଯ୍ୟାୟରେ ଆମେ ପାଉଁ ଏକପ୍ରକାର ଅନ୍ୱେଷା, ନିଜର ଚେତନାକୁ ବୁଝିବାର ଚେଷ୍ଟା ତା’ ପାଇଁ ଗୋଟିଏ ସ୍ୱରର ବ୍ୟାକୁଳତା ଏବଂ ଶେଷ ପର୍ଯ୍ୟାୟରେ ଆବିଷ୍କାର । ସ୍ୱାଧୀନତା ପରେ ଆମ ଜୀବନରେ ଦେଖାଦିଏ ତିନୋଟି ଚେତନାର ସଂଘର୍ଷ । ପ୍ରଥମଟି ହେଲା ଶିଳ୍ପଜାତ ସହରି ଚେତନା ଯାହା ଆମ କୃଷି ସଭ୍ୟତାକୁ ଆନ୍ଦୋଳିତ କଲା, ଦ୍ୱିତୀୟରେ ଦାରିଦ୍ର୍ୟ ଓ ହତାଶା ଏବଂ ତୃତୀୟରେ ଆମର ପାରମ୍ପରିକ ମୂଲ୍ୟବୋଧର ମୃତ୍ୟୁ । ଫଳରେ ସ୍ୱାଧୀନତା ପର ଆମ ଚେତନା ଏକ ବିରୋଧାଭାସର ଚେତନା । ଅନେକ ବାହ୍ୟ ସଫଳତା ଭିତରେ ଅନ୍ତର୍ନିହିତ ବିଫଳତାର ଚେତନା । ଏ ବିଫଳତା ସବୁଠାରୁ ତୀବ୍ର ହୁଏ ଯେତେବେଳେ ଅହଂର ସମସ୍ତ ଗର୍ବ ଓ ଗୌରବ ପାର୍ଥିବତା ପାଇଁ ଲାଞ୍ଛିତ ହୁଏ । ଇଉରୋପୀୟ ଜୀବନର ଅର୍ଥହୀନତା ଆମକୁ ଗ୍ରାସିଯାଏ, ଆମ ଜୀବନର ଛନ୍ଦ ହୋଇଯାଏ ଛନ୍ଦହୀନ ।

 

ଯୁଦ୍ଧୋତ୍ତର ୟୂରୋପୀୟ ସଚେତନତା ସ୍ୱାଧୀନତା ପୂର୍ବରୁ ଆମର ପରିଚିତ ହୋଇସାରିଥିଲା । ସେତେବେଳେ ଆମ ଜୀବନରେ ଆଧୁନିକ ପରିବର୍ତ୍ତନ ଓ ବିପର୍ଯ୍ୟୟ ହୁଏତ ଦେଖାଦେଇନଥିଲା । କିନ୍ତୁ ତଥାପି ଏକ ନୂଆ ଦିଗନ୍ତ ପ୍ରତି ଆମେ ଆଗ୍ରହୀ ହୋଇପଡ଼ିଥିଲୁ; ତେଣୁ ଅନୁଭବଜ ହୋଇନଥିବାରୁ ପ୍ରଥମେ ଏହା ଅନୁକରଣରେ ପରିଣତ ହୋଇଥିଲା । ଆମେ ସମସ୍ତେ ନିଜକୁ ଇଉରୋପୀୟ ଚିନ୍ତାଧାରା ସହ ସାମିଲ ହୋଇଗଲୁ । ‘ପାଣ୍ଡୁଲିପି’ର ଅଧିକାଂଶ କବିତା ଏହି ସ୍ତରର । ଏହାର ଏକ ଐତିହାସିକ ଭୂମିକା ଅଛି ଯାହା ଅତି ଗୁରୁତ୍ୱପୂର୍ଣ୍ଣ । ଏହା ଏକ ନୂଆ ଚେତନା, ଏକ ଜଟିଳ ଜୀବନବୋଧ, ଏକ ଅନନୁଗତ ଯନ୍ତ୍ରଣା ପ୍ରତି ଆମ ଆଖି ଖୋଲିଦେଇଥିଲା-

 

ଏହି ନୂଆ ପୃଥିବୀ ପ୍ରତି ଆମର ନିବିଡ଼ତା ବଢ଼ିଲା । କାରଣ ପୂର୍ବରୁ ଦର୍ଶାଯାଉଥିବା କାରଣ ଯୋଗୁ ଆମ ଜୀବନ କେମିତି ଅସାର ହୋଇଆସିଲା ପୁଣି ପଞ୍ଚଦଶକର ମଧ୍ୟ୍ୟଭାଗକୁ ଆମେ ଆମ ନର୍କର ନିଜସ୍ୱତାକୁ ବୁଝିବାକୁ ଚେଷ୍ଟା କଲୁଣି, ଇଉରୋପୀୟମାନଙ୍କଠାରୁ ଆମ ପାର୍ଥକ୍ୟ ବିଷୟରେ ସଚେତନ ହେଲୁଣି । ଏହି ସଚେତନତା ହିଁ ପାର୍ଥକ୍ୟ ଆଣେ ‘ପାଣ୍ଡୁଲିପି’ ଓ ‘ସ୍ୱର୍ଗତ’ ଭିତରେ, ‘ଗୋବର ଗଣେଶ’ ଓ ‘କାଳ ପୁରୁଷ’ ଭିତରେ । ପାଣ୍ଡୁଲିପିର ‘ମୁଁ ସଚ୍ଚି ରାଉତରା’ ନିଶ୍ଚିନ୍ତ ଭାବେ ଟେଗୋର ବା ସେଲିଙ୍କ ପାଖରୁ ଭିନ୍ନ ହୋଇଥିଲେ ମଧ୍ୟ କବି ଏହି ମୁଁ’ଟିକୁ ନିଶ୍ଚିନ୍ତ ଭାବେ ଚିହ୍ନିନଥିଲେ ବା ଭାବିଥିଲେ ସେ ଏଲିଅଟ ବା ଅଡ଼େନ୍‌ ମାତ୍ର ସ୍ୱର୍ଗତରେ ଏ ଉଗ୍ର ଚେତନାରେ ଅନେକ ପରିବର୍ତ୍ତନ ଆସିଛି । ‘କାଳ ପୁରୁଷ’ରେ ଏଲିଅଟୀୟ ଚେତନା ସହ ଆମ ସାଂପ୍ରତିକ ଚେତନା, ଅନୁଭୂତି ଏବଂ ନିଜ ସଂସ୍କୃତି ଏକାକାର ହୋଇଛି । ‘ପ୍ରତିମା ନାୟକ’ର ଖାକିର ପୋଷାକ ଆମ ପୃଥିବୀର ଯେତେଟା ପ୍ରକାଶ କରିନି ଦାରିଦ୍ର୍ୟ କଷାଘାତରେ ନିଜ ମନ ବିବେକକୁ ତିଳ ତିଳ ହତ୍ୟା କରିଥିବା କାଳ ପୁରୁଷର ନାୟିକାର ପାପବୋଧ ଆମ ଚେତନାକୁ ତା’ଠାରୁ ଅଧିକ ପ୍ରକାଶ କରିଛି । ଏହି ଦାରିଦ୍ର୍ୟ, ଏହି ପାପବୋଧ ଆମର ଏକାନ୍ତ । ‘ପ୍ରତିମା ନାୟକ’ ବା ଏଲିଅଟ୍‌ଙ୍କ ‘ଟାଇପିଷ୍ଟ ଗାର୍ଲ’ କେହି ଆମର ନୁହଁନ୍ତି । ଲଣ୍ଡନ, ଭିଏନା ବା ‘ପ୍ରତିମା ନାୟକର’ ଧୂସର ଧୂମଳ, ଧ୍ୱାନ୍ତ ଭୟଙ୍କର ପୁଣି ଯୁଦ୍ଧରତ କେହି ଆମର ପୃଥିବୀ ନୁହେଁ । ଏହି ଦଶକରେ ଆମେ ପାଉଁ ଅନ୍ୟଏକ ଅନ୍ୱେଷ । ଆମ ନିଜ ପୁରାଣ, ଐତିହ୍ୟ ଜରିଆରେ ବର୍ତ୍ତମାନକୁ ଏବଂ ବର୍ତ୍ତମାନ ମାନଦଣ୍ଡରେ ଐତିହ୍ୟକୁ ବୁଝିବାର ଚେଷ୍ଟା । ସଂସ୍କୃତି ଓ ପୁରାଣ ଉଭୟେ ଆମ କଳ୍ପନାକୁ ପ୍ରଭାବିତ କରିଛନ୍ତି, ଆମ ଅନୁଭୂତିକୁ ଗଭୀର କରିଛନ୍ତି । ରମାକାନ୍ତ ଓ ସୀତାକାନ୍ତଙ୍କ କବିତା ଏହି ଶ୍ରେଣୀର । ସୀତାକାନ୍ତଙ୍କ ‘ଅଷ୍ଟପଦୀ’ରେ ପୁରାଣର ବ୍ୟବହାର ପୁଣି ରମାକାନ୍ତଙ୍କ ପାଖରେ ବ୍ୟକ୍ତିଗତ ଗଭୀର ଅନୁଭୂତି ସହ ଏକ ସଚେତନ ମନର ସମନ୍ୱୟ । ନୂଆ ରୂପରେ ଆମ ଆଗରେ ଦେଖାଦିଏ ‘ଅଷ୍ଟପଦୀ’ର ‘କୁବୁଜା’ ଆଉ ତା’ରି ଭିତରେ ଆମେ ପାଉଁ ଆମ ନର୍କର ପରିଚୟ ପୁଣି ସେଥିରୁ ମୁକୁଳି ପାରିବାର ଆଶ୍ୱାସନା । ଅନୁଭୂତିର ଏକ ନୂଆ ଦିଗନ୍ତ ଖୋଲିଦିଏ ରମାକାନ୍ତ ପୁଣି ସୌଭାଗ୍ୟ ମିଶ୍ରଙ୍କ କବିତା । ଏକାଧାରାରେ ତୀବ୍ର କରୁଣ ପୁଣି ବ୍ୟଙ୍ଗାତ୍ମକ । ରସାଣିତ ପୁଣି ବୁଦ୍ଧିଦୀପ୍ତ ।

 

ସ୍ୱାଧୀନତା ପୂର୍ବ ଓ ପର ସାହିତ୍ୟରେ ଥିବା ପାର୍ଥକ୍ୟ ମୁଖ୍ୟତଃ ଦୃଷ୍ଟିକୋଣର, ବ୍ୟାପ୍ତିର ପୁଣି ପ୍ରକାଶଭଙ୍ଗୀର । ବିଶ୍ୱ ପରିପ୍ରେକ୍ଷୀର ଆମ ନିଜସ୍ୱ ପୃଥିବୀର ନୂଆ ଚେହେରାକୁ ହୃଦୟଙ୍ଗମ କରି ତାକୁ ବିଶ୍ୱସ୍ତ ଭାବେ ପ୍ରକାଶ କରିବାର ଚେଷ୍ଟାହିଁ ସ୍ୱାଧୀନତା ପର ସାହିତ୍ୟର ମୂଳ ରୂପ । ଏକ ଦିଗରେ ଏକ ‘‘ପୋର୍‌ସେଲେନ୍‌’’ ସଭ୍ୟତା ଭିତରେ ନିଜର ଅସହାୟତା, ଏକ ମଧୁର ସ୍ମୃତିର ଦଂଶନ ଅନ୍ୟଦିଗରେ ଏକ ନୂଆ ପୃଥିବୀର ସ୍ୱପ୍ନ । ମୃତ୍ୟୁ ଓ ଜୀବନ ଯେମିତି ହାତ ଧରାଧରି । ‘‘ଏକ ମୃତ୍ୟୁମୁଖୀ ମହାନଗରୀର ଶେଷ ଅଣଚାଶ’’ ମାନଙ୍କର ହଂସଗୀତି ପାଖରେ ‘ମାଟି ମଟାଳ’ର ସ୍ୱପ୍ନ । କୁବୁଜା ପାଖାପାଖି ଚନ୍ଦ୍ରା ବେହେରାଣୀ ।

 

ତେଣୁ ଆମ ସାହିତ୍ୟର ନବୀନତମ ଧାରାରେ ଶିଳ୍ପୀ ନିଜକୁ ଜାହିର୍ କରିବାରେ ବ୍ରତୀ । ଏହି ନିଜର ଅହଂଟି ପଶ୍ଚିମ ଚେତନାର କାର୍ବନ କପି ନୁହେଁ କିମ୍ୱା ତା’ଠାରୁ ବିଚ୍ଛିନ୍ନ ହୋଇ ପ୍ରାଚ୍ୟର ପରମ୍ପରା ଭିତରେ ଦୀପାୟତ ନୁହେଁ । ଧୀରେ ଧୀରେ ଆମେ ଯେମିତି ଭାରତୀୟ ହୋଇ ସାର୍ବଜନୀନ ହୋଇଯାଉଛୁ । ନିଜକୁ ଚିହ୍ନିବାରୁ ସମସ୍ତଙ୍କୁ ଚିହ୍ନିପାରୁଛୁ । ଆମ ଭିତରେ ଅନ୍ୟ ସମସ୍ତେ ସେମାନଙ୍କ ଛବି ଦେଖିପାରୁଚନ୍ତି । ଏହାହିଁ ଆଜିର ବ୍ୟାପ୍ତି, ତା’ର ଗଭୀରତା । ଅନୁକରଣରୁ କେବଳ ପରୀକ୍ଷା ହୋଇପାରେ ମାତ୍ର ଆତ୍ମ ପରିସ୍ଥିତିରୁ ସୃଷ୍ଟିହୁଏ ଏକ ଜ୍ୱାଳାମୟୀ ଅନ୍ୱେଷା ଯାହା ସବୁ ପରୀକ୍ଷାକୁ ସୃଷ୍ଟିରେ ପରିଣତ କରେ । ଆମେ ସେହି ପରୀକ୍ଷା ସ୍ତରକୁ ଅତିକ୍ରମି ଯିବାକୁ ବସିଛୁ । ଆମେ ଆମର ସ୍ୱର ଖୋଜିପାଇଛୁ । ଏହାହିଁ ଆମର ଆଧୁନିକ ପରିସ୍ଥିତି, ଆମର ଆଧୁନିକତା ।

Image

 

ଦ୍ୱିତୀୟ ସୃଷ୍ଟି-ପ୍ରତୀକ

 

ସ୍ରଷ୍ଟା ଏବଂ ସୃଷ୍ଟି ସମ୍ପର୍କରେ ଆଲୋଚନା କଲାବେଳେ ହର୍‌ମାନ୍‌ ହେସ୍‌ଙ୍କ ‘କବି’ ଗଳ୍ପଟି ମନକୁ ଆସେ । ଗଳ୍ପଟିର ନାୟକ ନିଜ ସୃଷ୍ଟି ପାଇଁ କେମିତି ବାହ୍ୟଜଗତ ଠାରୁ ବିଚ୍ଛିନ୍ନ ହୋଇଗଲା ଏବଂ ଶେଷରେ ନିଜ ସୃଷ୍ଟି ଦ୍ୱାରା ବାହ୍ୟଜଗତ ସହ କେମିତି ସମ୍ପର୍କ ସ୍ଥାପନ କରିପାରିଲା, ତାକୁ ନୂଆ ଅର୍ଥରେ ଗରୀୟାନ୍‌ କରିପାରିଲା ସେହି ବିଷୟ ଲେଖକ ଅତି ଚମତ୍କାର ଭାବରେ ବର୍ଣ୍ଣନା କରିଅଛନ୍ତି । ଗଳ୍ପଟି ବାହ୍ୟ ଏବଂ କାବ୍ୟିକ ଜଗତ ଭିତରେ ଥିବା ରହସ୍ୟପୂର୍ଣ୍ଣ ସମ୍ପର୍କର ପ୍ରତିକୀ-ପ୍ରକାଶ । ହେସ୍‌ଙ୍କ ନାୟକ ଏକ ନିରୋଳା ଚରିତ୍ର । ସେ ତା’ର କଳା ମାଧ୍ୟମରେ ନିଜ ଅଜ୍ଞାତରେ କୌଣସି ଏକ ଅଜ୍ଞାତକୁ ହିଁ ଖୋଜିବୁଲୁଛି । ଏହି ଖୋଜିବା ଭିତରେ ଶିଳ୍ପୀ ନିଜ ଚାରିପାଖରେ ଥିବା ବସ୍ତୁ ଜଗତ ପୁଣି ନିଜ ଭିତରର ଅନ୍ଧାରି ମୂଲକକୁ ଦରାଣ୍ଡି ବୁଲୁଛି । ଏହି ଅନ୍ୱେଷା ଭିତରେ ସେ ସେତେବେଳେ ବସ୍ତୁ ଜଗତ ପୁଣି କେତେବେଳେ ନିଜପାଖରେ ଅପରିଚିତ ହୋଇଉଠୁଛି । ତା’ରି ପ୍ରଭାବରେ ସବୁ କେମିତି ଭିନ୍ନ ଭାବରେ ଦୃଶ୍ୟ ହେଉଛି । ଏହି ଅପରିଚିତ ନିଜର ସତ୍ତାଟି କାବ୍ୟିକ ସତ୍ତା । ସାଧାରଣ ମଣିଷ ଓ କାବ୍ୟିକ ସତ୍ତାର ସଂଘର୍ଷରୁ ହିଁ ଜନ୍ମନେଇଥାଏ କଳା । ଏ ସଂଘର୍ଷ ପୁଣି ବସ୍ତୁଜଗତ ପୁଣି ଚେତନା ଭିତରେ, ସ୍ୱପ୍ନ ଆଉ ବାସ୍ତବ ଭିତରେ ।

 

ତେଣୁ ସଂଘର୍ଷ ହିଁ ହେଲା କଳାର ମୂଳ ଉତ୍ସ । ମାତ୍ର ଏ ସଂଘର୍ଷ ଏକ ବିରୋଧାଭାଷ ଉପରେ ପ୍ରତିଷ୍ଠିତ । କାରଣ ଏ ସଂଘର୍ଷ ସବୁବେଳେ ସମନ୍ୱୟ ପ୍ରୟାସୀ । ସଂଘର୍ଷର ବିଭିନ୍ନ ସ୍ତର ଚେତନାକୁ ଶାଣିତ କରିଥାଏ ଏବଂ ଏହି ଶାଣିତ ଚେତନା ସୃଷ୍ଟିର ସମସ୍ତ ବିରୋଧକୁ ଅନୁଭବ କରି ତା’ର ସମନ୍ୱୟ ଆଣିବାକୁ ଚେଷ୍ଟା କରିଥାଏ । ଏହି ସମନ୍ୱୟହିଁ ସୃଷ୍ଟି । ଦୁଇ ଅସଂଲଗ୍ନ, ଆପାତ ବିରୋଧ ବସ୍ତୁ ବା ଆବେଗ ଭିତରେ ଏକ ନୂଆ ସମ୍ପର୍କ ସ୍ଥାପନ ହିଁ ସୃଷ୍ଟିର ପ୍ରକ୍ରିୟା । ଏହାର ପରିଣତ ଏକ ନିରୋଳା ସତ୍ୟ, ପୁଣି ଆନନ୍ଦ । ଏହା ସମ୍ଭବ ହୋଇଥାଏ କଳ୍ପନା ଶକ୍ତି ସାହାଯ୍ୟରେ-। ଏହାହିଁ କଳା ସୃଷ୍ଟି । ଅନୁଭବର ଏକାନ୍ତ ବିଶ୍ୱ । ଏହି ଶକ୍ତି ଜୀବନକୁ, ଦେଖିବାର ଭଙ୍ଗୀଟିକୁ ରୂପାୟିତ କରିବା ସଙ୍ଗେ ସଙ୍ଗେ ତାକୁ ପ୍ରକାଶ କରିବାର ଧାରାଟିକୁ ବି ଜନ୍ମ ଦେଇଥାଏ । ଏହି ଧାରାରୁ ଜନ୍ମନିଏ ନାନ୍ଦନୀକ ଅନୁଭବ । କଳା ଏହି ଅନୁଭବ ଏବଂ ପ୍ରକାଶ ଭଙ୍ଗୀ ଉଭୟର ମିଳନ-

 

ଏଇଥିପାଇଁ ଶିଳ୍ପୀର ବିଶ୍ୱ ଭିନ୍ନ । କାରଣ ତା’ର ନିଜସ୍ୱ ଅନୁଭୂତିହିଁ ତା’ର ବିଶ୍ୱ । ଏହା ଏକପ୍ରକାର ସ୍ୱପ୍ନ । ସତ୍ୟର ଆତ୍ମୀକରଣ । ମଣିଷର ସାଧାରଣ ସ୍ୱପ୍ନ ଭିତରେ ଏ ସ୍ୱପ୍ନ ଛପି ରହିଥାଏ । ଏହା ଏକପ୍ରକାର ଆବିଷ୍ଟତା । ଏହା ବାହ୍ୟ ବସ୍ତୁରେ ନଥାଏ କିନ୍ତୁ ଏହା ବାହ୍ୟ ବସ୍ତୁକୁ ଜୀବନ୍ୟାସ ଦିଏ । ତାଙ୍କରି ଜରିଆରେ ଏହା ପ୍ରକାଶିତ ହୁଏ । ଫଳରେ ଏହାଦ୍ୱାରା ବସ୍ତୁ ଜଗତ ତା’ର ନିଛକ ବାହ୍ୟତା ହରାଇବସେ । ତା’ର ଯୌକ୍ତିକତା ହରାଇ ଏକ ନୂଆ ଆଲୋକରେ ଉଦ୍ଭାସିତ ହୋଇଉଠେ । ସେ ହୋଇଯାଏ ଯୁକ୍ତି ଆଉ ଇନ୍ଦ୍ରିୟ ବାହାରେ ଏକ କାଳ୍ପନିକ ବାସ୍ତବ ସତ୍ତା । କାବ୍ୟିକ ଚେତନା ଦ୍ୱାରା ବସ୍ତୁ ରୂପାନ୍ତରିତ ସତ୍ୟରେ ପରିଣତ ହୁଏ । ପୁଣି ସେ କାଳ୍ପନିକ ଚେତନା ଏହି ବସ୍ତୁ ସାହାଯ୍ୟରେ ହିଁ ଆଧାରିତ ହୋଇଥାଏ–ରୂପାୟିତ ହୋଇଥାଏ । କଳ୍ପନା, ସ୍ୱପ୍ନ, ଚେତନା ଇନ୍ଦ୍ରାୟିତ ହୁଏ, ବସ୍ତୁ ଭିତରେ ଦାନାବାନ୍ଧେ । ଚେତନାର ବିଶ୍ୱରୂପ ଯେମିତି କଳାର କୃଷ୍ଣ ଭିତରେ ଆକାରୀଭୂତ ହୁଏ । ଏହାହିଁ କଳା । ଅରୂପର ରୂପାୟନ । ଚେତନାର ପ୍ରତୀକ । ସବୁ କଳା ତେଣୁ ପ୍ରତୀକଧର୍ମୀ । ଆଉ ଏହି ପ୍ରତୀକ ଗଢ଼ିପାରୁଥିବାରୁ ମଣିଷ ହିଁ କେବଳ ଶିଳ୍ପୀ ହୋଇପାରେ । ମଣିଷ ଶିଳ୍ପୀ, ସେ ପ୍ରତୀକ ସ୍ରଷ୍ଟା ।

 

ଏହାହିଁ କଳାର ମୂଳଉତ୍ସ । ସବୁ କଳା ଜୀବନକୁ ନିଜସ୍ୱଭାବେ ରୂପ ଦେବାର ପ୍ରୟାସୀ । କଳା ଅନୁଭୂତିକୁ ପ୍ରତୀକାୟିତ କରେ । ତେଣୁ କଳା ଜୀବନର ନିଚ୍ଛକ ଅନୁକରଣ ନୁହେଁ, ଏହା ଜୀବନର ପ୍ରତିକୀକରଣ । ଜୀବନରୁ ଜାତ କିନ୍ତୁ ଜୀବନଠାରୁ ଭିନ୍ନ କଳାର ଜୀବନ । ଜୀବନ ବିନା ଏହା ଅସମ୍ଭବ । ମାତ୍ର ଜୀବନର ଅନ୍ଧ ଅନୁକରଣ କଳାର ମୃତ୍ୟୁ । କଳା ପଙ୍କଜ ପରି । ପଙ୍କ ଆଉ ପାଣିରୁ ଜନ୍ମ ଏହାର, ମାତ୍ର ଏହା ପଙ୍କ ବା ପାଣି କୌଣସିଟି ନୁହେଁ । ଉଭୟ ରୂପାନ୍ତରିତ । ସେହିପରି କଳା । କେବଳ ବାସ୍ତବ ଜୀବନ ନୁହେଁ । କଳ୍ପନା ଦ୍ୱାରା ରୂପାନ୍ତରିତ ଜୀବନ । ଶିଳ୍ପୀର ଚେତନା ଦ୍ୱାରା ସ୍ୱପ୍ନାୟିତ ଜୀବନ । ଏହିଠାରେ ଶିଳ୍ପୀର ବିଶେଷତ୍ୱ । କଳାର ବିଶେଷତ୍ୱ । ସେ ସ୍ରଷ୍ଟା, ଦ୍ୱିତୀୟ ଈଶ୍ୱର । ବାସ୍ତବକୁ ସେ ନିଜସ୍ୱ ଭାବେ ଗଢ଼େ । ବିରୋଧ ଭିତରେ ସମନ୍ୱୟ ଆଣି ନୂଆ ସତ୍ୟର ସନ୍ଧାନ କରେ । ତେଣୁ ତା’ ସୃଷ୍ଟିରେ କାଳ କୋଳରେ କାଳାହୀତ ହୁଏ ମୁହୂର୍ତ୍ତ । ବାସ୍ତବତା ସୌନ୍ଦର୍ଯ୍ୟରେ ପରିଣତ ହୁଏ । ମୃତ୍ୟୁ ହୁଏ ଅମୃତମୟ ।

 

ତେଣୁ କଳାର ଭାଷା ପ୍ରତୀକର ଭାଷା । ପ୍ରତୀକ ହେଉଛି ବସ୍ତୁ ସାହାଯ୍ୟରେ ମାନସିକ ଅବସ୍ଥାର ଏକ ଛବି । ଏହା ବୌଦ୍ଧିକ ପୁଣି ଆଧ୍ୟାତ୍ମିକ ଚେତନାର ଏକ ବସ୍ତୁ ପ୍ରକାଶ । ଏ ପ୍ରକାଶ ଏତେ ଜଟିଳ ଯେ କୌଣସି ଯୁକ୍ତି, ପ୍ରଜ୍ଞା ସାହାଯ୍ୟରେ ଏ ସମ୍ପର୍କକୁ ପ୍ରକାଶ କରିବା ସମ୍ଭବ ନୁହେଁ । କେବଳ ପ୍ରତୀକ ହିଁ ଏପରି ସମ୍ପର୍କକୁ ବସ୍ତୁ ଜଗତ ସାହାଯ୍ୟରେ ସୂଚନା ଦେଇପାରିବ । ତେଣୁ ପ୍ରତୀକର ମୌଳିକ ଗୁଣ ହେଲା ଏହା ବିଶ୍ଳେଷଣର ଊର୍ଦ୍ଧ୍ୱରେ । ଏହା ଯୁକ୍ତିର ଊର୍ଦ୍ଧ୍ୱରେ । ଚିନ୍ତା, ଆବେଗ ପୁଣି ସ୍ମୃତିର ଏହା ଏକ ଅପୂର୍ବ ସମନ୍ୱୟ । ଏହି ସମନ୍ୱୟ ହିଁ କଳା । ଏହାହିଁ ବ୍ୟକ୍ତିଗତ ପୃଥିବୀର ଆତ୍ମିକ ରୂପାନ୍ତର ।

 

ଏଇଥିପାଇଁ ପ୍ରତ୍ୟେକ ଶିଳ୍ପୀ ପାଖରେ ଅହଂ ଏବଂ ନାହଂ ଭିତରେ ସଂଘର୍ଷ । ଶିଳ୍ପୀ ଅହଂ ଜରିଆରେ ନାହଂକୁ ଦେଖେ ଏବଂ ନାହଂ ସାହାଯ୍ୟରେ ଅହଂକୁ ପ୍ରକାଶ କରିବାର ଚେଷ୍ଟା କରେ । ତେଣୁ କଳା ହେଉଛି ଅହଂର ନାହଂତ୍ୱ ଏବଂ ନାହଂର ଅହଂତ୍ୱ । ଏହି ସମନ୍ୱିତ ସମ୍ପର୍କ ଶୀଳ୍ପିକୁ ଅନନ୍ୟ କରେ । ତା’ ଭିତରେ ଥିବା ନିରୋଳା ସ୍ୱପ୍ନଟିକୁ ରୂପ ଦେବାପାଇଁ ବ୍ୟାକୁଳ ହୋଇଉଠେ । ଯା ପାଖରେ ଏହି ନିରୋଳା ସ୍ୱପ୍ନ ଯେତେ ବେଶୀ ରୂପାନ୍ତରୀତ ହୋଇପାରେ ସେ ସେତେ ବେଶୀ ସଫଳ ହୋଇପାରେ । ଆଉ ଏହି ସଫଳତା ପାଇଁ ଶିଳ୍ପୀ ସେତେ ବେଶୀ ନିଜ ମାଧ୍ୟମ ସହ ଏକାକାର ହୁଏ । ମାଧ୍ୟମର ସାଧାରଣତାକୁ ନିଜସ୍ୱ ଅସାଧାରଣତା ଭିତରେ ହଜାଇଦେବାକୁ ଚେଷ୍ଟାକରେ । ଅର୍ଥାତ୍‌ ମାଧ୍ୟମ ଦ୍ୱାରା ପ୍ରତୀକତ୍ୱ ଆରୋପ କରେ । ଅନୁଭୂତିର ଅନନ୍ୟତାକୁ ରୂପ ଦିଏ । ସେ ସୃଷ୍ଟିକରେ ।

 

ଏହିଠାରେ ତେଣୁ କଳା ଆଉ ବିଜ୍ଞାନର ପାର୍ଥକ୍ୟ । ଉଭୟ ସତ୍ୟାନ୍ୱେଷୀ । ବିଜ୍ଞାନ ଏକ ସାର୍ବଜନୀନ ସତ୍ୟକୁ ଗ୍ରହଣ କରେ । ପରୀକ୍ଷା ଏବଂ ଯୁକ୍ତି ଦ୍ୱାରା ସେ ସତ୍ୟକୁ ପ୍ରତିଷ୍ଠିତ କରେ । ତାକୁ ଅବୈକ୍ତିକ କରେ । ମାତ୍ର କଳା ଯେଉଁ ସତ୍ୟର ସନ୍ଧାନ କରେ ତାହା ସଂପୂର୍ଣ୍ଣ ବ୍ୟକ୍ତିଗତ । ଏହା ଯୁକ୍ତି ଏବଂ ପରୀକ୍ଷାର ଊର୍ଦ୍ଧ୍ୱରେ । ଏହାର ସତ୍ୟ ଏକ ନିରୋଳା ସତ୍ୟ । ପରୀକ୍ଷା ଦ୍ୱାରା ଏହାକୁ ପ୍ରତିଷ୍ଠିତ କରାଯାଏନାହିଁ, ଅନୁଭବ ଦ୍ୱାରା ଏହାକୁ ଉପଲବ୍‌ଧି କରାଯାଏ । କଳା ତେଣୁ ଚେତନାକୁ ଛାଇଯାଏ । ବ୍ୟକ୍ତିଗତ ନିରୋଳା ଅନୁଭୂତି ଭିତରେ ମଣିଷକୁ ପୁଣି ନିଜର ସତ୍ତାକୁ ଖୋଜିଯାଏ । ବ୍ୟକ୍ତିଗତ ପ୍ରତୀକ ଏହିଭାବେ ସାର୍ବଜନୀନ ହୋଇଯାଏ । ଚିରନ୍ତନ ହୋଇଯାଏ । ତେଣୁ କଳାର ପୃଥିବୀ ବ୍ୟକ୍ତିଗତ ପୃଥିବୀ । ମାତ୍ର ଏହା ବ୍ୟକ୍ତିସର୍ବସ୍ୱ ନୁହେଁ, କାରଣ ବ୍ୟକ୍ତିଗତ ପୃଥିବୀ ଭିତରେ ମଧ୍ୟ ଏହା ସାଧାରଣତାକୁ ସୂଚନା ଦେଇଥାଏ । ଏଇଥିପାଇଁ ଆମେ ପୁରୁଣା ଛବି ଦେଖୁ, ସାହିତ୍ୟ ପଢ଼ୁ । କାରଣ ଏ ସବୁଥିରେ ଫୁଟିଉଠିଥିବା ନିରୋଳା ଅନୁଭୂତି ଭିତରେ ଆମ ନିଜର କେଉଁ ଏକ ନିରୋଳା ତନ୍ତ୍ରୀରେ କମ୍ପନ ଜାତ ହୁଏ । ଆମେ ଅନୁଭବ କରୁ ତା’ ଯେମିତି ଆମରି କଥା କହୁଛି । ଯେଉଁ କଥାଟି କହିଛି ସବୁଦିନ ପାଇଁ ତାହା ସତ ହୋଇଯାଇଛି । ଏହି ପ୍ରାପ୍ତି ହିଁ ଆନନ୍ଦ । କଳାର ଜୀବନ । ଏ ପ୍ରାପ୍ତି ସାଧାରଣ ଭାବେ ହୁଏନି । ଏହା ହୁଏ ବ୍ୟକ୍ତିଗତ ଭାବେ । ବ୍ୟକ୍ତିଗତ ସ୍ତରରେ ଶିଳ୍ପୀର ଜଗତ ଏବଂ ପାଠକର ଜଗତ ଏକାକାର ହୁଏ । ଆଉ ଏହି ମିଳନରୁ ଜନ୍ମନିଏ ଆନନ୍ଦ । ଅନ୍ୟକୁ ନିଜର କରିବାର ଆନନ୍ଦ ଅନ୍ୟକୁ ନିଜର କରି ନିଜକୁ ପାଇବାର ଆନନ୍ଦ-। ଏହାହିଁ ରସବୋଧ ।

 

ତେଣୁ ପ୍ରତୀକ ସୂଚନାତ୍ମକ । ଏହା ଏକ ବିରାଟ ସମନ୍ୱୟ । ଏଥିରେ ଅନେକ ବିରୋଧାଭାଷ ଏକାକାର ହୁଏ । ଏଥିରେ ଶିଳ୍ପୀ ନିଜର ଗହନ ଅନୁଭୂତିକୁ ନିଜସ୍ୱ ଭାବେ ପ୍ରକାଶ କରିଥାଏ । ଆଉ ପାଠକ ଏଇଥିରେ ହିଁ ନିଜକୁ ଖୋଜିଯାଏ, ତେଣୁ ଉଭୟ ପ୍ରକାଶ ଏବଂ ଆବିଷ୍କାର ପ୍ରତୀକର ପ୍ରାଣ । ଏହା ବ୍ୟକ୍ତିଗତ, ଏହା ପୁଣି ସାର୍ବଜନୀନ । ଏହା ସରଳ ଅଥଚ ଦୁର୍ବୋଧ୍ୟ । ଏହା ସରଳ କାରଣ ଅହଂ ଏଥିରେ ସଫଳଭାବେ ପୁଣି ଏକମାତ୍ର ଭାବେ ପ୍ରକାଶ ହୋଇଥାଏ । ଏହା ଦୁର୍ବୋଧ୍ୟ କାରଣ ଏଥିରେ ଅନୁଭୂତିର ସାମଗ୍ରୀକତା ଓ ଗଭୀରତା ଅତି ଅଯୌକ୍ତିକ ଭାବେ ଅର୍ଥପୂର୍ଣ୍ଣ ହୁଏ । ଏଥିରେ ରହସ୍ୟମୟ ଭାବେ ସବୁ ଯୁକ୍ତି ଆଉ ଆବେଗ ଅଙ୍ଗାଙ୍ଗୀ ହୁଏ ।

 

ଏହି ପ୍ରତୀକରେ ନିହିତ ମଣିଷର ମନ, ଅନୁଭୂତି ପ୍ରକାଶ କରିବାର ବ୍ୟାକୁଳତା । ଏହା ତିନି ପର୍ଯ୍ୟାୟଭୁକ୍ତ । ପ୍ରଥମଟି ସାଧାରଣ ଚିରାଚରିତ । ଯେମିତି ଚନ୍ଦ୍ର, ପଦ୍ମ । ଏଗୁଡ଼ିକ ସର୍ବସାଧାରଣ ଭାବେ ସୁନ୍ଦରର ପ୍ରତୀକ । ଦ୍ୱିତୀୟରେ ସାମଗ୍ରୀକ ଅବଚେତନରୁ ଉଜ୍ଜୀବିତ ପ୍ରତୀକ, ଯେମିତି ଗଛ, ପୃଥିବୀ, ସମୁଦ୍ର ଆଦି । ଏଗୁଡ଼ିକର ଅର୍ଥ ଅନୁଭୂତିର ବିଭିନ୍ନ ସ୍ତରକୁ ଛାଇଯାଏ । ଅନେକ ସମୟରେ ସାଧାରଣ ବସ୍ତୁ ଏପରି ଅସାଧାରଣତାର ସୂଚକ ହୋଇପାରେ । ଏପରି ପ୍ରତୀକରେ ମଣିଷର ବିଭିନ୍ନ ଅନୁଭୂତି ଏବଂ ଜୀବନର ମୂଳ ଉତ୍ସ ସବୁ ଦାନାବାନ୍ଧେ । ଅନେକ ଦେବାଦେବୀଙ୍କ ବର୍ଣ୍ଣନା ଏହି ଜାତୀୟ ପ୍ରତୀକ । ଏମାନେ ଯେମିତି ଜୀବନର ସଂଘର୍ଷ ଚିନ୍ତା ଚେତନା ସବୁକୁ ଆକାର ଦିଏ । ଏହାବ୍ୟତୀତ ପ୍ରତୀକ ହୁଏ ସଂପୂର୍ଣ୍ଣ ବ୍ୟକ୍ତିଗତ । ଏଥିରେ ଶିଳ୍ପୀ ବାହ୍ୟବସ୍ତୁକୁ ବ୍ୟକ୍ତିଗତ ଅର୍ଥରେ ପ୍ରାଣବନ୍ତ କରେ । ଯେମିତି ଏଲିଅଟ୍‌ଙ୍କ ‘ଲଣ୍ଡନ ପୋଲ୍‌’, ଇଏଟ୍‌ସଙ୍କ ‘ଟାଓ୍ୱାର’, ଅଥବା ପିକାଶୋଙ୍କ ‘ଅଶ୍ୱ’ ଓ ‘ବୃକ୍ଷଭ’ । ଏହି ବ୍ୟକ୍ତିଗତ ପ୍ରତୀକର ସାର୍ବଜନୀନ ଅର୍ଥ ନଥାଏ । ଏହା ଶିଳ୍ପୀଙ୍କ ଏକାନ୍ତ ନିଜର ସୃଷ୍ଟି । ତାଙ୍କରି ଉପଲବ୍ଧି ସତ୍ୟ । ଏହା କାଳକ୍ରମେ ସାର୍ବଜନୀନ ଭାବେ ଗୃହୀତ ହୁଏ । ଏପରି ଗ୍ରହଣରେ ଯୁକ୍ତି ନଥାଏ, ପ୍ରଜ୍ଞା ନଥାଏ । ଏହା ଆବେଗ ଦ୍ୱାରା, କଳ୍ପନା ଦ୍ୱାରାହିଁ ରସାଣିତ ହୋଇଥାଏ ।

 

ଶିଳ୍ପୀ ବିଶେଷ ଭାବରେ କବିପାଖରେ ପ୍ରତୀକହିଁ ତ ଜୀବନ । କବିର ମାଧ୍ୟମ ଭାଷା, ତା’ର ଶବ୍ଦ ତ ଗୋଟିଏ ପ୍ରତୀକ । କହି ଏହି ଶବ୍ଦ ପ୍ରତୀକର ପ୍ରତୀକତ୍ୱକୁ ଗ୍ରହଣ କରି ଅନୁଭବର ନୂଆ ସୀମା ସରହଦର ସନ୍ଧାନ କରେ । ଏହାକୁ ବିଭିନ୍ନ ଅର୍ଥରେ ସମୁଜ୍ଜଳ କରିଥାଏ । କବି ଏହି ଶବ୍ଦ ସାହାଯ୍ୟରେ ବାହ୍ୟ ବସ୍ତୁର ଯେଉଁ ନୂଆ ଜୀବନ୍ୟାସ ଦିଏ ସେଥିରେ ସେ ସୃଷ୍ଟିକରେ ଗୋଟିଏ ନୂଆ ପୃଥିବୀ । ଏହା ଅନୁଭବର ନିଆଁରେ ଉଷ୍ଣ, କଳ୍ପନାର ରଙ୍ଗରେ ରଞ୍ଜିତ । ପ୍ରତ୍ୟେକ ପ୍ରତୀକ ଅନୁଭବ ଆଉ କଳ୍ପନାର ଅଭିଷେକ ।

 

ହେସ୍‌ଙ୍କ ସେଇ ନିରୋଳା କବିଟି । ସମାଜଠାରୁ ଦୂରରେ ନିଜଭିତରେ ନିଜେ ହଜିଯାଇଛି । ମାଧ୍ୟମର ମଞ୍ଜ ଭିତରକୁ ପଶି ଯେମିତି ରୂପାନ୍ତରିତ କରୁଛି ନିଜକୁ ପୁଣି ତାକୁ ଘେରିଥିବା ପୃଥିବୀକୁ । ଏହି ସନ୍ଧାନ ତ ଭିତରକୁ, ନିଜ ମାଧ୍ୟମ ଭିତରକୁ ଅନ୍ତର୍ଯାତ୍ରା । ଆବେଗ ଆଉ ଅନୁଭବର ହାଉଯାଉ ଭିତରେ ସେ ନିଃସଙ୍ଗ ହୋଇଯାଏ । ନିଜସ୍ୱ ସ୍ୱପ୍ନର ବାଲ୍ମିକୀ ଭିତରୁ ରତ୍ନାକରର ନୂଆ କଳେବରଟି ବାହାରିଆସେ । କେତେ ଭିନ୍ନ, କେତେ ଅର୍ଥପୂର୍ଣ୍ଣ । ଏହାହିଁ ତ ପ୍ରତୀକ । ଏହା ଉଭୟ ଶିଳ୍ପୀ ଚେତନା ଶିଳ୍ପକୁ ରୂପାନ୍ତରିତ କରେ । କଳା ଏହି ରୂପାନ୍ତର । ଶିଳ୍ପୀ ନିଜେ ରୂପାନ୍ତରିତ ହୋଇ ରୂପାନ୍ତରର କଥା କହେ । ଏହି ଧାରାରେ ସେ ଅନେକ ହରାଏ, ନୂଆ କରି ଅନେକ ପାଏ । ନୂଆ ଭାବେ ସେ ସମାଜ ଦ୍ୱାରା ଆଦୃତ ହୁଏ । ଯେମିତି ହେସ୍‌କ କବି । ସେ ଏକ ପ୍ରତୀକୀତ ସତ୍ୟ । ଆଉ ତା’ର ପ୍ରତୀକ ବାସ୍ତବତାର ଏକ ଦ୍ୱିତୀୟ ସୃଷ୍ଟି । ଚେତନାର ନୂଆ କଳେବର ।

Image

 

Unknown

ଚହଲା ଛାଇ

 

ଶିଳ୍ପୀର ବ୍ୟକ୍ତିତ୍ୱ ଆଉ କଳାରେ ତା’ର ସ୍ଥାନ ଏକ ବହୁ ଆଲୋଚିତ ପୁରୁଣା ପ୍ରଶ୍ନ । ଏହି ପ୍ରଶ୍ନର ଆଲୋଚନା କଲାବେଳେ ଆମକୁ ପ୍ରଥମେ ବ୍ୟକ୍ତିତ୍ୱ ବିଷୟରେ ସଚେତନ ହେବାକୁ ପଡ଼ିବ-। କାରଣ ଏହି ପ୍ରସଙ୍ଗରେ ଆମେ ସାଧାରଣତଃ ଶିଳ୍ପୀର ବ୍ୟକ୍ତିଗତ ଜୀବନ, ତା’ର ଅନୁଭୂତି ଅର୍ଥାତ୍‌ ଶିଳ୍ପୀର ଜୀବନୀକୁ ମଧ୍ୟ ଗ୍ରହଣ କରିଥାଉଁ । ବ୍ୟକ୍ତିତ୍ୱ ଜଣେ ବ୍ୟକ୍ତିର ନିଜସ୍ୱତା । ଏହି ନିଜସ୍ୱ ଗୁଣ ତାକୁ ଅନ୍ୟଠାରୁ ଭିନ୍ନ କରେ । ବାରିଦିଏ । ଏହା ଉଭୟ ତା’ର ଦୈହିକ ଏବଂ ମାନସିକ ଗୁଣକୁ ବୁଝାଇଥାଏ । ତା’ର ରୁଚି ଏବଂ ମୂଲ୍ୟବୋଧ ମଧ୍ୟ ଏହାସହ ଜଡ଼ିତ । ତେଣୁ ଏହା ବ୍ୟାପକ-। ଏହା ତା’ର ଚେତନାକୁ ମଧ୍ୟ ସୂଚାଇଥାଏ । ଅନେକ ସମୟରେ ଜୀବନରେ ଘଟିଥିବା ଘଟଣା ଶିଳ୍ପୀର ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ । ତା’ର ଚେତନାକୁ ଶାଣିତ କରି ତା’ର ଦୃଷ୍ଟିକୋଣରୁ ପ୍ରଭାବିତ କରିଥାଏ । ତେଣୁ ଏ ଉଭୟ ପରସ୍ପର ସମ୍ପର୍କିତ । କାରଣ ଏମାନେ ଶିଳ୍ପୀର ଅଂହର ପୂର୍ଣ୍ଣତାର ପ୍ରକାଶ । ଏହାର ଅର୍ଥ୍‌ ଦ୍ୱିବିଧ । ଗୋଟିଏ ଦୃଷ୍ଟିରେ ଏହା ଶିଳ୍ପୀର ବ୍ୟକ୍ତିଗତ ଅନୁଭୂତି । ଅନ୍ୟଦୃଷ୍ଟିରେ ଅନୁଭୂତି ପ୍ରତି ଶିଳ୍ପୀର ବ୍ୟକ୍ତିଗତ ଦୃଷ୍ଟିକୋଣ । ସବୁ ଯୁଗରେ ସବୁ କଳାରେ ଶିଳ୍ପୀ ଏହି ଜଟିଳତାକୁ ହିଁ ପ୍ରକାଶ କରିବାର ପ୍ରୟାସୀ । ତେଣୁ କଳାରେ ଶିଳ୍ପୀର ବ୍ୟକ୍ତିତ୍ୱ କହିଲେ ଶିଳ୍ପୀର ଅନୁଭୂତି, ତା’ର ଦେଖିବାର ଭଙ୍ଗୀ ସହ ତା’ର ପ୍ରକାଶ କରିବାର ଶୈଳୀଟିକୁ ହିଁ ମଧ୍ୟ ଗ୍ରହଣ କରିବାକୁ ପଡ଼ିଥାଏ । ଏହାହିଁ ଶିଳ୍ପୀର ଅହଂ । ଏହା ଏକ ଜଟିଳ ବ୍ୟକ୍ତିତ୍ୱ-। ଏହା କଳାର ବିଷୟବସ୍ତୁ, ପୁଣି ଶୈଳୀ ସହ ଆତ୍ମିକଭାବେ ଜଡ଼ିତ । ଏହି ପ୍ରବନ୍ଧର ଉଦ୍ଦେଶ୍ୟ ଏହି ବ୍ୟକ୍ତିତ୍ୱ, ତା’ର ବ୍ୟବହାର, କଳାରେ ତା’ର ପ୍ରକାଶ ପୁଣି କଳାର ରୂପକୁ ଏହା କିପରିଭାବେ ପ୍ରଭାବିତ କରିଥାଏ ସେହି ବିଷୟରେ ସମ୍ୟକ୍‌ ଆଲୋଚନା କରିବା ।

 

ସାଧାରଣତଃ କଳାରେ ଶିଳ୍ପୀ ଆଉ ତା’ର ବ୍ୟକ୍ତିତ୍ୱ କହିଲେ ଆମେ ପ୍ରଥମେ ଶିଳ୍ପୀର ଜୀବନୀ, ତା’ର ବ୍ୟକ୍ତିଗତ ଅନୁଭୂତିକୁ ଗ୍ରହଣ କରିଥାଉ । କଳା ବ୍ୟକ୍ତିଗତ ଅନୁଭୂତିର ପ୍ରକାଶ । ଅଙ୍ଗେ ନିଭାଇଥିବା କଥାର କାହାଣୀ । ଏଇଠି ପ୍ରଶ୍ନଉଠେ ଏହି ବ୍ୟକ୍ତିଗତ ଭାବେ ପ୍ରକାଶ କରିବ ? କେତେ କଳାର ସାର୍ବଜନୀନତା କେଉଁଠି ? ଏହା କ’ଣ ଖାଲି ଜଣେ ବ୍ୟକ୍ତିର ବ୍ୟକ୍ତିଗତ ଡାଇରୀ । ଏହି ଡାଇରୀ ପଢ଼ି ଆମେ ଶିଳ୍ପୀକୁ ଜାଣିବା ପୁଣି ଶିଳ୍ପୀକୁ ଜାଣିଲେ ସେ ଡାଇରୀକୁ ବୁଝିବା ? କଳା ଶିଳ୍ପୀର ନିଛକ ଜୀବନୀ ନୁହେଁ । ଏହା ଏକ ବ୍ୟକ୍ତିର ତାକୁ ଘେରି ରହିଥିବା ବିଶ୍ୱ ସହ ସମ୍ପର୍କ, ସଂଘର୍ଷ । ଏହି ବିଶ୍ୱ ପ୍ରତି ତା’ର ବ୍ୟକ୍ତିକ ପୁଣି ଅବ୍ୟକ୍ତିକ ପ୍ରତିକ୍ରିୟା । ଶିଳ୍ପୀର ବ୍ୟକ୍ତିତ୍ୱରେ ଏହି ଦୁଇଟି ସତ୍ୟ । ଏହା ତା’ର ବ୍ୟକ୍ତିଗତ ପୃଥିବୀ ପୁଣି ବାହ୍ୟ ପୃଥିବୀର ସମନ୍ୱୟ । ଏହି ସମନ୍ୱୟ ହିଁ କଳା । ଏହି ସମ୍ପର୍କର ଗଭୀରତା କଳାର ସାର୍ବଜନୀନତା, ଏହି ସମ୍ପର୍କର ସୂକ୍ଷ୍ମତା କଳାର ନାନ୍ଦନିକତା । ତେଣୁ ଜୀବନୀ, କେବଳ ନିଚ୍ଛକ ଜୀବନୀ ହିସାବରେ କଳାରେ କେବଳ କ୍ଷୀଣ ସ୍ତରଟିଏ ହୋଇ ରହିଥାଏ । ଏହା ଅନୁଭୂତିର କଞ୍ଚାମାଲ । ଏହା ଶିଳ୍ପୀର ବ୍ୟକ୍ତିତ୍ୱ ଦ୍ୱାରା ରୂପାନ୍ତରିତ ନ ହେବାଯାଏଁ କଳା ହୋଇପାରେନା । କାରଣ ଶିଳ୍ପୀର ଜୀବନ ତା’ର ବ୍ୟକ୍ତିତ୍ୱ ନୁହେଁ । କଳା ଗଭୀର ଅନୁଭୂତିର ନିର୍ଯ୍ୟାସ । ଏହା ଜୀବନର ନିଚ୍ଛକ ପ୍ରକାଶ ନୁହେଁ । ଅନୁଭୂତିର ନିର୍ଯ୍ୟାସ ପୁଣି ଶିଳ୍ପୀର ବଞ୍ଚିବା ଢଙ୍ଗଟିକୁ ଅନେକ ସମୟରେ ବଦଳାଇଦିଏ । ତା’ର ଦେଖିବାର ଭଙ୍ଗୀଟିକୁ ବଦଳାଇଦିଏ । ଫଳରେ କହିବାର ଶୈଳୀଟି ମଧ୍ୟ ବଦଳିଯାଏ । ଏହି ବଦଳିଯିବାଟା ହିଁ କଳା । ଆଉ ଏହା ବଦଳେ ଶିଳ୍ପୀର ବ୍ୟକ୍ତିତ୍ୱର ପୂର୍ଣ୍ଣତା ଦ୍ୱାରା ।

 

କଳାରେ ବ୍ୟକ୍ତିତ୍ୱମାନେ ନୁହେଁ ଶିଳ୍ପୀର ନିଚ୍ଛକ ବ୍ୟକ୍ତିଗତ ଅନୁଭୂତିର ବିଶ୍ୱସ୍ତ ପ୍ରକାଶ । କଳା ବ୍ୟକ୍ତିତ୍ୱ ତା’ର ଅନୁଭୂତିରୁ ଜନ୍ମନିଏ । ମାତ୍ର ଏହା ଅନୁଭୂତିର ନିଚ୍ଚକତା ନୁହେଁ । ଅନୁଭୂତି ହିଁ ମୂଳ । ଏହାର ଗଭୀରତା ହିଁ କଳାର ପ୍ରାଣ । ଏ ଅନୁଭୂତି ପୁଣି ପ୍ରତ୍ୟକ୍ଷ ପୁଣି ପରୋକ୍ଷ । ବ୍ୟକ୍ତିଗତ ପୁଣି ସାର୍ବଜନୀନ । ଅନୁଭୂତି ନଥିଲେ କଳା ଅସମ୍ଭବ ମାତ୍ର କେବଳ ଅନୁଭୂତି ମଧ୍ୟ କଳା ସୃଷ୍ଟି କରେନାହିଁ । ଏଥିପାଇଁ ଲୋଡ଼ା ଚେତନା, ଯାହା ଶିଳ୍ପୀର ପୂର୍ଣ୍ଣ ବ୍ୟକ୍ତିତ୍ୱର ଅଂଶ । ଏଠାରେ ତେଣୁ ପ୍ରଶ୍ନଉଠେ କ’ଣ ଶିଳ୍ପୀର ବ୍ୟକ୍ତିଗତ ଅନୁଭୂତିର କୌଣସି ଅର୍ଥ ନାହିଁ ? ଏହିଠାରେ ଆସେ ଦ୍ୱନ୍ଦ୍ୱ । କାରଣ ରିକ୍‌ସାବାଲା କଥା ଲେଖିବାକୁ ହେଲେ କ’ଣ ରିକ୍‌ସା ଟାଣିବାକୁ ହେବ ? ଏହାର ଉତ୍ତର ନିଶ୍ଚିତ ଭାବେ ନେତିବାଚକ । ମାତ୍ର ଅନୁଭୂତି ନଥିଲେ, ଅଙ୍ଗେ ନିଭାଇନଥିଲେ କଳା କ’ଣ ପ୍ରତିଧ୍ୱନି ହୋଇଯିବନାହିଁ ? ଶିଳ୍ପୀ ତା’ର ନିଜସ୍ୱ ପୃଥିବୀରୁ ସମସ୍ତ ଅନୁଭୂତିକୁ ସ୍ପଞ୍ଜ୍‌ ପରି ଶୋଷିନିଏ । ସିଏ ନିଜେ ତା’ ନିଜ ପୃଥିବୀର ଏକ ସଜୀବ ଅଂଶ ହୋଇଯାଏ । ଏହି ଅଂଶ ଯେତେବେଳେ ଚେତନା ଦ୍ୱାରା ଶାଣିତ ହୁଏ ଜନ୍ମନିଏ କଳା । ସେକ୍‌ସପିଅରଙ୍କ ପ୍ରସଙ୍ଗରେ କହିବାକୁ ଯାଇ ଚାଲେ କହିଥିଲେ ଯେ ନିଜ ଛାଇ ନ ପକାଇ କୌଣସି ବ୍ୟକ୍ତି ଖରାରେ ଚାଲିପାରିବ ନାହିଁ । ଏହା ସମ୍ଭବ ନୁହେଁ । ସେହିପରି ନିଜ ବ୍ୟକ୍ତିତ୍ୱ ତା’ର ପ୍ରକାଶ ନ କରି କୌଣସି ଶିଳ୍ପୀ ସୃଷ୍ଟି କରିନପାରେ । ସେ ନିଶ୍ଚିତ ଭାବେ ନିଜକୁ ହିଁ ପ୍ରକାଶ କରିପକାଏ । ନିଜ କଥା କହିପକାଏ । ତେଣୁ କଳା ଯେତେ ଭିନ୍ନ, ଯେତେ ଜଟିଳ ଓ ବ୍ୟାପକ ହେଉନା କାହିଁକି ଗୋଟିଏ ସ୍ତରରେ ଏହା ବ୍ୟକ୍ତିର ଛାୟାରେ ଆଚ୍ଛନ୍ନ ଉଜ୍ଜ୍ୱଳିତ ହ୍ରଦଟିଏ । ଆକାଶର ଛାଇ, ମେଘର ଛାଇ, ବନାନୀର ଛାଇ ସହ ମଧ୍ୟ ଶିଳ୍ପୀର ଛାଇଟିକୁ ଏହା ଧରିରଖିଥାଏ । ଏହି ପ୍ରସଙ୍ଗରେ ପ୍ରଶ୍ନଉଠେ ସେକ୍‌ସପିଅର ତାଙ୍କର ବ୍ୟକ୍ତିତ୍ୱକୁ କେଉଁଠି, କେଉଁ ଚରିତ୍ର, କେଉଁ ଘଟଣା ପାଖରେ ପ୍ରକାଶ କରିଛନ୍ତି । ଅଥେଲୋ, ଇଆଗୋ, ଡେସ୍‌ଡ଼େମୋନା ନା ମେକ୍‌ବେଥ୍‌ ନା ଲିଅର ? କାହା ପାଖରେ ? ଆମେ ଯେତେବେଳେ ତାଙ୍କ ଗଢ଼ା ଚରିତ୍ରମାନଙ୍କ ସଂସ୍ପର୍ଶରେ ଆସୁ ଆମେ ଆସୁ ଗୋଟିଏ ଜୀବନ୍ତ ବ୍ୟକ୍ତିତ୍ୱ ଯେଉଁମାନେ କି ନିଜ ଗୁଣ ଆଉ ଦୋଷଦୁର୍ବଳତା ଦ୍ୱାରା ସ୍ପର୍ଦ୍ଧିତ । ଏମାନେ ସମସ୍ତେ ଗୋଟିଏ ଗୋଟିଏ ଅନନ୍ୟ ଏକକ । ସେମାନଙ୍କ ଦେହରେ ଶିଳ୍ପୀଙ୍କ ଛାପ ନାହିଁ । କାହାରି ଛାପ ନାହିଁ । ନିଜ ସ୍ୱାକ୍ଷର ବହନ କରି ସେମାନେ ଜୀବନ୍ତ-। ଫଳରେ ଶିଳ୍ପୀଙ୍କ ଛାଇ ଏମାନଙ୍କ ଦେହରେ ନାହିଁ । ଶିଳ୍ପୀ ଏମାନଙ୍କ ପାଖରୁ ବହୁ ଦୂରରେ । ସ୍ରଷ୍ଟା ହିସାବରେ ତାଙ୍କ କଳ୍ପନା ସାହାଯ୍ୟରେ ଯେମିତି ନୂଆ ଗୋଟିଏ ଗୋଟିଏ ପୃଥିବୀ ଗଢ଼ି ତୋଳିଛନ୍ତି । ଏ ସୃଷ୍ଟିରେ ଶିଳ୍ପୀଙ୍କ ଜୀବନୀ ନାହିଁ । ମାତ୍ର ତାଙ୍କ ଅନୁଭୂତି ଦ୍ୱାରା ଋଷିମନ୍ତ ବ୍ୟକ୍ତିତ୍ୱ ହିଁ ସୃଷ୍ଟି କରିଛି ଏ କଳାର ପୃଥିବୀକୁ ।

 

ତେବେ ଶିଳ୍ପୀ କ’ଣ ଜଣେ ଖାଲି ଦର୍ଶକଟିଏ, ଅବ୍ୟକ୍ତିକ ମାଧ୍ୟମଟିଏ । ଆବେଗହୀନ ଯାନ୍ତ୍ରିକ ସତ୍ତାଟିଏ । ଯାହା ଖାଲି ଦେଖୁଥିବା ପୃଥିବୀକୁ ବର୍ଣ୍ଣନା କରିଯାଏ । ଯାହାକୁ ଆଡ଼େନ୍‌ ‘ଅପ୍ରଭାବିତ ଦର୍ଶକଟିଏ’ ବୋଲି କହିଥିଲେ । ଏହି ପ୍ରସଙ୍ଗରେ ଏଲିଏଟ୍‌ଙ୍କ ପ୍ରସିଦ୍ଧ ଉକ୍ତି ମନକୁ ଆସେ । କବିର ବ୍ୟକ୍ତିତ୍ୱ ସମ୍ପର୍କରେ କହିବାକୁ ଯାଇ ସେ ଲେଖିଥିଲେ ଯେ କବିତା ତ ଆବେଗର ପ୍ରକାଶ ନୁହେଁ; ବ୍ୟକ୍ତିତ୍ୱର ପ୍ରକାଶ ନୁହେଁ, ଏହା ବରଂ ବ୍ୟକ୍ତିତ୍ୱ ଏବଂ ଆବେଗଠାରୁ ମୁକ୍ତି । ଅବଶ୍ୟ ଏ ମୁକ୍ତି ସମ୍ଭବ ନୁହେଁ ଯଦି ଶିଳ୍ପୀର ଆବେଗ ନଥାଏ । ବ୍ୟକ୍ତିତ୍ୱ ନଥାଏ । ଏହି ଉକ୍ତି ଓ୍ୱାର୍ଡ଼ସ୍‌ଓ୍ୱାର୍ଥଙ୍କ ଶ୍ରାବଣୀ ଆବେଗର ସ୍ୱତଃପ୍ରବୃତ୍ତ ପ୍ରକାଶଠାରୁ ଭିନ୍ନ । ତାକୁ ବିରୋଧ କରେ ଏଲିଅଟ୍‌ଙ୍କ ଉକ୍ତିର ଦୁଇଟି ସତ୍ୟ । ସେ ବ୍ୟକ୍ତିତ୍ୱକୁ ସ୍ୱୀକାର କରିଛନ୍ତି, ତା’ ସଙ୍ଗେ ସଙ୍ଗେ ତହିଁରୁ ମୁକ୍ତି ମଧ୍ୟ ଚାହିଁଛନ୍ତି । ଫଳରେ ଏଠାରେ ବ୍ୟକ୍ତିତ୍ୱ ଉଭୟ କଳାର ବିଷୟବସ୍ତୁ ପୁଣି ପ୍ରକାଶଭଙ୍ଗୀ ସହ ଜଡ଼ିତ ।

 

କଳାରେ ବ୍ୟକ୍ତିତ୍ୱ ତେଣୁ ଏକ ଜଟିଳ ପ୍ରଶ୍ନ । ଏହା ଶିଳ୍ପୀର ଜୀବନୀ ଭିତରେ ସୀମିତ ନୁହେଁ । ଏହା ଜୀବନୀସଂଭୂତ ଅଥଚ ତହିଁରୁ ମୁକ୍ତ ? ଏକ ସ୍ୱାଧୀନ ସତ୍ତା । ଏହା ପୁଣି କଳାର ଶୈଳୀକୁ ମଧ୍ୟ ପ୍ରଭାବିତ କରିଥାଏ । ଏହି ବ୍ୟକ୍ତିତ୍ୱ ପ୍ରତି ଦୃଷ୍ଟିକୋଣରେ ହିଁ ନିହିତ ରୋମାଣ୍ଟିକ ଆଉ କ୍ଳାସିକ ଚେତନ ଭିତରେ ଥିବା ସମସ୍ତ ପାର୍ଥକ୍ୟ । ରୋମାଣ୍ଟିକ କବିମାନେ ମୁଖ୍ୟତଃ ନିଜକୁ ହିଁ ପ୍ରକାଶ କରିଥାନ୍ତି । ତାଙ୍କ ସୃଷ୍ଟିର ନାଭିକେନ୍ଦ୍ରରେ ଶିଳ୍ପୀର ନିଜସ୍ୱ ଅହଂଟି ହିଁ ଜଳିଉଠୁଥାଏ । ନିଜ ଅହଂ ଜରିଆରେ ହିଁ ସେମାନେ ତାଙ୍କ ସ୍ୱପ୍ନର ପୃଥିବୀକୁ ଗଢ଼ି ତୋଳନ୍ତି । ତାଙ୍କ ସୃଷ୍ଟିକୁ ଛୁଇଁଲେ ଯେଉଁ ମଣିଷର ଛାତିକୁ ସ୍ପର୍ଶ କରାଯାଏ ସେ ହେଉଛି ନିଜେ କବି । ନିଜେ ଶିଳ୍ପୀ । ସେଲୀଙ୍କର ‘ଓ୍ୱେଷ୍ଟ ଉଇଣ୍ଡ’ କବିତାରେ ପଶ୍ଚିମା ପବନର ସବୁ ଶକ୍ତତ, ତେଜ ସତ୍ତ୍ୱେ ଆମେ ପାଉ କବିର ସତ୍ତାକୁ ଯିଏ ପ୍ରଥମେ ଜୀବନର କଣ୍ଟକ ଶଯ୍ୟାରେ ରକ୍ତାକ୍ତ ମାତ୍ର ଶେଷରେ ଶକ୍ତିଶାଳୀ ପଶ୍ଚିମା ପବନକୁ ନିଜ ଦୂତ କରି ସାରା ମଣିଷ ଜାତି ପାଖକୁ ନିଜ ବାର୍ତ୍ତା ପଠାଇବାରେ ସମର୍ଥ । କବିତା ଶେଷରେ ଝଡ଼ ନୁହେଁ ଏକ ଝଡ଼ମୟ ବ୍ୟକ୍ତିତ୍ୱ ହିଁ ଫୁଟିଉଠେ । ଏହି ଚେତନାର ଏକ ଚରମ ପରିଣତି ହେଉଛି କ୍ରାନ୍ତ ବାସ୍ତବତାର ସୃଷ୍ଟି । କ୍ରାନ୍ତ ବାସ୍ତବ-ସୃଷ୍ଟି ଗୁଡ଼ିକ ଏକାନ୍ତଭାବେ ବ୍ୟକ୍ତିଗତ । ଏହା ବ୍ୟକ୍ତିର ଅବଚେତନ ମନର ଉଚ୍ଚାରଣ । ଏପରି ଉଚ୍ଚାରଣରେ ଯୁକ୍ତି ନାହିଁ । ଅବ୍ୟକ୍ତିକତା ନାହିଁ । ଏହା ଯେମିତି ସ୍ୱପ୍ନ ଦେଖିବା । ସ୍ୱପ୍ନ ଦେଖିବାର ନିଜସ୍ୱ ବାସ୍ତବତା ଭିତରେ ହଜିଯିବା । ଡାଲିଙ୍କ ଚିତ୍ର ଏହି ଧରଣର ଛବି । ଡିଲାନ୍‌ ଟମାସ୍‌ଙ୍କ କବିତାରେ ଆମେ ଅନେକ ସମୟରେ ଏହି କ୍ରାନ୍ତ ବାସ୍ତବତାର ଛାଇ ପାଇଥାଉ । ଯେଉଁ ଆତ୍ମସଚେତନତା, ବ୍ୟକ୍ତିର ବ୍ୟକ୍ତିଗତ ଅନୁଭୂତି ଜୀବନରୁ ଆରମ୍ଭ ହୁଏ, ତା’ର ଚରମ ପରିଣତି ଗୋଟିଏ ସ୍ତରରେ ହୁଏତ ଏହି କ୍ରାନ୍ତ ବାସ୍ତବତାରେ ପରିଣତ ହୋଇଥାଏ । ଏହାର ବିଷୟବସ୍ତୁ ‘ଅହଂ’, ଏହାର ଭାଷା ନିଜସ୍ୱ ଉଚ୍ଚାରଣ । ଅନେକ ସମୟରେ ଯୁକ୍ତିହୀନ ପ୍ରଳାପ ।

 

ମାତ୍ର ଏହାର ବିପରୀତ ଦିଗରେ ଅଡ଼େନ୍‌ଙ୍କ କ୍ଳିନିକାଲ କବିତା । ଏଠାରେ କବିର ପୃଥିବୀ ବାହ୍ୟ । ତା’ର ପ୍ରକାଶ ଭଙ୍ଗୀରେ ଥାଏ ଦର୍ଶକର ଦୂରତା । ଶିଳ୍ପୀ ନିଜ ବ୍ୟକ୍ତିତ୍ୱ ପାଖରୁ କେମିତି ଦୂରେଇ ରହିବାର ଚେଷ୍ଟା । ଏହି ପ୍ରସଙ୍ଗରେ ଏଲିଅଟ୍‌ଙ୍କ ସୃଷ୍ଟିଶୀଳ ପ୍ରକ୍ରିୟାରେ ଶିଳ୍ପୀର ବ୍ୟକ୍ତିତ୍ୱର ଭୂମିକା ସମ୍ପର୍କରେ କହିବାକୁଯାଇ ଯେଉଁ ରାସାୟନିକ ପ୍ରକ୍ରିୟାର ଉଦାହରଣ ଦେଇଛନ୍ତି ତା’ର ବିଶ୍ଳେଷଣ କରାଯାଇପାରେ । ରାସାୟନିକ ପ୍ରକ୍ରିୟାରେ କାଟାଲିଷ୍ଟର ଯେଉଁ ଭୂମିକା କଳା ସୃଷ୍ଟିରେ ଶିଳ୍ପୀର ବ୍ୟକ୍ତିତ୍ୱର ସେହି ଭୂମିକା । କାଟଲିଷ୍ଟ୍‌ ରାସାୟନିକ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ-। ଦୁଇଟି ବସ୍ତୁର ରାସାୟନିକ ପରିବର୍ତ୍ତନ ହୋଇ ନୂଆ କିଛି ସୃଷ୍ଟିହୁଏ ମାତ୍ର କାଟାଲିଷ୍ଟର କିଛି ପରିବର୍ତ୍ତନ ହୁଏନାହିଁ । ସେ ନଥିଲେ ସମସ୍ତ ପ୍ରକ୍ରିୟା ହୁଅନ୍ତା ନାହିଁ ମାତ୍ର ତା’ର କିଛି ପରିବର୍ତ୍ତନ ହୋଇନଥାଏ । ସେହିପରି ଶିଳ୍ପୀର ବ୍ୟକ୍ତିତ୍ୱ ଆଉ ସୃଷ୍ଟି । ସେମାନେ ଏହିପରି ଏକ ସମ୍ପର୍କହୀନ ସମ୍ପର୍କର ସେତୁ ବାନ୍ଧିଥାଆନ୍ତି । ଏହାହିଁ ତ ବ୍ୟକ୍ତିତ୍ୱଠାରୁ ମୁକ୍ତି ପୁଣି ତା’ର ଉପସ୍ଥିତିକୁ ଗ୍ରହଣ କରିବା-। ବ୍ୟକ୍ତିତ୍ୱ ନଥିଲେ ତା’ଠାରୁ ମୁକ୍ତି ମିଳିବାର ପ୍ରଶ୍ନ ନାହିଁ । କୀଟ୍‌ସ ଏବଂ ସେକ୍‌ସପିଅର । ତାଙ୍କ ସୃଷ୍ଟି ଏହି ଦୃଷ୍ଟିରୁ ବିଚାର୍ଯ୍ୟ । କୀଟ୍‌ସ ଜଣେ ରୋମାଣ୍ଟିକ କବି । ଅତି ବେଶୀ ଆତ୍ମସଚେତନ-। ମାତ୍ର ଏହି ବ୍ୟକ୍ତିତ୍ୱ ଭିତରେ ମଧ୍ୟ ସେ କେମିତି ଅବ୍ୟକ୍ତିକ । କବି ଏତେ ବେଶୀ ଆତ୍ମସଚେତନ ପୁଣି ଏ ଆତ୍ମସଚେତନତା ଏତେ ବ୍ୟାପକ ଓ ଗଭୀର ଯେ ସେ ଅନାୟାସରେ ନିଜଠାରୁ ମୁକ୍ତ ହୋଇ ଅନ୍ୟଗୋଟିଏ ଅହଂକୁ ଗ୍ରହଣ କରିପାରେ । ଅର୍ଥାତ୍‌ ଅନ୍ୟ କାୟା ଭିତରେ, ଅନ୍ୟ ମନଭିତରେ ପ୍ରବେଶ କରିପାରେ । ଘରଚଟିଆ କଥା ବର୍ଣ୍ଣନା କଲାବେଳେ, ଫୁଲଟିଏ ଦେଖିଲାବେଳେ ସେ ଚଢ଼େଇଟିଏ ଫୁଲଟିଏ ହୋଇଯାଆନ୍ତି । କବି ରୂପାନ୍ତରିତ ହୁଅନ୍ତି । ଏହା ଏକ ବ୍ୟକ୍ତିସର୍ବସ୍ୱ ବ୍ୟକ୍ତିହୀନତା । ସେ ବାହାରେ ବର୍ଷା ଦେଖିଲେ, ବର୍ଷାରେ ମଞ୍ଜିଟିଏ ଭିଜୁଥିବାର ଦେଖିଲେ ସେ ଅନୁଭବ କରନ୍ତି ଯେ ସେ ଯେମିତି ନିଜେ ଅଙ୍କୁରିତ ହୋଇଯାଉଛନ୍ତି । ଏହି ବ୍ୟକ୍ତି ସଚେତନା ସମଗ୍ର ବିଶ୍ୱକୁ ଆଚ୍ଛାଦିତ କରିଦିଏ । ଏହିଠାରେ ଶେଲୀ ଆଉ କୀଟ୍‌ସଙ୍କ ବ୍ୟକ୍ତିତ୍ୱ ଭିତରେ ପାର୍ଥକ୍ୟ-! ଶେଲୀ ସମସ୍ତ ବସ୍ତୁରେ ନିଜକୁ ଆରୋପ କରୁଥିଲେ । ସବୁ ଭିତରେ ସେ ନିଜକୁ ଦେଖୁଥିଲେ । ମାତ୍ର କୀଟ୍‌ସ ନିଜେ ସବୁ ବସ୍ତୁ ହୋଇଯାଉଥିଲେ । ସେକ୍‌ସପିଅରଙ୍କ ପାଖରେ ଠିକ୍‌ ଏହି କଥା । ତାଙ୍କ ଚରିତ୍ର ଆଉ ସିଏ ଅଭିନ୍ନ । ତାଙ୍କ ଚରିତ୍ର ଗୁଡ଼ିକରେ ତାଙ୍କ ବ୍ୟକ୍ତିତ୍ୱର ଖଣ୍ଡିତ ଛାଇ ନାହିଁ । ସେକ୍‌ସପିଅର ଭିନ୍ନେ ଭିନ୍ନେ ଚରିତ୍ର ହୋଇଯାଆନ୍ତି । ଅର୍ଥାତ୍‌ ହ୍ୟାମଲେଟ୍‌ ସୃଷ୍ଟି ବେଳେ ସେକସପିଅର ନିଜେ ହ୍ୟାମ୍‌ଲେଟ୍‌ ହୋଇଯାଆନ୍ତି । ଏହାହିଁ ତାଙ୍କ ବ୍ୟକ୍ତିତ୍ୱତାର ପ୍ରକାଶ ପୁଣି ବ୍ୟକ୍ତିତ୍ୱଠାରୁ ଶିଳ୍ପୀର ମୁକ୍ତି । ଏହା ବ୍ୟକ୍ତିତ୍ୱହୀନତା ନୁହେଁ । ଏହା ଏକ ଅବୈକ୍ତିକ ବ୍ୟକ୍ତି ସଚେତନତା; ଆତ୍ମିକ ଅବୈକ୍ତିକତା ନିଜ ଭିତରୁ ମୁକୁଳିଯାଇ ଆଉ ଏକ ଦେହରେ କାୟା ପ୍ରବେଶ କରିବାର ଅପରିସୀମ କ୍ଷମତା । ଏହା ଅଡ଼େନ୍‌ଙ୍କ ପରି ଦୂରରୁ ଥାଇ ବାସ୍ତବର ପ୍ରକାଶ ନୁହେଁ । ଏଲିଅଟ୍‌ଙ୍କ ‘ଟାଇରେସିଅସ’ର ସୃଷ୍ଟି ନୁହଁ ଯାହା ଅବୈକ୍ତିକତାର ପ୍ରତୀକ ହେବ । ଏହା ବାସ୍ତବ ସହ ସଂପୂର୍ଣ୍ଣରୂପେ ସାମିଲ୍‌ ହୋଇଯିବା । ଏହା ବ୍ୟକ୍ତିଗତ ଜଗତ ସୃଷ୍ଟି କରିବା ନୁହେଁ-। ସମସ୍ତ ଜଗତ ଭିତରକୁ ବ୍ୟକ୍ତିତ୍ୱକୁ ପ୍ରବେଶ କରାଇବା ।

ଏହି ପରିପ୍ରେକ୍ଷୀରେ ଆଉଜଣେ ଶକ୍ତିଶାଳୀ ଆଧୁନିକ କବିଙ୍କ ଉଦାହରଣ ନିଆଯାଇପାରେ । ସେ ହେଉଛନ୍ତି ସିଲ୍‌ଭିଆ ପ୍ଳାଥ୍‌ । ତାଙ୍କ କବିତା କେବଳ ନିଜ କଥା । ସେଗୁଡ଼ିକ ନିଜ ନିଜ ଅନ୍ତରଙ୍ଗ ଅନୁଭୂତିର ଅନ୍ତରଙ୍ଗ ପ୍ରକାଶ ଏହା ଯେମିତି ନିଜ ଅହଂର ନିଜ ପାଖରେ ସତ୍ୟପାଠ । ଏଠାରେ କବି ନିଜ ଅହଂର କୋଷାକୁ କାଟି ବିଶ୍ୱକୁ ଗ୍ରହଣ କରୁନାହାନ୍ତି । ଏଥିରେ କବି ନିଜ ଅହଂରୁ କୋଷା ଭିତରେ ସାରା ବିଶ୍ୱକୁ ନିଜସ୍ୱ ଭାବରେ ପାଉଛନ୍ତି । ତେଣୁ ବ୍ୟକ୍ତି ଓ ବାସ୍ତବ ସହ ଶିଳ୍ପୀର ସମ୍ପର୍କକୁ ଆମେ ପ୍ରାୟ ତିନି ପର୍ଯ୍ୟାୟରେ ପାଇଥାଉଁ । ପ୍ରଥମ ପର୍ଯ୍ୟାୟରେ ବାହ୍ୟତା ପାଖରୁ ଦୂରରେ ରହି ବାହ୍ୟତାକୁ ଅବୈକ୍ତିକ ଭାବେ ପ୍ରକାଶ କରିବା । ଦ୍ୱିତୀୟରେ ନିଜ ବ୍ୟକ୍ତିତ୍ୱରୁ ମୁକୁଳିଯାଇ ବାହ୍ୟବସ୍ତୁ ସହ ଏକାନ୍ତ ହେବା, ତୃତୀୟରେ ନିଜ ବ୍ୟକ୍ତିତ୍ୱ ଭିତରେ ହଜିଯାଇ ବାହ୍ୟତାର ଏକାନ୍ତ ରୂପ ଆଙ୍କିବା, ଏବଂ ଶେଷରେ ନିଜ ଅଚେତନ ମନ ଭିତରେ ପଶି ନିଜ କଥା କହିବା ।

ଏ ସମସ୍ତ ସ୍ତରରେ ଦୁଇଟି ଅସ୍ତିତ୍ୱ । ଶିଳ୍ପୀର ଅହଂ ଅନ୍ୟଟି ବାସ୍ତବତା । ପୁଣି ଏ ଦୁଇଟିର ସମ୍ପର୍କ । ତେଣୁ ଶିଳ୍ପୀର ବ୍ୟକ୍ତିତ୍ୱ କହିଲେ କେବଳ ତା’ର ଜୀବନୀ ବା ଅଙ୍ଗେ ନିଭାଇଥିବା କଥା ନୁହେଁ । ଏହା ତା’ର ପୂର୍ଣ୍ଣାଙ୍ଗ ଚେତନାକୁ ସୂଚାଇଥାଏ । ଏ ଚେତନା ଏକ ଜଟିଳତାର ସୂଚକ-। ଏ ଚେତନା ପାଖରେ ବ୍ୟକ୍ତି କେବଳ କେତୋଟି ଘଟଣା ବା ଅନୁଭୂତିର ତାଲିକାର ନୁହେଁ ବା କଳା ଏ ତାଲିକାର ସଜ୍ଜୀକରଣ ନୁହେଁ । ଏ ଚେତନା କଳା ଏବଂ ବ୍ୟକ୍ତିତ୍ୱକୁ ଏକାକାର କରିଥାଏ । ଏହି ଏକାକାର ହେବାଯୋଗୁ ହିଁ ଶୈଳୀ ଏବଂ ଆତ୍ମା ଅଭିନ୍ନ ହୋଇଯାଏ । ଶୈଳୀ ପୋଷାକ ନ ହୋଇ ଦେହର ଅଂଶ ଚର୍ମ ହୋଇଯାଏ ଏବଂ କଳା ଶିଳ୍ପୀଠାରୁ ଅଭିନ୍ନ ହୁଏ । ଏହି ଅଭିନ୍ନ ହେବାର କାରଣ ହେଉଛି ଏହା ଶିଳ୍ପୀର କଥା କହେ ବୋଲି ନୁହେଁ । ଏହା ଶିଳ୍ପୀକୁ କଳା ସହ ଅଭିନ୍ନ କରିଥାଏ ବୋଲି । ଏ ଅଭିନ୍ନ ହେବା ଅର୍ଥନୁହେଁ କୌଣସିମତେ ଯୋଡ଼ିହେବା, ପାଖାପାଖି ରହିବା-। ଏହା ହେଉଛି ବ୍ୟକ୍ତିତ୍ୱର ପୂର୍ଣ୍ଣତାକୁ ବ୍ୟକ୍ତିତ୍ୱର ଭାବନେଇ ରୂପାନ୍ତର କରିବା । ଅନେକ ସମୟରେ ଏହା ଦୂରତା ଦ୍ୱାରା ମଧ୍ୟ ହୋଇପାରିଥାଏ ଯେମିତି ଏଲିଅଟ୍‌, ଅଡ଼େନ୍‌ଙ୍କ ଅବୈକ୍ତିକ ସୃଷ୍ଟି ପୁଣି ନିହାତି ନିଜସ୍ୱ ନିକଟତା ଦ୍ୱାରା ମଧ୍ୟ ହୋଇଥାଏ । ଯେମିତି ପ୍ଳାଥ୍‌ଙ୍କ ସ୍ୱୀକାରୋକ୍ତି କବିତା-। ଏହି ଉଭୟ ବିପରୀତମୁଖୀ ଦୃଷ୍ଟିଭଙ୍ଗୀରେ ବାହ୍ୟତା ସହ ଶିଳ୍ପୀର ସମ୍ପର୍କକୁ ରୂପଦେବାର ଚେଷ୍ଟା-

ଏହି ବ୍ୟକ୍ତିତ୍ୱ ସଚେତନା ତେଣୁ ମାଧ୍ୟମ ସଚେତନତାକୁ ପ୍ରଲମ୍ୱିଯାଇପାରେ । ଭାଷା, ରଙ୍ଗ, ଧ୍ୱନି, ମାର୍ବଲ ସବୁକୁ କେମିତି ବ୍ୟବହାର କରାଯାଇପାରିବ ତାହାମଧ୍ୟ ଏହି ସଚେତନତା ଭିତରେ ରୂପ ପାଇଥାଏ । ସାରଳା ଦାସଙ୍କ ଭାଷା, ଆଉ ଛନ୍ଦର ବ୍ୟବହାର ତାଙ୍କ ବ୍ୟକ୍ତିତ୍ୱର ପ୍ରକାଶ, ତାଙ୍କ ମହାଭାରତ, ତାଙ୍କ ସୃଷ୍ଟି ଚରିତ୍ର, ତାଙ୍କ ଭାଷା ଆଉ ଦାଣ୍ଡିବୃତ୍ତ ସବୁ ଗୋଟିଏ ଶିଳ୍ପୀର ପୂର୍ଣ୍ଣତାକୁ ହିଁ ସୂଚନା ଦେଇଥାଏ । ଏହା ଯେମିତି ତାଙ୍କ ଅହଂର ନାହଂତା । ସେହିପରି ଭଞ୍ଜଙ୍କ ଭାଷା, ଛନ୍ଦ ପୁଣି ତାଙ୍କ ବିଷୟବସ୍ତୁ ସବୁ ଏକ ଜଟିଳ ଚେତନାର ପ୍ରକାଶ । ତାଙ୍କ ଆବେଗ, ପାଣ୍ଡିତ୍ୟ ପୁଣି ଆଦର୍ଶ ସବୁ ଏକାକାର ତାଙ୍କ ସୃଷ୍ଟିରେ । ଏହା ଯେମିତି ତାଙ୍କ ନାହଂର ଅହଂତ୍ୱ ।

ତେଣୁ କଳା ଏବଂ କଳାକାରର ପୃଥିବୀ ଅଭିନ୍ନ ଭିନ୍ନ । ଭିନ୍ନ ପୃଥିବୀକୁ ଗ୍ରହଣ କରି କଳାକାର ନିଜ ସହ ତାକୁ ଅଭିନ୍ନ କରିଥାଏ । ପୁଣି ନିଜ ଅଭିନ୍ନ ପୃଥିବୀକୁ ଭିନ୍ନ ରୂପ ଦିଏ । ସବୁ କଳା ବାସ୍ତବତାର ବ୍ୟକ୍ତିଗତ ରୂପାନ୍ତର । ଏହା ବ୍ୟକ୍ତିକରଣ ନୁହେଁ । ଏହି ରୂପାନ୍ତର ଆଣିବାରେ ବ୍ୟକ୍ତିତ୍ୱର ଭୂମିକା ଅନେକ ବେଶୀ । ଶିଳ୍ପୀର ଚେତନା ମଧ୍ୟ ଭାଗନେଇଥାଏ । କାରଣ ପ୍ରତ୍ୟେକ ଶିଳ୍ପୀ ଯେତେ ଅବୈକ୍ତିକ ବା ବ୍ୟକ୍ତିଗତ ହେଉନା କାହିଁକି, ନିଜସ୍ୱ ଭାବେ ଏହି ଅସଂଲଗ୍ନ ବାସ୍ତବତାକୁ ସଜାଡ଼ିଥାଏ । କେମିତି ସଜାଡ଼ିବ, ସଜାଡ଼ିବାରେ କେଉଁ ରୂପ ଦେବ ଏବଂ ଶେଷରେ ସେ ପୃଥିବୀ କାହାର ଛବି ହେବ ତାହା ସେହି ଶିଳ୍ପୀର ବ୍ୟକ୍ତିତ୍ୱ ଉପରେ ନିର୍ଭରକରେ । ଆଉ ଏହାହିଁ ତା’ର ନିଜସ୍ୱ ରୂପ । ଏହି ନିଜସ୍ୱ ରୂପରେ ସେ ନିଜେ ଫୁଟି ନ ଉଠିପାରେ, ତା’ ଛବି ଝଳିଉଠି ନପାରେ ମାତ୍ର ଯାହା ଫୁଟିଉଠେ ଯେଉଁ ଭାବେ ଫୁଟିଉଠେ ତା’ ଶିଳ୍ପୀର ବ୍ୟକ୍ତିତ୍ୱ । ଏହା ତା’ର ଆତ୍ମିକତା । ତେଣୁ ପ୍ରତ୍ୟେକ କଳା ଅହଂର ଆବିଷ୍କାର । ଅବ୍ୟକ୍ତିକ ପୁଣି ବ୍ୟକ୍ତିଗତ । କଳା ଯେମିତି ଚେତନାର ନବଗୁଞ୍ଜର । ନବଗୁଞ୍ଜରର ବିଭିନ୍ନତା ଭିତରେ ହିଁ ଶିଳ୍ପୀ ଫୁଟିଉଠେ–ତା’ର ବିଭିନ୍ନତା ଫୁଟିଉଠେ ।

ତେଣୁ ଶିଳ୍ପୀ ବହୁରୂପୀ । ବିଶ୍ୱକୁ ବିବିଧ ଭାବେ ଏକାନ୍ତ କରି ପ୍ରକାଶ କରିଥାଏ । ଏହି ଏକାନ୍ତ କରିବାରେ ସେ ଥାଇନଥାଏ; ନଥାଇ ଥାଏ । ସେଇଥିପାଇଁ ତ ରବି ପଟ୍ଟନାୟକ ତାଙ୍କ ‘ବହୁରୂପୀ’ ଗଳ୍ପ ଗ୍ରନ୍ଥରେ କହିଛନ୍ତି ଯେ ବିଭିନ୍ନ ବହୁରୂପୀ ଅନୁଭୂତି ଆଉ ବ୍ୟକ୍ତିତ୍ୱ ଭିତରେ ସେ କେବଳ ନିଜକୁ ହିଁ ଖୋଜିଛନ୍ତି ଆଉ ପାଇଛନ୍ତି । ନିଜକୁ ପାଇଛନ୍ତି ନିଜସ୍ୱ ଭାବେ ପୁଣି ସେହି ଚରିତ୍ରମାନଙ୍କ ବ୍ୟକ୍ତିତ୍ୱ ଭିତରେ ।

ତେଣୁ ବ୍ୟକ୍ତିତ୍ୱ ଏକ ଦିଗରେ ବିଷୟବସ୍ତୁ । ଅନ୍ୟଦିଗରେ ପ୍ରକାଶଭଙ୍ଗୀର ସୂଚକ । ଏହା ପୁଣି ଜଟିଳ ଚେତନାର ସୂଚକ । ତେଣୁ ବ୍ୟକ୍ତିତ୍ୱର ପ୍ରକାଶ, ତା’ଠାରୁ ମୁକ୍ତି ବା ତା’ର ଉଚ୍ଛ୍ୱାସ କଳାର ପୂର୍ଣ୍ଣତା ନୁହେଁ । ଏ କଳା ଏକ ପୂର୍ଣ୍ଣତା । ଏହା ଏକ ରୂପାନ୍ତର । ଆଉ ଏହି ରୂପାନ୍ତରରେ ନିହିତ ଅହଂ ଆଉ ନାହଂର ଆବେଗହୀନ ଉଚ୍ଛ୍ୱାସର ଜଟିଳତାବୋଧ ।

ଏହି ଜଟିଳତାବୋଧ ହିଁ କଳାର ଆତ୍ମିକତା । ଏହାରିପାଇଁ ବ୍ୟକ୍ତିତ୍ୱର ପ୍ରକାଶ । ତା’ଠାରୁ ମୁକ୍ତି । ଏଇଥିପାଇଁ କଳାରେ ବ୍ୟକ୍ତିତ୍ୱ ତ ଗୋଟିଏ ଚହଲା ଛାଇ ।

Image

 

ଆଜିର ଦୁଃସ୍ଥିତି ଓ କବିତା

 

ସଂପ୍ରତି ଆମ ସାଂସ୍କୃତିକ ଜୀବନରେ କବିତା ଏକ ବିବଦମାନ ସ୍ଥାନ ଅଧିକାର କରିଥାଏ । ଆଜି ଆମ ଭାଷାରେ ପ୍ରଚୁର କବିତା ଲେଖାହେଉଛି । ପ୍ରଚୁର କବିତା ସଙ୍କଳନ ପ୍ରକାଶ ପାଇଲାଣି ଏବଂ ସେମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି । ପୁଣି କବିତା ପାଠୋତ୍ସବ ଏକ ଦୈନନ୍ଦିନ ଘଟଣାରେ ପରିଣତ ହେଲାଣି । ଏସବୁ ଆନନ୍ଦ ଏବଂ ଗର୍ବର କଥା । କାରଣ କବିତା ଗୋଟିଏ ଜାତିର ପ୍ରାଣସ୍ପନ୍ଦନ । ତା’ ସଚେତନତାର ମାପକାଠି । ବଙ୍ଗଳାରେ କବିତା ଘଣ୍ଟ କି ସେ ଜାତିର ସଚେତନତାକୁ ହିଁ ସୂଚାଇଥାଏ । ତେଣୁ କବିତା ଉପରେ ଏପରି ଗୁରୁତ୍ୱ ଆମ ସାଂସ୍କୃତିକ ସଚେତନତାକୁ ସୂଚାଉଥିଲେ ମଧ୍ୟ ଏହା ଆଉ ଏକ ଦିଗ ପ୍ରତି ମଧ୍ୟ ଆମକୁ ସଚେତନ କରିଦେଇଥାଏ । କବିତାର ପ୍ରାଚୁର୍ଯ୍ୟ ଭିତରେ କବିତା ପ୍ରତି ଉଦାସୀନତା ମଧ୍ୟ ସେହିପରି ତାଳଦେଇ ବଢ଼ିଚାଲିଛି । ସାଧାରଣଙ୍କ ପାଇଁ କବିତା ପ୍ରାୟ ଏକ ନିଷିଦ୍ଧ ବସ୍ତୁରେ ପରିଣତ ହୋଇଅଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଆମେ ତେବେ କ’ଣ କବିତା ଭରା ଏକ କାବ୍ୟ ଚେତନା ଶୂନ୍ୟ ଜଗତରେ ବିତରଣ କରୁଛେ ? ଏପରି ବିରୋଧାଭାଷର କାରଣ କ’ଣ ? ଏଥିପାଇଁ ଦାୟୀ କିଏ ? ସମାଜ, ପାଠକ, ନା କବି କିଏ ? ଏହି ସଙ୍କଟମୟ ପରିସ୍ଥିତିର ସମ୍ୟକ ଆଲୋଚନା କରିବା ଏ କ୍ଷୁଦ୍ର ପ୍ରବନ୍ଧର ଲକ୍ଷ୍ୟ ।

 

ଆଜିର ସଙ୍କଟ କବିତାହୀନତା ନୁହେଁ; କବିତା ଉଦାସୀନତା । ଏଥିପାଇଁ ଜଣେଅବା କୌଣସି ଗୋଟିଏ ଶକ୍ତି ଦାୟୀ ନୁହଁନ୍ତି । ଏହା ଏକ ମିଶ୍ର ପ୍ରକ୍ରିୟାର ପରିଣତି । ବର୍ତ୍ତମାନର ଜୀବନଧାରାକୁ ବିଶ୍ଳେଷଣ କଲେ ଦେଖାଯାଏ ଯେ ଆମ ସାଧାରଣ ଜୀବନ ଗଣମାଧ୍ୟମ ଦ୍ୱାରା ଅତିମାତ୍ରାରେ ପ୍ରଭାବିତ । ଚଳଚ୍ଚିତ୍ର, ରେଡ଼ିଓ ଏବଂ ଏବେ ଟିଭି ଆମଉପରେ ସେମାନଙ୍କର ପ୍ରଭାବ ବିସ୍ତାର କରୁଛି । ଏମାନେ ସବୁ ସେହି ଜଟିଳ ଯନ୍ତ୍ର ସଭ୍ୟତାର ଦାନ । ଯନ୍ତ୍ର ସଭ୍ୟତା ବିଭିନ୍ନ ଭାବରେ ଆମ ପାଖରୁ ବହୁ ଜିନିଷ କାଢ଼ିନେଇଥିଲା । ଘର, ପରିବାର, ପ୍ରକୃତିର ରହସ୍ୟ ପରେ ଏବେ ଆମପାଖରୁ ସୃଷ୍ଟିର ଆନନ୍ଦ ଟିକକ ବି ବଡ଼ ମଧୁର ଭାବରେ କାଢ଼ିନେବାକୁ ବସିଛି । ଗଣମାଧ୍ୟମର ପ୍ରଭାବର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବା ଏ ପ୍ରବନ୍ଧର ଉଦ୍ଦେଶ୍ୟ ନୁହେଁ-। ଏମାନଙ୍କ ପ୍ରଭାବର ଗୋଟିଏ ଦିଗ କିନ୍ତୁ ବଡ଼ ଗୁରୁତ୍ୱପୂର୍ଣ୍ଣ । ଏମାନେ କଳ୍ପନାରେ ପର ଗଜୁରିବାକୁ ଦିଅନ୍ତି ନାହିଁ, ଅଧିକାଂଶ ସମୟ ଟିଭି ଦେଖୁଥିବା ପିଲାଟି ପାଖରେ ସବୁ ଘଟିଯାଏ, ସବୁ ହୋଇଯାଏ । ସେ କିଛି କଳ୍ପନା କରେନାହିଁ । ତା’ ମନ କିଛି ଖୋଜିବୁଲେ ନାହିଁ । ଏହା ଯେମିତି ଚିରନ୍ତନ ପାଇବାଟିଏ, ପାଇବାର ଅପ୍ରାପ୍ତିଟିଏ ଖୋଜିବାର ଶିହରଣ ନୁହେଁ । ପୁଣି ଏଥିରେ ବ୍ୟକ୍ତି ସମ୍ପୂର୍ଣ୍ଣ ଅବୈକ୍ତିକ ଏବଂ ନିଷ୍କ୍ରିୟ । ସେ ଯେମିତି ଜୀବନ୍ତ ଜଡ଼ିଟିଏ । ତେଣୁ ତା’ର ଚିନ୍ତା, ତା’ର ଆନନ୍ଦ କେବେ ସୃଷ୍ଟିଶୀଳ ହୋଇପାରେ ନାହିଁ । ସେ ନିଜକୁ ଅନୁଭବ ସହ ଜଡ଼ିତ କରିପାରେ ନାହିଁ । କିନ୍ତୁ କବିତା ପାଇଁ ପ୍ରୟୋଜନ ଏକ ସକ୍ରିୟ ସୃଷ୍ଟିଶୀଳ ମନ । କବିତା ଲେଖିବାପରି କବିତା ଉପଭୋଗ କରିବା ମଧ୍ୟ ଗୋଟିଏ କଳା । କାରଣ ଏଥିପାଇଁ ମୁହୂର୍ତ୍ତକ ଲାଗି କବିହେବାକୁ ପଡ଼େ । କବିତାର ଅନୁଭୂତି ସହ ଏକୀଭୂତ ହେବାକୁପଡ଼େ । ଏଥିପାଇଁ ପ୍ରୟୋଜନ ସମ୍ୱେଦନଶୀଳତା, ସହୃଦୟତା । କବିତା ଲେଖିବା ଏବଂ ତାକୁ ଉପଭୋଗ କରିବା ତେଣୁ ଚେତନାର ବ୍ୟାପାର । ଏଥିରେ ଅଛି ସୂକ୍ଷ୍ମ ଚେତନାର ସମ୍ପର୍କ । ଏହି ସୂକ୍ଷ୍ମତା ପାଇଁ ଲୋଡ଼ା ବ୍ୟକ୍ତି ଚେତନାର ଏକକତ୍ୱ । ମାତ୍ର ଗଣମାଧ୍ୟମ ଚେତନାର ଏହି ଏକକତ୍ୱକୁ ବଡ଼ ଚତୁର ଭାବରେ ହତ୍ୟାକରେ । ଧୀରେ ଧୀରେ ମଦ୍ୟପଟି ପାଣିରେ ବୁଡ଼ିଗଲା ପରି ଜାଣିବାଆଗରୁ ଚେତନାର ଏକକତ୍ୱଟି ନଷ୍ଟ ହୋଇ ଗୋଟିଏ ନୀରସ ସାଧାରଣତାରେ ପରିଣତ ହୋଇଯାଏ । ସେ ନିଜେ କିଛି ସୃଷ୍ଟି କରିପାରେ ନାହିଁ । ଅଲଗା କିଛି ଆପେ ଭାବିପାରେ ନାହିଁ । ଅଲଗା ଜିନିଷକୁ ଗ୍ରହଣ ବି କରିପାରେ ନାହିଁ । ଗଣମାଧ୍ୟମରେ ଫୁଟିଉଠୁଥିବା ଛବି ହିଁ ତା’ପାଖରେ ଏକମାତ୍ର ସତ୍ୟ ଏବଂ ସୁନ୍ଦର ଭାବେ ଦେଖାଦିଏ ।

 

ଏପରି ଚେତନା କିନ୍ତୁ କବିତାର ପରିପନ୍ଥୀ । କବିତା ଦରକାର କରେ ଦିଆନିଆର ମନ-। ଏକାତ୍ମ ହେବାର ମନ । ଏଥିପାଇଁ ଗୋଟିଏ କବିତା ବିଭିନ୍ନ ଲୋକଙ୍କୁ ବିଭିନ୍ନ ଭାବରେ ଆନନ୍ଦ ଦେଇଥାଏ । କାରଣ ସଚେତନ ପାଠକ କବିତାରେ ନିଜକୁ ହିଁ ବିଭିନ୍ନ ଭାବରେ ଆବିଷ୍କାର କରିଥାଏ । ନିଜକୁ ଆବିଷ୍କାର କରି ସାରା ବିଶ୍ୱକୁ ଆବିଷ୍କାର କରିଥାଏ । କବିତା ତେଣୁ ଆତ୍ମାବିଷ୍କାର ଯାହା ସାର୍ବଜନୀନ ହୋଇଯାଏ । ଏହି ଚେତନା ବିନା କବିତା ଉପଭୋଗ ଅସମ୍ଭବ । ଆଜି କିନ୍ତୁ ଏହି ଚେତନାର ମରୁଡ଼ି ମଣିଷ ଆଜି ସମ୍ୱେଦନଶୀଳତା ହରାଇବସୁଛି । ସେ ନିଜର ବାହ୍ୟତା ଭିତରେ ଏତେ ନିମଜ୍ଜିତ ଯେ ଆତ୍ମାବିଷ୍କାର ତା’ପାଖରେ ଅପ୍ରୟୋଜନ । ଫଳରେ କବିତା ବି ତା’ପାଖରେ ପ୍ରୟୋଜନହୀନ କାରଣ ସୂକ୍ଷ୍ମାନୁଭୂତି ପାଇଁ ମଣିଷର ଆଜି ଧୈର୍ଯ୍ୟ ନାହିଁ । ମଣିଷ ତ ସ୍ଥୂଳତା ଭିତରେ ହଜିଯାଉଛି । ଆଉ ଏହି ସ୍ଥୂଳତା ପାଇଁ ଦାୟୀ ଗଣମାଧ୍ୟମ ।

 

ସୂକ୍ଷ୍ମ କବିତା ତେଣୁ ଆଜି ସ୍ଥୂଳତାର ଶିକାର ହୋଇଛି । ଫଳରେ ଏକ ବିରାଟ ସଙ୍କଟର ସମ୍ମୁଖୀନ ହୋଇଛି । ଏପରି ସଙ୍କଟର ମୁକାବିଲା କରିବା ଆଜିର ପ୍ରଥମ ସମସ୍ୟା । ମାତ୍ର ଏହା କରିବା କ’ଣ ଏତେ ସହଜ ? ଏଥିପାଇଁ ଆମ ଆଗରେ କେତୋଟି ପଥ ନିର୍ଦ୍ଦିଷ୍ଟ । ଗୋଟିଏ ହେଲା କବିତାକୁ ବଞ୍ଚାଇବାକୁ ହେଲେ ମଣିଷର ଚେତନାକୁ ରସାଣିତ କରିବାକୁ ହେବ । ଗଣମାଧ୍ୟମକୁ ଉନ୍ନତ କଳା ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ କରିବାକୁ ପଡ଼ିବ । ଏପରି ନକଲେ ମଣିଷ ନିଜ ଚେତନାର ସୂକ୍ଷ୍ମତାକୁ ପରିହାର କରି ଗଣମାଧ୍ୟମର ପର୍ଯ୍ୟାୟଭୁକ୍ତ ହୋଇଯିବ । ଏହା ଏକପ୍ରକାର ନାନ୍ଦନିକ ମୃତ୍ୟୁ । ମଣିଷ ଯାହାର ପରିବର୍ତ୍ତନ ଚାହୁଁଥିଲା ତା’ଦ୍ୱାରା ନିଜେ ପରିବର୍ତ୍ତନ ହୋଇଯିବ ।

 

ତେଣୁ କବିତାରେ ଆଜିର ଦୁଃସ୍ଥିତି ଏକ ଜଟିଳ ଦ୍ୱନ୍ଦ୍ୱର ସମ୍ମୁଖୀନ । ଏହାର ସମାଧାନର ସୂତ୍ର ପାଇବା ଖୁବ୍‌ ସହଜ ନୁହେଁ । ମାତ୍ର ଆଜିର ଉଦାସୀନ ସମାଜ ଭିତରେ କବିତାକୁ ବଞ୍ଚିବାକୁ ପଡ଼ିବ ଏବଂ ତାକୁ ବଞ୍ଚିବାକୁ ଚେତନା ସ୍ତରରେ । ପୂର୍ବରୁ କବିତା ଆମୋଦ ଏବଂ ଶିକ୍ଷା ଉଭୟର ମାଧ୍ୟମ ଥିଲା । ଏହା ପୁଣି ସଂସ୍କୃତି ଏବଂ ମୂଲ୍ୟବୋଧର ପ୍ରତୀକ ଏବଂ ବାହକ ଥିଲା । ତେଣୁ ଏହା ଗୋଟିଏ ଜାତିର ପ୍ରାଣ ସ୍ପନ୍ଦନ ହୋଇପାରୁଥିଲା । ଜାତି ଆଗରେ ଆଦର୍ଶ ଥୋଇପାରୁଥିଲା ଏବଂ ବାସ୍ତବକୁ ସାମ୍ନା କରିବାର ଶକ୍ତି ଦେଇପାରୁଥିଲା । ଅର୍ଥାତ୍‌ ଗୋଟିଏ ଜାତି ସହ ଓତପ୍ରୋତ ଭାବରେ ଜଡ଼ିତ ହୋଇପାରୁଥିଲା ଆମ ରାମାୟଣ, ମହାଭାରତ ଏବଂ ଭାଗବତ ଏହି ଶ୍ରେଣୀର । ଏହା ବ୍ୟକ୍ତିସତ୍ତା ସହ ମଧ୍ୟ ଏତେ ନିବିଡ଼ ହୋଇଯାଇଥିଲା ଯେ ଆମେ ମରିବା ପୂର୍ବରୁ ଭାଗବତରୁ ଛାନ୍ଦେ ଶୁଣି ମରିବାକୁ ଚାହୁଁ । ଏଇଥିରେ ଯେମିତି ଆମର ସବୁ ମୁକ୍ତି । ଏହାର କାରଣ ହେଉଛି ଜାତି ଏବଂ ବ୍ୟକ୍ତିର ଚେତନାକୁ ସାହିତ୍ୟ ଯେମିତି ଗଭୀରଭାବେ ଗଢ଼ିଥିଲା ଜାତି ଚେତନା ସହ ଏହା ସେମିତି ଗଭୀରଭାବେ ଏକୀଭୂତ ହୋଇପାରିଥିଲା । ଏହାହିଁ ସୃଷ୍ଟିଶୀଳ କଳାର ପ୍ରାଣ । ଏହାହିଁ ତା’ର ଲକ୍ଷ୍ୟ । ଏକ ସୃଷ୍ଟିଶୀଳ ମନରେ ଜନ୍ମନେଇ ଆଉ ଏକ ସୃଷ୍ଟିଶୀଳ ମନକୁ ଏହା ନିଜର କରିପାରେ । ମାତ୍ର ଆଜି ଏହି ସଂପର୍କ ବ୍ୟାହତ ହୋଇଛି । କବିତାରୁ ଆନନ୍ଦ ଟିକି କେମିତି ଲିଭିଆସିଲାଣି । ଏହା ପୁଣି ଚେତନାକୁ ସ୍ପର୍ଶ କରିବାରେ ସକ୍ଷମ ହୋଇପାରୁନାହିଁ ।

 

କବିତା ଆଉ ମଣିଷର ସମ୍ପର୍କ ଭିତରେ ଆଜି ଉଦାସୀନତା ଘୋଟିଯାଇଛି । ଏହାର ପ୍ରଥମ କାରଣ ହେଲା କବିତା ଆଉ ଆନନ୍ଦର ମାଧ୍ୟମ ହେଉନାହିଁ । ଗଣମାଧ୍ୟମ ଜରିଆରେ ଆନନ୍ଦ ନୂଆ ଭାବରେ ପରିବେଶିତ ହେଲା । ଦ୍ୱିତୀୟରେ ବିପରୀତଧର୍ମୀ ପ୍ରକ୍ରିୟାରେ କବିତା ଗଣମନକୁ ଛୁଇଁବା ପରିବର୍ତ୍ତେ ନିଜ ଜୀବନରକ୍ଷା ପାଇଁ ଅଧିକରୁ ଅଧିକ ବିଶେଷକିତାଧର୍ମୀ ହୋଇଗଲା ଏବଂ ସାଧାରଣ ସହି ସମ୍ପର୍କ ପରିବର୍ତ୍ତେ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଆବୋରିଧରିଲା । ଫଳରେ କବିତା ଗଣର କଥା ନକହି ଅତି ବେଶୀ ଆତ୍ମକୈନ୍ଦ୍ରିକ ହୋଇଗଲା । ଏଇଥିପାଇଁ ଆଜିର କବିତା ଦୁର୍ବେଦ୍ଧ ବୋଲି ସମାଲୋଚିତ ହୋଇଥାଏ । ଏପରି କବିତା ଶୁଣି ଗଣ ବାହାବାଃ କରିଉଠେନାହିଁ । ଏହାଉପରେ ପ୍ରବନ୍ଧ ଲେଖାହୁଏ । ପ୍ରାକି ଆଲୋଚନା ହୁଏ ବିଶ୍ୱବିଦ୍ୟାଳୟ ମାନଙ୍କରେ । ଫଳରେ ସାଧାରଣରେ ଦେଖାଦେଲା ଶୁଖିଲା ଉଦାସୀନତା । ମାତ୍ର ଏହାର ଅର୍ଥ ନୁହେଁ ଆଜିର ଜୀବନରୁ କବିତା ମରିଯାଇଛି । ନଦୀର ପ୍ଳାବନ ପରି ଏହା ହୁଏତ ସମାଜର ସବୁଆଡ଼େ ବ୍ୟାପିଯାଉନି ମାତ୍ର ଧୀରପାଣି ପଥରକାଟେ ନ୍ୟାୟରେ ସମ୍ୱେଦନଶୀଳ ବ୍ୟକ୍ତି ଚେତନାରେ ଏହା ଗଭୀର ଦାଗ ବେଳେବେଳେ ପକାଇଯାଇଛି ।

 

କବିତା ସବୁବେଳେ ଏକ ନିସଙ୍ଗ କଳା ଏହାର ଅର୍ଥ ନୁହେଁ ଏହା କବିର ଏକଚାଟିଆ । କବିତାର ସୃଷ୍ଟି ହୁଏତ ବ୍ୟକ୍ତିର ଏକକ ପ୍ରତିକ୍ରିୟାକୁ ମାତ୍ର ଏହାର ଆବେଦନ ସବୁବେଳେ ସାର୍ବଜନୀନ । ଯେତେବେଳେ ଗଣ ବୁଝେ ଯେ ଗୋଟିଏ ମୁହୂର୍ତ୍ତର ଅନନ୍ୟ ଅନୁଭୂତି ଅନନ୍ୟ ଭାବରେ ଶବ୍ଦ ମାଧ୍ୟମରେ ଧରାହୋଇଛି ଯାହାକି ଅନ୍ୟ କୌଣସି ଭାବେ ସମ୍ଭବ ନୁହେଁ ଏବଂ ଏହା ଏକକ ଅନୁଭୂତି ହେଲେମଧ୍ୟ ସବୁ ଏକକ ଏଥିରେ ନିଜକୁ ଖୋଜିପାଏ, ସେତେବେଳେ ପାଠକ କବିତାକୁ ପଢ଼େ । କାରଣ ତା’ରି ଭିତରେ ଜୀବନର ସୁଖ ଦୁଃଖର ଆଲୋଚ୍ୟ ବି ପାଇଥାଏ । ଭାବର ଏହି ଦିଆନିଆ କବିତା । ଏଇଥିପାଇଁ ତ ଏହା ମନରୁ ମନକୁ ସେତୁଟିଏ–ଏକରୁ ବହୁକୁ ସେତୁଟିଏ । ଆବେଗମୟୀ ଏହି ସେତୁଟି ଆଜି କେମିତି ଟଳମଳ । ଭାଙ୍ଗିବା ଉପରେ ।

 

ଏହି ସେତୁକୁ ଆଜି ଯୋଡ଼ିବାକୁ ପଡ଼ିବ । ପାଠକ କବିତାରେ ନିଜକୁ ପାଇବ । କବି ମଧ୍ୟ ନିଜକୁ ସତ୍ୟଶୀଳ ଭାବେ ପ୍ରକାଶ କରିପାରୁଥିବେ । ଆଜି ତେଣୁ ଏକପ୍ରକାର ପରିବର୍ତ୍ତନର ପ୍ରୟୋଜନ । ଏ ପରିବର୍ତ୍ତନ ସାଲିସ୍‌ ନୁହେଁ । ଏହା ନୂଆ ଭାବରେ ପ୍ରକାଶ କରିବାର ପନ୍ଥା ପ୍ରତି ଦୃଷ୍ଟିକୋଣ ସହ ସାଲିସ୍‌ । ଅର୍ଥାତ୍‌ ସତ୍ୟ ସହ ସାଲିସ୍‌ କରି କିପରି ତାକୁ ଗ୍ରହଣୀୟ କରାଯିବ । ଏହାର ବ୍ୟବସାୟିକ ନୁହେଁ, ଗାଣିତିକ ହିସାବ ନିକାଶ ନୁହେଁ ଅବା ପ୍ରାତିକ ଲୁଚକାଳି ଖେଳ ନୁହେଁ-। ଗଣମାଧ୍ୟମର ଉପସ୍ଥିତି ଏବଂ ପ୍ରଭାବକୁ ସ୍ୱୀକାର କରି କବିତାକୁ କବିତାଭାବେ ବଞ୍ଚାଇରଖି ଗଣପାଖରେ ପହଞ୍ଚାଇବାର ପରୀକ୍ଷା । ଏହା ଏକପ୍ରକାର ଶରଶଯ୍ୟା କବିତାକୁ ଶସ୍ତା ନକରି–ଅଯଥା ଫୁଟ ନଦେଇ ଲୋକପ୍ରିୟ କରାଇବା । ଏହା ସାପ ମରିବନି କି ବାଡ଼ି ଭାଙ୍ଗିବନି ନ୍ୟାୟ ନୁହେଁ । ଏଥିରେ ସାପ ଯେମିତି ମରେ ଅଥଚ ବାଡ଼ି ଯେମିତି ନଭାଙ୍ଗେ । ଏଥିପାଇଁ କବିତାକୁ ବ୍ୟକ୍ତି ସର୍ବସ୍ୱତାରୁ ଓହରିଆସିବାକୁ ପଡ଼ିବ । ଏହାର ଅର୍ଥ ନୁହେଁ ବ୍ୟକ୍ତି ଚେତନା ହରାଇ ଗଣର ପ୍ରତିଧ୍ୱନି ହେବ । ପୁଣି ଏହା ପ୍ରଜ୍ଞାପ୍ରବଣତାରୁ ଓହରିଆସିବ । ଏହାର ଅର୍ଥ ନୁହେଁ ଖାଲି ଆବେଗର ନାଟକୀୟତାକୁ ବାନ୍ଧିହେବ । କବିକୁ ଆଜି ବ୍ୟକ୍ତି ଆଉ ଗଣର ଅନୁଗତ୍ୟର ସୀମାରେଖା ଉପରେ ଛିଡ଼ାହେବାକୁ ପଡ଼ିବ । ତାକୁ ନିଜକୁ ଗଣର ଅଂଶ ବୋଲି ବିଶ୍ୱାସ କରିବାକୁ ପଡ଼ିବ । ତାକୁ ମାନିନେବାକୁ ପଡ଼ିବ ଯେ ସେ ଅନ୍ୟାନ୍ୟ ଅନୁଭୂତିର କଥା କହିଲେ ବି ସମସ୍ତଙ୍କୁ କହୁଛି ଖାଲି ନିଜକୁ ନୁହେଁ । ତେଣୁ ସତ୍ୟଶୀଳ ପାଇଁ ଜଟିଳ ଅନୁଭୂତି ପାଇଁ ଜଟିଳ ଆଂଶିକର ପ୍ରୟୋଜନ ନାହିଁ-। ଜଟିଳତାକୁ କେମିତି ସତ୍ୟଶୀଳ ଅଥଚ ସରଳ କରିହେବ ତାହାହିଁ ଆଜି ବଡ଼ ପରୀକ୍ଷା । ଏ ସରଳତାର ଅର୍ଥ ନୁହେଁ ଶାର୍ଦ୍ଧିକ ସରଳତା ଏହାର ଅର୍ଥ ସାବଲୀଳ ସ୍ୱଚ୍ଛନ୍ଦ ସତ୍ୟଶୀଳତା ।

 

ଅନ୍ୟଦିଗରେ ପାଠକ କବିତା ପାଇଁ ଆଗ୍ରହ ପ୍ରକାଶ କରିବ । ସାଧାରଣ ପ୍ରମୋଦରେ ସନ୍ତୁଷ୍ଟ ନହୋଇ ସେ ଆଉଟିକିଏ ଗଭୀର, ଉନ୍ନତ ଆନନ୍ଦ ପାଇଁ ବ୍ୟାକୁଳ ହୋଇଉଠିବ । କବିତା ପାଇଁ ତା’ ପ୍ରାଣରେ ଜାଗିଉଠିବ ଆଗ୍ରହ, ଭଲପାଇବା ।

 

ଏହି ଆଗ୍ରହ, ଭଲପାଇବା ସୃଷ୍ଟି କରିବା ଆଜିର ପ୍ରଥମ କର୍ତ୍ତବ୍ୟ । ଏଥିପାଇଁ ଗଣ ସମୂହ ଭାବେ ଦାୟୀ । ସବୁ ଶିଳ୍ପୀ ନିଜସ୍ୱଭାବେ ଦାୟୀ । ଆଜିର ସମସ୍ୟା ତେଣୁ ଭଲପାଇବାର । ଗ୍ରହଣ କରିବାର ।

Image

 

ଦୁଃସ୍ଥିତିର ମାନଚିତ୍ର

 

ସାଂପ୍ରତିକ ଓଡ଼ିଆ କବିତାକୁ ନିରୀକ୍ଷଣ କଲେ ଗୋଟିଏ କଥା ଅତି ସ୍ପଷ୍ଟ ହୋଇଯାଏ । ତାହାହେଉଛି ଓଡ଼ିଆ କବିତାର ସଂଖ୍ୟାତ୍ମକ ବୃଦ୍ଧି ଏବଂ ତା’ର ବିଭିନ୍ନତା । ଆଜି ଯେଉଁ ପରିମାଣରେ ଓଡ଼ିଆ କବିତା ଲେଖାହେଉଛି ଏବଂ ଯେମିତି ଏହା କୌଣସି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଏକଚାଟିଆ ହୋଇ ରହିନାହିଁ ପୁଣି ଧୀରେ ଧୀରେ ଏହା ବ୍ୟାପକ ହୋଇ ଗାଁ ଗହଳରେ ମଧ୍ୟ ଯେମିତି ତରଙ୍ଗ ସୃଷ୍ଟି କରୁଛି ତାହା ଦେଖିଲେ ଯେକୌଣସି ବ୍ୟକ୍ତି ଆଶାବାଦୀ ହେବ ଏଥିରେ ସନ୍ଦେହ ନାହିଁ । ଏହି ବ୍ୟାପକତାରେ ଓଡ଼ିଆ ସାହିତ୍ୟରେ ଆଜି ଦେଖାଦେଇଛି ବିଭିନ୍ନତା । ଆଜି ଓଡ଼ିଆ କବିତାରେ ଅନେକ ପରୀକ୍ଷା ଅନେକ ଶୈଳୀର ପ୍ରକାଶ । ଭାଷାର ବିଭିନ୍ନ ବ୍ୟବହାର, ତା’ର ବିଭିନ୍ନ ସମ୍ଭାବନାର ସନ୍ଧାନ ଆଜିର କବିତାକୁ ନିଶ୍ଚିତ ଭାବେ ବହୁରୂପୀ କରିଛି । ଆଜିର କବିତା ତେଣୁ ସାଂପ୍ରତିକ ଚେତନାର ବିଭିନ୍ନତାକୁ ପ୍ରକାଶ କରିବାର ପ୍ରଚେଷ୍ଟା । ବର୍ତ୍ତମାନକୁ ନିଖୁଣଭାବେ ଧରିରଖିବାର ପ୍ରଚେଷ୍ଟା । ଅର୍ଥାତ୍‌ ସମ୍ମୁଖୀନ ହେବାର ଚେଷ୍ଟା ।

 

ଏହା ନିଶ୍ଚିତ ଭାବେ ଏକ ସଫଳ ପଦକ୍ଷେପ । ମାତ୍ର ଏହି ସଫଳତାକୁ ବିଶ୍ଳେଷଣ କଲାବେଳେ ମନରେ ଆଉ ଗୋଟିଏ ପ୍ରଶ୍ନଉଠେ ପରିମାଣାତ୍ମକ ସୃଷ୍ଟି । ତା’ର ବିଭିନ୍ନତା, କବିତାର ସଫଳତାର ଗୋଟି ମାପକାଠି ହୋଇପାରେ ମାତ୍ର ଏହା ଏକମାତ୍ର ମାପକାଠି ନୁହେଁ । ଆଜି ଆମ କବିତା ଜଗତରେ ଏକ ବିରୋଧାଭାଷ ଦେଖାହେଉଛି ଅର୍ଥାତ୍‌ ଆଜି ଅନେକ କବିତା ଲେଖାହେଉଛି । ସ୍ପଷ୍ଟ କରି କହିଲେ ସମସ୍ତେ କବିତା ଲେଖୁଛନ୍ତି । ପତ୍ରିକାର ସମ୍ପାଦକମାନେ ତାଙ୍କ ପାଖକୁ ଯେଉଁ ପରିମାଣରେ କବିତା ଆସୁଛି ସେହିଥିରୁ ହିଁ ଏହାର ସତ୍ୟତା ଅନୁଭବ କରିପାରିବେ-। ପୁଣି ଠିକ୍‌ ସେହିପରି ପ୍ରାୟ ସମସ୍ତେ କହୁଛନ୍ତି ସେମାନେ କବିତା ପଢ଼ନ୍ତି ନାହିଁ । ସେମାନେ କବିତାକୁ ବୁଝିପାରୁନାହାନ୍ତି; କବିତା ତାଙ୍କ ମନକୁ ଛୁଇଁ ପାରୁନାହିଁ । ତେଣୁ ସେମାନେ ଅନ୍ୟାନ୍ୟ ଜିନିଷ ପଢ଼ିବାରେ ଆଗ୍ରହୀ । ଯଦି ଖୁବ୍‌ କମ୍‌ ପାଠକ କବିତାରେ ଆଗ୍ରହୀ ତେବେ ଏତେ କବିତା ଲେଖାହେଉଛି କାହିଁକି ? ଏମିତି କ’ଣ ଗୋଟିଏ ଧାରଣା ଜନ୍ମହେଉଛି ଯେ କବିତା ପଢ଼ିବାଠାରୁ, ବୁଝିବାଠାରୁ କବିତା ଲେଖିବା ସହଜ । କବିତାର ପାଠକ ହେବାଠାରୁ କବି ହୋଇଯିବା ଅଧିକ ଯୁକ୍ତିଯୁକ୍ତ ।

 

ଏ ଅବସ୍ଥା ଆଜି ନିହାତି ସତ୍ୟ । ବର୍ତ୍ତମାନ ସମୟ ଆସିଛି ଏପରି ଅବସ୍ଥାର ଅନୁଧ୍ୟାନ କରିବା, ସେ ବିଷୟରେ ସଚେତନ ହେବା–ଏପରି ପ୍ରଶ୍ନ ଉଠାଇବାବେଳେ ମୁଁ କେବେ କହୁନାହିଁ ଯେ କବିତା ଲେଖିବାର ଅଧିକାର ସମସ୍ତଙ୍କର ନାହିଁ ବୋଲି । ଅନ୍ୟକ୍ଷେତ୍ରରେ ପ୍ରତ୍ୟେକ ବ୍ୟକ୍ତି ଭିତରେ କବିଟିଏ ଲୁଚି ରହିଥାଏ । କୌଣସି ନା କୌଣସି ମୁହୂର୍ତ୍ତରେ ଲୁଚିଥିବା କବିଟି କେଉଁ ଭାବରେ ପ୍ରକାଶପାଏ । ଏହାର ଅର୍ଥ ନୁହେଁ ସମସ୍ତେ କବି ହୋଇଯିବେ । ସମସ୍ତଙ୍କ ପାଖରେ କବି ଚେତନା ପାଇପାରେ ମାତ୍ର ସେ କ୍ଷେତ୍ରରେ ସଫଳ ପ୍ରକାଶ କେବଳ କବି ପାଖରେ ହିଁ ସମ୍ଭବ ହୋଇଥାଏ । ଭାବ ଆଉ ଭାଷାରେ ସମନ୍ୱୟ କେବଳ କବି ହିଁ ଆଣିପାରେ । ସେ ହିଁ କେବଳ ଅନୁଭୂତିର ଜଗତକୁ ରୂପାନ୍ତରିକ କରିପାରେ । ଜୀବନକୁ ନିଜ ଭାବରେ ସମସ୍ତଙ୍କ ଆଗରେ ରୂପ ଦେଇପାରେ, ତେଣୁ କବି ପାଖରେ କିଛି ରହସ୍ୟ ପୁଣି କିଛି ସାଧନାର ସମସ୍ୱର ଘଟିଥାଏ । ରହସ୍ୟ କବିର ଚେତନାରେ, ତା’ର ଭାବରେ, ମାତ୍ର ସାଧନା ତା’ର ଭାଷା ପ୍ରୟୋଗରେ । ମୁଁ କହୁନାହିଁ ସବୁ କବି ପଣ୍ଡିତ ହେବାକୁ ବାଧ୍ୟ । ମାତ୍ର ସବୁ କବି ତା’ର ମାଧ୍ୟମ ଭାଷା ସହ ଗଭୀର ଭାବେ ପରିଚିତ ହେବା ପ୍ରୟୋଜନ ।

 

ତେଣୁ ଆଜି ସାଧାରଣତଃ କବିତା ଲେଖିବାରେ ଆଗ୍ରହ ବଢ଼ୁଥିବାବେଳେ କବିତାର ପାଠକ ସଂଖ୍ୟା କମିଯାଉଛନ୍ତି କାହିଁକି ? ଆଜି ଏତେ କବିତା ଲେଖାହେଉଥିବାବେଳେ ଅଧିକାଂଶ କବିତାପଦବାଚ୍ୟ ହେଉନାହିଁ କାହିଁକି ? ଏହାର କାରଣସ୍ୱରୂପ ଗୋଟିଏ କଥା ଗ୍ରହଣ କରାଯାଇପାରେ ସେ ଆଧୁନିକ ଗଦ୍ୟ କବିତା ଆଂଶିକ ବିଷୟରେ ସାଧାରଣରେ ଗୋଟିଏ ସୁନ୍ଦର ଧାରଣା ସୃଷ୍ଟି ହୋଇଛି । ଯେଉଁ ଧାରଣାଟିକୁ ସୁଧାରିବା ପାଇଁ ସାଂପ୍ରତିକ ସମାଲୋଚନା ବିଫଳ ହୋଇଛି । ସେ ଧାରଣାଟି ହେଲା ଗଦ୍ୟ କବିତାରେ ଆଂଶିକ ବୋଲି କିଛି ନାହିଁ । ଯେମିତି ଲେଖିଲେ ଯାହା ଲେଖିଲେ କବିତା ହେବ । ଅର୍ଥାତ୍‌ କିବତାର ମୂଳ ଅର୍ଥଟିକୁ ଭଲଭାବେ ବୁଝିବା । ଆଜିର ଧାରଣାରେ କବିତା ଆଉ ପଦ୍ୟ ହୋଇନାହିଁ । ‘ପଦ୍ୟ’ କବିତାରୁ ବିଦାୟନେଇଛି ମାତ୍ର କବିତାର ମୂଳ ଧର୍ମ ତା’ର ସୂଚନାଧର୍ମୀତା, ତା’ର ତୀର୍ଯ୍ୟକତା ପୁଣି ଚେତନାର ପ୍ରତୀକତା ପ୍ରକାଶ ସଫଳ ଭାବେ ପ୍ରକାଶ ପାଇପାରୁନାହିଁ । ଫଳରେ ଏକ କିମ୍ଭୂତକିମାକାର ଅବସ୍ଥା ସୃଷ୍ଟି ହୋଇଛି । ସେହି ଅବସ୍ଥା ପୁଣି ଛନ୍ଦରେ ଆଜି ହୁଏତ ଅକ୍ଷର ମିଳାଇ ଶବ୍ଦ ଗଣି କବିତା ଲେଖାହେଉଅଛି । ମାତ୍ର ଆବେଗ ଯେ ଛନ୍ଦକୁ ନିୟନ୍ତ୍ରିତ କରିବ ଏବଂ ସେହିଥିରୁ ଜନ୍ମନେବେ ଏକ ସ୍ୱାଚ୍ଛନ୍ଦ ଭୁଲ୍ ଏ ଧାରଣା ଏବେବି ସମ୍ପୂର୍ଣ୍ଣଭାବେ ଦାନା ବାନ୍ଧି ପାରିନାହିଁ । ଫଳରେ ଆଜିର କବିତାରେ ସଂଯମ ଓ ଶୃଙ୍ଖଳାର ଏକାନ୍ତ ଅଭାବ । ଆଜିର କବିତାକୁ ଦେଖିଲେ ମନେହୁଏ ଯେମିତି ଯାହା ଲେଖିଲେ ତାହା କବିତା । ଏହା ସ୍ୱାଧୀନତା ନୁହେଁ; ଏହା ଉତ୍ସୃଙ୍ଖଳତା । ଏହା ନିଜ ସହ ସତ୍ୟଶୀଳତା ନୁହେଁ; ଏହା ଆତ୍ମପ୍ରବଞ୍ଚନା । ଫଳରେ କବିତା ସୃଷ୍ଟିରେ ମୂଳରେ ଯେଉଁ ସାଧନାଟି ବଡ଼ କଥା ଆଜି ତା’ର ଏକାନ୍ତ ଅଭାବ ପରିଲକ୍ଷିତ ହୁଏ । ଏହି ସାଧନାକୁ ଲକ୍ଷ୍ୟକରି ଥରେ ଏଜ୍‌ରା ପାଉଣ୍ଡ କହିଥିଲେ ସବୁ ସୃଷ୍ଟିରେ ଦଶ ଭାଗରୁ ଭାଗେ ପ୍ରେରଣା ମାତ୍ର ଆଉ ନ’ ଭାଗ ଝାଳ ଅର୍ଥାତ୍‌ ପରିଶ୍ରମ–ସାଧନା-

 

ଆଜିର କବିତା ତଥାକଥିତ ପାରମ୍ପରିକ ଶୃଙ୍ଖଳରୁ ସ୍ୱାଧୀନ ମାତ୍ର ଏପରି ସ୍ୱାଧୀନତା ଅଧିକ ସଂଯମ, ନିଷ୍ଠା ଦାବି କରେ । ଚଲାପଥରେ ଚାଲିବା ସହଜ ମାତ୍ର ଅମଡ଼ା ବାଟରେ ଯିବାକୁ ହେଲେ ନିଜ ପ୍ରତି ଆତ୍ମବିଶ୍ୱାସ, ଚାଲିଲା ପ୍ରତି ନିଷ୍ଠା ପୁଣି ଲକ୍ଷ୍ୟ ବିଷୟରେ ସଚେତନ ହେବାକୁ ପଡ଼ିବ । ତା’ ନହେଲେ ଲକ୍ଷ୍ୟରେ ତ ପହଞ୍ଚିହେବନି । ପାଦରେ କଣ୍ଟା ହଙ୍କିବା ହିଁ ସାର ହେବ । ଆଜିର କବିତା ପ୍ରତି ଦୃଷ୍ଟିକୋଣରେ ଏହି ଭାବେ ବୁଝାମଣାଟିକୁ ହିଁ ହାତେ ହାତେ ଅନୁଭବ କରାଯାଏ । କାବ୍ୟ କବିତା ଉତ୍ସୃଙ୍ଖଳତାର କବିତା ନୁହେଁ ଏହା ସତ୍ୟଶୀଳତାର କବିତା । ଏହା ତ୍ୟାଗର କବିତା ନୁହେଁ, ଏହା ଗ୍ରହଣର କବିତା । ଏହା ଆରୋପ କିମ୍ୱା ପ୍ରତିଧ୍ୱନିର କବିତା ନୁହେଁ । ଏହା ଆତ୍ମାନ୍ୱେଷଣର କବିତା । ନିଜସ୍ୱ ଭାଷାରେ ନିଜ କହିବାର କବିତା । ଯେପର୍ଯ୍ୟନ୍ତ ଏହି ଚେତନା ଆମ ମନରେ ଦେଖାଦେଇନଥିବ ସେ ପର୍ଯ୍ୟନ୍ତ ଏହି ଭୁଲ୍ ବୁଝାମଣାଟି ରହିଥିବ । ଆଉ କବିତା ନାମରେ ଖାଲି ଅକବିତା ହିଁ ସୃଷ୍ଟି ହେଉଥିବ ।

 

ଠିକ୍‌ ଏହିପରି ଆଉ ଏକ ଭୁଲ୍ ବୁଝାମଣା ଦେଖାଦିଏ । କବିତାର ବିଷୟବସ୍ତୁ ଏବଂ ଆବେଦନରେ । ସାଧାରଣରେ କେମିତି ଗୋଟିଏ ଧାରଣା ହୋଇଯାଇଛି କିଛି ଗୋଟେ ପ୍ରାଜ୍ଞ, ଅସାଧାରଣ ବା ଆମଠାରେ ବିଦେଶୀ ଧାରଣାକୁ ପ୍ରକାଶ କରିଦେଲେ ତାହା ଆଧୁନିକ କବିତା, ଆଧୁନିକତା କେମିତି ଦୂରତା, ଅପରିଚିତତା, ପ୍ରାଜ୍ଞ ପ୍ରବଣତା ସହ ଏକୀଭୂତ ହୋଇଯାନ୍ତି । ଫଳରେ ଏହା ତୀର୍ଯ୍ୟକ ଭାବରେ ଉଚ୍ଛୃଙ୍ଖଳତାର ହେତୁ ହୋଇଯାଇ ଦୁର୍ବୋଧ୍ୟତାର ବୀଜ ବପନ କରୁଛି । କବିତାର ଯେତେବେଳେ କୌଣସି ପ୍ରବଣତା ଅତିମାତ୍ରା ହୁଏ, ତାହା କବିତାର ଦୁର୍ବଳତାର କାରଣ ହୋଇଥାଏ । ଏହା ତା’ର ସ୍ୱାସ୍ଥ୍ୟ ବା ସୌନ୍ଦର୍ଯ୍ୟର ବୃଦ୍ଧି କରିନଥାଏ । ମାତ୍ର ଆଜି ଆମେ ସାଧାରଣତଃ ଏକ ଦୁର୍ବଳତାକୁ ଗୋଟିଏ ପୁଅ ହିସାବରେ ଗ୍ରହଣ କରିନେଇଛୁଁ । ଫଳରେ କବିତାର ପ୍ରକୃତ ଅନୁଭୂତି ପ୍ରକାଶ ନପାଇ ନୂତନତା ନାମରେ ଖାଲି ଶିହରଣ କରି ଚମକ ସୃଷ୍ଟି କରିବାରେ ଚେଷ୍ଟା କରିଚାଲିଛୁ । ଭଲ କବିତାରେ ଶିହରଣ ସୃଷ୍ଟି କରିପାରେ । ତା’ର ନୂତନାରେ ଚମକ ଆଣିପାରେ ମାତ୍ର ସବୁ ଶିହରଣ ସୃଷ୍ଟି କରୁଥିବା ବେଳେ ଯେ ଭଲ କବିତା ହେବ ଏପରି ଧାରଣା ଭୁଲ୍ ।

 

ତେଣୁ ଆଜି ଉଭୟ ଆଂଶିକ ଏବଂ ଅନୁଭୂତିରେ ଅଜାଣତରେ ଆମେ ଶୃଙ୍ଖଳାକୁ ସ୍ୱୀକାର କରିବାକୁ ନାରାଜ । ଆମେ ଭାବିନେଇଛୁଁ ଶୃଙ୍ଖଳା ଯେମିତି ସ୍ୱାଧୀନତାର ପରିପନ୍ଥୀ । ଏପରି ଚିନ୍ତା ଆମ ସାମାଜିକ ଜୀବନରେ ଦେଖାଦେଇଛି । ତା’ର ଏକ ବିକୃତ ପ୍ରତିଫଳନ ଆମେ ସାହିତ୍ୟରେ ବିଶେଷତଃ କବିତାରେ ଦେଖିବାକୁ ପାଉ; କିନ୍ତୁ ଆଧୁନିକ କବିତାର ପ୍ରାଣସ୍ପନ୍ଦନ ହେଲା ଶୃଙ୍ଖଳା ଏବଂ ସତ୍ୟଶୀଳତା । ଏହି ସତ୍ୟଶୀଳତାର ଦୁଇଟି ଦିଗ । ଗୋଟିଏ ଅନୁଭୂତି ସହ ଏବଂ ଅନ୍ୟଟି କାବ୍ୟିକ ଚେତନା ସହ । ସବୁ ସତ୍ୟ ଅନୁଭୂତିକୁ ଖାଲି ପ୍ରକାଶ କରିଦେଲେ କବିତା ହେବନାହିଁ । ଏହାକୁ ଏକ କାବ୍ୟିକ ସ୍ତରକୁ ଉତ୍ତରିତ କରିବାକୁ ପଡ଼ିବ । ଯାହାଫଳରେ ତାହା ଆମ ଚେତନାକୁ ଶାଣିତ କରିବା ସଙ୍ଗେ ସଙ୍ଗେ ମାନବିକ ଆନନ୍ଦ ଦେବାରେ ସମର୍ଥ ହେବ । ଏହି ସଚେତନତା ହେଉଛି ସବୁଠାରୁ ବଡ଼ କଥା । ଏହା ସତ୍ୟକୁ ସୌନ୍ଦର୍ଯ୍ୟ ସହ ଏବଂ ସୌନ୍ଦର୍ଯ୍ୟକୁ ସତ୍ୟ ସହ ସାମିଲ କରେ ଏବଂ ଏହି ସାମିଲରେ ହିଁ ଜନ୍ମନିଏ ଉନ୍ନତ କଳା–ପ୍ରକୃତ କବିତା ।

 

ଆଜି ଆମେ ସମସ୍ତେ କେମିତି ସହଜିଆ ପଥର ପଥିକ । ସବୁ ସହଜିଆ ପନ୍ଥାମାନର ଅଧୋଗତି ଆଣିବାରେ କାରଣ ହୋଇଥାଏ । କବିତା ଲେଖା ସହଜ ଏବଂ ବିନା ସାଧନାରେ ଖାଲି ଶବ୍ଦ ସହ ଲୁଚକାଳି ଖେଳି ଚମକ ସୃଷ୍ଟି କରିପାରିଲେ କବିତା ହେଲା–ଏପରି ଧାରଣାର ବଶବର୍ତ୍ତୀ ଆମେ ହୋଇଯାଇଛୁଁ । ଆଜି ଆମ ପାଖରେ ଯାହା ଗଦ୍ୟ ନୁହେଁ ତାହାହିଁ କବିତା ହୋଇଯାଇଛି ଅର୍ଥାତ୍‌ ନା ଭଲ ଗଦ୍ୟ ଲେଖୁଛୁଁ ନା ଭଲ କବିତା ଲେଖୁଛୁଁ । ପୁରୁଣା ଶୈଳୀରେ ନା ଲେଖୁଛୁ ନା ନୂଆ ଗଦ୍ୟ ଭୂମିକୁ ସଫଳ ଭାବେ ପ୍ରୟୋଗ କରୁଛୁ । ଏପରି କରିବା ପଛରେ ଗୋଟିଏ କଥା ଲକ୍ଷ୍ୟ କରାଯାଇପାରେ । କବିତା ପ୍ରତି ଆମର ଆଧୁନିକତା କେମିତି କମିଯାଇଛି–ତା’ ପ୍ରତି ସମ୍ମାନ ମଧ୍ୟ କିମଯାଇଛି । ଫଳରେ ଏହା ଗୋଟିଏ ବ୍ୟକ୍ତି ତଥା ଜାତିର ଚେତନାର ଦ୍ୟୋତକ । କବି ହୋଇ କ୍ଷଣିକ ଆମୋଦରେ ପରିଣତ ହୋଇଛି । ମାତ୍ର ଏହା କ୍ଷଣିକ ଆମୋଦ ଦେବାକୁ ମଧ୍ୟ ସଫଳ ହୋଇପାରୁନାହିଁ । ଆଜିର ଅଧିକାଂଶ କବିତା (ଅବଶ୍ୟ ଏହାର ଅନେକ ବ୍ୟତିକ୍ରମ ଅଛି) ଅଗଭୀରତାର ସୂଚକ । ଏହା କିଛି ପ୍ରକାଶ କରୁନି । ମାତ୍ର ସମସ୍ତେ ଏହିପ୍ରକାର ଶବ୍ଦ ସମ୍ୱଳିତ ଏକପ୍ରକାର ଅର୍ଥହୀନତାକୁ କବିତା ବୋଲି ଭାବି ବିନା ପରିଶ୍ରମରେ କବି ହେବାର ପ୍ରୟାସୀ ।

 

ଏହା ହିଁ ଆଜିର କାବ୍ୟ ଜଗତ ପ୍ରତି ସାଧାରଣ ଦୃଷ୍ଟିକୋଣ । ଏହା ଏକ ସହଜିଆ ପନ୍ଥାର ଶିକାର ହୋଇଛି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ କବିତା ପ୍ରତି ଆମର ଦୃଷ୍ଟିକୋଣ ପରିବର୍ତ୍ତନ କରିବାକୁ ପଡ଼ିବ । ଆଉ ଏହି ଦୃଷ୍ଟିକୋଣ ପରିବର୍ତ୍ତନ କରିବାକୁ ହେଲେ ଭଲ ଆଉ ଭଲ ଭିତରେ ପାର୍ଥକ୍ୟ ଦେଖାଇଦେବାକୁ ପଡ଼ିବ । ଭଲ କବିତା କାହାକୁ କହନ୍ତି ତାକୁ ଦେଖାଇଦେବାକୁ ପଡ଼ିବ । ଏହିଠାରେ ସୁସମାଲୋଚନାର ପ୍ରୟୋଜନ ଖୁବ୍‌ ବେଶୀ ।

 

ଆଜିର ଏହି ଗଣ୍ଡଗୋଳିଆ ପରିସ୍ଥିତିରେ ସମାଲୋଚନାର ପ୍ରଥମ କାମ ହେଉଛି ଅଗାଡ଼ି ବାଛିବା । ଭଲ କବିତାର ବିଶ୍ଳେଷଣ କରି ତା’ର ସବୁ ଗୁଣକୁ ସାଧାରଣ ପାଠକ ଆଗରେ ଲେଖିବା । ଏହିପରି କରିବାରେ ସମାଲୋଚକ ନିଜର ଚେତନାର ଦିଗନ୍ତକୁ ବୃଦ୍ଧି କରିବାକୁ ପଡ଼ିବ–ତାକୁ ଅଧିକ ବ୍ୟାପକ ହେବାକୁ ପଡ଼ିବ । ସେ କେବଳ ନିରସ ପଣ୍ଡିତଟିଏ ହୋଇ ବିଭିନ୍ନ ପଣ୍ଡିତର ପଂକ୍ତିକୁ ଉଦ୍ଧୃତ କରିବନି । ସେ ରସିକ ପାଠକଟିଏ ହୋଇ, ବର୍ତ୍ତମାନ ସହ ଐତିହ୍ୟକୁ ନିଜ ଭିତରେ ସାମିଲ କରି ଭଲ କବିତା ପ୍ରତି ଏକ ଅସମୟ ପ୍ରତିକ୍ରିୟା ସୃଷ୍ଟିକରିବ ।

 

ଏଇଥିରେ ଆଜିର ଦୁଃସ୍ଥିତିରୁ ମୁକ୍ତି । ଶିଳ୍ପୀ ହେବ ନିଜଠାରେ, ପୁଣି ନିଜ ମାଧ୍ୟମଠାରେ ସତ୍ୟଶୀଳ । ସେ ଅଧିକ ଗୁରୁତ୍ୱ ଦେବ ସାଧନାରେ । ସମାଲୋଚକ ହେବ ଏକ ପୂର୍ଣ୍ଣାଙ୍ଗ ଚେତନାଶୀଳ ମଣିଷଟିଏ–ଉଭୟ ପ୍ରାଜ୍ଞ ପୁଣି ରସିକ । ନହେଲେ କବିତାରେ ଶବ୍ଦ ସଂଖ୍ୟାତ୍ମକ ବୃଦ୍ଧିହେବ ଗୁଣାତ୍ମକ ସୃଷ୍ଟିହେବ ନାହିଁ । ଆଉ କବିତା ଉଭୟ କବି ଓ ପାଠକଠାରୁ ଦୂରେଇଯିବ । କାରଣ ସମସ୍ତେ ହେବେ କବି । କେହି ରସିକ ପାଠକ ହେବେ ନାହିଁ । ସବୁ କବି ସକାଳେ ନିଜ କବିତା ଧରି ବୁଲୁଥିବେ । ପ୍ରକାଶ ପାଇଁ ବ୍ୟାକୁଳ ହେଉଥିବେ । ଏପରି ଏକ ଅବସ୍ଥା ଅଷ୍ଟାଦଶ ଶତାବ୍ଦୀରେ ଇଂଲଣ୍ଡରେ ହୋଇଥିଲା । ଯାହାର ଏକ ନିଖୁଣ ଛବି ଆମେ ‘ପୋପ୍‌’ଙ୍କ ବ୍ୟକାଂ କବିତାରେ ପାଇଥାଉଁ । ଆଜି ତେଣୁ କବିଙ୍କ ଭିତରେ ପ୍ରକୃତ କବିକୁ ଚିହ୍ନିବାକୁ ପଡ଼ିବ । ଏହାହିଁ ଆଜିର ସମାଜର ସବୁଠାରୁ ବଡ଼ ଦାୟିତ୍ୱ ।

 

ଆଜି ଏହି ଦାୟିତ୍ୱ ସମାଲୋଚନା ଏବଂ ପତ୍ରିକାର ପ୍ରକାଶକ ଉଭୟଙ୍କ ଉପରେ ନ୍ୟସ୍ତ-। କବିତା ଲେଖିବା ପରି ଆଜି ପତ୍ରିକା ପ୍ରକାଶପାଇବା ମଧ୍ୟ ଗୋଟିଏ ଚିନ୍ତାର ବିଷୟ ହେଲାଣି । ଆଜିର ଅଧିକାଂଶ ପତ୍ରିକା ଆଭିମୁଖ୍ୟ ବିହୀନ କେବଳ କେତୋଟି ଲେଖାର ସଂକଳନ ହୋଇପାରିଛି । ଆଜିର ନୂଆ ନୂଆ ପତ୍ରିକାର ପ୍ରୟୋଜନ ଅନେକ, ବର୍ଦ୍ଧିଷ୍ଣୁ ଲେଖକକୁ ପ୍ରତିଷ୍ଠିତ କରିବା ସଙ୍ଗେ ସଙ୍ଗେ ସାହିତ୍ୟ ଚେତନା ସୃଷ୍ଟି କରିବାରେ ଏମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ପୁଣି ଆଜିକାଲି ସାହିତ୍ୟ କେନ୍ଦ୍ର ଧୀରେ ଧୀରେ ଗ୍ରାମାଭିମୁଖୀ ହେବାକୁ ଲାଗିଛି । ତେଣୁ ଏହିସବୁ ଚାହିଦା ପାଇଁ ପତ୍ରିକା ପ୍ରୟୋଜନ । ମାତ୍ର ପତ୍ରିକାର ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଥିବା ପ୍ରୟୋଜନ । ଆଭିମୁଖ୍ୟ ଥିବା ପ୍ରୟୋଜନ ଯାହାକି ତା’ର ସମ୍ପାଦନାରେ ସୁସ୍ପଷ୍ଟ ହୋଇଯାଉଥିବ । ମାତ୍ର ଏପରି ସଚେତନତା ଅନେକ ପତ୍ରିକାରେ ଦେଖିବାକୁ ମିଳେ ନାହିଁ । ଫଳରେ କବିତା ଏମିତିକି ସବୁ ସୃଜନଶୀଳ ଲେଖାରେ ଦେଖାଦେଇଥିବା ବିଭ୍ରାଟକୁ ଏହି ପତ୍ରିକା ଗୁଡ଼ିକ ଆହୁରି ତ୍ୱରାନ୍ୱିତ କରିଥାନ୍ତି । ତେଣୁ ଆଜିର ପ୍ରୟୋଜନ କେତେକ ‘ବିଶ୍ୱନାଥ’ ଯେଉଁମାନେ ତାଙ୍କ ପତ୍ରିକାରେ ଭଲ ଆଉ ଭେଲର ପାର୍ଥକ୍ୟ ଦେଖାଇଦେବେ । ନବୀନ ଲେଖକଙ୍କୁ ଦିଗ୍‌ଦର୍ଶନ ଦେବେ । ସାଧାରଣ ପାଠକର ରୁଚିରେ ପରିବର୍ତ୍ତନ ଆଣି ଶିଖାଇଦେବେ ମାନବିକ ଆନନ୍ଦ କାରଣ । ତେବେଯାଇ ଆଜିର ପତ୍ରିକା ତା’ର କର୍ତ୍ତବ୍ୟ ସମ୍ପାଦନ କରିବାରେ ସମର୍ଥ ହେବ ।

 

କେତୋଟି ମାତ୍ର ଅନ୍ଧାରି ଦିଗ ସମ୍ପର୍କରେ ସମ୍ୟକ୍‌ ଆଲୋଚନା କରାଗଲା । ଏ ପ୍ରବନ୍ଧକୁ କେହି ଯେମିତି ଧାରଣା ନକରନ୍ତି ଆମର ଭଲ କବି ନାହାନ୍ତି ଅବା ଭଲ କବିତା ଲେଖା ହେଉନାହିଁ କିମ୍ୱା ସେସବୁକୁ ପ୍ରକାଶ ପାଇଁ ଉନ୍ନତମାନର ପତ୍ରିକା ନାହିଁ । ମାତ୍ର ଏସବୁ ସତ୍ତ୍ୱେ ସାଂପ୍ରତିକ ସାହିତ୍ୟରେ କେମିତି ଏକ ଅଭାବବୋଧ ଏବଂ ଭ୍ରମାତ୍ମକ ଦୃଷ୍ଟିକୋଣ ଦେଖିବାକୁ ମିଳେ-। ଏହି ଭ୍ରମ କବିତା କ୍ଷେତ୍ରରେ ସବୁଠାରୁ ଅଧିକ । ଏହା ପୁଣି ଧୀରେ ଧୀରେ ବ୍ୟାପିବାରେ ଲାଗୁଛି-। ତେଣୁ ଆଧୁନିକ କବିତାର ପ୍ରାଣସ୍ପନ୍ଦନ ବିଷୟରେ ଏବଂ ସୁନ୍ଦର କବିତା ବିଷୟରେ ଧାରଣା ସୃଷ୍ଟି କରିବା ଆଜିର ପତ୍ରିକାର କର୍ତ୍ତବ୍ୟ । ବିଶେଷତଃ ନୂଆକରି ପୁଣି ପଲ୍ଲୀ ଅଞ୍ଚଳର ବାହାରୁଥିବା ପତ୍ରିକା ଗୁଡ଼ିକର ଏ ଦାୟିତ୍ୱ ଅଧିକ । ତା’ନହେଲେ ଗାଁ ଗଣ୍ଡାରେ ଏବେ ସାହିତ୍ୟର ଯେଉଁ ନୂଆ ରୂପ ନେଇପାରିବନି । ଏକ ନିଜସ୍ୱ ସୁନ୍ଦର ସାହିତ୍ୟଟିଏ ନହୋଇ ଖେଚିଡ଼ି ହୋଇଯିବାର ସମ୍ଭାବନା ଅଧିକ ।

 

ଏହି ବିଷୟରେ ସାମାନ୍ୟ ସଚେତନ କରାଇବା ଏ ପ୍ରବନ୍ଧର ଲକ୍ଷ୍ୟ । ଏହା କେବେ ପୂର୍ଣ୍ଣାଙ୍ଗ ଆଲୋଚନାର ଦାବି ରଖେନା ।

Image

 

କଳା ଓ କାଳ

 

ସବୁ କଳାର ମୁଖ୍ୟ ଉଦ୍ଦେଶ୍ୟ ବାସ୍ତବତାକୁ ପ୍ରକାଶ କରିବା । ବାସ୍ତବତା ମୁଖ୍ୟତଃ ଦ୍ୱିବିଧ । ଗୋଟିଏ ବାହ୍ୟ ପୃଥିବୀ, ତା’ର ଅବୈକ୍ତିକତା, ଅନ୍ୟଟି ମନଜଗତ, ବ୍ୟକ୍ତିକତା । ଏହି ଦୁଇ ଜଗତର ପ୍ରକାଶ ମଧ୍ୟ ଦ୍ୱିବିଧ । ଗୋଟିଏ ଅବୈକ୍ତିକ । ଏହା ଯୁକ୍ତି ଦ୍ୱାରା ନିୟନ୍ତ୍ରିତ । ଏହା ବୈଜ୍ଞାନିକର ପଦ୍ଧତି । ଏହା ସାର୍ବଜନୀନ ସତ୍ୟକୁ ହିଁ ଗ୍ରହଣ କରିଥାଏ । ପରୀକ୍ଷା, ଯୁକ୍ତି ଏବଂ ପ୍ରଜ୍ଞାଦ୍ୱାରା ଏହା ପ୍ରତିଷ୍ଠିତ ହୋଇଥାଏ । ଅନ୍ୟ ପ୍ରକାଶ ପଦ୍ଧତିଟି ବ୍ୟକ୍ତିଗତ । ଏହା କଳାର ଜଗତ-। ଏଥିରେ ବାହ୍ୟଜଗତ ସହ ଗୋଟିଏ ବ୍ୟକ୍ତିର ଆବେଗମୟୀ ପ୍ରତିକ୍ରିୟା ପ୍ରକାଶିତ ହୋଇଥାଏ । ଏହା ବାହ୍ୟଜଗତକୁ କେବଳ ଅନୁକରଣ କରେନାହିଁ । ଏହା ବ୍ୟକ୍ତିର ଅନୁଭୂତି ଦ୍ୱାରା ବାସ୍ତବତାରୁ ରୂପାନ୍ତରୀତ କରେ । ତେଣୁ କଳା ସତ୍ୟର ଏକ ବ୍ୟକ୍ତିଗତ ପ୍ରକାଶ । ଏହା ସାର୍ବଜନୀନ ସତ୍ୟକୁ ଅବୈକ୍ତିକ ଭାବେ ରୂପ ଦିଏ ନାହିଁ । କଳା ଦ୍ୱାରା ବ୍ୟକ୍ତିଗତ ସତ୍ୟ ସାର୍ବଜନୀନ ହୋଇଯାଇଥାଏ ।

 

ତେଣୁ କଳାରେ ବାସ୍ତବତାର ଅର୍ଥ ବଡ଼ ବ୍ୟାପକ । ଏହା ବ୍ୟକ୍ତି ଏବଂ ବିଶ୍ୱକୁ ହିଁ ଗ୍ରହଣ କରିଥାଏ । ଏହା ଏକ ବ୍ୟକ୍ତିର ବିଶ୍ୱ ଯାହା ବିଶ୍ୱ ବ୍ୟକ୍ତିକୁ ନିଜ ଭିତରେ ଗର୍ଭୀତ କରିଥାଏ । ତେଣୁ କଳାର ସତ୍ୟ ପରୀକ୍ଷିତ ଅବୈକ୍ତିକ ବାହ୍ୟ ସତ୍ୟ ନୁହେଁ । ଏହା ଅନୁଭବ ନିରୋଳା ସତ୍ୟ । ଏ ସତ୍ୟ ଏତେ ନିରୋଳା ଯେ ଶିଳ୍ପୀ ଜୀବନରେ ବି ଏହା ଦ୍ୱିତୀୟଥର ପାଇଁ ଦେଖାଦିଏ ନାହିଁ । ଏହା ଏକ ମୁହୂର୍ତ୍ତର ଉପଲବ୍‌ଧି । କଳା ତେଣୁ ଏକ ଅନନ୍ୟ ଅନୁଭବର ଦ୍ୟୋତକ । ଏହିଥିରେ ହିଁ କଳାର ବିଶେଷତ୍ୱ । ତା’ର ପ୍ରାଧାନ୍ୟ । ଏହି ପରିପ୍ରେକ୍ଷୀରେ ପ୍ରଶ୍ନଉଠେ କଳା କାହିଁକି ? ଏହା ଯଦି ଏକାନ୍ତ ବ୍ୟକ୍ତିଗତ ତେବେ ସାଧାରଣ ଜୀବନରେ ଏହାର ଗୁରୁତ୍ୱ କ’ଣ ? ଉତ୍ତରରେ ଏତିକି କୁହାଯାଇପାରେ ଯେ ଗୋଟିଏ ଶିଳ୍ପୀର ଅନୁଭୂତି ଆଉଜଣେ ସେହିଭାବେ ଅନୁଭବ କରିପାରିବ ନାହିଁ । ଗୋଟିଏ ମୁହୂର୍ତ୍ତର ସତ୍ୟ ନିଜସ୍ୱ ଭାବେ ଧରି ହେବନାହିଁ । ତେଣୁ କଳାନୁଭୂତିର ବିକଳ୍ପ ନାହିଁ-। ଏହା ଫଟୋଗ୍ରାଫ୍‌ ନୁହେଁ ଯେ ଗୋଟିଏ ଅନୁଭବର ଅସଂଖ୍ୟ କପି କରିହେବ । ଏହା ଯନ୍ତ୍ର ନୁହେଁ ଏହାକୁ ଇଚ୍ଛା ମତେ ସୃଷ୍ଟି କରିହେବ । ଏହା ବୈଜ୍ଞାନିକ ସତ୍ୟ ନୁହେଁ ଯେ ଏହାକୁ ବିଭିନ୍ନ ଭାବରେ ପରୀକ୍ଷା କରିହେବ । ଏହା ତ ସ୍ୱପ୍ନଟିଏ, ଆଲୋକର ଜ୍ୱଳନଟିଏ । ଏହା ମୁହୂର୍ତ୍ତକର କଥା-। ଏ ସେହି ଅନନ୍ୟ ମୁହୂର୍ତ୍ତକୁ ଶିଳ୍ପୀ ଯଦି ଧରି ରଖିନପାରିଲା ସବୁଦିନ ପାଇଁ ତାହା ହଜିଗଲା-। କୀଟ୍‌ସଙ୍କ କବିତା ଆଉଜଣେ ଲେଖିପାରିବନି; ଆଉଜଣେ ବି ଲେଖିପାରିବନି ସାଲବେଗଙ୍କ ଜଣାଣ । ଭୀମଭୋଇ ତାଙ୍କ ଦିବ୍ୟଦୃଷ୍ଟିରେ ଯାହା ଦେଖିଥିଲେ ତାହା ତାଙ୍କର ଅନୁଭୂତି । ତାଙ୍କରି ପାଖରେ ହିଁ ଶୂନ୍ୟତା ପୂର୍ଣ୍ଣତା ପାଇପାରେ, ଆଉ କାହାପାଖରେ ନୁହେଁ । ଯଦି ଆଉ କା’ପାଖରେ ଏହା ସମ୍ଭବ ହୁଏ ତେବେ ତାହା କେବେ ଭୀମ ଭୋଇ ଭାବେ ନୁହେଁ ।

 

ଏହାହିଁ କଳାର ସତ୍ୟ । ତା’ର ବାସ୍ତବତା । ବାହ୍ୟତାକୁ ଗ୍ରହଣ କରି, ତାକୁ ନିଜ ଭିତରେ ଉପଲବ୍‌ଧି କରି ତା’ର ଏକ ଅନନ୍ୟ ଝଲକ ଦେବା କଳାର କାମ । ତେଣୁ ଏହାର ସତ୍ୟ ଅନୁଭବର ସତ୍ୟ, ଏହାର ଜଗତ ଚେତନାର ଜଗତ । ଏହାର ଅର୍ଥ ନୁହେଁ ଯେ ଏହା ବାହ୍ୟତାକୁ ଗ୍ରହଣ କରେନାହିଁ । ବାହ୍ୟର ଆତ୍ମିକ ରୂପାନ୍ତର ହିଁ କଳା । ଏହି ରୂପାନ୍ତର ପାଇଁ ଦୁଇଟି ପ୍ରଧାନ ବସ୍ତୁର ପ୍ରୟୋଜନ । ଗୋଟିଏ କଳ୍ପନା, ଅନ୍ୟଟି ବାହ୍ୟ ବାସ୍ତବତା ବୋଧ । କଳ୍ପନା ରୂପାନ୍ତରରେ ସାହାଯ୍ୟ କରେ । ବସ୍ତୁ ଭିତରେ ଥିବା ଆତ୍ମାକୁ ବ୍ୟକ୍ତିଗତ ଭାବେ ଦେବାରେ ସାହାଯ୍ୟକରେ । ମାତ୍ର ବାସ୍ତବତାବୋଧ ରୂପାନ୍ତରିତ ବସ୍ତୁର ରୂପରେଖ ରୂପଦେବାରେ ସାହାଯ୍ୟ କରିଥାଏ । ବାସ୍ତବତା ତ ବିଶ୍ୱ ବ୍ରହ୍ମାଣ୍ଡ ସହ ମଣିଷର ସମ୍ପର୍କ । ସମ୍ପର୍କ ସ୍ଥାପିତ ହୁଏ ଯୁକ୍ତି ଦ୍ୱାରା, କଳ୍ପନା ଦ୍ୱାରା । ମାତ୍ର ବିଶ୍ୱ ବ୍ରହ୍ମାଣ୍ଡକୁ କେହି ଅସ୍ୱୀକାର କରି ନୁହେଁ । ଶୂନ୍ୟରୁ କଳ୍ପନା ସମ୍ଭବ ନୁହେଁ । ବାହ୍ୟ ବାସ୍ତବବୋଧ କଳ୍ପନା ପାଇଁ ଭିତ୍ତିଭୂମି ସୃଷ୍ଟି କରିଥାଏ । ବାହ୍ୟତାକୁ ହିଁ କଳ୍ପନା ରୂପାନ୍ତରିତ କରି ନୂତନତାର ଜନ୍ମଦିଏ । କଳ୍ପନା ‘ନବଗୁଞ୍ଜର’ର ଛବି ସୃଷ୍ଟିକରେ ମାତ୍ର ବାହ୍ୟ ବାସ୍ତବତା ସେହି ନୂଆ ଜୀବଟିର ବିଭିନ୍ନ ଅଙ୍ଗ । ତେଣୁ କଳା ଏହି ‘ନବଗୁଞ୍ଜର’ର ପ୍ରକାଶ । ଏଥିରେ ଏକ ସତ୍ୟର ସନ୍ଧାନ ମିଳେ ।

 

ତେଣୁ କଳାର ବାସ୍ତବତାରେ ଅଛି ଜୀବନର ବ୍ୟାପକତା–ଏ ସୃଷ୍ଟିର ବ୍ୟାପକ ଜଟିଳତା-। ସୃଷ୍ଟିର ବ୍ୟାପକ ଜଟିଳତା ହିଁ କଳାର ବିଷୟବସ୍ତୁ । ଏହି ଜଟିଳତାର ଅନ୍ୟ ନାମ ଜୀବନ । ତେଣୁ କଳା ଏହି ଜୀବନ, କଳ୍ପନା ଦ୍ୱାରା ରୂପାନ୍ତରିତ ଜୀବନ । ଏହା ବଞ୍ଚିବାର ଧାରାକୁ ହିଁ ତା’ର ବାସ୍ତବତା ବୋଲି ଗ୍ରହଣ କରିଥାଏ । ତେଣୁ କଳାପାଖରେ କିଛି ଅବାସ୍ତବ ନୁହେଁ । ସ୍ୱପ୍ନ, ଜୀବନ, ମୃତ୍ୟୁ ସବୁ କଳା । ଜୀବନର ପୂର୍ଣ୍ଣତାର ଉପଲବ୍‌ଧି ହିଁ କଳା । କଳାର ଆନନ୍ଦ କଳା ପାଖରୁ ଅର୍ଥାତ୍‌ ଏ ଉପଲବ୍‌ଧି ପାଖରୁ ବିଭିନ୍ନ ଅଭିନ୍ନ ନୁହେଁ । କଳା ତେଣୁ ଅହଂର ଉପଲବ୍‌ଧି । ଏ ଉପଲବ୍‌ଧି ବ୍ୟକ୍ତିର ବିଶ୍ୱ ସହ ସମ୍ପର୍କରୁ ଜନ୍ମଲାଭ କରିଥାଏ । ଏ ସମ୍ପର୍କ ଯୁଗଯୁଗର । ଏହା ଚିରନ୍ତନ ।

 

ମଣିଷ, ତାକୁ ଘେରି ରହିଥିବା ବିଶ୍ୱ, ତା’ ସହ ସମ୍ପର୍କ, ସଂଘର୍ଷ, ସମନ୍ୱୟ ଏ ସବୁର ପରୀକ୍ଷା ହେଉଛି କଳା । ଏହା ତେଣୁ କଳାର କୋଳରେ ଥାଇ ବି କାଳାତୀତ । ତେଣୁ ପ୍ରତ୍ୟେକ କଳା ବ୍ୟକ୍ତି ସ୍ତରରେ ଗୋଟିଏ ଗୋଟିଏ ପରୀକ୍ଷା । ମୁହୂର୍ତ୍ତକୁ ଧରି ରଖିବାର ପରୀକ୍ଷା । କାଳଜୟୀ ହେବାର ପରୀକ୍ଷା । ଏହି ପରୀକ୍ଷା ମଣିଷକୁ ପ୍ରକାଶ କରେ । ବିଶ୍ୱସହ ତା’ର ସଂଘର୍ଷକୁ ପ୍ରକାଶ କରି ପୁଣି ଏପରି ପ୍ରକାଶ କରିବା ଦ୍ୱାରା ନିଜକୁ ଅମର କରିବାକୁ ଚେଷ୍ଟା କରିଥାଏ । ପ୍ରତ୍ୟେକ କଳା କାଳର ବିରୁଦ୍ଧରେ ମଣିଷର ପ୍ରତିବାଦ ।

 

କଳାର ବିଶ୍ୱ ତେଣୁ ମଣିଷର ମନ, ବାହ୍ୟବସ୍ତୁ ଏବଂ ଶେଷରେ କାଳ । ଏହି କାଳ ତ ସବୁକୁ ନିଜ ଗର୍ଭରେ ଗର୍ଭୀତ କରିଥାଏ । ସାରା ସୃଷ୍ଟି ମଧ୍ୟ ଏହି ନିୟମର ଶିକାର ହୋଇଥାଏ । ଏମିତିକି ଭଗବାନ ନିଜେ ମଧ୍ୟ ଜନ୍ମନେଲେ କାଳର କୋଳରେ ଦିନେ ଆଖିବୁଜିବାକୁ ବାଧ୍ୟ । କାଳ ଯେମିତି ଏକମାତ୍ର ସତ୍ୟ, ତା’ର ଏକମାତ୍ର ଦାନ ମୃତ୍ୟୁ । ପ୍ରତ୍ୟେକ ମୁହୂର୍ତ୍ତ ପୁଣି ଏହି କାଳର ଅନ୍ତିମ କୋଳରେ ଲୀନ ହୁଅନ୍ତି । ଗୋଟିଏ ମୁହୂର୍ତ୍ତ ଥରେ ଗଲେ ଆଉ ଫେରେନାହିଁ । ସବୁ ମୁହୂର୍ତ୍ତ ତ ରୁକୁଣା ରଥ । କଳା ଏହି ପ୍ରବହମାନ ମୁହୂର୍ତ୍ତର ସ୍ରୋତ ବିରୁଦ୍ଧରେ ବନ୍ଧ ବାନ୍ଧିବାର ଚେଷ୍ଟା । ଏହା ଗୋଟିଏ ଗୋଟିଏ ମୁହୂର୍ତ୍ତକୁ ଚିରନ୍ତନ କରିବାକୁ ଚେଷ୍ଟା କରିଥାଏ । ଅନ୍ୟଦିଗରେ କାଳ-ସ୍ରୋତକୁ ପ୍ରତିବାଦ କରିଥାଏ । ଏହାହିଁ ପ୍ରକାଶ । ଏହା ଗୋଟିଏ ମୁହୂର୍ତ୍ତର ଅନନ୍ୟତାକୁ ନିଜସ୍ୱଭାବେ ଧରି ରଖେ । ଅନ୍ୟଦିଗରେ ସୌନ୍ଦର୍ଯ୍ୟର ଓଁକାର ତୋଳି କାଳସହ ନିଜ ସଂଘର୍ଷର ନମୁନା ରଖିଦେଇଯାଏ । ସବୁ କଳା ଏହି ସଂଘର୍ଷର ନମୁନା । ଏହା ଅଜନ୍ତା, ଏଲୋରାର ଚିତ୍ର ବିଭବ ହୋଇପାରେ । କୋଣାର୍କର ଭଗ୍ନ ଅର୍କ ମନ୍ଦିର ହୋଇପାରେ କିମ୍ୱା ସାରଳା ଦାସଙ୍କ ମହାଭାରତ ହୋଇପାରେ । ତାଜମହଲ ତ ଗୋଟିଏ ଅଶ୍ରୁଳ ସ୍ମୃତିକୁ ଚିରନ୍ତନ କରିବାର ବାର୍ତ୍ତା ଏବେବି ବହନ କରିଥାଏ । ମାତ୍ର କଳାର ବିଭିନ୍ନତା ଭିତରେ ସେହି ଗୋଟିଏ ପ୍ରବୃତ୍ତି ଚିରନ୍ତନ ହେବା । ମୃତ୍ୟୁକୁ ଅସ୍ୱୀକାର କରିବା । ଏହାହିଁ ପରୀକ୍ଷା । ଏଇଥିପାଇଁ କଳାର ମୂଲ୍ୟ । ସମୟ ଓ ସମସ୍ୟାର ଶରହଦ୍‌କୁ ଡେଇଁ ଏହା ଆମପାଖରେ ଏତେ ଅର୍ଥପୂର୍ଣ୍ଣ ହୋଇଥାଏ । ଆମେ କଳାକୁ ଆଦର କରୁ । ତା’ର ସାଂପ୍ରତିକତା ପାଇଁ ନୁହେଁ ତା’ର ଚିରନ୍ତନତା ପରୀକ୍ଷା ପାଇଁ ।

 

କଳା ତେଣୁ ଏକ ଚିରନ୍ତନ ଶକ୍ତି ବିରୁଦ୍ଧରେ ମଣିଷର ସ୍ୱର । ଏ ଶକ୍ତି, କାଳ, ମୃତ୍ୟୁ । କଳା ଯେମିତି ମୃତ୍ୟୁସଞ୍ଜିବନୀ । ଏହାରି ସାହାଯ୍ୟରେ ମଣିଷ ବଞ୍ଚିବାକୁ ଚାହେଁ । ତେଣୁ କଳାରେ କାଳଚେତନା ଜଟିଳ । ଏହା ଏକାଧାରାରେ କାଳକୁ ସ୍ୱୀକାର କରି ପୁଣି ତାକୁ ଅସ୍ୱୀକାର କରି ଚିରନ୍ତନ ହେବାକୁ ଚେଷ୍ଟାକରେ । ତାହାର ପ୍ରବହମାନତାକୁ ଧରି ରଖିବାକୁ ଚେଷ୍ଟାକରେ । ଅତୀତ ବର୍ତ୍ତମାନ ଭବିଷ୍ୟତର ନିୟମିତ ଗତିକୁ ଅଟକାଇ ଗୋଟିଏ ମୁହୂର୍ତ୍ତରେ ସମସ୍ତ ଅତୀତ, ବର୍ତ୍ତମାନ ଭବିଷ୍ୟତକୁ ଏକୀଭୂତ କରେ । କଳାରେ ସବୁ ବର୍ତ୍ତମାନ ହୁଏ । ସବୁ ବର୍ତ୍ତମାନ ହୁଏ ଅନନ୍ୟ । ଏହାହିଁ କଳାର ସୌନ୍ଦର୍ଯ୍ୟ । କାଳଚକ୍ରର ବାହାରକୁ ବାହାରିଯିବାର ପ୍ରୟାସ । ଦର୍ଶନରେ ଏହା ଏକ ଉତ୍ତରଣ । ଏକ ଅପହଞ୍ଚ । କାଳର ବାହାରେ କାଳହୀନ ଅନନ୍ତ । ଏହାହିଁ ବ୍ରହ୍ମ, ଏହା ହିଁ ନିର୍ବାଣ । ମାତ୍ର କଳା ନିର୍ବାଣ ଚାହେଁନି । ବ୍ରହ୍ମ ହୋଇ କାକୋତ୍ତୀର୍ଣ୍ଣ ଚାହେଁନି । ସେ କାଳକୁ ଧରି ରଖିବାକୁ ଚେଷ୍ଟାକରେ, କାଳକୁ କାଳାତୀତ କରି ନୁହେଁ ତାକୁ କାଳରହୀତ କରି । ଏହାହିଁ କଳାର ପାର୍ଥିବ ନିର୍ବାଣ ।

 

ଜୀବନ ମୃତ୍ୟୁର ସଂଘର୍ଷରୁ ହିଁ କଳାର ଜନ୍ମ । ଏହା ଉଭୟ ଜନ୍ମ ଓ ମୃତ୍ୟୁକୁ ଗ୍ରହଣ କରିଥାଏ । ପୁଣି ବଞ୍ଚିବାର ସ୍ୱପ୍ନକୁହିଁ ପ୍ରକାଶ କରିଥାଏ । ପ୍ରତ୍ୟେକ କଳା ଏହା ମୃତ୍ୟୁ ସହ ପରୀକ୍ଷା-। ଜୀବନ ସହ ପରୀକ୍ଷା । ସାଂପ୍ରତିକତାକୁ ସେ ପ୍ରକାଶ କରେ ମାତ୍ର ଏହା ଏକମାତ୍ର ସତ୍ୟ ନୁହେଁ । ଏହା ବାହ୍ୟ ବାସ୍ତବତାର ଏକ ରୂପ ମାତ୍ର । ଏହାକୁ ବର୍ଣ୍ଣନା କରି, ଏହାକୁ ମାଧ୍ୟମ କରି ସେ ତା’ର ସତ୍ୟକୁ ପ୍ରକାଶ କରେ । ଏହାହିଁ କଳାର ଚେତନା । କଳାକାରର ଚେତନା । ବାହ୍ୟଜଗତ, ତା’ର ବାସ୍ତବତା ସହ ସମ୍ପର୍କରୁ ଜନ୍ମନିଏ କଳାକାରର ଚେତନା । ଏ ଚେତନା ଦୃଷ୍ଟିଭଙ୍ଗୀକୁ ଗଢ଼େ । ତାକୁ ଶାଣିତ କରେ । ଏହା ସାଂପ୍ରତିକତାରୁ ଜନ୍ମନିଏ ସିନା ମାତ୍ର ଚିରନ୍ତନତାକୁ ବୁଝିବାର, ହୃଦୟଙ୍ଗମ କରିବାର ଗଭୀରତା ହାସଲ କରିଥାଏ । ଚେତନା ତେଣୁ ବାସ୍ତବତା ଦ୍ୱାରା ଋଦ୍ଧିମନ୍ତ ଏକ ଆତ୍ମିକତା । ଏହା ଏକ ନିଜସ୍ୱତା । ଏ ନିଜସ୍ୱତାରେ ଥାଏ ସମୟ ଖଣ୍ଡର ନିଜସ୍ୱତା । କଳାକାରର ବ୍ୟକ୍ତିଗତ ନିଜସ୍ୱତା । ଏହି ଚେତନା ପାଇଁ ପ୍ରତ୍ୟେକ କଳା ତା’ର ସାଂପ୍ରତିକତାର ରୂପ ବହନ କରିଥାନ୍ତି ପୁଣି କଳାକାରର ନିଜସ୍ୱତା ବହନ କରିଥା’ନ୍ତି । ଏଇଥିପାଇଁ ବିଭିନ୍ନ ଯୁଗର କଳା ଭିନ୍ନ ଭିନ୍ନ ରୂପ ଗ୍ରହଣ କରିଥାଏ । ଏହାହିଁ ତା’ର ନିଜସ୍ୱତା, ସେକ୍‌ସପିଅରଙ୍କ ଲେଖା ଏକାଧାରାରେ ତାଙ୍କ କଳାର ଲେଖା । ସେ ଲେଖାରେ ସେ କାଳର ଚଳଣି, ଗତିବିଧି ସବୁ ଅଙ୍କିତ-। ଏହା ନିଶ୍ଚିତ ଭାବେ ଏକ ରିନ ସାଁ ଯୁଗୀୟ ସୃଷ୍ଟି । ମାତ୍ର ଅନ୍ୟଦିଗରେ ତାଙ୍କ ଲେଖା ତାଙ୍କର ନିଜସ୍ୱ । ତହିଁରେ ତାଙ୍କରି ସ୍ୱାକ୍ଷର ଅଙ୍କିତ । ଏହି ନିଜସ୍ୱତା ସେକ୍‌ସପିଅରଙ୍କର ଚେତନାର ପ୍ରତିଧ୍ୱନି-। ଚେତନା ତେଣୁ ବ୍ୟାପକ ପୁଣି ଆତ୍ମିକ । ଅବୈକ୍ତିକ ପୁଣି ବ୍ୟକ୍ତି ସର୍ବସ୍ୱ । ଏକ ଦିଗରେ ଏହା ଏକ ବ୍ୟକ୍ତି-ଶକ୍ତିର ପ୍ରକାଶ । ଏହି ଚେତନା ବାସ୍ତବତାକୁ ହୃଦୟଙ୍ଗମ କରେ । ତାକୁ ନିଜସ୍ୱ ଭାବେ ରୂପାନ୍ତରିତ କରେ । କାଳ ବିରୁଦ୍ଧରେ ସ୍ୱର ତୋଳେ । ଅସ୍ଥିରତାରେ ସ୍ଥିରତା ଆଣିବାକୁ ଚେଷ୍ଟା କରେ ।

 

ତେଣୁ କଳାର ମୁଖ୍ୟ ଉଦ୍ଦେଶ୍ୟ ଅହଂର ପ୍ରକାଶ । ତା’ର ବିଶ୍ୱ ସମ୍ପର୍କ-ସଂଘର୍ଷର ପ୍ରକାଶ-। ଆଉ ଏହି ପ୍ରକାଶ ସାହାଯ୍ୟରେ ମୃତ୍ୟୁକୁ ଜୟ କରି ମୃତ୍ୟୁଞ୍ଜୟୀ ହେବାର ପ୍ରୟାସ । ଏହି ପ୍ରୟାସ ଏକ ନୂଆ ଚେତନା ପ୍ରକାଶ କରେ । ଏହା କଳାକୁ ଆବିଷ୍କାର କରିବାରେ ସାହାଯ୍ୟ କରିଥାଏ । ଏ ଆବିଷ୍କାର ଅହଂର, ବିଶ୍ୱର । ଏହା ଏକ ନୂଆ ରୂପରେଖ ବାସ୍ତବତାର । ମଣିଷର ଏକମାତ୍ର ସତ୍ୟ ତା’ର ଅଭିଶପ୍ତ ଅସ୍ତିତ୍ୱ, ତା’ର ମୃତ୍ୟୁ । କଳା ଏହି ମୃତ୍ୟୁ ଏହି ଅଭିଶାପକୁ ଟପିବାର ପ୍ରୟାସ । କଣ୍ଟକିତ ଜୀବନରେ ସୌନ୍ଦର୍ଯ୍ୟର ଚନ୍ଦନ ପ୍ରଲେପ । ମୃତ୍ୟୁ ଉପରେ ଅମରତ୍ୱର ଜୟଧ୍ୱଜା ।

Image

 

ଅହଂହୀନ ଅହଂକାର

 

ଭ୍ୟାନ୍‌ଗଗ୍‌ ତାଙ୍କ ଭାଇଙ୍କ ପାଖକୁ ଲେଖିଥିବା ଗୋଟିଏ ଚିଠିରେ ନିଜ ପ୍ରସଙ୍ଗରେ କହିବାକୁଯାଇ ଶିଳ୍ପୀର ଚେତନା ସମ୍ପର୍କରେ ଭାରି ଭଲ କଥାଟିଏ କହିଛନ୍ତି । ସେ ଚିଠିରେ ଭ୍ୟାନ୍‌ଗଗ୍‌ ଶିଳ୍ପୀର ସତ୍ୟଶୀଳତା, ସାଧୁତା ଏବଂ ନିଷ୍ଠା ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି ଏବଂ ଏଥିପାଇଁ ଦରକାରପଡ଼ିଲେ ସେ ଭଗବାନଙ୍କୁ ଛାଡ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଘୋଷଣା କରିଛନ୍ତି । ବର୍ତ୍ତମାନ ପ୍ରଶ୍ନଉଠୁଛି କଳା ସହ ସାଧୁତା, ସତ୍ୟଶୀଳତା ପୁଣି ନିଷ୍ଠାର ସମ୍ପର୍କ କ’ଣ ।

 

ଭଗବାନଙ୍କଠାରୁ ଆହୁରି ବଡ଼ ଆହୁରି ଦରକାରୀ ଏ ସତ୍ୟଶୀଳତା, ସାଧୁତା ପୁଣି ନିଷ୍ଠାର ପ୍ରକୃତ ଅର୍ଥ କ’ଣ କାହାପାଖରେ ଏ ସତ୍ୟଶୀଳତା ପୁଣି କେଉଁ ଭାବରେ ଏ ନିଷ୍ଠା । କଳାର ଆରମ୍ଭରୁ ଶିଳ୍ପୀମାନେ ବୋଧହୁଏ ଏ ବିଷୟରେ ସଚେତନ । ସେମାନେ ଜୀବନ ଏବଂ ବାହ୍ୟ ବାସ୍ତବତା ସହ କଳାର ଘନିଷ୍ଠ ସମ୍ପର୍କ ବିଷୟରେ ସଚେତନ । ଏହି ସଂପର୍କରୁ ସୃଷ୍ଟ କଳା ହିଁ ତାଙ୍କ ପାଖରେ ସତ୍ୟର ଏକମାତ୍ର ସତ୍ୟଶୀଳ ପ୍ରକାଶ । ପୁଣି ଏ ଜୀବନ ଯେ ସତ୍ୟ ନୁହେଁ, ପୁଣି ଏ କଳା ଏକପ୍ରକାର ମାୟା, ଛଳନା–ଏ ବିଷୟରେ ମଧ୍ୟ ଅନେକ ସଚେତନ । ଏଇଥିପାଇଁ ତ ଦାର୍ଶନିକ ତାଙ୍କ ଆଦର୍ଶ ରାଜ୍ୟରୁ କବିମାନଙ୍କୁ ନିର୍ବାସନ କରିବାକୁ ଚାହୁଁଥିଲେ । ତାଙ୍କ ପାଖରେ କବିତା ତ ଛଳନାର ଛଳନା–ସତ୍ୟପାଖରୁ ବହୁଦୂର । ଏ ପ୍ରସଙ୍ଗରେ ଦୁଇଟି ପ୍ରଶ୍ନଉଠେ । ଗୋଟିଏ ପ୍ରଶ୍ନ ହେଲା କଳା କ’ଣ ? କଳା କେତେଦୂର ସତ୍ର ପାଖରେ ସତ୍ୟଶୀଳ । ଅର୍ଥାତ୍‌ କଳା ଆଉ ବାସ୍ତବତା ଭିତରେ ଥିବା ସମ୍ପର୍କରେ ତାତ୍ତ୍ୱିକ ପ୍ରଶ୍ନ । ଏଥିରେ ଶିଳ୍ପୀର ପ୍ରଶ୍ନଉଠୁନି । ମାତ୍ର ଦ୍ୱିତୀୟଟିରେ କଳା, ବାସ୍ତବତା ସହ ଶିଳ୍ପୀର ସମ୍ପର୍କ । ପ୍ଳେଟୋ କଳାକୁ ମିଥ୍ୟାର ପ୍ରତିଫଳନ ବୋଲି କହିଥିଲେ । ପୁଣି ସେହି ମିଥ୍ୟାକୁ ନିଜ କଳ୍ପନା ଜରିଆରେ ହୁଏତ ଆହୁରି ମିଥ୍ୟା କରି କଳାକାର ସୃଷ୍ଟି କରେ । ପ୍ଳେଟୋ କଳାର ନିର୍ଯ୍ୟାସ ଉପରେ ଗୁରୁତ୍ୱ ଦେଇଥିଲେ । କଳାକୁ ଦେଖିବାର ଦାର୍ଶନିକ ଭଙ୍ଗୀ ହିଁ ତାଙ୍କ ଉକ୍ତିରେ ପ୍ରକାଶ ପାଇଥିଲା । ମାତ୍ର ବର୍ତ୍ତମାନ ଆଲୋଚ୍ୟ ବିଷୟବସ୍ତୁ ହେଉଛି କଳା ଆଉ ଶିଳ୍ପୀର ସମ୍ପର୍କ । ଶିଳ୍ପୀର ସଚେତନତା, ତା’ର ଦୃଷ୍ଟିକୋଣ, ତା’ର ଅଙ୍ଗୀକାର ହିଁ ଏ ପ୍ରବନ୍ଧର ବିଷୟବସ୍ତୁ ।

 

ପ୍ରଶ୍ନଉଠିଥିଲା ଶିଳ୍ପୀର ସତ୍ୟଶୀଳତା କ’ଣ ? ପୁଣି ଏପରି ସତ୍ୟଶୀଳତା କାହାପାଖରେ ପୁଣି କେଉଁ ଭାବରେ ? ଶିଳ୍ପୀ ପାଖରେ ତିନୋଟି ଜଗତ ସମାନ ଭାବରେ ପ୍ରାଧାନ୍ୟ ଲାଭ କରିଥାଏ । ସେ ତିନୋଟି ଜଗତ ହେଲା ଅନୁଭୂତି, କଳା ଏବଂ ଶେଷରେ ପାଠକ ଅବା ଦର୍ଶକ । ପ୍ରଥମ ଦୁଇଟି ଜଗତ ଶିଳ୍ପର ସଂପୂର୍ଣ୍ଣ ବ୍ୟକ୍ତିଗତ ମାତ୍ର ଦ୍ୱିତୀୟଟି ହେଉଛି ଅବୈକ୍ତିକ । ଏଥିରେ ଶିଳ୍ପୀ ନିଜକୁ ଅନ୍ୟସହ ସମ୍ପର୍କିତ କରିଥାଏ । ଏଥିରେ ପାଠକ/ଦର୍ଶକର ଚେତନା ମଧ୍ୟ ସଂଶ୍ଳିଷ୍ଟ । ପ୍ରଥମ ଦୁଇଟି ପୃଥିବୀ ବ୍ୟକ୍ତିଗତ ହେଲେ ମଧ୍ୟ ଏଥିରେ ଅବୈକ୍ତିକତାର ସ୍ପର୍ଶ ଲାଗିଥାଏ । ଅର୍ଥାତ୍‌ କଳା ଗୋଟିଏ ମାଧ୍ୟମ ଏବଂ ଶିଳ୍ପୀ ଯେତେ ବ୍ୟକ୍ତିଗତ ଭାବେ ତାକୁ ବ୍ୟବହାର କଲେ ମଧ୍ୟ କଳାର କେତୋଟି ମୌଳିକ ଧର୍ମକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଥାଏ । ଏଥିପାଇଁ ଶିଳ୍ପୀ ସବୁବେଳେ ବୈକ୍ତିକ ଏବଂ ଅବୈକ୍ତିକ ଏହିପରି ଦୁଇଟି ଜଗତ ଭିତରେ ରହି ଏକ ବ୍ୟକ୍ତିଗତ ଅବୈକ୍ତିକ ପୃଥିବୀ ସୃଷ୍ଟି କରେ । ଆଉ ଏପରି ସୃଷ୍ଟିରେ ସବୁଠାରୁ ବଡ଼ କଥା ହୁଏ ଶିଳ୍ପୀର ସମ୍ପର୍କ, ତା’ର ନିଷ୍ଠା ଓ ସତ୍ୟଶୀଳତା ।

 

ଶିଳ୍ପୀ କେବଳ ନିଜେ ଦୁଇଟି ଜଗତ ଭିତରେ ବିଚରଣ କରିନଥାଏ । ତା’ର ଅସ୍ତିତ୍ୱରେ ମଧ୍ୟ ରହିଥାଏ ଦୁଇଟି ସତ୍ତା । ଗୋଟିଏ ଦିଗରେ ଶିଳ୍ପୀ ସଂପୂର୍ଣ୍ଣ ଭାବେ ଏକାନ୍ତ ନିଜସ୍ୱ ମଣିଷଟିଏ ହେଲେ ମଧ୍ୟ ସେ ଜଣେ ସାମାଜିକ ମଣିଷ । ତେଣୁ ପ୍ରତ୍ୟେକ କଳାରେ ଏହି ଅବୈକ୍ତିକ ଏବଂ ବୈକ୍ତିକ ଦୁଇଟି ସତ୍ତାର ସମ୍ପର୍କ, ସମନ୍ୱୟ । ଏହି ସମନ୍ୱୟରେ ନିହିତ ଜୀବନର ପୂର୍ଣ୍ଣତା, କଳାର ପୂର୍ଣ୍ଣତା । ଶିଳ୍ପୀର ସତ୍ୟଶୀଳତା କହିଳେ ପ୍ରଥମେ ଆମେ ବୁଝଚ ଏଇ ଜୀବନ ପ୍ରତି, ଏଇ ଅନୁଭୂତି ପ୍ରତି ସତ୍ୟଶୀଳତା । ଜୀବନ ତ ଗୋଟିଏ ଢେଉ ପରି ଶିଳ୍ପୀ ଉପରେ ଅଜାଡ଼ି ପଡ଼େ । ଶିଳ୍ପୀ ଏହି ଢେଉକୁ କେମିତି ଭାବେ ସାମ୍ନା କରେ, ତାକୁ କେମିତି ଭାଙ୍ଗିବାକୁ ଚେଷ୍ଟା କରେ ତାହାହିଁ ବଡ଼ କଥା-। ଏପରି କହିବା ବେଳେ ଜୀବନକୁ ସାଧାରଣ ଯାନ୍ତ୍ରିକ ଭାବେ କଟେଇଦେବା, କୌଣସିମତେ ମୁଣ୍ଡି ମାରିଦେବା କଥା କହୁନାହିଁ । ମଣିଷ ଜୀବନକୁ ‘‘ଜନ୍ମ, ସଂଗ୍ରାମ ଏବଂ ମୃତ୍ୟୁ’’ର ପର୍ଯ୍ୟାୟରୁ ଆଉ ଟିକିଏ ଉନ୍ନତ କରି, ଅଧିକ ଅର୍ଥପୂର୍ଣ୍ଣ କରିବା ବଡ଼ କଥା । ଏହା ପ୍ରତି ନିଜର ଦୃଷ୍ଟିକୋଣଟି ଶିଳ୍ପୀର ନିଜସ୍ୱ । ଏଇଥିରେ ତା’ର ନିଜସ୍ୱତା ତା’ର ବିଶେଷତ୍ୱ । ବଞ୍ଚିବାର ମାନେ ନୁହେଁ ଜୀବନର ମାନଟା ହିଁ ବଡ଼ କଥା । କିନ୍ତୁ ବଞ୍ଚିବାର ମାନଟି ପ୍ରତି ଆମ ଦୃଷ୍ଟିଭଙ୍ଗୀ ଜୀବନର ମାନକୁ ହିଁ ଗଢ଼ି ତୋଳିଥାଏ-

 

ଶିଳ୍ପୀମାନଙ୍କର ଜୀବନକୁ ଦେଖିଲେ ବହୁ ଭିନ୍ନତା ଦେଖିବାକୁ ମିଳେ । ସେମାନଙ୍କର ଚରିତ୍ର ଏବଂ ବଞ୍ଚିବାର ଢଙ୍ଗରେ ମଧ୍ୟ ଅନେକ ଭିନ୍ନତା ଦେଖିବାକୁ ମିଳେ । ଏ ଭିନ୍ନତାଟା ବଡ଼ ନୁହେଁ, ସମାଜର ଯେଉଁ ସ୍ତରରୁ ସେମାନେ ଆସିଥାନ୍ତୁ ନା କାହିଁକି ଜୀବନକୁ ଦେଖିବାର ଭଙ୍ଗୀଟିରେ ନିଜ ପ୍ରତି ଛଳନା ନଥାଏ । ବଦ୍‌ଲେୟାର ଏବଂ ହପ୍‌କିନସ୍‌ ଦୁଇଜଣ ଦୁଇଟି ଭିନ୍ନ ଜଗତର ଲୋକ-। ମାତ୍ର ସେମାନେ ତାଙ୍କ ଜଗତ ପାଇଁ ବଡ଼ ନୁହଁନ୍ତି । ସେମାନେ ତାଙ୍କ ଜଗତ ପ୍ରତି ସତ୍ୟଶୀଳ ହୋଇଥିବାରୁ ବଡ଼ ଶିଳ୍ପୀ, ଇଂରାଜୀ କବି ଆରନୋଲଡ଼ ଆଉ ବ୍ରାଉନିଂଙ୍କ ଜୀବନକୁ ଦେଖିବାର ସଂପୂର୍ଣ୍ଣ ଭିନ୍ନ । ମାତ୍ର ସେମାନେ ନିଜ ଦେଖିବା ପାଖରେ ଅଭିନ୍ନ । ଏହି ଦେଖିବା ପାଖରେ ହିଁ ସେମାନଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ସମନ୍ୱିତ ହୋଇଥାଏ । ଶିଳ୍ପୀ ପାଖରେ ଅନେକ ଅନୁଭୂତି ଅନେକ ଭାବରେ ଆସିଥାଏ । ସେ ଜୀବନର ବିଭିନ୍ନତାକୁ ବିଭିନ୍ନ ଭାବରେ ଦେଖିଥାଏ, ତା’ର ପରିବର୍ତ୍ତନକୁ ଗ୍ରହଣ କରିଥାଏ । ଏମିତିକି ଜୀବନର ସୁଅ ଭିତରେ ନିଜେ ବି ଅନେକ ଭାବରେ ରୂପାନ୍ତରିତ ହୋଇଥାଏ । ନିଜର ବିଭିନ୍ନ କା’ ସହ ମଧ୍ୟ ଦ୍ୱନ୍ଦ୍ୱରେ ଜଡ଼ିତ ହୋଇଥାଏ । ମାତ୍ର ଏ ସବୁ ବିଭିନ୍ନତା ଭିତରେ ମଧ୍ୟ ସେ କେବେ ନିଜ ସହ ଲୁଚକାଳି ଖେଳିନଥାଏ । ସେ ନିଜ ଅନୁଭୂତି ସହ ଥାଏ ସତ୍ୟଶୀଳ । ଏହି ସତ୍ୟଶୀଳତା ତେଣୁ ଆଧ୍ୟାତ୍ମିକ । ଏହି ଆଧ୍ୟାତ୍ମିକତା କୌଣସି ସଂକୀର୍ଣ୍ଣ ଧର୍ମ ଦୃଷ୍ଟିରୁ ନୁହେଁ । ଏହା ଆଧ୍ୟାତ୍ମିକ ବିଶ୍ୱାସର ଗଭୀରତା ଦୃଷ୍ଟିରୁ, ନିଜ ଅନୁଭୂତି ସହ ଏକାତ୍ମ । ଆଉ ଏହି ଏକାତ୍ମତା ସତ୍ୟଶୀଳତାର ଗୋଟିଏ ପ୍ରଧାନ ଦିଗ ।

 

ଏପରି ସତ୍ୟଶୀଳତାର ଦୁଇଟି ଦିଗ । ଗୋଟିଏ ବାହ୍ୟ ଦୈହିକ । ଅନ୍ୟଟି ମାନସିକ ପୁଣି ଆଧ୍ୟାତ୍ମିକ । ଏହି ଦୁଇ ଅନୁଭୂତି କେହି ଗୌଣ ନୁହଁନ୍ତି ଅବା ପରସ୍ପର ବିରୋଧୀ ନୁହନ୍ତି । ଉଭୟେ ନିର୍ଭର କରନ୍ତି ଶିଳ୍ପୀର ଅନୁଭବ ଉପରେ–ତା’ର ଆନ୍ତରିକତା ଉପରେ । ଅନୁଭବର ଗଭୀରତା ଯୋଗୁଁ ତ କୀଟ୍‌ସ ଚାହିଁପାରିଥିଲେ ‘‘for a life of sensation rather than of thought’’ ଏହିଥିରେ ହିଁ ସେ ସତ୍ୟର ସନ୍ଧାନ ପାଇଥିଲେ । ଲରେନ୍‌ସ ଗାଇ ପାରିଥିଲେ–‘‘Between her breasts is my home/Between her breasts’’ ମାତ୍ର କେହି ଏଇଥିରେ ରହିଯିବା ବି ପୂର୍ଣ୍ଣତା ନୁହେଁ, କାରଣ ଅନୁଭୂତିର ସତ୍ୟଶୀଳତା ମାନେ କେବଳ ଅଙ୍ଗେ ନିଭେଇବା କଥା ନୁହେଁ । କେବଳ ଏହା ଦୈହିକ ସ୍ତରରେ ଅନୁଭୂତିକୁ ସୀମିତ କରିଦେଇଥାଏ । ଅନ୍ୟଦିଗରେ କଳ୍ପନାଶ୍ରୟୀ ଅନୁଭୂତ ମଧ୍ୟ ସ୍ୱୟଂ ସଂପୂର୍ଣ୍ଣ ନୁହେଁ । କିନ୍ତୁ କଳ୍ପନା ବ୍ୟତୀତ ବାହ୍ୟ ବାସ୍ତବତା କେବେ କଳ୍ପନାତ୍ମକ ପ୍ରକାଶ ପାଇପାରେନାହିଁ । ତେଣୁ କଳାର ସତ୍ୟଶୀଳତା ଏକପ୍ରକାର ନିଷ୍ଠା ଏବଂ ସାଧୁତା ଉପରେ ନିର୍ଭର କରିଥାଏ । ଏହା ବଡ଼ ବ୍ୟାପକ । ଏହା କେବଳ ବଞ୍ଚିବାର ସାମଗ୍ରୀକତାକୁ ଆହରଣ କରିବା ନୁହେଁ । ଏହା ଏକପ୍ରକାର ଗଭୀର ବଞ୍ଚିବା । ଏପରି ଗଭୀରତା ଶିଳ୍ପୀ ପାଖରେ ଖୋଲିଦିଏ ଗୋଟିଏ ତୃତୀୟ ଚକ୍ଷୁ । ଏ ଚକ୍ଷୁ କଳ୍ପନାର, ଚକ୍ଷୁ ଭଲପାଇବାର । ଏହି ଚକ୍ଷୁର ଦିବ୍ୟ ଜ୍ୟୋତିର ଶିଳ୍ପୀ ଜୀବନକୁ ଦେଖେ, ତାକୁ ଉତ୍ତରି ଯାଏ । ଏ ଦେଖିବା ସଞ୍ଚୟର ଆଖି ନେଇ ମହାଭାରତ ଯୁଦ୍ଧକୁ ଦେଖିବା ନୁହେଁ । ଏହା ବରଂ ବିଜୟ ସ୍ତମ୍ଭରୁ ବେଲାଳସେନର ଦେଖିବା ସଙ୍ଗେ ସମାନ । ତେଣୁ କଳ୍ପନାର କଜ୍ୱଳରେ ଅନ୍ଧାରିତ ଏ ଚକ୍ଷୁ ବିଳାସ ନୁହେଁ । ଏ ଭଲପାଇବା ପ୍ରବଣତା ନୁହେଁ । ଏହା ଏକ ଶରୀର ମମତ୍ୱବୋଧ ଯାହା ଶିଳ୍ପୀକୁ ଏକ ଆସକ୍ତ ଉଦାସୀନତାରେ ଭରିଦିଏ । ସେ ଜୀବନର ବାହ୍ୟତାକୁ ନିରୀକ୍ଷଣ କରେ, ଜୀବନର ସାମାଜିକତା ଭିତରେ ନିଜକୁ ସାମିଲ କରେ ଏବଂ ତାରି ଭିତରୁ ବଞ୍ଚିବାର ଗୋଟିଏ ଗୋଟିଏ ଟୁକୁରାକୁ ବାଛିନିଏ । ଏହି ଟୁକୁରାରୁ ଜନ୍ମନିଏ ଗୋଟିଏ ଗୋଟିଏ କାହାଣୀ, ଚରିତ୍ର ପୁଣି ଗୋଟିଏ ଗୋଟିଏ ଚିତ୍ର । ମାତ୍ର ଏସବୁ ଜୀବନର ନିଚ୍ଛକ ନକଲ୍‌ ନୁହେଁ । ଆଜି ଜୀବନର ସିଧାସଳଖ ଅନୁଭୂତି ବିନା ଏହା ଅସମ୍ଭବ । ବାସ୍ତବ କଳ୍ପନାର ଏହି ହାତ ଧରାଧରି ହିଁ ସତ୍ୟଶୀଳତାର ପ୍ରଧାନ ଦିଗ, ଶିଳ୍ପୀ ବାସ୍ତବକୁ ଯେତିକି ନିଜର କରିବ ଠିକ୍‌ ସେତିକି ନିଜର କରିବ କଳ୍ପନାକୁ । ତେବେ ଯାଇ ସେ ତା’ର ନିଜସ୍ୱ ସୃଷ୍ଟି କରିପାରିବ । ତା’ କପାଳରେ ଖୋଲିଯିବ ସୃଷ୍ଟିର ତୃତୀୟ ଚକ୍ଷୁ । ପୂର୍ବରୁ କହିଛି ଏଥିପାଇଁ ପ୍ରୟୋଜନ ଆନ୍ତରିକ ଭଲପାଇବା । ଭଲପାଇବାରେ ତ ଲୁଚକାଳି ଖେଳ ନାହିଁ । ମୁଖା ପିନ୍ଧିବା ନାହିଁ । ଆଉ ଏହି ନାହିଁ ହିଁ ସବୁ କଳାର ଜୀବନ । କାରଣ ଏପରି ଛଳନାହୀନ ଆନ୍ତରିକତା ଭିତରେ ରହିଛି ନିଜେଇ ନେବାର କ୍ଷମତା, ଯା’କୁ ଭଲପାଇବ ତାହା ହୋଇଯିବାର କ୍ଷମତା ପୁଣି ଏହାରି ଭିତରେ ଉଦାସ ହୋଇ ରହିପାରିବାର ଦକ୍ଷତା । ଏହା ଏକ ଅଦ୍ଭୁତ ଶକ୍ତି । ଏକ ଆସକ୍ତ ଉଦାସୀନତା ପୁଣି ଉଦାସୀନ ଆସକ୍ତି । ଫଳରେ ଶିଳ୍ପୀ ଯାହାକୁ ଗଢ଼େ ତାକୁ ତା’ର ନିଚ୍ଛକ ରୂପ ଦେଲାବେଳେ ନିଜ ଭାବରେ ଗଢ଼ି ପାରିଥାଏ । ଟମାସ ହାଡ଼ିଙ୍କ ଉପନ୍ୟାସର ଜଗତ ଏବଂ ସେ ଜଗତରେ ଜିଇଁଥିବା ସବୁ ଚରିତ୍ର ଏଇ ଭାବରେ ହିଁ ସୃଷ୍ଟି ହୋଇଛନ୍ତି । ସେମାନେ ଉଭୟ ବାହ୍ୟ ତାଣ୍ଡବତାର ଅଂଶ ତଥାପି ଶିଳ୍ପୀଙ୍କ ମାନସଜ ।

 

ଏହି କ୍ଷମତା ଯୋଗୁ ହିଁ ସେକ୍‌ସପିଅର ତାଙ୍କର ସୃଷ୍ଟିରେ ଏପରି ବୈଚିତ୍ର୍ୟ ଭରି ପାରିଥିଲେ । ଏଇଥିପାଇଁ ବୋଧହୁଏ ପୋପ୍‌, ଡ୍ରାଇଡ଼େନ୍‌ଙ୍କ କବିତା ବି ଆଜି ଆମପାଖରେ ଏତେ ଅର୍ଥପୂର୍ଣ୍ଣ । ଯଦିଓ ତାଙ୍କ ପାଖରେ ବିରକ୍ତ ବିଦ୍ରୂପ, ସମାଲୋଚନା ଥିଲା ସୃଷ୍ଟିର ମୂଳ ଉତ୍ସ । ତଥାପି ଏସବୁ କେବଳ ସମାଜକୁ ସମାଲୋଚକର ଆଖିରେ ଦେଖିବାକୁ ଜନ୍ମନେଇନି । ସମାଜକୁ ଭଇପାଇ ତାକୁ ନିଜ ଆଦର୍ଶରେ ଗଢ଼ିବାର ସ୍ୱପ୍ନରୁ ହିଁ ଜନ୍ମନେଇଛି । ଗୋଦାବରୀଶ ମହାପାତ୍ରଙ୍କ ଦେଶକୁ ଭଲପାଇବା ଠାରୁ ଆଉ କାହାର ଭଲପାଇବା ବଳିଯିବ । ତେଣୁ ଅନୁଭୂତି ଏବଂ ସତ୍ୟଶୀଳତା ପ୍ରସଙ୍ଗରେ ଏତିକି କୁହାଯାଇପାରେ ଯେ ଏ ସତ୍ୟଶୀଳତା ଏକ ଅଙ୍ଗେନିଭା କାଳ୍ପନିକ ଗ୍ରହଣ । ଏଥିରେ ସୃଷ୍ଟି ନିଜ ଭିତରେ ନିଜକୁ ଟପିଯାଏ । ବାସ୍ତବତାକୁ ଟପିଯାଇ ଏକ ନୂଆ ବାସ୍ତବତା ସୃଷ୍ଟି କରେ । ତେଣୁ ସତ୍ୟଶୀଳତାମାନେ ଅନ୍ଧାନୁକରଣ ନୁହେଁ । କେବଳ ଜୀବନର ବାହ୍ୟ ପ୍ରତିଫଳନ ନୁହେଁ, ବଞ୍ଚିବାର ଭାବଟାହିଁ ବଡ଼ । ଗୋପିନାଥ ବାବୁଙ୍କ ‘ହରିଜନ’, ‘ପରଜା’, ଅବା ‘ଦାନାପାଣି’କୁ ବିଚାର କରାଯାଇପାରେ । ଗୋଟିଏ ଦିଗରେ ଏ ସମସ୍ତ ଉପନ୍ୟାସ ବାସ୍ତବର ନିଚ୍ଛକ ଛବି । ଜୀବନର ଗୋଟିଏ ଗୋଟିଏ ଜ୍ୱଳନ୍ତ ଉଦାହରଣ । ମାତ୍ର ଏହା କେବେ ବାହ୍ୟତା ଦ୍ୱାରା ସୀମିତ ନୁହେଁ । ଏହା ଜୀବନର ଯେଉଁ ବାସ୍ତବ ଛବି ଆଙ୍କେ ତାହା ଶିଳ୍ପୀଙ୍କର କଳ୍ପନାରେ ଋଦ୍ଧିମନ୍ତ । ଫଳରେ ହରିଜନ ବସ୍ତି ଅବା ଘୁସୁରିଆ ପଦା ସବୁ ନୂଆ ଆଲୁଅରେ ଉଜୁଳିଉଠେ । ଅଙ୍ଗେ ନିଭେଇ ନଥିଲେ ହୁଏତ ପରଜା ଜୀବନର ନିଚ୍ଛକ ଛବି ସେ ତାଙ୍କ ଉପନ୍ୟାସରେ ଦେଇପାରିନଥାନ୍ତେ । ମାତ୍ର କେବଳ ପ୍ରତ୍ୟକ୍ଷ ଅନୁଭୂତି ଥିଲେ ବି ଏହା କେବେ ସମ୍ଭବ ହୁଅନ୍ତା ନାହିଁ-। ଏଇଠି ଶିଳ୍ପ ସତ୍ୟଶୀଳତା, ତାଙ୍କ ନିଜଠାରେ ତାଙ୍କୁ ଘେରି ରହିଥିବା ବାସ୍ତବତା ସାଥିରେ ତାଙ୍କ ଦେଖିବା ପାଖରେ ପୁଣି କଳ୍ପନା ପାଖରେ ।

 

ଇଏତ ଗଲା ଅନୁଭୂତି କଥା । ଯେତେବେଳେ ଶିଳ୍ପୀଙ୍କ ମାଧ୍ୟମର ପ୍ରଶ୍ନଉଠେ ଅର୍ଥାତ୍‌ ଯା’ ସାହାଯ୍ୟରେ ଶିଳ୍ପୀ ନିଜକୁ ପ୍ରକାଶ କରେ ଅର୍ଥାତ୍‌ ଭାଷା, ରଙ୍ଗ ପଥର ଇତ୍ୟାଦି ସେତେବେଳେ ମଧ୍ୟ ଏହି ସତ୍ୟଶୀଳତାର କଥା । ଶିଳ୍ପୀର ଜଗତ ଏକ ରହସ୍ୟର ଜଗତ । ଏଠି ବାସ୍ତବ କେବଳ ବାସ୍ତବ ନୁହେଁ, କଳ୍ପନା କେବଳ କଳ୍ପନା ନୁହେଁ । ଶିଳ୍ପୀ କେବଳ ନିଃସଙ୍ଗ ଅହଂଟିଏ ନୁହେଁ କିମ୍ବା ସାମାଜିକ ପୁଣି ଇନ୍ଦ୍ରିୟଜ ବାହ୍ୟ ସାମଗ୍ରିକତାର ଅସହାୟ ଅଂଶଟିଏ ନୁହେଁ । ଶିଳ୍ପୀ ଏବଂ କଳାର ଜଗତ ଏକ ସ୍ୱୟଂ ସଂପୂର୍ଣ୍ଣତା ଅସମ୍ଭବ ଅସଂପୂର୍ଣ୍ଣତାରେ ଭରପୂର । ଶିଳ୍ପୀର ମାଧ୍ୟମ ଏହି ଅସଂପୂର୍ଣ୍ଣତାକୁ ଧରିବା ପାଇଁ ସବୁବେଳେ ଚେଷ୍ଟିତ । ତେଣୁ ସେ ଏକ ସଚେତନ କାରିଗର ପୁଣି ଅସହାୟ କ୍ରୀଡ଼ନକ । ମାତ୍ର ସିଏ ଯାହା ହେଉନା କାହିଁକି ତା’ ତୃତୀୟ ଚକ୍ଷୁରେ ଜଳିଉଠୁଥିବା ଛବିଟିକୁ ରୂପ ଦେବାପାଇଁ ସବୁବେଳେ ବ୍ୟାକୁଳ । ଏ ବ୍ୟାକୁଳତା ଅଭିନୟ ନୁହେଁ । ଏଇଥିପାଇଁ ସେ ବସ୍ତୁର ଅବସ୍ତୁତ୍ୱ ଭିତରକୁ ପଶେ, ଭାଷାର ସବୁ ସମ୍ଭାବନାକୁ ଖୋଜିବୁଲେ ତା’ର ସବୁ ନୀରବତାରେ ଗୁଣୁଗୁଣେଇଉଠେ । କବିତା ଭାଷାରେ ଶବ୍ଦର ବ୍ରହ୍ମକୁ ଖୋଜିବୁଲେ । କାରଣ ଶିଳ୍ପୀର ଅନୁଭୂତିର ଗଭୀରତା ଏବଂ ମନୁଆ ମାଧ୍ୟମର ସୀମିତତା ଭିତରେ ଶିଳ୍ପୀ ଛନ୍ଦିଯାଏ । ଏବଂ ପ୍ରକାଶର ଆନ୍ତରିକତାରେ ସେ ତା’ ମାଧ୍ୟମକୁ ନିଜ ଭାବରେ ବ୍ୟବହାର କରିବାକୁ ଚେଷ୍ଟା କରେ । ଶିଳ୍ପୀ ଆଉ ମାଧ୍ୟମ ଭିତରେ ସମ୍ପର୍କ ହିଁ କଳାର ପ୍ରାଣସ୍ପନ୍ଦନ । ଏହା ଏକ ଚିରନ୍ତନ ସମ୍ୱନ୍ଧ ସୂଚକ । ଯଶୋଦାଙ୍କ ଅବସ୍ଥା ସବୁ ଶିଳ୍ପୀଙ୍କ ଅବସ୍ଥା । ଏକାନ୍ତ ଏକ ନିଜତ୍ୱ ଅନୁଭୂତିକୁ ସାର୍ବଜନୀନ କରିବାର ବ୍ୟାକୁଳତା । ତୃତୀୟ ଚକ୍ଷୁରେ ଦେଖିଥିବା ଦୃଶ୍ୟକୁ ସମସ୍ତଙ୍କୁ ଦେଖେଇ ଦେବାର ବ୍ୟାକୁଳତା ! ସବୁ ଶିଳ୍ପୀ ଏହି ବାସ୍ତବତା ଏବଂ ତହିଁରେ ଥିବା ଅତି ବାସ୍ତବତା ଭିତରେ ନିଜକୁ ହଜାଇ ଦେଇଥାଆନ୍ତି । ତାଙ୍କ ପାଖରେ କୃଷ୍ଣ, ପାଟିର ମାଟି ଯେତିକି ସତ୍ୟ ତା’ ଭିତରେ ଦିଶୁଥିବା ସାରା ବିଶ୍ୱ ବି ସେତିକି ସତ୍ୟ । ଶିଳ୍ପୀ ଏ ଉଭୟକୁ ଅନୁଭବ କରେ । ଉଭୟକୁ ପ୍ରକାଶ କରିବା ପାଇଁ ସେ ବ୍ୟାକୁଳ । ଏହି ଏକାନ୍ତ ଅନୁଭବ ପାଇଁ ତାକୁ ଭାଷାକୁ ନିଜ ଭାବେ ବ୍ୟବହାର କରିବାକୁ ପଡ଼ିବ, ନିଜ ଭାବରେ ରଙ୍ଗ ଲେପିବାକୁ ପଡ଼ିବ । ଚଳନ୍ତି ଭାବରେ ସେ ତ ନିଜକୁ ପ୍ରକାଶ କରିପାରିବନି । ଯାନ୍ତ୍ରିକ ଭାବେ କେବଳ ଅତୀତର ପୁନରାବୃତ୍ତି କରିପାରେ ମାତ୍ର ।

 

ତେଣୁ କଳାରେ ସତ୍ୟଶୀଳତା କହିଲେ ଆମେ ଶିଳ୍ପୀର ଜୀବନ ସହ ଅଙ୍ଗୀକାରକୁ ହିଁ ବୁଝିଥାଉଁ । ଏହି ଅଙ୍ଗୀକାର ଭିତରେ ଥାଏ କଳାପ୍ରତି ତା’ର ଅଙ୍ଗୀକାର । ଏହି ଅଙ୍ଗୀକାର ଅର୍ଥହୀନ ହୋଇଯାଏ ଯଦି ସେ ସମସ୍ତଙ୍କୁ ଗ୍ରହଣ ନ କରେ । ଅର୍ଥାତ୍‌ ଅବୈକ୍ତିକ ବାସ୍ତବତା ସହ ତା’ର ବୈକ୍ତିଗତ ଅହଂକୁ ପୁଣି ଭାଷାର ପରମ୍ପରା ସହ ବ୍ୟକ୍ତିଗତ ଭାଷା ବ୍ୟବହାରକୁ । ତଥାପି ଶିଳ୍ପୀ କେଡ଼େ ଅହଂହୀନ ଅହଂକାରଟିଏ । ଏହି ଅହଙ୍କାର ହିଁ ତ ତା’ର ନିଜସ୍ୱ । ତା’ର ସ୍ୱରୂପ ତ ତା’ ଶିଳ୍ପରେ ଫୁଟିଉଠେ । ଆଉ ଏହି ଅହଂହୀନତ୍ୱ ତ ତା’ର ସାର୍ବଜନୀନତା ଯା’ ଦ୍ୱାରା ସେ ସାରା ବିଶ୍ୱକୁ ଧରି ରଖିପାରେ । ଶିଳ୍ପୀ ତେଣୁ ସନ୍ନ୍ୟାସୀ ନୁହେଁ । ସେ ସବୁକୁ ଗ୍ରହଣ କରେ । ଜୀବନର ସୁଖ ଦୁଃଖକୁ ନିଜେଇନିଏ । ସେ ସବୁଠୁ ଦୂରରେ ରହି ତାଙ୍କର ଛବି ଆଙ୍କେନି, ସେ ସବୁକୁ ନିଜଭାବେ ରୂପାୟିତ କରିଦିଏ । ଏମିତିକି ପଳାୟନବାଦୀଙ୍କର ପଳାୟନ ମଧ୍ୟ ଏକପ୍ରକାର ଜୀବନକୁ ଗ୍ରହଣ କରିବା । ଜୀବନ ସହ ଏହି ଘନିଷ୍ଠତା ଯୋଗୁ ଜଣେ ଲେଖକ କହିଥିଲେ ଯେ ଗୋଟିଏ ଯୁଦ୍ଧ କ୍ଷୋଭିତ ଦୁଃପୂର୍ଣ୍ଣ ସମୟ ବିଷୟରେ ଲେ‌ଖିବା ଭାରି ସହଜ ମାତ୍ର ଯେପରି ଏକ ସମୟ ଭିତରେ ରହି ତାକୁ ରୂପଦେବା ଅତି କଷ୍ଟକର । କାରଣ ପ୍ରତ୍ୟକ୍ଷ ଅନୁଭୂତିରେ ଉବୁଟୁବୁ ହେଲାବେଳେ ତା’ଠାରୁ ଦୂରତା ରକ୍ଷା କରିବା ଅସମ୍ଭବ ।

 

କିନ୍ତୁ ଏ ଦୂରତା ବିନା ତୃତୀୟ ଚକ୍ଷୁର ଦ୍ୱାରା ନିଜସ୍ୱ ଭାବେ ରୂପାନ୍ତରିତ ହୋଇପାରିବନି-। ଏଇଠି ପ୍ରକୃତ ଶିଳ୍ପୀର ବିଶେଷତ୍ୱ । ସେ କିଛି ସହ ସାଲିସ କରିବାକୁ ଚାହେଁନାହିଁ-। ସଂପୂର୍ଣ୍ଣରୂପେ ଏକ ନିଜସ୍ୱ ଜଗତ ଭିତରେ ହଜିଗଲେ ବି ତାହାହିଁ ହୋଇଯାଏ ସାରା ବିଶ୍ୱର ପ୍ରତୀକ ।

 

ତେଣୁ ଭ୍ୟାନ୍‌ଗଗ୍‌ ସତ୍ୟଶୀଳତା, ସାଧୁତା କଥା କହିଲାବେଳେ ଏହି ସାଲିସ ନକରିବା କଥା ହିଁ କହିଥିଲେ । ଶିଳ୍ପୀ ପାଖରେ କେବଳ ଗୋଟିଏ ସତ୍ୟ ତା’ ତୃତୀୟ ଚକ୍ଷୁର ଦୃଷ୍ଟି । ତାହାହିଁ ସତ୍ୟ । ସତ୍ୟପାଖରେ ସାଜସଜ୍ଜାର ପ୍ରଶ୍ନଉଠେନି । ଆଉ ବି ପ୍ରଶ୍ନଉଠେନି । ସଜେଇ ଗୁଜେଇ ସୁନ୍ଦର କରି ଆଖି ଦୁରୁଶିଆ କରି ସବୁକୁ ଥୋଇବାର ପ୍ରଶ୍ନଉଠେନି । ଏପରି ସତ୍ୟକୁ ଲୋକେ ଗ୍ରହଣ କରୁଛନ୍ତି କି ନାହିଁ ତା’ର ବି ପ୍ରଶ୍ନଉଠେନି । ଅର୍ଥାତ୍‌ ସତ୍ୟପାଖରେ ଆବେଦନର ପାରମ୍ପାରିକତା ଗୌଣ ହୋଇଯାଏ । କାରଣ ସବୁ ଦୃଶ୍ୟ ଯେ ଶିଳ୍ପୀପାଖରେ ଆରଦୃଶ୍ୟ । ସବୁ ମୁହୂର୍ତ୍ତରେ ସେ ତ ଜଣେ ଜଣେ ଯଶୋଦା । ଯିଏ ମାଟିରେ ଦେଖିଛି ବିଶ୍ୱବ୍ରହ୍ମାଣ୍ଡ ଶବ୍ଦରେ ଶୁଣିଛି ସବୁ ନୀରବତା ।

 

ସବୁ କଳା ତେଣୁ ଅହଂହୀନ ଅହଙ୍କାରର ଆତ୍ମିକ ପ୍ରକାଶ । ଏଇଥିରେ ନିହିତ ସବୁ ସତ୍ୟଶୀଳତା । ଏହା ସତ୍ୟଶୀଳ ଅନୁଭୂତିର କଳାତ୍ମକ ପ୍ରକାଶ । ଏପରି ପ୍ରକାଶ ପାଇଁ ବଞ୍ଚିବାର ବିଭିନ୍ନତା, ବ୍ୟାପକତା ସହ ଗଭୀରତାର ପ୍ରୟୋଜନ । ଏପରି ଗଭୀରତା ପାଇଁ ପ୍ରୟୋଜନ ଜୀବନ ପ୍ରତି ସମ୍ୱେଦନଶୀଳତା । ଆଉ ପ୍ରେମ । ତେଣୁ ସତ୍ୟଶୀଳତା କେବଳ ବାସ୍ତବର ବାସ୍ତବତା ପ୍ରତି ନୁହେଁ, ଏହା କଳ୍ପନା ପ୍ରତି ପୁଣି ନିଜର ଚେତନା ପ୍ରତି ପ୍ରାଯୁଜ୍ୟ । ଏ ତିନିର ମିଶ୍ରଣ ହିଁ ତୃତୀୟ ଚକ୍ଷୁ-। ତେଣୁ ଶିଳ୍ପୀର ବାସ୍ତବତା କ୍ୟାମେରୀୟ କ୍ୟାମେରା ସତ୍ୟରୁ ଭିନ୍ନ ଏହା ଏକ ଉତ୍ତରୀୟ ସତ୍ତା-। ଏହି ସତ୍ତା ସହ ଆନ୍ତରିକତା ହିଁ ଶିଳ୍ପୀର ସତ୍ୟ, ତା’ର ଜୀବନ । ତାହାରି ପାଇଁ ପ୍ରକୃତ ଶିଳ୍ପୀ ଭଗବାନଙ୍କୁ ବି ତ୍ୟାଗ କରିପାରେ । କାରଣ ଏହି ସତ୍ତା ତ ଈଶ୍ୱର ।

 

ଏହି ଚେତନା ତେଣୁ ଏକ ଜଟିଳ ସମ୍ପର୍କର ଚେତନା । ଏହା ବାସ୍ତବ ପ୍ରତି କେବଳ ନୁହେଁ, କଳ୍ପନା ପ୍ରତି ମଧ୍ୟ ଆନ୍ତରିକତାର ସୂଚନା ଦିଏ । ଏହାହିଁ ସୃଷ୍ଟିର ବୀଜମନ୍ତ୍ର । ଏଇଥିପାଇଁ ବୋଧହୁଏ ଭ୍ୟାନଗଗ୍‌ ତାଙ୍କ ଚିଠିରେ ଏହାପ୍ରତି ଏତେ ଗୁରୁତ୍ୱ ଦେଇଥିଲେ ।

Image

 

ସତ୍ୟଶୀଳତା

 

ଜଣେ ସଙ୍ଗୀତଜ୍ଞ ତାଙ୍କ ରଚନାରେ ନାନାପ୍ରକାର ଉପାୟ ପୁଣି ସଙ୍ଗୀତ ସହ ସମ୍ପର୍କ ନଥିବା ନାନାପ୍ରକାର ଯନ୍ତ୍ରର ସାହାଯ୍ୟ ନେଇ ଯେଉଁ ଅଦ୍ଭୁତ ସଂଗୀତ ସୃଷ୍ଟି କରିପାରିଥିଲେ ତାହା ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲା । ମାତ୍ର ଯେତେବେଳେ ତାଙ୍କର ଏହି ଅପାରମ୍ପରିକ ପନ୍ଥା ସମ୍ପର୍କରେ ପ୍ରଶ୍ନଉଠିଲା ସେ କହିଥିଲେ, ‘‘ମୁଁ କ’ଣ ସୃଷ୍ଟି କରୁଛି ତାକୁ ଉପଭୋଗ କର । କେମିତି ସୃଷ୍ଟି କରୁଛି ସେଥିରେ ମୁଣ୍ଡ ଖେଳାଅ ନାହିଁ ।’’ ଏହି ଘଟଣା ଏବଂ ଶିଳ୍ପୀଙ୍କର ଏହି ଉକ୍ତିଟି ସମ୍ପର୍କରେ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଉଛି ଏହା ଶିଳ୍ପୀଙ୍କ ସ୍ୱାଧୀନତା ସମ୍ପର୍କରେ ଆମକୁ ସଚେତନ କରାଇଦିଏ । କଳା ଯା’ହେଉନା କାହିଁକି, ଏହା ଏକ ସ୍ୱାଧୀନ ପ୍ରକାଶ । ଶିଳ୍ପୀର ସ୍ୱାଧୀନତା ବିନା କଳା ସୃଷ୍ଟି ଅସମ୍ଭବ । ଏ ପ୍ରବନ୍ଧରେ କଳାରେ ସ୍ୱାଧୀନତାର ବିଭିନ୍ନ ଦିଗ ବିଷୟରେ ସମ୍ୟକ ଆଲୋଚନା ହେବ ।

 

କଳାରେ ସ୍ୱାଧୀନତା କହିଲେ ଆମେ ସାଧାରଣତଃ, ଶିଳ୍ପୀର ସ୍ୱାଧୀନତାକୁ ବୁଝିଥାଉଁ । ଏ ସ୍ୱାଧୀନତା ଦୁଇଟି ସ୍ତରରେ ଅନୁଭୂତ ହୋଇଥାଏ । ପ୍ରଥମତଃ ସାମାଜିକ ବ୍ୟକ୍ତି ହିସାବରେ ଏବଂ ଦ୍ୱିତୀୟରେ ଜଣେ କଳାକାର ହିସାବରେ ଶିଳ୍ପୀର ସ୍ୱାଧୀନତା । ଏ ଦୁଇ ସ୍ୱାଧୀନତା କେତେ ପୃଥକ୍‌ ନୁହଁନ୍ତି । ଏହା ଏକ ସଙ୍ଗରେ ଶିଳ୍ପୀକୁ ପ୍ରଭାବିତ କରିଥା’ନ୍ତି । ପ୍ରତ୍ୟେକ ଶିଳ୍ପୀର ତ ମୁଖ୍ୟତଃ ଦୁଇଟି କା । ସେ ଜଣେ ସାଧାରଣ ସାମାଜିକ ମଣିଷ, ଜଣେ ନାଗରିକ । ପୁଣି ସେ ଜଣେ ସଚେତନ ଶିଳ୍ପୀ । ନାଗରିକ ହିସାବରେ ତା’ର ସ୍ୱାଧୀନତା ମୁଖ୍ୟତଃ ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ । ଏହି ତିନି ସ୍ୱାଧୀନତା ମଣିଷକୁ ମଣିଷ ହିସାବରେ ବଞ୍ଚିବାକୁ ସାହାଯ୍ୟ କରିଥାଏ । ରାଜନୈତିକ ଓ ସାମାଜିକ ସ୍ୱାଧୀନତା ଉଭୟ ମାନସିକ ଓ ଦୈହିକ ସ୍ୱାଧୀନତା ଦେଲାବେଳେ ଅର୍ଥନୈତିକ ସ୍ୱାଧୀନତା ମଣିଷକୁ ବଞ୍ଚିବାର ନିହାତି ପ୍ରାଥମିକ ପ୍ରୟୋଜନ ପାଇଁ ଶକ୍ତି ଅପଚୟ କରିବାରୁ ରକ୍ଷା କରିଥାଏ । ‘ଅନ୍ନ ଚିନ୍ତା ଚମତ୍କାର’ରୁ ସେ ମୁକ୍ତି ପାଇଥାଏ । ସାଧାରଣତଃ ସ୍ୱାଧୀନତା କହିଲେ ଆମେ ଏହି ତିନି ପର୍ଯ୍ୟାୟର ମିଶ୍ରିତ ପ୍ରଭାବକୁ ହିଁ ବୁଝିଥାଉଁ । ଅନେକ ସମୟରେ ଅର୍ଥନୈତିକ ଓ ସାମାଜିକ ସ୍ୱାଧୀନତାର ମୁଖା ଭିତରେ ମଣିଷ ତା’ର କଥା କହିବାର ସ୍ୱାଧୀନତାଟିକୁ ହରାଇ ବସିଥାଏ । ଏହା ଜୀବନରେ ଅପୂର୍ଣ୍ଣତା ଆଣିଦିଏ । ଯେଉଁ ଅପୂର୍ଣ୍ଣତାକୁ ସୂକ୍ଷ୍ମ ଚେତନା ବିନା ଆଦୌ ବୁଝିହୁଏ ନାହିଁ । ଏହିପରି ଏକ ଅପୂର୍ଣ୍ଣ ବିକଳ ଅସ୍ତିତ୍ୱର ସୂଚନା ଆମେ ଅଡ଼େନ୍‌ଙ୍କ ଅଜ୍ଞାତ ନାଗରିକ କବିତାରେ ପାଇଥାଉଁ । ଅଜ୍ଞାତ ନାଗରିକର ସବୁଥିଲା । ଘର ଥିଲା, ଟଙ୍କା ଥିଲା, ବିଳାସ ସାମଗ୍ରୀ ଥିଲା । ମାତ୍ର ଏ ସବୁ ଥିବା ଭିତରେ ତା’ର ଗୋଟିଏ ଜିନିଷ ନଥିଲା । ତା’ର ବ୍ୟକ୍ତି-ସ୍ୱାଧୀନତା । ନିଜପାଇଁ ଚିନ୍ତା କରିବାର ସ୍ୱାଧୀନତା । ଆଉ ସବୁଠାରୁ ଦୁଃଖ ହେଉଛି ସେ ବିଚରା ଏ ବିଷୟରେ ସଚେତନ ବି ନଥିଲା । ଏଇଥିପାଇଁ କବି କବିତାର ଶେଷରେ ଏହି ପ୍ରଶ୍ନ ପଚାରିଥିଲେ–

 

‘‘Was he free ? Was he happy ? The question is absurd: Had anything been wrong, we should certainly have heard.’’

 

ସ୍ୱାଧୀନତାର ଏହି ତିନି ଧାରା ସବୁବେଳେ ଜୀବନକୁ ପ୍ରଭାବିତ କରିଥାଏ । ଯେତେବେଳେ ମଣିଷ ମୌଳିକ ସ୍ୱାଧୀନତା ପାଇଯାଏ ସେତେବେଳେ ସେ ଏହି ତେଲ ଲୁଣର ସଂସାରରୁ ଉତ୍ତରି ଯାଇ ଫୁଲ ତାରାର ସଂସାରକୁ ଯାଇପାରେ । ଜହ୍ନକୁ ଦେଖି ସ୍ୱପ୍ନ ବି ଦେଖିପାରେ । ସେତେବେଳେ ଯାଇ ଏହି ତେଲ ଲୁଣର ସଂସାର ନୂଆ ଭାବରେ ଅର୍ଥମୟ ହୋଇପାରେ । ମାତ୍ର ମୌଳିକ ସ୍ୱାଧୀନତା ବିନା ଏହି ଉତ୍ତରଯିବା ସମ୍ଭବ ହୁଏନା । ମୌଳିକ ସ୍ୱାଧୀନତାର ଅଭାବ ଯେମିତି ଫୁଲ ଭିତରର କୀଟ । ଧୀରେ ଧୀରେ ସବୁ ପାଖୁଡ଼ାକୁ କାଟିଦିଏ । ସ୍ୱାଧୀନ ହେବାର ଇଚ୍ଛାଟିକୁ ବି ।

 

ସାଧାରଣ ମଣିଷ ପାଖରେ ଯାହା ସତ୍ୟ ଶିଳ୍ପୀର ମନ କେବେ ସଂପୂର୍ଣ୍ଣଭାବେ ସ୍ୱାଧୀନ ହୋଇପାରିବ ନାହିଁ । ନିଜ ଅଜ୍ଞାତସାରରେ ସେ, ଅନ୍ୟର ଦାସ ହୋଇଯିବ । ସେ ନିଜ ଅକ୍ତିଆରରେ ନରହି ଅନ୍ୟର ଭାଟ ପାଲଟି ଯିବ । କଳା ଅନ୍ତରର ଓଁକାର ନ ହୋଇ ବାହାରର ପ୍ରତିଧ୍ୱନି ହୋଇଯିବ । ଆର୍ଥିକ ଅଭାବ ସହ ଜଡ଼ିତ ଥିବା ଭୟ ସାଥିରେ ବଡ଼ ହେବାର ଲୋଭ ମଧ୍ୟ ସ୍ୱାଧୀନତା ହରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ତେଣୁ ଶିଳ୍ପୀର ବ୍ୟକ୍ତି ସ୍ୱାଧୀନତାର ଅର୍ଥ ହେଉଛି ଆତ୍ମନିର୍ଭରଶୀଳତା, ନିର୍ଭୀକତା ।

 

ସୃଷ୍ଟିର ଦୁଇଟି ପ୍ରଧାନ ଶତ୍ରୁ । ଭୟ ଆଉ ଦାରିଦ୍ର୍ୟ । ଏହି ଦୁଇ ଶତ୍ରୁକୁ ଜୟ କରିବାକୁ ହେଲେ ପ୍ରୟୋଜନ ଏକ ଶକ୍ତିଶାଳୀ ସ୍ୱାଧୀନଚେତା ମନ । ଏକ ବିନୟୀ ଅହଙ୍କାର । ଏହା ଏମିତି ଏକ ଚେତନା ଯାହାକି ସାର ପାଇଁ ଶିର ଦେଇ ଦେବାକୁ ପ୍ରସ୍ତୁତ । ଏପରି ଏକ ମନ ହିଁ ଶିଳ୍ପୀ ପାଖରେ ବଡ଼ କଥା । ଏହାହିଁ ତା’ର ମୂଳମନ୍ତ୍ର ।

 

ସ୍ୱାଧୀନତା ତେଣୁ ଉଭୟ ବାହ୍ୟ ଏବଂ ଅନ୍ତରୀଣ । ନାଗରିକ ହିସାବରେ ସବୁ ବାହ୍ୟ ସ୍ୱାଧୀନତା ତା’ର କାମ୍ୟ । ପୁଣି ଏପରି ସ୍ୱାଧୀନତା ତା’ର ଅନ୍ତରୀଣ ସ୍ୱାଧୀନତା ଆଣିବାରେ ସାହାଯ୍ୟ କରିଥାଏ । ତା’ର ମୁଖ୍ୟ ସ୍ୱାଧୀନତା ତେଣୁ ତା’ ନିଜ ପାଖରେ, ତା’ କଳା ପାଖରେ । ବାହ୍ୟ ସ୍ୱାଧୀନତା ପାଇଁ ପ୍ରୟୋଜନ ଏକ ସୁସ୍ଥ ସାମାଜିକ ଓ ରାଜନୈତିକ ପରିବେଶ । ଆଉ ଏ ପରିବେଶ ପାଇଁ ଲୋଡ଼ା ସଂସ୍କୃତି-ଚେତନା ଓ ମୂଲ୍ୟବୋଧ । ପୁଣି ସଫଳ ଶିଳ୍ପୀ ପାଇଁ ପ୍ରତିକୂଳ ପରିବେଶ ସେତେ ବେଶୀ ବିପଦ ସୃଷ୍ଟି କରିପାରେନାହିଁ । କାରଣ ସେ ନିଜଠାରେ ଅତି ବେଶୀ ସତ୍ୟଶୀଳ । ମାତ୍ର ଦ୍ୱିତୀୟ ସ୍ୱାଧୀନତା ଅର୍ଥାତ୍‌ ଅନ୍ତରୀଣ ସ୍ୱାଧୀନତା ଏହାଠାରୁ ଭିନ୍ନ । ଟିକିଏ ଅଧିକ ଜଟିଳ । ଏପରି ସ୍ୱାଧୀନତା ପାଇଁ ଶିଳ୍ପୀକୁ ନିଜ ସହ ପୁଣି ତା’ର ପରମ୍ପରା ସହ ଲଢ଼ିବାକୁ ପଡ଼ିଥାଏ ।

 

ପ୍ରତ୍ୟେକ ମଣିଷର ଚେତନା ତା’ର ଏୈତିହ୍ୟ ଏବଂ ବ୍ୟକ୍ତିତ୍ୱ ଦ୍ୱାରା ଋଦ୍ଧିମନ୍ତ । ତା’ର ପୁରୁଷକାର ପରମ୍ପରା ବିନା ଅପୂର୍ଣ୍ଣ । ତେଣୁ ପ୍ରତ୍ୟେକ ବ୍ୟକ୍ତିର ପୂର୍ଣ୍ଣାଙ୍ଗ ପରିଚୟ ମିଳିଥାଏ ‘କୁଳଶୀଳ’ ଜରିଆରେ ‘କୁଳ’ ପରମ୍ପରା ଏବଂ ‘ଶୀଳ’ ବ୍ୟକ୍ତିବିଶେଷରେ ପ୍ରତିନିଧି । ମଣିଷ ମାତ୍ରକେ ଊଣା ଅଧିକ ରକ୍ଷଣଶୀଳ । ତା’ର ଥାଏ ନିଜ ପରମ୍ପରା ପ୍ରତି ଅତ୍ୟଧିକ ମମତା । ପରମ୍ପରା କିନ୍ତୁ ଅତୀତର ବୋଝ ନୁହେଁ । ସ୍ମୃତିର ମଧୁର ଶୂନ୍ୟତା ନୁହେଁ । ଏହା ଏକ ଜୀବନ୍ତ ଧାରା । ଅତୀତର ପୂର୍ଣ୍ଣତାରେ ଋଦ୍ଧିମନ୍ତ ହୋଇ ଏହା ଭବିଷ୍ୟତର ସମ୍ଭାବନା ତୋଳିଥାଏ । ମାତ୍ର ଏଥିପ୍ରତି ପ୍ରବଣତା ‘ଶୀଳ’କୁ ବିକାଶ କରିବାରେ ସାହାଯ୍ୟ କରେ ନାହିଁ । କୂଳର ଏକ ଗଡ଼୍‌ଡ଼ାଳିକା ପ୍ରବାହରେ ପକାଇଦିଏ । ସେହିପରି ଐତିହ୍ୟ ଚେତନା ବିହୀନତା ଶୀଳକୁ ନିର୍ମୂଳୀ କରିଦିଏ । ସେ ନିଜର ପୂର୍ଣ୍ଣତା ହାସଲ କରିପାରେ ନାହିଁ ।

 

ପ୍ରତ୍ୟେକ ଶିଳ୍ପୀ ଏହି ଚେତନାର ପ୍ରତୀକ । ସେ ତା’ର ଐତିହ୍ୟକୁ ଧରି ନିଜସ୍ୱ ଭାବେ ବଞ୍ଚି ଚାଲିଛି । ଶିଳ୍ପୀର ସ୍ୱାଧୀନତା ଆସେ ଏହି ପରମ୍ପରା ପ୍ରତି ଦୃଷ୍ଟିକୋଣର ପରିବର୍ତ୍ତନରୁ । ଏ ପରିବର୍ତ୍ତନ ପରମ୍ପରାର ଅସ୍ୱୀକାର ନୁହେଁ । ପରମ୍ପରା ପ୍ରତି ଉଦାସୀନତା ନୁହେଁ, କିମ୍ୱା ପ୍ରବଣତା ମଧ୍ୟ ନୁହେଁ । ଏହା ପରମ୍ପରା ପ୍ରତି ଏକ ଜୀବନ୍ତ ସତେଜ ଦୃଷ୍ଟିକୋଣ । ଏହା ଅହଂ ପାଖରେ ଐତିହ୍ୟକୁ ଅବା ଐତିହ୍ୟ ପାଖରେ ଅହଂକୁ ଜଳାଞ୍ଜଳି ଦିଏନାହିଁ । ଗୋଟିକ ଦ୍ୱାରା ଅନ୍ୟକୁ ଅଧିକ ଜୀବନ୍ତ କରିଥାଏ । ଚେତନା ପରମ୍ପରାକୁ ଅନ୍ଧପରି ଗ୍ରହଣ କରି ନିଏନି । ପିମ୍ପୁଡ଼ି ପରି ଗୋଟିଏ ଧାରରେ ଖାଲି ଚାଲିପାରେନି । ଏ ଚାଲିବାରେ ହୁଏତ ଶୃଙ୍ଖଳା ଥାଇପାରେ, ବଞ୍ଚିବାର ସଫଳତା ଥାଇପାରେ, ହୁଙ୍କାଟିଏ ହୁଏତ ଗଢ଼ାଯାଇପାରେ ମାତ୍ର ହୁଙ୍କାଟିକୁ ଭାଙ୍ଗିବାର କ୍ଷମତା ଏଥିରେ ନଥାଏ । ପିମ୍ପୁଡ଼ି ଧାରରେ ଚାଲିପାରେ ସିନା ମାତ୍ର ଧାଡ଼ି ଭାଙ୍ଗିପାରେ ନାହିଁ । ମଣିଷ ପାଖରେ ଏପରି ଚାଲିବା ପ୍ରବଣତା, ଅନ୍ଧ ରକ୍ଷଣଶୀଳତା । ମଣିଷ ଧାଡ଼ିବାନ୍ଧି ଜାଣେ, ତାକୁ ଭାଙ୍ଗିପାରେ ମଧ୍ୟ-। ଆଉ ଯିଏ ଭାଙ୍ଗି ଗଢ଼ି ଜାଣେ ସେ ହେଉଛି ଶିଳ୍ପୀ । ଏଇଥିପାଇଁ ଗ୍ରୀକ୍‌ମାନେ ଶିଳ୍ପୀକୁ ‘maker’ ବୋଲି କହୁଥିଲେ । ଶିଳ୍ପୀର ପ୍ରାଣ ସ୍ୱାଧୀନତା ଆଉ ଏଇ ସ୍ୱାଧୀନତା ଭିତରେ ଥାଏ ଅହଂ ଚେତନା-

 

ନିଜ ଅହଂ ଆଉ ପରମ୍ପରା ଭିତରେ ଥିବା ସମ୍ପର୍କ ବିଷୟରେ ସଚେତନତା ହିଁ ପ୍ରତ୍ୟେକ ଶିଳ୍ପୀର ପ୍ରାଣ । କାରଣ ଏହି ସଚେତନତା ଭିତରେ ଝଂକୃତ ହେଉଥାଏ ତା’ ସୃଷ୍ଟିର ସ୍ୱରୂପ । କଳା ତ ଜୀବନ ସହ ବ୍ୟକ୍ତିର ସଂଘର୍ଷର ପ୍ରକାଶ । ଏହା ତ ବାସ୍ତବତା ସହ ମଣିଷର ପରୀକ୍ଷାର ସୂଚକ । ଏହି ପରୀକ୍ଷା ଭିତରେ ଲୁଚି ରହିଥାଏ ଅନୁଭୂତିର ସବୁ ଗଭୀରତା । ବାସ୍ତବ ବଡ଼ ରହସ୍ୟମୟୀ । ମଣିଷ ସବୁବେଳେ ଏହି ବାସ୍ତବତାକୁ ନିଜ ଭାବରେ ବୁଝିବାକୁ ଚେଷ୍ଟା କରିଛି । ତା’ ଚେତନାରେ ଅତୀତ ସ୍ମୃତିର ସ୍ତର ପରେ ସ୍ତର ପଡ଼ି ରହିଥାଏ । ମଣିଷ ଏହ ସ୍ତର ଜରିଆରେ ଆଉ ଗୋଟିଏ ନୂଆ ସ୍ତର ସୃଷ୍ଟି କରିବାକୁ ଚେଷ୍ଟା କରେ । ଏହି ନୂଆ ଭାବଟାହିଁ ତା’ର ସ୍ୱାକ୍ଷର । ଏହିଠାରେ ହିଁ ତା’ର ବିପ୍ଳବ, ତା’ର ନୂତନତା । ତେଣୁ ଶିଳ୍ପୀର ସ୍ୱାଧୀନତାର ଅର୍ଥ ଉଚ୍ଛୃଙ୍ଖଳତା ନୁହେଁ । ଏହା ଏକ ନୂଆ ଶୃଙ୍ଖଳା । ଅଦ୍ଭୁତ ସଂଯମ । ଏହା ଅହଂକୁ ନିର୍ମୂଳୀ ହେବାକୁ ଦିଏନାହିଁ, ପୁଣି ନିଜ ଆଖିରେ ଅନ୍ଧପୁଟୁଳି ମଧ୍ୟ ବାନ୍ଧିବାକୁ ଦିଏନାହିଁ ।

 

ତେଣୁ ଶିଳ୍ପୀର ପ୍ରଥମ ସ୍ୱାଧୀନତା ଆସେ ତା’ ପରମ୍ପରା ସହ ସମ୍ପର୍କରେ । ପୂର୍ବରୁ କହିଛି ଏ ସ୍ୱାଧୀନତା–ପରମ୍ପରା ସହ ସମ୍ପର୍କ ଛିନ୍ନ କରିବା ନୁହେଁ–ନୂଆ ସମ୍ପର୍କ ସ୍ଥାପନ କରିବା । ବର୍ତ୍ତମାନ ଜରିଆରେ ପରମ୍ପରାକୁ ନୂଆ ଅର୍ଥରେ ଗରୀୟାନ୍‌ କରିବା ପୁଣି ବର୍ତ୍ତମାନକୁ ବୁଝିବା ପାଇଁ ଏବଂ ନିଜ ଅହଂକୁ ଜାଣିବା ପାଇଁ ସେ ପରମ୍ପରାର ସାହାଯ୍ୟ ନେବା । ତେଣୁ ଏ ସ୍ୱାଧୀନତା ବାନ୍ଧିହେବାର ସ୍ୱାଧୀନତା, ଯୋଡ଼ି ହେବାର ସ୍ୱାଧୀନତା ମାତ୍ର ଏ ଯୋଡ଼ିହେବା ଗୋଡ଼ରେ ବେଡ଼ି ପକାଏ ନାହିଁ । ଏ ଯୋଡ଼ିହେବା, ହାତ ଧରିବାର, ଆଲିଙ୍ଗନର । ଆଉ ଏହାରି ଉଚ୍ଚ ରଣ ଆଦି ଆମେ ପାଉଁ ରମାକାନ୍ତ, ସୀତାକାନ୍ତ, ଦୀପକ, ସୌଭାଗ୍ୟ ଓ ରାଜେନ୍ଦ୍ରଙ୍କ କବିତାରେ । ଏମାନେ ସମସ୍ତେ ସ୍ୱାଧୀନ ଅହଂଟିଏ ଧରି ସ୍ୱାଧୀନ ଭାବେ ନିଜ ଅତୀତ ସହ ସମ୍ପର୍କ ସ୍ଥାପନ କରିଛନ୍ତି । ଆଉ ଏହି ସମ୍ପର୍କ ସାହାଯ୍ୟରେ ବର୍ତ୍ତମାନ ଚେତନାର ସଫଳ ରୂପକାର ହୋଇପାରିଛନ୍ତି । ଏଇଥିପାଇଁ ଏତେ ଆଧୁନିକ ସେମାନଙ୍କ ପାରମ୍ପାରିକତା ।

 

ଏହି ଐତିହ୍ୟ ବୋଧ ଅହଂ ଚେତନାର ଗୋଟିଏ ଦିଗ । ଶିଳ୍ପୀ ଐତିହ୍ୟକୁ ବୁଝେ କେବଳ ନିଜକୁ ଜାଣିବା ପାଇଁ, ବର୍ତ୍ତମାନକୁ ଜାଣିବା ପାଇଁ । ବର୍ତ୍ତମାନ ଭିତରେ ନିଜର ସ୍ଥିତିକୁ ଜାଣିବା ପାଇଁ ଐତିହ୍ୟକୁ ଜାଣିବା ନିହାତି ପ୍ରୟୋଜନ । କାରଣ ଜୀବନ ସହ ପରୀକ୍ଷା ଯେ ଏହା ବିନା ଅପୂର୍ଣ୍ଣ ହୋଇ ରହିଯାଏ । ଫଳରେ ସତ୍ୟଶୀଳ ପ୍ରକାଶ ସମ୍ଭବ ହୋଇପାରେ ନାହିଁ । ବର୍ତ୍ତମାନର ସମୟ ଖଣ୍ଡରେ ଶିଳ୍ପୀର ଅହଂ ଯେ କେବଳ ବର୍ତ୍ତମାନତା ଭିତରେ ସୀମିତ ନୁହେଁ ! ପୁଣି ଅହଂ ମଧ୍ୟ କେବଳ ଶିଳ୍ପୀର ନୁଖୁରା ‘ଶୀଳ’ଟିଏ ନୁହେଁ । ବର୍ତ୍ତମାନ ଉପରେ ଉଜାଡ଼ି ପଡ଼େ ସମସ୍ତେ ଐତିହ୍ୟ ସଂସ୍କୃତି । ‘ଶୀଳ’ ଉପରେ ନଇଁପଡ଼େ ସବୁ ପୂର୍ବ ସୁରୀଙ୍କର କଳରବ । ରାଜପୁତ୍ରମାନଙ୍କ ଅସ୍ତ୍ର ପରୀକ୍ଷା ସ୍ଥଳୀରେ ଏ ଅହଂ କର୍ଣ୍ଣ ପରି ନୁଖୁରା ପୁରୁଷକାରଟିଏ ଧରି ନିଜ ଅପୂର୍ଣ୍ଣତାର ଦମ୍ଭରେ ଛିଡ଼ା ହୋଇନଥାଏ । ଏ ଚେତନାରେ ଥାଏ କୂଳର ସଚେତନତା । ଏହି ଚେତନା ନିଜ ସତ୍ୟରୂପ ପ୍ରକଟ କରେ, ସତ୍ୟଶୀଳ କରାଏ । ଶିଳ୍ପୀ ଯେତେବେଳେ ନିଜକୁ ସତ୍ୟଶୀଳ ଭାବେ ପ୍ରକାଶ କରିପାରେ ସେତେବେଳେ ସେ କେବଳ ନିଜ ବ୍ୟକ୍ତିର ଅନୁଭୂତିକୁ ରୂପ ଦେଇନଥାଏ, ତା’ ଅନୁଭୂତି ଭିତରେ ଗୋଟିଏ ସଂସ୍କୃତିର ଚେତନା ଦାନା ବାନ୍ଧିଥାଏ । ଆଉ ଏହି ଚେତନା ବ୍ୟକ୍ତିକୁ ନେଇ ସାର୍ବଜନୀନ ହୋଇଯାଏ । ରବୀନ୍ଦ୍ରନାଥଙ୍କ କବିତାରେ ତାଙ୍କ ଅହଂ ଭିତରେ ତାଙ୍କ ବର୍ତ୍ତମାନ ସବୁବେଳେ ରୂପ ଦେଇଥିଲାବେଳେ ସାରା ଭାରତୀୟ ଚେତନା ମଧ୍ୟ ଦାନା ବାନ୍ଧିଛି । ଠିକ୍‌ ସେହିପରି ସାରଳା ଦାସଙ୍କ ମହାଭାରତରେ ସମସ୍ତ ଓଡ଼ିଆ ପରମ୍ପରା ରୂପ ନେଇଛି । ଫଳରେ ମହାଭାରତ ହୋଇଯାଇଛି ଓଡ଼ିଆତ୍ୱରେ ଭରପୂର ପୁଣି ଓଡ଼ିଆତ୍ୱ ମଧ୍ୟ ସର୍ବଭାରତୀୟ ହୋଇପାରିଛି । ତେଣୁ ସବୁ ସଫଳ ସ୍ରଷ୍ଟାଙ୍କ ସୃଷ୍ଟି ବାସ୍ତବ ସହ ଅହଂର ଗୋଟିଏ ପ୍ରତିକ୍ରିୟା । ନିଜକୁ ପ୍ରକାଶ କରିବାର ଉଦ୍ଦାମ କାମନା ମାତ୍ର ଏପରି କରିସାରିବା ପରେ ବ୍ୟକ୍ତି ଆଉ ବ୍ୟକ୍ତି ହୋଇ ରହେ ନାହିଁ । ସେ ଗଣର ପ୍ରତିନିଧି ହୋଇଯାଏ । ସେ କେବଳ ବର୍ତ୍ତମାନରେ ସୀମିତ ହୁଏନାହିଁ । ସବୁକାଳରେ ସେ ସାଂପ୍ରତିକ ହୋଇଯାଏ । ବ୍ୟକ୍ତି ଆଉ ପରମ୍ପରା ପ୍ରସଙ୍ଗରେ ଗୁରୁପ୍ରସାଦଙ୍କ କାଳପୁରୁଷର ନିଆଯାଇପାରେ । ଏ କବିତାରେ କବିଙ୍କ ପାଖରେ ନିଜର ଅହଂ, ବର୍ତ୍ତମାନ, ପରମ୍ପରା ପୁଣି ଏକ ବିଦେଶୀ ଅନୁଭୂତି ଏକାକାର । କବି ଏଲିଏଟ୍‌ଙ୍କ ଲେଖାକୁ ଅନୁକରଣ କରିଛନ୍ତି ସତ । ମାତ୍ର ଏ ଅନୁକରଣରେ ସେ ଏକ ନିଜସ୍ୱ ଉଷର ଉପତ୍ୟକା ଗଢ଼ି ପାରିଛନ୍ତି । ଏ ଗଢ଼ିବାରେ କେବଳ ଓଡ଼ିଶା ଅବା ଭାରତର ପରିବେଶ, ଜୀବନଯାତ୍ରା, ସମସ୍ୟା ନୁହେଁ ତା’ର ସଂସ୍କୃତି, ଚେତନା ଏପରିକି ମୂଲ୍ୟବୋଧ ରୂପ ପାଇଛି । ଏଠାରେ ଗୁରୁପ୍ରସାଦ ଛୋଟ ଏଲିଅଟ୍‌ ହୋଇନାହାନ୍ତି । ସେ ବରଂ ନିଜ ଭାବରେ ଏଲିଏଟ୍‌ଙ୍କୁ ଗୁରୁପ୍ରସାଦୀୟ କରିପାରିଛନ୍ତି । ପାଶ୍ଚାତ୍ୟ ଶୂନ୍ୟତାବୋଧ ଭାରତୀୟ ମୂଲ୍ୟବୋଧ ଦ୍ୱାରା ରୁଦ୍ଧିମନ୍ତ ହୋଇଯାଇଛି । ଏଲିଅଟ୍‌ଙ୍କ ଟାଇପିଷ୍ଟ ଗାର୍ଲର ଯାନ୍ତ୍ରିକତା ପରିବର୍ତ୍ତେ ଗୁରୁପ୍ରସାଦଙ୍କ ନାରୀ ଚରିତ୍ର ମନରେ ଭରିଯାଇଛି ଗ୍ଳାନି ଆଉ ପାପବୋଧ । ଏହିଠାରେହିଁ ଅହଂ ଆଉ ପରମ୍ପରାର ସମ୍ପର୍କ । ଏହା ଅନୁଭୂତିକୁ ହିଁ ସ୍ପର୍ଶ କରିଥାଏ । ଏଠାରେ ଶୀଳ କୁଳ ସହ ମିଶିଯାଏ ଆଉ କୁଳ ଭିତରେ ଶୀଳ ବ୍ୟାପକ ହୁଏ । ତେଣୁ କାଳର ପଦପାତରେ ଗୋଟିଏ ସମୟ ଖଣ୍ଡ ନିଜର ଅସ୍ତିତ୍ୱ ରକ୍ଷାକରି ମଧ୍ୟ ଅନନ୍ତ ସହ ଏକ ହୁଏ । ତା’ର ସ୍ୱାକ୍ଷର ରଖିଯାଏ । ଯେମିତି ରଖିଯାଇଛି ଆଜିର ଭଙ୍କା କୋଣାର୍କ ଆଉ ଅଜନ୍ତା । ଏଲୋରାର ଛବି, ଅତିବଡ଼ି ଜଗନ୍ନାଥଙ୍କ ଭାଗବତ । ସେଠି ବ୍ୟକ୍ତି ଆଉ ଗଣ ସବୁ ଏକାକାର ।

 

ଏପରି ସମନ୍ୱୟ କେବଳ ସ୍ୱାଧୀନ ଭାବେ ନିଜକୁ ପ୍ରକାଶ କରି ପାରିବାର ସଫଳତା ଯୋଗୁଁ । ଏ ସଫଳତାର ଗୋଟିଏ ଦିଗ ଅହଂ ଚେତନା ସହ ପରମ୍ପରାବୋଧର ସମନ୍ୱୟ । ଅନ୍ୟ ଦିଗଟି ହେଲା ନିଜ କଳା ପ୍ରତି ସଚେତନ । ଅହଂ ଆଉ ପାରମ୍ପରିକବୋଧ ଯେଉଁ ଚେତନା ସୃଷ୍ଟି କରିଥାଏ, ତାହା ମଧ୍ୟ କଳା ସଚେତନତାକୁ ନିଶ୍ଚିତ ଭାବେ ପ୍ରଭାବିତ କରିଥାଏ । କଳା ଅହଂର ସତ୍ୟଶୀଳ ପ୍ରକାଶ । ଏହି ପ୍ରକାଶ ପାଇଁ ଶିଳ୍ପୀ ତା’ ମାଧ୍ୟମକୁ ନିଜସ୍ୱ ଭାବେ ବ୍ୟବହାର କରିଥାଏ । ଅବୈକ୍ତିକ ମାଧ୍ୟମ ଅର୍ଥାତ୍‌ ଶବ୍ଦ, ଭାଷା ରଙ୍ଗ ଏପରିକି ପଥରକୁ ସେ ବ୍ୟକ୍ତିଗତ ଭାବେ ବ୍ୟବହାର କରି ନିଜସ୍ୱତା ଫୁଟାଇବା ଚେଷ୍ଟ କରେ । ତା’ ମାଧ୍ୟମର ସବୁ ସମ୍ଭାବନାକୁ ବିନିଯୋଗ କରିବାକୁ ଚେଷ୍ଟା କରେ । ଏଥିପାଇଁ ଶିଳ୍ପୀର ପ୍ରୟୋଜନ ପ୍ରତିଭା ସାଧନା ଏବଂ ସର୍ବୋପରି ଗୋଟିଏ ସ୍ୱାଧୀନ ମନ । ଅହଂର ଅନୁଭୂତି ଅନନ୍ୟ । ଏହା ଗୋଟିଏ ମୁହୂର୍ତ୍ତର ଅନୁଭୂତିକୁ ନିଜ ଭାବେ ଧରି ରଖିବାର ଚେଷ୍ଟା କରିଥାଏ । ଏପରି ଅନୁଭୂତିର ସାର୍ବଜନୀନତା ଆସେ ଏହାର ଏକକତ୍ୱରୁ । ତେଣୁ ଏପରି ଅନୁଭୂତି ପାଇଁ ଶିଳ୍ପୀ ମାଧ୍ୟମର ଯାନ୍ତ୍ରିକତା ଉପରେ ନିର୍ଭର କରିପାରେ ନାହିଁ । ସେ ଆବିଷ୍କାର କରେ ନିଜର ଭାଷା, ନିଜର ବ୍ୟାକରଣ । ତେଣୁ ସବୁ ଶିଳ୍ପୀ ନିଜ ପାଖରେ ସତ୍ୟଶୀଳ ହେବାକୁ ଯାଇ ଗୋଟିଏ ଦିଗରୁ ପରମ୍ପରା ବିରୋଧୀ ହୁଅନ୍ତି । ଏପରି ବିରୋଧ ପରମ୍ପରା ବିରୁଦ୍ଧରେ ନୁହେଁ । ଏହା ପରମ୍ପରାର ଯାନ୍ତ୍ରିକତା ବିରୁଦ୍ଧରେ । ତେଣୁ ଏ ବିରୋଧ ପରମ୍ପରାହୀନତା ନୁହେଁ । ଏପରି ବିରୋଧର ଉଦ୍ଦେଶ୍ୟ ପରମ୍ପରାକୁ ଶଗଡ଼ ଗୁଳାରୁ ଆଣି ନୂଆ ବାଟରେ ଥୋଇବା । ଏହା ଏକ ନୂଆ ମୋଡ଼ । ଏହି ମୋଡ଼ ଦେବା ପାଇଁ ଗୋଟିଏ ପର୍ଯ୍ୟାୟରେ ପୁରୁଣାକୁ ଭାଙ୍ଗିବାକୁ ପଡ଼ିଥାଏ । ଏହାହିଁ କଳାର ବିପ୍ଳବ । ଏହା ଉଭୟ ଗଣ ଏବଂ ବ୍ୟକ୍ତି ସ୍ତରରେ ଦେଖାଦିଏ । ସାହିତ୍ୟରେ ଯୁଗ ସୃଷ୍ଟି ଏଇଥିପାଇଁ ହୋଇଥାଏ । ଆଧୁନିକ ଶିଳ୍ପୀମାନଙ୍କର ରୋମାଣ୍ଟିକ ଚେତନା ବିରୋଧ ସ୍ୱର ଏହି ଯାନ୍ତ୍ରିକତା ବିରୁଦ୍ଧରେ ସ୍ୱର । ଏ ବିପ୍ଳବର ମୂଳ ଯନ୍ତ୍ର ହେଲା ନିଜକୁ କେବଳ ନୂଆ ଭାବରେ ପ୍ରକାଶ କରିବା ନୁହେଁ; ନିଜକୁ ସତ୍ୟଶୀଳ ଭାବେ ପ୍ରକାଶ କରିବା । ଏଇଠି ଜନ୍ମ ନିଏ ସବୁ ଯୁଗରେ । ସବୁ ବ୍ୟକ୍ତିଙ୍କ ପରୀକ୍ଷା/ପରୀକ୍ଷା ନିଜକୁ ପ୍ରକାଶ କରିବାର ମାଧ୍ୟମ ସହ । ଏହିପରି ପରୀକ୍ଷା ଆମେ ପାଉଁ ଏଲିଅଟ, ପାଉଣ୍ଡଙ୍କ କବିତାରେ । ସେଜାନେ, ପିକାଶୋଙ୍କ ଚିତ୍ରରେ, ହେନ୍‌ରି ମୁର୍‌ଙ୍କ ସ୍ଥାପତ୍ୟରେ ଏମାନେ ସମସ୍ତେ ପରମ୍ପରାର ସ୍ଥାଣୁତ୍ୱକୁ ବିରୋଧ କରନ୍ତି । ପରମ୍ପରାକୁ ଗତିଶୀଳ କରି ତାକୁ ଗ୍ରହଣ କରିଛନ୍ତି । ଆଉ ଏପରି କରିବା ତାଙ୍କ ମାଧ୍ୟମ ସହ ସମ୍ପର୍କରେ ହିଁ ଦେଖାଦିଏ । ପାଉଣ୍ଡ ଆଉ ଏଲିଅଟ୍‌ ଆଧୁନିକ ଛନ୍ଦର ସୃଷ୍ଟି କଲାବେଳେ ଇ. ଇ. କାମିଂସ୍‌ କବିତାରେ ଭାଷାର ପ୍ରୟୋଗ ସଂପୂର୍ଣ୍ଣ ଭାବେ ନିଜସ୍ୱ କରିଛନ୍ତି । ଏପରି କବିତାର ଏକମାତ୍ର ଉଦ୍ଦେଶ୍ୟ ଯେ ପାରମ୍ପରିକ ଭାବରେ ସେମାନେ ଯେ ନୂଆ ପରିସ୍ଥିତିରେ ସେମାନଙ୍କ ଅନ୍ୟାନ୍ୟ ଭାବକୁ ଆଦୌ ପ୍ରକାଶ କରି ପାରିବ ନାହିଁ । ସେଜାନେ, ପିକାଶୋ ବାହ୍ୟ ବସ୍ତୁକୁ ଯେଉଁ ଭାବରେ ଦେଖୁଥିଲେ ତାହା ପୁରୁଣାର ଅନୁକରଣ ଦ୍ୱାରା ସମ୍ଭବ ନୁହେଁ । କାରଣ ସେମାନଙ୍କ ପାଖରେ ଶିଳ୍ପୀ ତ ଆଉ ବାହ୍ୟ ବସ୍ତୁର ଅନୁସରଣ କରୁନଥିଲା । ବସ୍ତୁ ଭିତରେ ଥିବା ଅବସ୍ତୁକୁ ସେ ଖୋଜି ବୁଲୁଥିଲା ଆଉ ଏହି ଖୋଜିବା ଭିତରେ ସେ ନିଜକୁ ଖୋଜୁଥିଲା । ସବୁ ପରୀକ୍ଷା ସତ୍ୟଶୀଳତାର ଅନ୍ୟ ନାମ । ସବୁ ସଫଳ କଳା ଗଭୀର ଭାବରେ ବଞ୍ଚିବାର ଉଚ୍ଚାରଣ । ଏଇଥିପାଇଁ ତ ଲରେନ୍‌ସ କହିଥିଲେ ଯେ ଉପନ୍ୟାସ ଜୀବନକୁ ବଞ୍ଚିବାର ପ୍ରକାଶ । ଏକ ଆତ୍ମାନୁସନ୍ଧାନ । ନିଜ ଆତ୍ମାବସ୍ଥାର ବିଶ୍ୱସ୍ତ ଛବି । ଏହା ପୂର୍ଣ୍ଣାଙ୍ଗ ମଣିଷର ଗଭୀର ବଞ୍ଚିବାର କାହାଣୀ । ଏହା କେବେ ଖଣ୍ଡିତ ବା ଅପୂର୍ଣ୍ଣ ହୋଇପାରେନା । ଏପରି ଅବସ୍ଥାରେ ନିଜ ପ୍ରତି ଏବଂ କଳା ପ୍ରତି ସତ୍ୟଶୀଳତା ହିଁ ଏକମାତ୍ର ସତ୍ୟ ।

 

ସତ୍ୟଶୀଳତା ତେଣୁ ସବୁବେଳେ ସବୁକୁ ମାନିନେବା ନୁହେଁ । ଏହା ସାର୍ଥକ ଅନୁକରଣ ନୁହେଁ ଅଥବା ପାରଂପାରିକ ଦୃଷ୍ଟିରେ ଗ୍ରହଣୀୟତାକୁ ସଫଳଭାବେ ପ୍ରକାଶ କରିବା ନୁହେଁ । ଏହା ନିଜ ବାସ୍ତବତା ସହ ଆତ୍ମୀକରଣ, କୌଣସି ସାଲିସ୍‌କୁ ମୁଁ ଗ୍ରହଣ କରେନାହିଁ । ଏମିତିକି ବାହ୍ୟ ବାସ୍ତବତା ମଧ୍ୟ ଏହା ପାଖରେ ଅପୂର୍ଣ୍ଣ ହୋଇପାରେ ଏବଂ ନିଜ ସତ୍ୟକୁ ପ୍ରକାଶ ପାଇଁ ଶିଳ୍ପୀ ମିଥ୍ୟା, କଳ୍ପନାର ଆଶ୍ରୟ ନେଇପାରେ–ଦୁର୍ବୋଧତାକୁ ନିଜର ମାଧ୍ୟମ କରିପାରେ । ଏଇଥିପାଇଁ ମାରକୁଇଜଙ୍କ ପାଖରେ ବାସ୍ତବତା ଏବଂ ଉଦ୍‌ଭଟତାର ସୀମା ବଡ଼ କ୍ଷୀଣ । କାରଣ ସତ୍ୟ କେବେ କେବଳ ତେଲ ଲୁଣର କଥା ନୁହେଁ । ଏହା ଏକ ବୈପ୍ଳବିକ ଚେତନା ଯାହା ଜୀବନ ସହ ମଗ୍ନତାରୁ ଜନ୍ମ ନେଇଥାଏ । ଏହାର ସଫଳତା ହେଉଛି ଜୀବନ ସହ ଗଭୀର ଭାବେ ମଗ୍ନ ହେବା । ଏବଂ ଏହି ମଗ୍ନତା ହିଁ କଳାରେ ପ୍ରକାଶପାଏ ବିଭିନ୍ନ ନିଜସ୍ୱ ଭାବେ । ଏହି ନିଜସ୍ୱଭାବ ଜୀବନକୁ ବଞ୍ଚିବାରେ, ପୁଣି ମାଧ୍ୟମକୁ ବ୍ୟବହାର କରିବାରେ । ଏଇଥିପାଇଁ ସଙ୍ଗୀତଜ୍ଞ କହିଥିଲେ ମୋ’ର ସୃଷ୍ଟିକୁ ଦେଖ ମୋର ପନ୍ଥାକୁ ନୁହେଁ । କାରଣ ସୃଷ୍ଟି ଆଉ ଏ ପନ୍ଥା ସତ୍ୟଶୀଳତାର ଅନ୍ୟ ରୂପ । ଏଠାରେ ତଥାକଥିତ କୌଣସି ଧାରଣା ନାହିଁ । ଏଠାରେ ସବୁ ସତ୍ୟ, ସବୁ ସମ୍ଭବ । ଖାଲି ନିଜ ପାଖରେ ସତିଆ ହୋଇପାରିଲେ ହେଲା । ଏ ସତ୍ୟଶୀଳତା ତେଣୁ ନିଜ ପାଖରେ, ମାଧ୍ୟମ ପାଖରେ ଶେଷରେ ନିଜ ପନ୍ଥା ପାଖରେ ।

Image